Unknown

 

 

 

 

 

 

 

 

 

 

 

କେତେ ବାନ୍ଧବୀ

ଶ୍ରୀ ଗୋରାଚାନ୍ଦ ମିଶ୍ର

 

 

 

 

 

 

 

 

 

 

 

 

 

ଝୁନୁ ହାତରେ

 

ଇଂରେଜୀ ସାହିତ୍ୟରେ ଏ ଧରଣର ଲେଖା ଅନେକ । ଓଡ଼ିଆ ସାହିତ୍ୟରେ ଏହା ପ୍ରଥମ, ଦ୍ୱିତୀୟ କି ତୃତୀୟ ଜାଣେନା । ଇଏ ତ ଲେଖା ନୁହେଁ, ଗୋଟାଏ ଦୁଃସାହସ । ଏଥିରେ ଅନୁଭୂତି ଯେତିକି, କଳ୍ପନା ସେତିକି ।

 

ଏ ସବୁର ଲେଖା ଜଣେ ଡାକ୍ତର ବନ୍ଧୁଙ୍କ ନିଦ୍ଦେର୍ଶରେ । ମୋର ଶେଷବାନ୍ଧବୀ ଜଣକ ଥରେ ରୋଗିଣୀ ହୋଇପଡ଼ିଲେ, ମୋଠୁ ଦୂରରେ ରହିଲେ—ପ୍ରାୟ ପାଞ୍ଚଶହ ମାଇଲ ବ୍ୟବଧାନରେ । ଡାକ୍ତର ବନ୍ଧୁ କହିଲେ, ତୁମେ ତ ଗପ, ଉପନ୍ୟାସ, ନାଟକ ଆଦି ଲେଖ । ସେଇଭଳି ଗୁଡ଼ିଏ ସରସ ଲେଖା ଲେଖି ରୋଗିଣୀ ପାଖକୁ ପ୍ରତି ସପ୍ତାହରେ ପଠାଅ । ଦେଖିବ, ଲେଖାଗୁଡ଼ିକ ଔଷଧଭଳି କାଟୁ କରିବ । ପ୍ରତି ସପ୍ତାହରେ କିଛି କିଛି ଲେଖି ଡାକରେ ପଠାଏ । ସେ ପଢ଼ିସାରି ଲେଖେ, ଆହୁରି ପଠାଅ, ଭାରି ଭଲ ଲାଗୁଚି । ଉତ୍ସାହ ବଢ଼େ, ଲେଖେ, ପଠାଏ ।

 

‘କେତେବାନ୍ଧବୀ’ର ପରିକଳ୍ପନା ଆଗରୁ ହୋଇ ନଥିଲା । ଲେଖୁ ଲେଖୁ ଲେଖା ହୋଇଗଲା । ତେଣୁ ପ୍ଲଟ୍‍ ଭାବି, ସଜାସଜି କରି ବା ଥରକୁ ଥର ସଂଶୋଧନ କରିବା ବେଦନା ମୁଁ ଭୋଗିନି ।

 

‘କେତେ ବାନ୍ଧବୀ’ ନାଁଟି ଦେଇଛନ୍ତି ଇଷ୍ଟର୍ଣ୍ଣଟାଇମ୍‌ସର ସହସଂପାଦକ ମୋର ଶୁଭେଚ୍ଛୁ ଗୌରାଙ୍ଗ ଚରଣ ଦାସ । ତାଙ୍କୁ, ଶ୍ରୀଯୁକ୍ତ ଭୌମିକ, ଶ୍ରୀଯୁକ୍ତ ବାସବ ଓ ପ୍ରକାଶକ ଫ୍ରେଣ୍ତସ୍‌ ପବ୍ଲିଶର୍ସଙ୍କୁ ମୋର ଧନ୍ୟବାଦ ।

 

ଏକ

 

ଆମ ଗାଁ ରଞ୍ଜୁ ଯୋଉଦିନ ବାହାହେଲେ, ସେଇଦିନ ବିଧବା ହେଲା । ରାତିରେ ବାହାଘର, ତା ଆରଦିନ ଦିପହରକୁ ବରର ମଲା ଖବର, ସେଇଠି ସେଇ ଗାଁରେ ।

 

ଶଙ୍କର ମହାପାତ୍ରଙ୍କ ଝିଅ ରଞ୍ଜୁ, ରଞ୍ଜୁନା । ଦେଖିବାକୁ ବଡ଼ ସୁନ୍ଦରୀ । ପଛଆଡ଼ିକି ଲମ୍ବା ଗୋଟିଏ ବେଣୀ ରୂପାଥାଳି ଭଳି ଗୋଲଗାଲ ଗୋଟାଏ ମୁହଁ । ତା କଣ୍ଠରୁ ସେଇ ଯୋ ଗୀତଟି–‘‘ରାଧାଧରି ସଖିକର କହନ୍ତି ଆକଟ ଆଉ ନକର’’ ଶୁଣିଲା ମାତ୍ରେ, ମାମୁଁ ନାଇଁ ମାଇଁ ନାଇଁ କେହି ଆମକୁ ଆକଟ କରି ରଖିପାରୁ ନଥିଲେ । ପ୍ରକୃତରେ ରଞ୍ଜୁଟା ଆମ ହୃଦୟଗୁଡ଼ାକୁ ଗୀତ ଗାଇ ଗାଇ ଚାଞ୍ଛି ପକାଉଥିଲା ।

 

ରଞ୍ଜୁର ଦେହରେ ସୁଷମା, ଗଳାର ଗରିମାର ଖବରପାଇ ଗଣେଶ ମହାପାତ୍ର ସେଦିନ ବିନା ଯୌତୁକରେ ରାଜି ହୋଇଗଲେ ବାହାହେବା ପାଇଁ । ରଞ୍ଜୁର ଜାତକ ଦେଖି ଜ୍ୟୋତିଷ-ବାପା କହିଲେ, କିରେ ଗଣି, ଆଖିକି ପରା ମୋର ଜଳ ଜଳ ଦେଖାଯାଉଚି, ଅମୁଙ୍ଗୁଳି ଝିଅଟା । ନାଇଁ କରୁଚି, ବାହା ହେବୁ ତ ବଉଁଶଯାକକୁ ଜାଳିପୋଡ଼ି ମାରିବୁ ।

 

ଗଣିବାବୁ କିନ୍ତୁ ବାପାଙ୍କ କଥା ମାନିଲେ ନି, ବାହାହେଲେ । ତା ଆରଦିନ ସକାଳୁ ଉଠୁ ଉଠୁ ଗାଁଟା ଯାକର ଶଳା ଶାଳୀ ଆସି ହାଜର । ଗଣିବାବୁଙ୍କ ହାତରେ ଦୁବ, ବରକୋଳି ପତରର ସୂତାବନ୍ଧା ପଘା । ଦେହରେ ଯଥା ପାଞ୍ଚି । ହଳଦିଆ ଗୋଟାଏ ଲୁଗା । ଡକରା ପଡ଼ିଲା, କିଓ ଜୋଇଁ, ପୋଖରୀପାଣି ଯିବନି ଗାଧୁଆ ପାଧୁଆ ସାରି ଶୀଘ୍ର ସିନା ଆସିଲେ କଉଡ଼ି ଖେଳ ହେବ ।

 

ଜୁଆଇଁଙ୍କି ଆଗରେ ରଖି, ଆମେ ଶଳା ଶାଳୀଗୁଡ଼ାକ ସେଦିନ ବାହାରିପଡ଼ିଲୁ ଗୋଟାଏ ଲମ୍ବା ଶୋଭାଯାତ୍ରାରେ । ପାଖରେ ଭଣ୍ତାରୀ । ଜୋଇଁ ଚାଲିଚନ୍ତି, ଗାଁ ଗୋଟାକ ମାଇପଙ୍କ ସହସ୍ର ଆଖି । ଆଲୋ ଏ ନିଶା ବୋଉ, ଧାଇଁଆଲୋ, ରଞ୍ଜୁ ବରକୁ ଦେଖିବୁ । ନିଶା ବୋଉ ଧାଇଁ ଆସି ଟିପ୍‌ପଣୀ କାଟି କହିଥିଲା, ଯାହାକୁ ଯିଏ, ମନ ମାନିଲା-ଟିକି ! କହିଚି ପରା ଆମର ସିଏ ଯେଉଁଠି ବର ବାଛିଥିବେ ନା, ଅସୁନ୍ଦର, ଅଠିକଣା ବୋଲି କାହା ମୁହଁରୁ ପଦେ କଥା ବାହାରିବାକୁ ନଥିବ । ଜାଣିଲୁ କିଲୋ, ଗଣେଶ ପରା ନିଶାନନାଙ୍କ ପଢ଼ା ସାଙ୍ଗର ପୁଅ, ରଞ୍ଜୁବୋଉ କହିଲେ ବୋଲି, ମାସେ ହେଲା ଚିଠି ଲେଖି ଲେଖି, ତେବେଯାଇ ହେଲା । ଏତେ କଲେ ବି କ’ଣ ପ୍ରଶଂସା ଟିକିଏ ମିଳିଲା ? ଭୋଜିହେଲା ଯେ ପିଲାଗୁଡ଼ାକୁ ବି ଡାକିଲେନି । ହଉ ନ ଡାକ..... ।

 

ଏମାନଙ୍କ କଥା ସରିଲାବେଳକୁ ଗଣେଶ ମହାପାତ୍ରେ ଯାଇ ପୋଖରୀ ହୁଡ଼ାରେ । ରଜାଙ୍କ କାଠି ଲାଗି ହେଲା, ଶୂଳୀକି ବିଜେ କଲେ, ତାପରେ ଯାଇ ସ୍ନାନ । ଏଡ଼େ ବଡ଼ ପଦ୍ମ ପୋଖରୀ । ଦୁଇ ତିନି ପୁରୁଷ ପାଣି । ଦେହ ପଖାଳିବା ପାଇଁ ବଡ଼ ଭିଡ଼ ଦେଖେଇ ଜୁଆଇଁ ପୁଅ ଡେଇଁ ପଡ଼ିଲେ ପାଣିକି । ଶାଳୀଗୁଡ଼ାକ ଉପରେ । ଥଟ୍ଟା ଟାପରାର ସୀମା ନାହିଁ । ପାଣି ଭିତରେ ଆମେ ଶଳାଗୁଡ଼ାଏ । ଜଳକେଳି ଚାଲିଚି । ଜୁଆଇଁ ବୁଡ଼ୁଚନ୍ତି, ଉଠୁଚନ୍ତି, ଉଠିଲାମାତ୍ରେ ଉପରୁ ଥାପଡ଼ । ଯା ବୁଡ଼ି ଯା । ଇମିତି ଚାଲିଲା ଘଣ୍ଟାଏ କାଳ । ମୁଣ୍ତର କଳା ଅଂଶଟା ଉପରକୁ ବାହାରୁ ବାହାରୁ ପୁଣି ଉପରୁ ଠେଲା । ପଚାଶେ କି ଶାଠିଏ ଶଳା । କେତେ ହାତ, କେତେ ଗୋଡ଼ ମୁଖି ଗୋଇଠା ସବୁ ଗୁଡ଼ାକର ପ୍ରବଳ ପ୍ରହାରରେ ଜୁଆଇଁ ପୁଅ ସାବାଡ଼ । ଶେଷରେ ସେଇମିତି ପାଣି ଭିତରେ ରହିଗଲେ— ଚିରଦିନ ଲାଗି । ରଞ୍ଜୁ ବିଧବା ହେଲା । ବରର ବିରହରେ ରଞ୍ଜୁ ବି ମଲା, ବର ମରିବାର ଦୁଇ ମାସ ପରେ ।

 

ଆଜି ମଗୁଶୀର ମାସ ବୁଧବାର । କାଲିକି ଲକ୍ଷ୍ମୀଠାକୁରାଣୀ ଆସିବେ । ରାତି ଆସି ଦଶ ବାଜିଲାଣି, ବାହାରେ ହାଉଯାଉ । ହଇଲୋ ରମା ବୋଉ—ତୋ ଦାଣ୍ତପିଣ୍ତା କି ସୁନ୍ଦରସାଜିଛି ଲୋ-! ଆମ ଟିକିଏ, ପିଣ୍ତାଟା ନୁଖୁରା ପଡ଼ିଛି, ଦିଇଟା ନେଖି ଦେଇ ଯିବୁ ? ଗିନେ ପିଠୋଉ, ଟିକିଏ ବୋଲି କନା, ସେତିକିରେ କି ସୁନ୍ଦର ଚିତା ! ହାତୀ, ହାତୀ ପାଖକୁ ପଦ୍ମ, ସେ ପୁଣି କେତେ ରକମର, ସ୍ଥଳପଦ୍ମ, ଜଳପଦ୍ମ, ଆକାଶ ପଦ୍ମ; ତା ସାଙ୍ଗକୁ କେତେ ଭଳି ଫୁଲ, ଫୁଲର କଢ଼ି, ଆମ୍ବଡାଳ, ବରଡାଳ, ଡାଳ ଭିତରେ ପୁଣି କେତେ ଗଛର ଡାଳ ।

 

ମନେପଡ଼ୁଛି ଅଠର ବର୍ଷ ତଳର କଥା—ଚନ୍ଦ୍ର ଭାଇନା ସ୍ତ୍ରୀ, ଟିକିଏ ଗେଡ଼ି ସିନା, ସୁନାଟିଏ । ତୁନି ତୁନି କଥା, ଚାଲିବଯେ ପିମ୍ପୁଡ଼ି ମରିବନି । ଛାତି ଉପରେ ଗୋଟିଏ ସୁନାର ଚେନ-। ଗୋଡ଼ରେ ପାଞ୍ଜୁଲ । ଅଣ୍ଟାରେ ଅଣ୍ଟାସୂତା । ଟିକିଏ ସାବନା ସିନା, ମୁହଁର ଗଢ଼ଣଟି ଠିକ୍‌ ସିନେମା ଅଭିନେତ୍ରୀ ମାଳାସିହ୍ନା ଭଳି ।

 

ଦିନେ ଶୁକୁଆ ପୋଡ଼ା ସାଙ୍ଗକୁ ପିଆଜ ଲୁଣ ପକେଇ ଗୋଟାଏ ବଢ଼ିଆ ଲୁଣପାଣି କରି ରୁପାନାନୀ ମତେ ଗୁଣ୍ତା ଗୁଣ୍ତାକରି ଖୁଆଉଚି, ଲକ୍ଷ୍ମୀ ଆସି କହିଲା, ନାନୀ ଲୋ, ଚନ୍ଦ୍ର ଭାଇନା ମାଇପ ଆସିଲାଣି । ନାନୀର ହାତଟାକୁ ଛିଞ୍ଚାଡ଼ି ଦେଇ ଦୌଡ଼ିଲି ନୂଆଭାଉଜକୁ ଦେଖିବା ପାଇଁ । ସେତେବେଳେ ମୋର ମନେ ନଥିଲା ଯେ ମୁଁ ଅଣ୍ତିରାଟାଏ, ସେତେବେଳକୁ ବୟସ ଫେର ଆସି ହେଲାଣି ଚଉଦ କି ପନ୍ଦର । ଦଳକୁ ଦଳ ମାଡ଼ି ଚାଲିଚନ୍ତି ଭୁଆସୁଣୀ ଝିଅଗୁଡ଼ାକ, ମୁଁ ସେଇମାନଙ୍କ ମେଳରେ ।

 

ହଠାତ୍‌ ସର ଭାଉଜ ଆଗୁଳି ପକେଇ କହିଲା, କିଓ ତୁମେ ଭେଣ୍ତିଆଟେ କୁଆଡ଼େ ଦଉଡ଼ିଚ ? ମୋଠୁ କ’ଣ ମନ ଛାଡ଼ିଗଲା କି ? (ସେତେବେଳେ ସର ଭାଉଜ ଥିଲା ଆମ ଗାଁରେ ସବୁଠୁ ସୁନ୍ଦରୀ, କଥା ଭିତରେ ତାର ଏତେ କଥା ଯେ ମଣିଷ ଶୁଣିଲେ ବେଦମ ହୋଇଯାଏ) । ଯେତେ ନେହୁରା କାକୁତି ମିନତି କଲି, ସର ଭାଉଜ କିନ୍ତୁ ବାଟ ନଛାଡ଼େ । ଚାଲ ଘରକୁ, ନେଉଟୁଚ ନା ନାଇଁ, ହେଇ ଡାକିଲି, ହଇହେ ରୂପା ! ଅଇଣ୍ଠା ତୁଣ୍ତରେ ଏଇ ଦିନେଶକୁ ଦେଖିଲ ? ବାଇଛାଡ଼ିଲାଣି ଏ ଟୋକାକୁ ।

 

ରୂପା ନାନୀ ସେଦିନ ଜଝାଂଙ୍ଗି ଛାଟଟାରେ ପିଟି ପିଟି ପୁଣି ହାଜର କରେଇଥିଲା ନେଇ ଭାତ କଂସା ଆଗରେ । ସେ ଦିନ ରାତି ପାହିଗଲା, କେତେ ଚେଷ୍ଟା କରି, କିନ୍ତୁ ଚନ୍ଦ୍ର ଭାଇନା ମାଇପକୁ ଦେଖିପାରିଲା ନାହିଁ ।

 

ଗାଁରେ ମୁଁ କେବଳ ଏକମାତ୍ର ପୁଅ ଯିଏକି ନିର୍ବିରୋଧରେ ବାଡ଼ିଆଡ଼େ କୂଅମୂଳେ ଗାଧେଇ ପାରେ, ଗପ ସପ କରି ଘଣ୍ଟା ଘଣ୍ଟା କଟେଇ ପାରେ । ସେ ଦିନଠୁ ମୁଁ କୂଅମୂଳେ ନ’ଟା ନ ବାଜୁଣୁ ବାଲ୍‌ଟି ଦଉଡ଼ି ଧରି ଠିଆ । ଯେଉଁ ମାଇପିଟାକୁ ନୂଆ ଦେଖିବି, ସେ ମାଇପିଟା ନିଶ୍ଚେ ଚନ୍ଦ୍ର ଭାଇନା ମାଇପ ହୋଇଥିବ । ଏ ଧାରଣା ନେଇ ଦୁଇ ଥର ଅପଦସ୍ଥ ହେଇଛି । ନିଧି ମାମୁଁର ଶାଳୀ ଆସିଥାଏ ପାଣି ପାଇଁ । ଏଡ଼େ ବଡ଼ ଲମ୍ବା ନାକ, ଦିଇଟା ବାହାଡ଼ା ଦାନ୍ତ, ଆଖିରେ ମେଞ୍ଚାଏ କଜଳ, କଳା କିଟି କିଟି ଚମଡ଼ା । ତାକୁ ଦେଖି ଦିନେ ଅଧା ଗାଧୁଆ ହୋଇ ଘରକୁ ଧାଇଁ ଆସି କହିଥିଲି—ଆଜି ଦେଖିଲି ।

 

କାହାକୁ ରେ ?

 

ଚନ୍ଦ୍ର ଭାଇନା ମାଇପଟାକୁ ।

 

ମନକୁ ପାଇଲା ?

 

ନାଁ କି ହଁ ନ କହି, ମୁହଁକୁ ବିଚ୍‌କିଟିଆ କରି ଦେଇ ଦେଖେଇ ଦେଇଥିଲି । ତା ଦେହ ଗୋଟାକ ଯାକକୁ ବର୍ଣ୍ଣନା କରି କହିବାପରେ ନାନୀ କହିଥିଲା, ସେ ପରା ନିଧି କକେଇ ଶାଳୀ; ତୋର ମାଉସୀ ହେବ ।

 

ଆଉ ଦିନେ ସର ଭାଉଜ କୁଆଡ଼ୁ ଗୋଟାଏ ଟୋକୀକି ଧରି ଆଣି କହିଲା, କିଓ ରସିକନାଗର, ଦେଖିବ ପରା, ଚନ୍ଦ୍ର ମାଇପକୁ, ହେଇ ଦେଖ, ଖୋଲିଖାଲି ଦେଖ । ଦେଖିଲା ବେଳକୁ ଆଉ କିଏ ନୁହେଁ, ଆମ ଗାଁର ଲଡ଼ୁଟା । ଟୋକାଟାକୁ ଇମିତି ସଜେଇ ଦେଇଥାଏ ଯେ ମୁଁ ହଠାତ୍‌ ବାରି ପାରିଲିନି, ଏଇଟା ଅଣ୍ତିରା କି ମାଇକିନିଆଁ । ମାଇଚିଆ ଲଡ଼ୁଟା ମଧ୍ୟ ସେମିତି ମାଇକିନା ଢଙ୍ଗ କାଢ଼ି, ମୁହଁକୁ ବଙ୍କେଇ ଦେଇଥାଏ ।

 

ଇମିତି ବର୍ଷେ ଦିବର୍ଷ ଗଲା, ଯେତେ ନୂଆ ମାଇକିନିଆଁ ଆସିଥିଲେ, ସମସ୍ତଙ୍କର ପିଲା ପିଲି ହେଲା, କିନ୍ତୁ ଚନ୍ଦ୍ର ଭାଇନା ମାଇପର ପିଲା ଝିଲା ହେବା କଥା କିଛି ଜଣାଗଲା ନାହିଁ ।

 

ଚନ୍ଦ୍ର ଭାଇନା ମାଇପ ଶୁଣିଲି, ପାହାନ୍ତିଆରୁ କୂଅ ମୂଳକୁ ଆସି ଖରା ବର୍ଷା ସବୁବେଳେ ଗାଧେଇ ଯାଏ । ଭାରି ଧର୍ମ ପରାୟଣା । ଗୀତା ପଢ଼େ, ସଂସ୍କୃତରେ ମଧ୍ୟମା ପାସ୍‌ । ଛୋଟକାଟର ପଣ୍ତିତାଟିଏ ।

 

ଦିନେ ଗୋଟାଏ ଫିସାଦି କଲି । ରଞ୍ଜୁ ମୋର ବଡ଼ ଦୋସ୍ତ । ଚପଳା ତାର ଦଦେଇ ଝିଅ ଭଉଣୀ । ଦୁହିଁଙ୍କୁ ମତେଇ କହିଲି, ବାଡ଼ିଆଡ଼େ ‘ସୁଶୀଳ ମାଳତୀ’ ନାଟକ କରିବା । ମୁଁ ହେବି ହିରୋଇନ, ରଞ୍ଜୁ ହେବ ହିରୋ । ସର ଭାଉଜ ନାଁ ପ୍ରସ୍ତାବ ହେଲା ଡିରେକ୍‌ଟର ଭାବରେ । ଚାଲିଲା ରିହର୍ସାଲ । ସର ଭାଉଜର ଉତ୍ସାହକୁ ଦେଖ !! ତା ବର ସତ୍ୟ ଭାଇନା ଡାକିଲେ ସଙ୍ଗେ ସଙ୍ଗେ ଜବାବ ଯାଏ, ଏହିକ୍ଷଣି ଯାଇ ପାରିବିନି । ପିଲାମାନେ ସ୍କୁଲରୁ ଆସିଲେ ପଖାଳ ଅଛି ବାଢ଼ିଦେବ । ଅଣ୍ଟାରେ କାନିକି ଭିଡ଼ିଦେଇ ଡାଏଲଗ କହି ଚାଲିଥାଏ, କୁହ, ଦୀନେଶ—

 

‘‘କି ସୁନ୍ଦର ଏ ରାଜ ଭବନ

ସତେ କି ରାଜ ସଦନ ।’’ ଇତ୍ୟାଦି

 

ଡାଏଲଗ ଗୁଡ଼ାକ ମୋର ଆଗରୁ ମୁଖସ୍ଥ ।

 

ଶୁଭଦିନ ଦେଖି ନାଟ ହେଲା । ଆମର ଦର୍ଶକ ଖାଲି ମାଇକିନିଆଁ । ବୁଢ଼ୀ, ଶିଶୁ, କିଶୋରୀ, ଯୁବତୀ, ପ୍ରୌଢ଼ା ସମସ୍ତେ ଆସି ଏକଜୁଟ । ଛପା ଲମ୍ବିଚି କୁଉଠୁ କୋଉ ଯାଏଁ ।

 

ପାଉଡ଼ର ଲଗେଇ ଯେତେବେଳେ ମାଳତୀ ବେଶରେ ବାହାରି ପଡ଼ିଲି ନା, ଦର୍ଶକଗୁଡ଼ାକ ଏକାବେଳକେ ଅବାକ୍‌ । ଦୀନେଶ ଦେଖାଯାଉଚି ଠିକ୍‌ ଚଉଦ ପନ୍ଦରବର୍ଷର ଟୋକିଟେ ଭଳି । ଦିଇଟା ଫୁଲ୍‌କା ଫୁଲ୍‌କା ଗାଲ । ପଛ ପାଖକୁ ଫଲ୍‌ସ ହେୟାରରେ ଗୋଟାଏ ଲମ୍ବା ବେଣୀ । ଦେଖୁ ଦେଖୁ ତାଳିମାଡ଼ । ଅଭିନୟ କରି ପୁଣି ଆଉ ଥରେ ବାହାରିବା ବେଳକୁ ମେଡାଲ ଡିକ୍‌ଲାର । ମେଡାଲ ବୋଇଲେ ଆଉ କିଛି ନୁହେଁ, ଗୋଟାଏ ନଡ଼ିଆ । (ବ୍ରାହ୍ମଣ ଶାସନରେ ଏ ଗୁଡ଼ାକ ଭାରି ଶସ୍ତା କି ନା ।)

 

ଦେଖିଲି, ମତେ ନ ଚାହିଁ, ସମସ୍ତେ ଚାହିଁଚନ୍ତି ମେଡାଲ ଡିକ୍‌ଲାର କରିବାବାଲା ଉପରକୁ-। ମେଡାଲ ପାଇ ମୁଁ ନିଜକୁ ଏତେ ଧନ୍ୟ ମନେ କରି ପକେଇଲି ଯେ ପାଟିରୁ ଆଉ କଥା ବାହାରିଲା ନି, କାନ୍ଦି ପକେଇଲି । ସଙ୍ଗେ ସଙ୍ଗେ ଡ୍ରପ ସିନ୍‌ । ତେଣୁ ଡିକ୍‌ଲାର କରିବାବାଲା ମୁହଁକୁ ଚାହିଁବା ମୋ ପକ୍ଷରେ ସମ୍ଭବ ହୋଇ ନଥିଲା । ଗ୍ରୀନରୁମ ଭିତରକୁ ପଶି ଆସି କହିଲି, ରଞ୍ଜୁ ତୁ ଏଣିକି ହିରୋଇନ ହ କି ମୁଁ ହେବି ହିରୋ ।

 

ସଙ୍ଗେ ସଙ୍ଗେ ଡାଇରେକ୍ଟର ସର ଭାଉଜର ଚପଟିକା ଆସି ପଟାଲ ପରା ବସିଲା ମୋ ଗାଲରେ । କାନ୍ଦ କୁଆଡ଼େ ଉଭେଇ ଗଲା, ମୁହଁରେ ମୋର ଫୁଟି ଉଠିଲା ଗୋଟାଏ ସରୁ (ମୁରୁକି ମୁହଁ) ହସ ।

 

ନାଟକ ଶେଷ ହେଲା, ଘରେ ଆରମ୍ଭ ହୋଇଗଲା ମୋ ଉପରେ ବଡ଼ମାମୁଁଙ୍କ ଗାଳିର ମହାନାଟକ । କିନ୍ତୁ ସେଦିନ ରାତିରେ ସବୁ ଗାଳି ଗୁଲଜକୁ ଭୁଲି ମୁଁ ଖାଲି ଭାବୁଥାଏ, ମେଡାଲଟା ଡିକ୍‌ଲାର କଲା କିଏ ?

 

ସେଦିନ ବଇଦାଣୀ ଝିଅ ଅନୁପମାର ମଙ୍ଗଳକୃତ୍ୟ । ତା ଦୁଇଦିନ ପୂର୍ବରୁ ଚାଉଳଧୁଆ, ବିରିଧୁଆ ସରିଚି । ଘର କୁଟୁମ୍ୱ ମାଇପିଏ ଚାଳଧୁଆ ଧରି ପୋଖରୀ ତୁଠକୁ ଗଲେ, ବିରି ଚାଉଳଧୁଆ ସରିଲା । ଚନ୍ଦ୍ର ଭାଇନା ଘର ସହିତ ବଇଦାଣୀ ଘରର ସମ୍ପର୍କ ଅତି ଘନିଷ୍ଠ । ପହିଲେ ପଡ଼ିଶା ଘର, ତା ଛଡ଼ା ଦଦେଇ କକେଇ ସମ୍ପର୍କ ।

 

ଚନ୍ଦ୍ର ଭାଇନା ମାଇପ ନିଶ୍ଚେଁ ଯାଇଥିବ ଭାବି ମୁଁ ସେଦିନ ଅର୍ଥାତ୍ ଚାଉଳଧୁଆ ଦିନ ତକେଇ ବସିଥାଏ, ପୋଖରୀ ହୁଡ଼ାରେ ନୁହଁ କି ପୋଖରୀ ଭିତରେ ନୁହଁ, ହୁଡ଼ା ଉପର ବରକୋଳି ଗଛ ଉପରେ ।

 

କିନ୍ତୁ ସେଇ ବିଫଳ ମନୋରଥ । କୌଣସି ନୂଆ ମୁହଁ ଦେଖିଲି ନାହିଁ । ଭାଉଜ ଲେଖା କେତେ ମାଇକିନିଆ ଥିଲେ ସତ; ସମସ୍ତେ ଦରବୁଢ଼ୀ । ଛୁଆ ପିଲାର ମା, ପୁରୁଣା ପୁରୁଣା ଗୁଡ଼ାଏ ମୁହଁ । କାହାରି ମୁହଁରେ ପଣନ୍ତ ନାହିଁ, ଚୁଁ ଚା କଥା ନାହିଁ । ଏଡ଼େ ଏଡ଼େ ଚେଁ ଚାଁ ପାଟିତୁଣ୍ତ । ସେ ଯାଉ ମଧୁ ଭାଇନା ସ୍ତ୍ରୀ ମାଧବୀ ଭାଉଜ ନାଁ —ତୁନି କରି ପାଟି କଲେ ମଧ୍ୟ ସାରା ବଡ଼ ପୋଖରୀ ଅଞ୍ଚଳ ଗୋଟାକ ଦୁଲକି ଉଠେ ।

 

କେତେ ବାହା ଭୋଜିଭାତ ଗଲା, ଦାସକାଠିଆ ପାଲା ନାଟ ହେଲା । କେଉଁଠି ବି ଦେଖିଲି ନାହିଁ ଚନ୍ଦ୍ର ଭାଇନା ସ୍ତ୍ରୀଟାକୁ ।

 

ଦିନେ ମନ ଛି ହେଇଗଲା । ଦିନେ ବୋଇଲେ ଠିକ୍‌ ଦୂତୀବାହାନ ଦିନ । ସକାଳୁ ସେଦିନ ମାଇପିଏ ଗାଧୋଇ ଯାଆନ୍ତି, ଗାଁ ଅଣ୍ତିରେ ଘର ଜଗନ୍ତି । ଭାବିଥିଲି ଏଇଦିନ ନିଶ୍ଚେ ଦେଖା ହେବ । କିନ୍ତୁ ଦେଖା ହେଲା ନି ।

 

ଘରକୁ ଫେରିବା ବାଟରେ ଭାବିଲି, ଆଚ୍ଛା ଚନ୍ଦ୍ର ଭାଇନା ମାଇପକୁ ତ ଏତେ ଖୋଜୁଚି, ଚନ୍ଦ୍ର ଭାଇନା ମଣିଷଟାକୁ ତ ଆଦୌ ଚିହ୍ନେ ନା କି ଜାଣେନା । କିନ୍ତୁ ଏଇ ନାଁ ସହିତ ଆମ ଗାଁର ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପରିଚିତ । ଚନ୍ଦ୍ର ଭାଇନା ମାଇପ ଆସିବ, ହେଇ କାଆଲି ଆସିବ ବୋଲି ମାସକ ଆଗରୁ ହାଉଜାଉ ବାପ ଘର ଧନର୍ଜୟପୁର । ବଡ଼ ଦାଣ୍ତ, ବଡ଼ ପିଣ୍ତା । ପଣ୍ତିତ ଘର, ରାଜ ପୁରୋହିତ ଘର ଝିଅ । ନାଁ ଟା ବଡ଼ ଡାକ । କେହି କେହି ଆଗରୁ ଦେଖି ଆସି ଥାଆନ୍ତି । ଆମ ଗାଁର ଯେଉଁ ଝିଅଗୁଡ଼ାକ ସେଇଠି ଭିଆ ହୋଇଚନ୍ତି, ସେଇମାନେ ଦେଖି ଆସି ଏଇ ଚର୍ଚ୍ଚା କରନ୍ତି । ଝିଅଟିଏ ତ ଗୋଟିଏ ଚାଉଳରେ ଗଢ଼ା । ଏଡ଼େ ଏଡ଼େ ବାହା, ସରୁ ସରୁ ଆଖି ଦିଇଟି, ଉଚ୍ଚକପାଳି । ଗୋରା ତଫ୍‌ ତଫ୍‌ ଚେହେରା । ଏଇମିତି ଗୁଡ଼ାଏ ଆବାଜ ଆସି କାନରେ ଯେତେବେଳେ ପଡ଼େ, ଆମ ଭଳି ଗଜା ଗଜା ଯୁଆନଗୁଡ଼ାକଙ୍କ କଲିଜା ଏକାବେଳକେ ଦମ୍‌ ଦମ୍‌ ।

 

ମାସକ ଆଗରୁ ଏଇମିତି ଗୁଡ଼ାଏ ଚର୍ଚ୍ଚାରେ ସତରେ ଚନ୍ଦ୍ର ଭାଇନା ବୋଲି ଗାଁରେ ଗୋଟାଏ ଲୋକ ଅଛି, ଏକଥା କେହି ମନେ କରୁ ନ ଥିଲେ । ସମସ୍ତେ ଖାଲି ମନେ କରୁଥିଲେ, ଚନ୍ଦ୍ର ଭାଇନା ମାଇପ ବୋଲି ଗୋଟାଏ କ’ଣ ଅଛି ।

 

ଦିନେ ଲମ୍ବା ଲମ୍ବା ଶୁଖିଲା ଶୁଖିଲା ଗୋଛାଏ ଗୋଛାଏ ବାଳ ପଛକୁ ଲମ୍ବେଇ ଦେଇ ଗୋଟାଏ ମାଇକିନା ସ୍ୱର ଲମ୍ବେଇ ଦେଇଚି । ପିଠି ଆଡ଼ଟା ଖରା ଆଡ଼ିକି । ଗୀତା ପାଠ ହେଉଚି–

 

ଯଦା ଯଦାହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ

ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନ ସୃଜାମ୍ୟହଂ—

 

ସୁନ୍ଦର ଗୋଟାଏ ସ୍ୱର । ନିର୍ଭୁଲ ଉଚ୍ଚାରଣ । ପଦ ପରେ ପଦ ସେମିତି ବୋଲା ଚାଲିଚି-। ଆମ ଗାଁର ମୂର୍ଖ କଳେଇକାଣ୍ତି ମାଇକିନିଆଙ୍କ ମଧ୍ୟରେ ଲଙ୍କା ଭିତରେ ହରିନାମ ଭଳି, ଗୀତା ପ୍ରବଚନ ଧ୍ୱନି ଆସି ମୋ କାନରେ ପଡ଼ିଲା— ଠିକ୍‌ ଯେତେବେଳକୁ ମୁଁ ବାଲ୍‌ଟିରେ ଢାଳଟାକୁ ପୂରେଇ ଉପରକୁ ଅଜାଡ଼ି ହେବାକୁ ଯାଉଚି । ଢାଳଟି ତଳକୁ ଖସି ଆସିଲା । କାହାକୁ ପଚାରିବି ବୋଲି ଚାରିଆଡ଼େ ଆଖି ଦିଇଟା ଖେଳିଗଲା । ଦେଖିଲି, ବାରିଆଡ଼ର ଝରକା ପାଖରେ ରଞ୍ଜୁ ମତେ ଚାହିଁରହିଚି । (ତା ବୋଉ ସେଦିନ ଗାଳି ଦେଇଥାଏ, ଦୀନୁ ସାଙ୍ଗରେ ହେଁ ଫେଁ ହେବୁ ତ ତୋ ଗୋଡ଼ ଭାଙ୍ଗିଦେବି । ରଞ୍ଜୁ ମତେ ଛାଡ଼ି ଦଣ୍ତେ ବି ରହି ପାରେନା । ସେ ଯେଉଁଦିନ ବାହାହେଲା, ଠିକ୍‌ ତା ଆର ଦିନ ସେ ମୋ ପାଖକୁ ଖଣ୍ତିଏ ଚିଠି ଲେଖି ଜଣେଇଥିଲା ଯେ ସେ ମତେ ପୁଣି ପ୍ରାଣଭରି ଭଲପାଏ । ଚିଠିଟା ପଢ଼ି ମତେ ବଡ଼ ହସ ମାଡ଼ିଥିଲା । ଭାବିଥିଲି, ବିଚାରିଟା ଆଗରୁ କହିଥିଲେ ତ ତାକୁ ଶଶୀରେଖାକୁ ଅଭିମନ୍ୟୁ ନେଲା ଭଳି କୁଆଡ଼େ ଚମ୍ପଟ କରି ଦେଇଥାଆନ୍ତି) । ରଞ୍ଜୁକୁ ଡାକି ପଚାରିଲି, କିଲୋ ଇମିତି ପିଠିଆଡ଼ ତ ମୁଁ କେବେ ଦେଖି ନ ଥିଲି-। ତା ସଙ୍ଗକୁ ଏ ପଣ୍ତିତିଆ ସ୍ୱର । ଏଇଟା କିଏ କିଲୋ ?

 

ରଞ୍ଜୁ ଠୋ ପରା ହସି ପକେଇ କହିଥିଲା, ସତରେ ଦୀନୁ ତୁ ଗୋଟାଏ ବୁଦ୍ଦୁ । ଇଏ ପରା ସିଏ—ସିଏ ବୋଇଲେ ଚନ୍ଦ୍ର ଭା... ଇ....ନା...ମାଇପ ! ବୁଝିଲୁ ?

 

ସେଇଦିନ ଚନ୍ଦ୍ର ଭା... ଇ....ନା...ମାଇପର କେବଳ ପିଠି ଆଡ଼ଟା ଦେଖିଥିଲି । ମୁହଁ ଆଡ଼ଟା ଦେଖିବା ଲାଗି କାହିଁକି କେଜାଣି ଟିକିଏ ଲାଜ ଲାଜ ହୋଇ ପଡ଼ିଥିଲି । ତା ଛଡ଼ା ଆଗପଟକୁ ଯାଇ ନିରେଖି ଚାହିଁବାକୁ ବେଳ ନଥିଲା, ରୂପା ନାନୀ ଡାକ ଛାଡ଼ିଲା—କିରେ ଦୀନୁ ତତେ କ’ଣ ବେଳ ଦିଶୁନି କିରେ ? ଗାଁଟା ଯାକର ପିଲେ, ବସ୍ତାନି ଧରି ଇସ୍କୁଲକୁ ଗଲେଣି, ତୋର ଗାଧୁଆ ସରିନି ? ନନା ନାହାନ୍ତି, ଦିଅଁ ବସେଇବୁ, ପୂଜା କରିବୁ, ଖାଇବୁ ଇସ୍କୁଲକୁ ଯିବୁ, ଜଲଦି ଆ-

 

ନାନୀଟା ଯେମିତି ମତେ ଗୋଡ଼େ ଗୋଡ଼େ ଜଗିରହିଚି । ଅଧାଗାଧୁଆ ହୋଇ ଧାଇଁ ଯାଇଥିଲି ଘରକୁ । ରଞ୍ଜୁ ଫି କିନା ହସି ଦେଇ ଘର ଭିତରକୁ ପଶି ଯାଇଥିଲା ।

 

ସେ ଦିନ ଜନ୍ମାଷ୍ଟମୀ । ଅଷ୍ଟପ୍ରହରୀ କୀର୍ତ୍ତନ ଚାଲିଚି । ଆଗରେ ଶଙ୍କର ମାମୁଁ, ସ୍ୱର ଲମ୍ବିଚି—ରାଧେ ରାଧେ ରାଧେ ଗୋବିନ୍ଦ, ପ୍ରଭୁ ନିତ୍ୟାନନ୍ଦ । ପଛରେ ଆମେ ସବୁ ପିଲେ ତାଳି ମାଡ଼ କରି ଏକା ସ୍ୱରରେ ଗାଇ ଚାଳିଚୁ । ଦାଣ୍ତର ଏ ମୁଣ୍ତରୁ ସେମୁଣ୍ତ ଯାଏଁ, ଯାଉଚୁ ଆସୁଚୁ ।

 

ମଣ୍ତପରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି । କେତେ ଲୋକ ଆସୁଚନ୍ତି, ଯାଉଚନ୍ତି । ଗାଁ ମାଇପିଏ ବାଡ଼ିଆଡ଼ ହୋଇ ଦର୍ଶନ କରିବାକୁ ଆସୁଚନ୍ତି । ଏଡ଼େଟାମାନ ଓଢ଼ଣା, ପାଦରେ ଅଳତା, ଏକାବେଳକେ ସାଷ୍ଟାଙ୍ଗ ପ୍ରଣାମ । ଦିଅଁ ହେ ଦିଅଁ ଆହୁରି ଦିଅ, ପୁଅ ଦିଅ, ଝିଅ ଦିଅ, ଥରକେ ଗୋଟେ ଗୋଟେ ନଚେତ ଏକାଥରେ ଦୁଇ ଦୁଇଟା ଅର୍ଥାତ୍‌ ଯାଆଁଳା । କାଠର ଦିଅଁ, ଆଖିଟାମାନ ଏଡ଼େ ଏଡ଼େ, ଗୋଲ ଗୋଲ ମୁହଁ, ଭାରି ସତେଜ । ଯେମିତି ତାଙ୍କର ମୁହଁରୁ ବାକ୍ୟ ଗୁଡ଼ାକ ବାହାରି ପଡ଼ୁଛି, ତଥାସ୍ତୁ ତଥାସ୍ତୁ ।

 

ଶଙ୍କର ମାମୁଁ କହନ୍ତି ଦୀନା ତୁ ଆଗକୁ ଆ । ବେଶ୍‌ ଭଲ ସ୍ୱରଟିଏ । ମୁଣ୍ତକୁ ଢଳେଇ ଢଳେଇ ମୁଁ ଯେତେବେଳେ କୀର୍ତ୍ତନ ବୋଲେ ଏକେବେଳକେ ବିଭୋଳ । ଯେମିତି ଦିଅଁ ଆାଉ ମୁଁ ଏକାକାର । ଭକ୍ତିରସରେ ଡୁବିଯାଇଥାଏ । କିନ୍ତୁ ମାମୁଁ ମଝିରୁ ମୋତେ ଟାଣି ଆଣି ଯେତେବେଳେ ଠିଆ କରିଦେଲେ ଆଗରେ, ମୋ ମୁହଁଟା ଏକାବେଳକେ ଶୁଖିଗଲା । ସବୁ ଗଲା । ମଝିରେ ପଶି, ମଝି ମଝିରେ ମୁଁ ସ୍ୱର ଧରେ । କିନ୍ତୁ ସବୁରି ପିଣ୍ତା ଉପରକୁ ଝରକା ଆଡ଼ିକି ଅନଉଁଥାଏ—ଅଥବା ଚନ୍ଦ୍ର ଭାଇନା ମାଇପର ମୁହଁଟା ପଡ଼ିବ ।

 

ଘଣ୍ଟେ ଦିଘଣ୍ଟା ପରେ ମୋ ସ୍ୱରରେ ବିଭୋର ହୋଇ ରଞ୍ଜୁ ଦାଣ୍ତ ପିଣ୍ତାରୁ ଓହ୍ଲେଇ ଆସି କହିଲା, ନନା, ଏ ମେଳରେ ରହିବି । ରଞ୍ଜୁ ବୋଉ ଗୋଟାଏ ଚାପଡ଼ା ମାରି କହିଲେ, କିଲୋ ତୁ କ’ଣ ରାଧା ସାଜିବୁ ? ଆସୁଚୁ ନା କହୁଚି । ତା ନନା ଧାଇଁ ଆସି କହିଲେ କ’ଣ ହେଲା, ଆସୁ, ଗୀତ ତ ବୋଲିବ ।

 

କ’ଣ କହିଲ ? ବଢ଼ିଲା ଝିଅଟା ଦାଣ୍ତରେ ଯାଇ ନାଚିବ ?

 

ନାଚୁ ! ନିଜ ଗାଁ ତ । ଏକା ସାଙ୍ଗରେ ସ୍କୁଲରେ ପଢ଼ୁଚି । ଏକା ସାଙ୍ଗରେ ଆସି ଗୀତ ବୋଲିବ । ପୃଥିବୀଟା କ’ଣ ଓଲଟି ପଡ଼ିବ ?

 

ରଞ୍ଜୁ ବୋଉ କାନମୁଣ୍ତା ଆଉଁଷି, ଦାଣ୍ତରୁ ଯାଇ ଘର ଭିତରେ ପଶିଗଲେ । ରଞ୍ଜୁ ଆସି ଯୋଗ ଦେଲା ଆମ କୃଷ୍ଣଙ୍କ ମେଳରେ । (ରଞ୍ଜୁ ମରିଗଲାଣି, ଏ ସବୁକଥା ଲେଖାଲାବେଳେ କାହିଁକି କେଜାଣି ହାତ ଥରୁଚି, କିଛି ତ ମିଛ ଲେଖୁନି, ଖଣ୍ଟି ସତ କଥା । ସ୍ୱର୍ଗକୁ ଯଦି ଡାକବାଲା ଯାଇ ଚିଠି ଦେଇପାରୁଥାଆନ୍ତା, ଆଜି ଏ ଲେଖା ତା ପାଖକୁ ପଠେଇ ଦିଅନ୍ତି) । ରଞ୍ଜୁ ଠିକ୍‌ ଆସି ଠିଆ ହେଲା ମୋ’ରି ପାଖରେ । ଦୁଇଟି ସ୍ୱର ମିଶି ଯେତେବେଳେ ସ୍ୱର ସଙ୍ଗମ ସୃଷ୍ଟି ହେଲା, ସମସ୍ତେ ଅବାକ୍‌, ନିସ୍ପନ୍ଦ । ଯିମିତି ମନେହେଲା ସବୁ ଘରର ଝରକାଗୁଡ଼ାକ ଏକାବେଳକେ ଖୋଲିଯାଉଚି । ସମସ୍ତେ ଚାହୁଁଚନ୍ତି ଏ ଯୁଗଳ ମୂର୍ତ୍ତିକି—ଜୀବନ୍ତ ଚଳନ୍ତି ରାଧାକୃଷ୍ଣଙ୍କୁ ।

 

ହଠାତ୍‌ ରଞ୍ଜୁ ବେଣୀଟା ମୋ ଦେହରେ ପିଟି ଦେଇ କହିଲା, ଏ ଦିନୁ, ଚାହାଁରେ ।

 

ଚାହାଁ କହିଲା ବେଳକୁ ମୋ ଆଖି ଯାଇ ଠିକ୍‌ ତା ଆଖି ଦିଇଟା ଉପରେ ।

 

ପୁଣି ସେଇ ଗୋଟାଏ ଗାଳି—ବୋକା !

 

ଶଙ୍କର ମାମୁଁ ପଛଆଡ଼ୁ ପାଟିକଲେ, କିରେ କଣ ବନ୍ଦ କରିଦେଲ । ପୁଣି ଚାଲିଲା—ରାଧେ ରାଧେ ଗୋବିନ୍ଦ ।

 

ତା ଆାରଦିନ ସ୍କୁଲକୁ ଯିବା ବାଟରେ ରଞ୍ଜୁ କହିଲା ଏତେ ଠାରିଲି, ଏତେ କହିଲି, ହେଲାନି । କିରେ ସେତିକିବେଳେ ଚାହିଁ ଥାଆନ୍ତୁ ନା, ଦେଖି ଥାଆନ୍ତୁ ଚନ୍ଦ୍ର ଭାଇନା ମାଇପଟା କେଡ଼େ ସୁନ୍ଦର ।

 

—କିଲୋ ଇମିତି କ’ଣ ଠାରନ୍ତି ? ଯୋଉମାନେ ଠାରନ୍ତି, ସେମାନେ ଆଗରୁ ବତେଇ ଦେଇ ଥାଆନ୍ତି ଯେ ମୁଁ ଇମିତି କହିଲେ, ତୁ ସେମିତି କରିବୁ । ତୁ ସିନା ‘‘ଚ’’ କହି ଦେଇଥିଲେ) । ମୁଁ ଧରିପାରିଥାନ୍ତି, ସାଙ୍ଗେ ସାଙ୍ଗେ ଚାହିଁ ଥାଆନ୍ତି । ତା ଛଡ଼ା ଚନ୍ଦ୍ର ଭାଇନା ମାଇପ ତା ଘର ଝରକାରେ ନ ଚାହିଁ ଆମରି ଘରକୁ ଆସି, ଆମରି ଝରକା ବାଟେ, ଆମକୁ ଚାହିଁବ ବୋଲି, କିମିତି ବା ମୁଁ ବିଶ୍ୱାସ କରନ୍ତି ? ଏଣିକି ଗୋଟାଏ ଜାଲ ବୁଣିବା ଯେ ପକେଇଦେଲା ମାତ୍ରେ ସେ ଯିମିତି ପଡ଼ିଯିବ-। ଆଉ ଯାଇ ପାରିବ ନାହିଁ । କାହିଁକି ତୁ ଯାଇ କହିଦେଉନୁ, ଦୀନୁ ଟା ତମକୁ ଦେଖିବା ପାଇଁ ବଡ଼ ଆତୁର, ଟିକିଏ ଭଲକରି ଦେଖା ଦିଅ ବୋଲି ।

 

—ମୁଁ କ’ଣ କହୁନି ଭାବୁଚି ! କହୁଚି ଯେ ଟିକିଏ ଓଲଟା ଭାବରେ । ଅର୍ଥାତ୍‌ ଦୀନୁ ତମକୁ ଭାରି ଖରାପ ପାଏ, ତମ ନାଁ ଶୁଣିଲେ ଭାରି ଚିଡ଼େ । କିନ୍ତୁ ଦୀନୁ ତାକୁ ତୁ ଭାବି ପାରିବୁନି, ତୁ ଦେଖିବାଲାଗି ଯେମିତି ଅଧୀର, ତାଠୁ ବେଶୀ ସେ ଅଧିରା ତତେ ଦେଖିବା ପାଇଁ ।

 

ସେଦିନ ଗହୀର ବିଲ ମଝିଟାରେ ରଞ୍ଜୁକୁ ଅଜାଣତରେ ଭିଡ଼ି ଧରି କହିଥିଲି—ରଞ୍ଜୁ ଆଜି ଯେତେ ଅଙ୍କ କଷି ଆଣିବୁ, ସବୁ ଏଇଠି ବସି କଷି ଦେବି, ଖାଲି କହ ମତେ ସତେ ଚନ୍ଦ୍ର ଭାଇନା ମାଇପ ଭଲ ପାଏ ? କାହିଁ କି ?

 

ମତେ ଭଲ ଅଙ୍କ କଷି ଆସେନା, ଏକଥା ରଞ୍ଜୁ ଭଲ ଭାବରେ ଜାଣେ । କିରେ ଦିନା, ତୁ ପରା ସେଦିନ ସାର୍‌ଙ୍କଠୁ ଗୋଗୁଛି ମାଡ଼ ଖାଇଥିଲୁ—୭୫ରୁ ୧୧ ଫେଡ଼ିଲେ କେତେ କହି ନପାରିବାରୁ ? ଅଣ୍ତିରାପୁଅ ଦେଖାଇ କହୁଚୁ କ’ଣନା ମୋ ଅଙ୍କ କଷି ଦେବୁ । ଆଉ କ’ଣ ଭଲା ହେଲେ କହିଥାଆନ୍ତୁ । ଇଏ ଗୋଟେ ଲୋଭ ନା ଲାଞ୍ଚ ? ଏତକ କହୁ କହୁ ତାର ପ୍ରଥମ ଯୌବନର ପାଖୁଡ଼ା ଗୁଡ଼ା ଯିମିତି ଟିକିଏ ହଲି ଯାଇଥିଲା । ଅତି ସନ୍ନିକଟରୁ ନ ହେଲେ ମଧ୍ୟ ସନ୍ନିକଟରୁ ମୁଁ ତାର ସୌରଭ ଆଘ୍ରାଣ କରୁ କରୁ ସେ କହିଥିଲା—କିରେ ଅଙ୍କ କଷିବୁ ନା, ମତେ କଷୁଚୁ ?

 

କଷି ଯୌବନ ଟିଏ । ରଞ୍ଜୁ ପ୍ରକୃତରେ ରଞ୍ଜୁନା । ମୁଁ ତା ଭିତରେ ହଜିଗଲାଭଳି ଛଳନା କରି କହିଲି—କିଲୋ ତୁ ନିଜେ ଚନ୍ଦ୍ର ଭାଇନା ମାଇପ ନୋହୁ ତ !

 

ଛି !

 

ଆମେ ଆସି ଡୋମା ଘର ଧାନ କିଆରି ପାଖରେ ହେଲାବେଳକୁ ପାଏ ବାଟରେ ନିରଞ୍ଜନର ଛତା ଦେଖାଯାଉଥିଲା । ନିରଞ୍ଜନ ବି ଥିଲା ଆମର ପଢ଼ା ସାଙ୍ଗ । ବିଦ୍ୟାରେ ଯେମିତି ଚାଲିରେ ସିମିତି, କଥାକୁହାରେ ବି ସେମିତି, ସତେ ବିଜୁଳିଟାଏ । ରଞ୍ଜୁ ଆଉ ମୁଁ ଚନ୍ଦ୍ର ଭାଇନା ମାଇପ କଥା ହେଉ ହେଉ ଦୁହେଁ ଭୁଲିଯାଇଥିଲୁ, ଆମେ ଆଗକୁ ଆସୁଚୁ ନା ପଛକୁ ଯାଉଛୁ ।

 

ନିରଞ୍ଜନ ପଛରେ ଆସି ବାଧା ଦେଇ କହିଲା, କିରେ ଶୀଘ୍ର ଚାଲ, ଲେଟ ପଡ଼ିଯିବ ଯେ-

 

ରଞ୍ଜୁ ତାର ଛୋଟ ବୟସର ସୁଠାମ ନିତମ୍ବ ଦି’ଟାକୁ ହଲେଇ ହଲେଇ ଚାଲିଥାଏ ଆଗକୁ ଆଗକୁ—ସତେ ଯେମିତି କାହାରି ସହିତ ତାର କୌଣସି ସମ୍ପର୍କ ନାହିଁ, ଗାଁରୁ ସ୍କୁଲ ପର୍ଯ୍ୟନ୍ତ ଆସିବା ବାଟରେ କାହାରି ସଙ୍ଗେ ପଦେ ହେଲେ କଥାବାର୍ତ୍ତା ନାହିଁ ।

 

ସ୍କୁଲଟା ଯାକରେ ସେ ଥିଲା ସବୁଠୁ ଗେଲବସରୀ ଛାତ୍ରୀ । ପାଠପଢ଼ାରେ ଭୁଲଭଟକା ହେଲେ, ଆମେ ବେଞ୍ଚ ଉପରେ ଠିଆ ହେଉ, ନିଲ୍‌ଡାଉନ ହେଉ, କାନ ଧରି ଉଠୁ ବସ କରୁ, କିନ୍ତୁ ରଞ୍ଜୁର ଭୁଲ ହେଲେ ଶ୍ୟାମଘନ ବାବୁଙ୍କର କେବଳ ଦୁଇଟି କଅଁଳ ସରୁ ଚାପୁଡ଼ା ତା ଫୁଲକା ଫୁଲକା ଗାଲ ଦିଇଟା ଉପରେ ଧୀରେ ଧୀରେ ବସେ । ଆମ କ୍ଲାସ୍‍ର ଧନୀ ପିଲେ ତା ପାଇଁ ପୁଡ଼ା ପୁଡ଼ା ଜଳଖିଆ କିଣି ଆଣିଦିଅନ୍ତି, ପେନ୍‌ସିଲ ହଜିଗଲେ, ସାଙ୍ଗେ ସାଙ୍ଗେ ନୂଆ ପେନସିଲ ଥୁଆ ! ତା ପ୍ରତି ସମସ୍ତଙ୍କର ଅଯାଚିତ ଅକୁଣ୍ଠିତ ସ୍ନେହ (ପ୍ରେମ କୁହାଯାଇ ପାରେନା)କୁ ଦେଖିଲେ ମୋର ଭାରି ଈର୍ଷା ହୁଏ । ଭାବେ ଇମିତି ଗୋଟେ ଝିଅ ହୋଇ ଥାଆନ୍ତି କି ?

 

ସଞ୍ଜ ହେଲେ ରଞ୍ଜୁ ଫେରିଆସେ ସ୍କୁଲରୁ । ଫ୍ରକ୍‍ କାଢ଼ି ଲୁଗା ପିନ୍ଧେ । ତେର ଚଉଦ ବର୍ଷର ଝିଅଟା, ଦେଖାଯାଏ ଅଠର ଉଣେଇଶ ବର୍ଷର ଝିଅ ଭଳି ।

 

ସେ ଗିଲବୁଦାଟା ଆଉ ସେ କଇଥ ଗଛ, ଏବେ ଆଉ ଅଛି କି ନା ଜାଣେନା । ପନ୍ଦର ବର୍ଷ ଭିତରେ ଏତେ ଝଡ଼ ଆସିଲାଣି, କ’ଣ କେତେ କେତେ ଯୋଜନା ହେଲାଣି, ଗାଁଗହଳକୁ ବିଜୁଳି ଆଲୁଅ ଆସିଲାଣି, ଗଛ କଟାହେଇ ନଡ଼ିଆଗଛ ପୋତା ହେଲାଣି—ଆଉ କ’ଣ ଗଛଗୁଡ଼ାକ ଥିବ ମୋର ଏଇ ଛୋଟ ସ୍ମୃତିଟାକୁ ଜୀବନ୍ତ ରଖିବା ପାଇଁ ?

 

ଆମେ ପିଲେ କହୁ ସେ କଇଁଠ ଗଛଟା ଅଣ୍ତିରା କଇଁଠ ଗଛ ବୋଲି । ଫଳ ଫଳେ କିନ୍ତୁ ସେଇମିତି କଷି ବେଳୁ ଝଡ଼ି ପଡ଼େ । ମତେ ସାନ ମାଈଁ କହନ୍ତି, ପ୍ରତିଦିନ ସେଇ ଗଛରୁ ଯାଇ ଗଣ୍ତେ ଗଣ୍ତେ ପତର ଆଣିବ, ଗାଈ ଖାଇବ । ମାଈଁ ଆମର ଗାଈ ରଖିଥାଆନ୍ତି । ଦୁଧ ଖାଇବା ପାଇଁ ନୁହଁ, ଗୋବର ପାଇଁ । ଦୁର୍ଭାଗ୍ୟକୁ ଗାଈଟା ଦିନରାତି ଖାଲି ସୁଗୁରେ ସୁଗୁରେ ଛେରେ । ଗଉଡ଼ କହିଥାଏ, କଇଁଠପତର ସାଥିରେ ବାଉଁଶ ପତର ମିଶେଇ ଦେଲେ ଛେରା ବନ୍ଦ ହେବ ।

 

ଦେହରେ ଖଣ୍ତିଏ ବ୍ରାହ୍ମୁଣିଆଁ କଷ ଗାମୁଛା । ହାତରେ ଆଉ ଗୋଟିଏ କଟୁରୀ । ନିଇତି କଇଁଠ ଗଛରୁ ଓହ୍ଲାଇଲା ବେଳକୁ ଗିଲ ବୁଦା ଭିତରୁ ରଞ୍ଜୁ ବାହାରି ଆସି କହେ, ଦୀନା ଚାହାଁ ତ ?

 

କୁଆଡ଼ିକି ?

 

ମୋ ଆଡ଼ିକି ।

 

ଚାହେଁ,—କହେ, ତୁ ତ ଖାଲି ରଞ୍ଜୁଟା, ଆଉ କ’ଣ ?

 

ଆଉ କିଛି ନାହିଁ ?

 

ନାଁ ତ ।

 

ମୁଣ୍ତଟାକୁ ବୁଲେଇ ଦିଏ । ହେଇ ଦେଖେ ଏ ଫୁଲ ।

 

କ’ଣ ହେଲା ସେଇଠୁ ?

 

ବାସି ହେଇଗଲାଣି, ଗୋଟେ ନୂଆ ଫୁଲ । ସଜ ଫୁଟିଲା ଫୁଲ ଆଣି ଦେବୁନି ? ହାତଠାରି କିଆ ଗଛକୁ ଦେଖେଇ ଦିଏ । ଫୁଲ ଫୁଟିଚି । ବେଶ୍‌ କଢ଼ଫୁଲଟାଏ । ତାର ଯେତେ ଲୋଭ ହୁଏନି, ତା ଲାଗି ମୋର ଲୋଭ ହୁଏ ବେଶୀ । ଗିଲ କଣ୍ଟା, ତା ଭିତରେ କିଆ ବୁଦା । କିଆ ଗଛର ଦାଢ଼ୁଆ କଣ୍ଟା । ତା ସାଙ୍ଗକୁ ସାପ ଭୟ । ଏ କଣ୍ଟାବୁଦା କଥା ସିନା ଏବେ ଲେଖିଲାବେଳେ ଭାବୁଚି, ସେତେବେଳେ କିଛି ଭାବନା ନଥାଏ । ସୀତାଙ୍କ ଆଦେଶ, ମାୟା ମୃଗକୁ ମାରି ତା’ର ଲୋମ ଆଣିବାକୁ ପଡ଼ିବ । ପରୁଆ କ’ଣ ? ହାତରେ ଧନୁଶର ଅର୍ଥାତ୍‌ କାତି । ବୁଦା ହାଣି, କଣ୍ଟାରେ ପଶି କିଆଫୁଲ ଆଣି ଦିନେ ରଞ୍ଜୁ ହାତରେ ଦେଉଦେଉ ଶିରୀନାନୀ ଆସି ପଛରେ ଠିଆ-। ଏଡ଼େଟାମାନ ଆଖି, ଆଗକୁ ଦୁଇଟା ବାହାଡ଼ା ଦାନ୍ତ । କିଛି କହେନି, ଖାଲି ଚାହିଁଦିଏ । ଏତିକିରେ ରଞ୍ଜୁର ଆଉ ମୋର ହାଲୁକ ଏକାବେଳକେ ଶୁଖିଶାଖି ଖରାଦିନ ଗାଡ଼ିଆ ଭଳି ଆାଁ ।

 

ରଞ୍ଜୁର ବାହା ଦୁଇଟାକୁ ଜୋର୍‌ରେ ହଲେଇ ଦେଇ କହେ—ଆସୁଛୁନାନାହିଁ ରଞ୍ଜୁ ! ଏ ଗୁହ ପଡ଼ିଆରେ ବି ତୁମର ନାଟ ! ଛି’ଲୋ ଛତରୀ । ସେଇଥିଲାଗି ବଢ଼ିବାଢ଼ି ଫୁଲିଫାଟି ଗଲୁଣି ସିନା, ବର ମିଳିଲାନି ଟି । ଜ୍ୟୋତିଷ କ’ଣ ମିଛ କହୁଥିଲା ? ଶେଷରେ ୟାକୁଇ ଦର । ଭାକୁଡ଼ା ଗୋଟାଏ କୁଆଡ଼ୁ ଆସି ପଡ଼ିଚି । ଚାଉଳ ଅଡ଼ା କେତେ ନାଁ ମାମୁଁଘର ଭାତ ।

 

ରଞ୍ଜୁ ସହି ନପାରି ସେ ଦିନ ଯାହା ଜବାବ ଦେଲା, ତା ଶୁଣି ମୋର ମନ କୁଣ୍ଢେ ମୋଟ-

 

କହିଥିଲା, ତୁ ତ ତାକୁ ଖାଇବାକୁ ଦେଉନୁ । ଏତେ ଛଇ କାହିଁକି ? ବର ଘରକୁ ନଯାଉଣୁ ତ ବରକୁ ଖାଇଲୁ । ବିଧବା ବେଶରେ ଶାଶୁଘରକୁ ଯାଉଯାଉ ତ ଶଶୁର ମଲା । ବାପଘରକୁ ଆସି କେତେ ଦିନ ଆଉ ଇମିତି ତଣ୍ତେଇବୁ ? କ’ଣ ହେଲା, ଫୁଲ ନେଉଚି, ଦିଅଁକୁ ଦେବି । ଗଛଟା ଗୁହ ପଡ଼ିଆରେ ଅଛି ବୋଲି ତ ଫୁଲଟା ଗୁହ ନୁହେଁ । ଫୁଲ ସବୁବେଳେ ଫୁଲ । ଦିଅଁ ତ ନାହିଁ କରିଦେବେନି । ଇଚ୍ଛା ହେଉଚି ଯେବେ—ଦୀନୁ, ଦେଇ ଦେବୁଟିରେ । ନେଉ କୋଉ ଦିଅଁକୁ ଦେବ ଦେଉ । ଦେଇଦେଇ ତ ସେଇ ଛତରା ନିତିଆଟାକୁ ଦେବ ଆଉ କାହାକୁ ?

 

ତୁ ଆଉ କାହାକୁ ଯାଇ ଏସବୁ କହିବୁ, ମୁଁ ଶଙ୍କର ମହାପାତ୍ର ଝିଅଟିକି ! ଜାଣିଲି ତ ବାହା ହେଲିନି, କ’ଣ ହେଲା, ଯାହାକୁ ଆଦେରିବି, ସେ ମୋର ହେବ ଘଇତା । ଆଉ ତୋ ଭଳି ବିଧବା ବନେଇ ଲୁଚି ଲୁଚିକା ଯାଇ ତ ମୁଁ ପେରମ କରୁନି !

 

ଶିରୀନାନୀ ଏଇତକରେ ସାବାଡ଼ । ଝାଡ଼ା ଯିବାକୁ ସିନା ଆସିଥିଲା । ଏକାବେଳକେ କୋଷ୍ଟବଦ୍ଧ ।

 

ରଞ୍ଜୁକୁ ବଧେଇ ଜଣେଇ କହିଲି, ତୋ ମୁହଁଟା ଏଡ଼େ ଦାଢ଼ୁଆ ବୋଲି ତ ଆଦୌ ଜାଣି ନଥିଲି ଲୋ ରଞ୍ଜୁ ।

 

ଦାଢ଼ୁଆ ନଥିଲା ରେ, ଥନ୍ତରା ରହିଆସିଥିଲା ଏତେ ଦିନ ଧରି । ଶିରୀନାନୀକି ଦେଖି ତା ମନକୁ ମନ ପଜେଇ ହେଇଗଲା ।

 

ସେଇଦିନ ଗାଁ ମୁଣ୍ତ କୟାଁ ଗଛମୂଳେ ପୁଣି ତାର ମୋର ଭେଟ । ବାଲିସିରି କୟାଁ ତୋଳିବାପାଇଁ ମୁଁ ଗଛଟା ଉପରେ ଚଢ଼ ନଚଢ଼ ହେଉଥାଏ । ଗାଡ଼ିଆ ଆଡ଼ୁ ରଞ୍ଜୁ ଭୁଆଷୁଣୀଟା ଆସି ଡାକ ପକେଇଲା । ଦୀନୁ ଇଆଡ଼ିକି ଆ । ମୁଁ ନ ଯାଇ କହିଲି, ତୁ ଆସୁନୁ ।

 

ଲୋକଗୁଡ଼ାକ ।

 

ଆମେ ଆଉ କ’ଣ ପଶୁ !

 

ତୁନି ତୁନି କହିଲା—ଦୀନୁ ମୁଁ ଆଜି ବିଷ ଖାଇଦେବି । ଦେଖିଲି ମନୁଟା ତାର ଭାରି ବିରସ । ଘରେ କ’ଣ ନା କିଛି ଘଟିଚି । ହୁଏତ ନନା କିମ୍ବା ବୋଉ ବାଡ଼େଇଛନ୍ତି, ନଚେତ୍‌ ଗାଳି ଦେଇଛନ୍ତି ।

 

ପଚାରିଲି—ବିଷ କାହାକୁ କହନ୍ତି ଜାଣୁ ?

 

କାହିଁକି କଳା କଳା ହେଇ ।

 

ଅଙ୍ଗାର ତ କଳା, ସେ କ’ଣ ବିଷ ?

 

ନାଁ, ଯାହାକୁ ଖାଇଲେ ଲୋକେ ମରିଯାଆନ୍ତି ।

 

ଲୋକ ତ ମରିବାପାଇଁ ଜୀଇଁଚି । ମରଣ ନହେଲେ ତା’ର ଜୀଇଁବାର ଅଧିକାର ବି ନଥାନ୍ତା । ପୃଥିବୀକି ଆସନ୍ତା ବି ନାହିଁ । ମରଣ ତ ଖାଲି ଆ ବୋଇଲେ ଆସି ଯାଏନା । ବିଷ ଖାଇଲେ ଯେ ସବୁ ଲୋକ ମରି ଯାଉଚନ୍ତି, ତା ନୁହେଁ । ସେଦିନ ପଦ୍ମବୋଉ ତ ବିଷ ଖାଇଥିଲା, କାହିଁ ମଲାନି ତ । ଗୁଡ଼ାଏ କଳା କଳା ବାନ୍ତି କଲା, ତା’ପରେ ଯୋଉ ପଦ୍ମବୋଉକୁ ସେଇ ପଦ୍ମବୋଉ । ବଇଦ ଆସିଲେନି କି କେହି ଟିକିଏ ପାଣି ବି ଦେଲେନି । ବଞ୍ଚିବାର ଥିଲା, ବଞ୍ଚିଲା । ହଁ ବିଷ ଭଳି ବିଷ ଖାଇଲେ ମରିବୁ ସିନା । କିନ୍ତୁ ସେ ବିଷ ଖୋଜିବା ତ ବିଷମ କଥା । ସତ କହୁଚି ରଞ୍ଜୁ, ତୋ ଭିତରେ କି ତୋ ଭାଗ୍ୟରେ କି ବିଷ ଅଛି ଜାଣେନାଁ । କିନ୍ତୁ ତୋ ଦେହ ଆଉ ରୂପରେ ଯୋଉ ବିଷ ଅଛି, ତାକୁ ଦେଖିଲେ ତ ମୁଣ୍ତ ଝଇଁଝାଇଁ ହୋଇ ଯାଉଚି । ଚାଖିଲେ କ’ଣ ହେବ କେଜାଣି ।

 

ସତ କହୁଚୁ ଦୀନୁ, କେହି ନ ଜାଣନ୍ତୁ, ମୁଁ ସେମିତି ମରିଯାଏ । ସିଏ ଭଲ । ବାଇଗଣ ବୋଝଭଳି ନନା ଯେ ମତେ କେତେ ମୂଲ୍ୟ କଲେଣି, କାହିଁ, କିଏ କ’ଣ କିଣୁଛନ୍ତି ? ସମସ୍ତେ କହୁଛନ୍ତି, ଦର ବଢ଼ାଅ ।

 

କାହିଁକି ଆଜି କ’ଣ କୁଉଠି କିଛି ଦର ହେଇଚି ନାଁ କ’ଣ ?

 

ସେଇଥିପାଇଁ ତ ବିଷ ଲୋଡ଼ା ।

 

ସେତେବେଳକୁ ମୁଁ ଅତି ପାଖକୁ ଲାଗି ଆସିଥାଏ । ଦୂରରେ ଥାଇ ରଞ୍ଜୁ କ’ଣ କହିବାକୁ ଯାଉଥିଲା, ପାଖକୁ ଆସିବାରୁ ମନେ ହେଲା ଯେମିତି ସବୁ ଭୁଲିଯାଇଚି । କଥାକୁ ବାଆଁରେଇ କହିଲା, ନାଁ ମ ଦୀନୁ ମୁଁ କହୁଥିଲି କି, ସତେ କ’ଣ କନିଅର ମଞ୍ଜିରେ ବିଷ ଅଛି !

 

—ବିଷ ନୁହେଁ ଆଉ କ’ଣ ?

 

ଭାରି ପିତା ହେଇଥିବ ନା ?

 

ଆଉ କ’ଣ ଚିନି ପରି ମିଠା ନା ତୋ ରୂପ ଭଳି ସୁଆଦିଆ, ସୁନ୍ଦର ?

 

ବିଷରୁ ଆସିଗଲା ପୁଣି ସେଇ ସରସତା । କଣ୍ତଳିଆ ଦିଗମ୍ବରକୁ ଦେଖି ରଞ୍ଜୁ ମୁହଁ ଫେରାଇ ପଚାରିଲା, ଦଦେଇ ଏ ଗଛର କୟାଁ କ’ଣ ସତେ ମିଠା ?

 

କୁଣ୍ତଳିଆ ଦିଗମ୍ବର ହାତରେ ସାତ ଆଠ ଫଡ଼ା ବାଲିସେରି କୟାଁ ।

 

ମୁଁ ଯେଉଁ ଗଛରେ ଚଢ଼ିବାକୁ ଯାଉଥିଲି, ସେ ଗଛର ନୁହେଁ, ଆର ତୋଟାର କୟାଁ । ରଞ୍ଜୁ ହାତକୁ ଫଡ଼ାଏ ବଢ଼େଇ ଦେଇ ଦଦେଇ କହିଲେ ଏହିଥିରୁ ଖଣ୍ତେ ଚାଖେ । ଏ କୟାଁ ଠିକ୍‌ ଇମିତି ଲାଗେ ।

 

ଘରକୁ ଫେରି ଶୁଣିଲି, ସେଦିନ ରଞ୍ଜୁର ନିର୍ବନ୍ଧ ଭାଙ୍ଗିଯାଇଚି । ଧରାକୋଟର ରାଜବଇଦ ହଁ କରିଥିଲେ ପୁଅକୁ ବାହାକରେଇବା ପାଇଁ ରଞ୍ଜୁ ସହିତ । ଆଜି ଚିଠି ଲେଖିଛନ୍ତି, ମହାପାତ୍ରେ, କେତେ ବୁଝେଇଲି । ହେଲେ ଏକା ଜିଦ-କହୁଚି, ହେବନି । ଏଇ ରମେଶ ବୋଉଟା ନା, କୁଉଠୁ କ’ଣ ଶୁଣି ଆସିଚି କେଜାଣି, ଖାଲି ତ ନା, ନା । ରମେଶ ମନ କିନ୍ତୁ ସେଇଠି ବାହା ହେବା ପାଇଁ । ବୋଉକୁ ବହୁତ ବୁଝାଇଲାଣି, ତଥାପି ବୁଝୁନି । ମତେ ଖାଲି କହୁଚି ଜାତକ ନଦେଖି ନିର୍ବନ୍ଧ କଲ କିମିତି ? ରୋଗ ବଇରାଗ ଥିବ, କ’ଣ ଝିଅକୁ ଗୋଡ଼ରୁ ମୁଣ୍ତଯାଏଁ ଦେଖିଚ ? ସୁନ୍ଦରରୁ କ’ଣ ପାଇବ ମ ? ଅଲକ୍ଷଣିଟେ ପରା । ଜ୍ୟୋତିଷକୁ ହେଇ ନେଇ ଜାତକ ଦେଖେଇ ଆଣିଲି, ଯା ତାଙ୍କୁ ପଚାର, କ’ଣ କହିବେ ସେ ଶୁଣିବ । ଭୁଲ ହେଇଗଲା ସଂମନ୍ଧି । ରମିବୋଉଟାକୁ ନପଚାରି ମୁଁ ଏତେ ବାଟ ଆଗେଇ ଯିବାଟା ଆଦୌ ଠିକ୍‍ ହେଇନି । ହଉ, ତୁମର ଝିଅ ତ ଆଉ ସରିଯାଉ ନାହାନ୍ତି । ହେଇଟି କାଆଲି ବାହା ବୟସ ଧରି ଠିଆ ହେଇଯିବ ସେ କୁମୁଦିନୀଟା । ମୋର ବି ପୁଅର ଅଭାବ ନାହିଁ । ବାଞ୍ଛାନିଧି ମାଟ୍ରିକ ପାସ ପରେ, ଆଇ.ଏ., ବି.ଏ. ତାପରେ ସେଇ ବାହାଘର ପାଳି ପଡ଼ିଯିବ ଯେ । ଥରେ ଯେତେବେଳେ ନିର୍ବନ୍ଧ କରିଦେଇଚି, ଆଉ କଥା ତ ଭାଙ୍ଗି ଦେବନି । ସେତେବେଳକୁ ରମି ବୋଉ ମନାକଲେ, କରୁ । ମୁଁ କିନ୍ତୁ ନିଶ୍ଚେଁ ସମ୍ବନ୍ଧ ବାନ୍ଧିବି । ଆମ ଆଗ ଦୁଆରି ବାନାମ୍ବର ପୁଅ ସତ୍ୟକାମଟି ଏଇବର୍ଷ ବି.ଏ ପାସ କରିଚି । ଦୋକାନ ଖଣ୍ତିଏ ବି ଦେଲାଣି । ଦିନକୁ ଦଶ ପାଞ୍ଚ ହଉଚି । ଘରେ ବାର ମାସ ପାଇଁ ଧାନଚାଉଳ, ମୁଗ ବିରି କୋଳଥ, ସବୁ ଅଛି । ପିଲାଟି ଦେଖିବାକୁ ମଧ୍ୟ ଅସୁନ୍ଦର ନୁହେଁ । ବେଶ ବଳିଷ୍ଠ । ତାକୁ ଦେଖିଲେ ଭାରି ଭଲ ହୁଅନ୍ତା ଭାବୁଚି ।

 

ରଞ୍ଜୁ ଏଇ ଚିଠିଟା ପଢ଼ି, ସେଦିନ ବାୟାଣୀପରି ମୋ ପାଖକୁ ଧାଇଁ ଆସି ବିଷ ବିଷ ହେଉଥିଲା ।

 

ନାନୀ ପଚାରିଲା, କିରେ ରଞ୍ଜୁକୁ ଦେଖିଚୁ ?

 

କାହିଁକି ଇଲେ ପରା ମୋ ସଂଗରେ ଆସିଲା ।

 

ନନା ବୋଉ ତାର ଏତେ ଖୋଜୁଚନ୍ତି, ତୋରି ସାଙ୍ଗରେ ଯାଇ ବୁଲୁଚି ?

 

ଠିକ୍‌ ଏଇ ସମୟକୁ ନେତି ବୋଉ (ଚନ୍ଦ୍ର ଭାଇନାର ବଡ଼ ଭଉଣୀ ନାଁ ନେତି) ଖଣ୍ତିଏ ଚିଠି ଆଣି ନାନୀକି କହିଲା—ଏଇଟା ଦୀନୁକୁ ଦବୁଟିଲୋ ରୂପା । ଇଂରେଜୀ ଲେଖା ଟିକିଏ ପଢ଼ି ବୁଝାଇ ଦେବ । ବୋହୂ କହିଲା, ଚନ୍ଦ୍ରଠୁ ଆସିଚି ବୋଲି । ସତ ଲାଗୁନି । ପନ୍ଦର ବରଷରେ ଆଜି ମନେ ପଡ଼ିଲା ?

 

ଚିଠିଟି ପଢ଼ିଲି, ଗୋଟିକଯାକ ମୋ ପାଖକୁ । ଚନ୍ଦ୍ରଭାଇନା ସ୍ତ୍ରୀ ଲେଖିଚି ଖଣ୍ତିଏ କବିତା ପାଇଁ ।

 

ଦୁଇ

 

ଶୁଣିଚି, କାଦମ୍ବରୀ ଡାକ୍ତରାଣୀ ହେଲାଣୀ, ଡାକ୍ତରାଣୀ ନୁହେଁ ଯେ ଆଜିକାଲି ଯାହାକୁ କହନ୍ତି ଲେଡ଼ି ଡକ୍ଟର ସେଇଥିରୁ ଗୋଟାଏ କ’ଣ ହୋଇଚି । ଏବେ ବି ଦେଖିଲେ ମୁଣ୍ତ ନୁଆଇଁ ନମସ୍କାର କରେ । ବୟସ ଆସି ହେବଣି ତିରିଶ କି ଏକତିରିଶ । ଯୌବନ ତାକୁ ପାଶୋରି ଦେଇଥିଲେ ମଧ୍ୟ ଯୌବନକୁ ସେ ପାଶୋରି ଦେଇନି । ସେଇମିତି ଚାଲି, ସେଇମିତି ବେଶଭୂଷା, ସବୁ ସେଇମିତି ଅଛି । ସ୍କୁଲରୁ ଘଣ୍ଟି ବାଜିଲାମାତ୍ରେ, ସିଆଡ଼େ ସଡ଼କ ଉପରୁ ଗୋଟାଏ ସାଇକେଲ ଘଣ୍ଟିବାଜେ । ସ୍କୁଲକୁ ଡାକ୍ତରଖାନାଟା ପ୍ରାୟ ମାଇଲିଏ ବାଟ । କାଦମ୍ବରୀ ନିଇତି ସାଇକଲରେ ଯାଏ ଆସେ । ସେ ନିଜେ ସାଇକଲ ବି ଚଳେଇ ଜାଣିନଥାଏ ବୋଲି ଡାକ୍ତରଖାନା ହେଲ୍‌ପର ପାଣୁଆ ତାକୁ ଆଗରେ ବସାଇ ନିଅ ଆଣ କରେ ।

 

ସେ ଯେଉଁଦିନ ଆମ ସ୍କୁଲରେ ନାଁ ଲେଖେଇଲା ସେଦିନ ସବୁଆଡ଼େ ଗୋଟାଏ ଚହଳ ପଡ଼ିଗଲା । ପିଲାଏ ମନ କଲେ ସତେ ତାଙ୍କ ଅନ୍ଧାର ଘରଗୁଡ଼ାକରେ କିଏ ଆସି ଇଲେକ୍‌ଟ୍ରି ଲାଇଟ ଲଗେଇ ଦେଇଗଲା । ସେଦିନ ସବୁଆଡ଼େ ଗୋଟିଏ ରକମର ଗୁଞ୍ଜନ । କିଏ ମାଷ୍ଟ୍ରକୁ ପାସ କହି ଅଫିସ ରୁମ୍‌ଆଡ଼େ ଯାଇ ଆଖି ଦିଇଟାକୁ ବୁଲେଇ ଦେଇ ଆସେ ତ କିଏ ଲାଇବ୍ରେରୀ ରୁମକୁ ଯିବା ବାହାନାରେ ଚାହିଁ ଦେଇ ଆସେ ।

 

ନାଁ ଲେଖା ସରିଲା । ସିଏ ଗୋଟାଏ ସସ୍‌ପେନ୍‌ସ । ଅନେକ ବୟସ ଉଣ୍ତି ଭାବୁଥାଆନ୍ତି–ଦେଖିବୁନି ଆମରି କ୍ଲାସ୍‍ରେ ପଢ଼ିବ । ଅଷ୍ଟମଶ୍ରେଣୀ ଠାରୁ ଦଶମଶ୍ରେଣୀ ଯାଏଁ ସବୁରି ମନରେ ଏହି ଚିନ୍ତା ଓ ବ୍ୟାକୁଳତା । ଆଜି କିଏ ଲେଟ୍‌ରେ ବି ଆସି ନାହାନ୍ତି । ସବୁ ପିଲା ଘଣ୍ଟି ବାଜିବା ପୂର୍ବରୁ ଆସି ହାଜର ।

 

ସବୁରି ଆଶା ନିରାଶାରେ ପରିଣତ ହେଲା, କାଦମ୍ବରୀ ଯାଇ ବସିଲା ଠିକ ଏକାଦଶ ଶ୍ରେଣୀରେ । ଫାଇନାଲ ପରୀକ୍ଷା ଦେବାପାଇଁ ଆଉ ମୋଟେ ଚାରିଟି ମାସ ବାକୀ । ଧମାଧମ୍‌ ପଢ଼ା ଚାଲିଚି, କୋର୍ସ ଶେଷ କରିବାକୁ ପଡ଼ିବ । ଶିକ୍ଷକମାନେ ତତ୍‌ପର । ଠିକ ଏଇ ସମୟରେ ଏ ତନୁ ଲତିକାଟିର ଆବିର୍ଭାବ । ଏକାଦଶ ଶ୍ରେଣୀ ଭିତରେ ପଶିବାମାତ୍ରେ, ଅନ୍ୟପିଲାଗୁଡ଼ାଙ୍କ ମୁହଁରେ ଯେମିତି ଗୋଟିଏ ଅବସାଦ ଛାଇ ଆସିଲା । ସମସ୍ତଙ୍କ ତୁଣ୍ତରେ ଗୋଟିଏ କଥା—ମାତ୍ର ଚାରୋଟି ମାସ ପାଇଁ ? ସେ ପୁଣି ଏକାଦଶ ଶ୍ରେଣୀରେ ! ଏଇ ସାନ୍ତ୍ୱନା ଭିତରେ ଈର୍ଷାଭାବର ପରିମାଣ ଥିଲା ଅଧିକ ।

 

ଏକାଦଶ ଶ୍ରେଣୀର କ୍ଲାସ୍‍ ମାଷ୍ଟର ଥାଆନ୍ତି ଭଗବାନ ବାବୁ । ସବୁବେଳେ ଆଖି ରୋଗ-। ତେଣୁ ଆଖିଟା ଉପରେ ହାତଟା ଲେପଟି ରହିଥାଏ । ବି.ଏ. ଡ଼ି.ଇଡ଼ି. ପାସ୍‌ । ବୟସ ସତେଇଶ କି ଅଠେଇଶ । ଏପର୍ଯ୍ୟନ୍ତ ଅବିବାହିତ ।

 

କାଦମ୍ବରୀ କ୍ଲାସ୍‍ରେ ଆସି ବସିବାମାତ୍ରେ ମାଷ୍ଟ୍ରେ ବ୍ଳାକବୋର୍ଡ଼ ଉପରେ ଲେଖିବାକୁ ଯାଉ ଯାଉ ବାଟରେ ଅଟକି ଗଲେ । ଚକ ଖଡ଼ିଟା ହାତରୁ ତଳକୁ ଖସି ପଡ଼ିଲା । କ’ଣ ନା କିଛି ତ କହିବାକୁ ପଡ଼ିବ, ତେଣୁ ମୁହଁ ଫେରାଇ ଟିକିଏ ହସି ପଚାରିଲେ—ଓଃ ତୁମେ ତାହାହେଲେ କାଦମ୍ବରୀ । ତୁମ ବାପାଙ୍କୁ ଭଲକରି ଚିହ୍ନେ । କଟକରେ ପ୍ରାୟ ସବୁବେଳେ ଦେଖାହୁଏ । କଟକରୁ ବଦଳି ହେଇ ଆସିଲେ ନା ?

 

ନାଁ ବାପା ତ କଟକରୁ ବଦଳି ହୋଇ ଆସି ନାହାଁନ୍ତି ।

 

ଓଃ ତାହାହେଲେ ନିମାପଡ଼ାରୁ !

 

ନିମାପଡ଼ାଟା ସାର୍‌ କୁଉଠି ?

 

ସବୁ ଭୁଲ । କାଦମ୍ବରୀ ଟିକିଏ ବ୍ୟତିବ୍ୟସ୍ତ ହୋଇପଡ଼ି ପଛକୁ ଚାହିଁଲା, ଦେଖିଲା ଗୋଟାଏ ଚିହ୍ନା ମୁହଁ । ଏଇ ଗୋଟାଏ ମୁହଁକୁ ସେ ପ୍ରଥମ ଥର ଗାଡ଼ି ପାଖରେ ଓହ୍ଲୋଉ ଓହ୍ଲୋଉ ଦେଖିଥିଲା । କ୍ୱାର୍ଟରକୁ ଆସିବା ପରେ ବି ସେ ୟାକୁ ପୁଣି ଥରେ ଦେଖିଚି ଆଉ ଜଣେ ବୁଢ଼ୀ ଲୋକ ସାଥିରେ । ୟାରି କଣ୍ଠରୁ ସେ ଏଠିକି ଆସି ପ୍ରଥମ ଥରପାଇଁ ଗୀତ ଶୁଣିଚି । ପ୍ରଥମ ଥରପାଇଁ ତାକୁ ଦେଖୁ ଦେଖୁ ଭଲ ପାଇ ଯାଇଚି ।

 

ଏଠିକି ଆସିବା ହେଲା ମୋଟ ଚାରିପାଞ୍ଚ ଦିନ । ପ୍ରଥମ ଦୁଇଦିନ ପାଇଁ ସେ ଏଇ ମୁହଁଟିକୁ ଦେଖିବାକୁ ପାଇଥିଲା, ତାପରେ ତିନିଦିନ କାଳ ଆଉ ଦେଖା ସାକ୍ଷାତ ନାହିଁ । କେତେ ଖୋଜିଚି ଏ ମୁହଁଟାକୁ । ତିନିଦିନ ଧରି କେତେ ସ୍ୱପ୍ନ ଦେଖିଚି ୟାରି ସାନ୍ନିଧ୍ୟ ପାଇଁ । କେତେ ଯେ କାନେଇ ରହିଚି ତା’ରି ଗୀତ ଶୁଣିବା ପାଇଁ ।

 

ଭଗବାନ ବାବୁଙ୍କ ଇମିତି ଅଡ଼ୁଆ ତଡ଼ୁଆ କଥାରେ ବିଚଳିତ ହୋଇ କାଦମ୍ବରୀ ସ୍ଥାନ ଛାଡ଼ି ଉଠିବା ପାଇଁ ଉଦ୍ୟତ ହେବାମାତ୍ରେ ପଛଆଡ଼ୁ ଏ ଲୋକ ଜଣକ ଫୁସ୍‍ ଫୁସ୍‍ କରି କହିଲା, ଚିନି, ବସ । ଦେଖି ମାଷ୍ଟ୍ରଟା କେତେ ଦୂର ଯାଉଚି ଯାଉ ।

 

କାଦମ୍ବରୀକି ତା ବାପା ଗେଲରେ ଡାକନ୍ତି ଚିନି ବୋଲି । ପ୍ରକୃତରେ ସରୁଦାନା ଚିନି ଭଳି ସରୁ ସରୁ ଦିହଟି । ନିକିତିରେ ବସେଇ ଓଜନ କରିଦେଲେ ଅତି ବଡ଼ ହେଲେ ୪୦/୫୦ ସେର ହେବ । ଝିନ ବସନ ଭଳି ସେ ଝିନ କିନ୍ତୁ ସୁନ୍ଦର । ଦେହର ଗଠନ କୁନ୍ଦିଲା ଭଳି । ଛୋଟ ଛୋଟ ଦିଓଟି ଆଖି । ଦୂରରେ ଦେଖିଲେ ଯେ କୌଣସି ଆଖି ଟାଣି ହୋଇଯିବ । ଏଇମିତି ଝିଅଙ୍କୁ କହନ୍ତି କ୍ଷୀଣାଙ୍ଗୀ ।

 

ଭଗବାନ ବାବୁ ହଟିଗଲେ । ପଛ ପିଲା ଜଣକ ଜିଣିଗଲା ।

 

ସ୍କୁଲ ଛୁଟି ହେଲା । ପାଣୁଆର ସାଇକଲ ସଡ଼କ ଖାଲିଢିପ ଡ଼େଇଁ ଚାଲିଲା । ସାଇକଲ ଖାଲରେ ପଡ଼ି ଢିପକୁ ଉଠିବା ବେଳକୁ ପାଣୁଆର ଯେତିକି ଦମ ବାହାରି ଯାଇ ନଥାଏ ତାଠୁ ବେଶୀ ଦମ ବାହାରି ଯାଇଥାଏ କାଦମ୍ବରୀର । ସହରୀ ଝିଅ, ପିଚୁ ସଡ଼କରୁ ଆସିଚି, ଏହି ଦୁସ୍ତର ଦୁର୍ଗମ ଅରଣ୍ୟ କୋଳକୁ ।

 

ବାପାଙ୍କ ସହ ଚିନି ପ୍ରଥମେ ଯେତେବେଳେ ନାଁ ଲେଖେଇବାକୁ ଆସେ, ସେତେବେଳେ ଆଖି ପକେଇ ନେଇଥିଲା ଚାରିଆଡ଼କୁ । ଏ ପଟେ ସାଳିଆ, ଘଣ୍ଟଶିଳା, ସେପଟେ ଭାଲେରୀର ପ୍ରଶସ୍ତ ଆସ୍ତରଣ । ମଣିଷ ଏ ସବୁ ଦେଖୁ ଦେଖୁ ଆପେ ଆପେ କବି ହୋଇଯାଏ ।

 

ଆଜି ସାଇକଲରେ ଗଲାବେଳେ ସେସବୁ ଆଖିରେ ପଡ଼ୁଚି । ମନେ ହେଉଚି ସେ ଯେମିତି କିଛି ଦେଖି ପାରୁନାହିଁ । ଖାଲି ମନେପଡ଼ୁଚି ସେଇ ପଛଆଡ଼ ବେଞ୍ଚଟାର ଦୃଶ୍ୟ । ତା ଉପରେ ଗୋଟାଏ ଯୁବକ, ତାର ସେଇ ମୁରୁକି ମୁରୁକି ହସ । କଥା କଥାରେ ଠୋକର ।

 

କାଦମ୍ବରୀ ପଚାରିଲା, ଆଚ୍ଛା ପାଣୁଆ ସେଦିନ ଆମକୁ ଯେଉଁମାନେ ଗାଡ଼ିରୁ ପାଛୋଟି ନେବାକୁ ଆସିଥିଲେ, ସେମାନେ କିଏ ଜାଣୁ ?

 

—ମାଇନର ସ୍କୁଲ ହେଡ଼ମାଷ୍ଟ୍ରଙ୍କ ଘରର ପରା ।

 

—ଆଉ ସେ ଟୋକା ଜଣକ ?

 

କହୁ କହୁ ସାଇକଲର ଚେନ ଖସିଗଲା । ଓହ୍ଲାନ୍ତୁ ଦେଈ, ମୁଁ ଟିକିଏ ଚେନଟା ଲଗେଇ ଦିଏ ।

 

ପଛରୁ ଗୋଟାଏ ମଟର ସାଇକଲର ହର୍ଣ୍ଣ । କାଦମ୍ବରୀକୁ ଦେଖି ମଟର ସାଇକଲଟି ଅଟକି ଗଲା ।

 

କିଲୋ ଚିନି, ତୁ ? ପାଣୁଆ ଆରେ ଚେନ କ’ଣ ଲଗଉଚୁମ । ଇଆଡ଼େ ପରା ପଛ ଚକରୁ ପମ୍ପ ଚାଲିଗଲାଣି । ଡାକ୍ତରବାବୁଙ୍କୁ କହିଲି, ଗୋଟାଏ ମଟର ସାଇକଲ କିଣି ପକାଅ । ଝିଅଟାକୁ ସାଇକଲରେ ନେଇ ଇମିତି ବାଟରେ ହଇରାଣ ହେବା କ’ଣ ଭଲ ହେଉଚି ? ଆଛା ଏ ଚିନି ଆସିବୁଟି, ଏଇ ପଛରେ ବସିପଡ଼ । ପାଣୁଆ ସାଇକଲକୁ ଚଲେଇ ଚଲେଇ ଆଣୁ ।

 

ତହସିଲଦାର ବାବୁ । ବାପାଙ୍କ ବଡ଼ ବନ୍ଧୁ । କଥା ଭାଙ୍ଗିପାରିଲା ନି କାଦମ୍ବରୀ । ପଛରେ ବସିଲା ସିନା ତାର ଆଦୌ ଇଚ୍ଛା ନଥିଲା । ଇଚ୍ଛା ଥିଲା ପାଣୁଆ ମୁହଁରୁ ସେ ଟୋକାର ନାଁଟା ଅନ୍ତତଃ ଜାଣିବା ପାଇଁ । ଜାଣି ହେଲା ନି । ସାଇକଲ ଚେନ ଛିଣ୍ତିଯିବା ସଙ୍ଗେ ସଙ୍ଗେ କଥାର ଚେନଟା ଯେମିତି ସଙ୍ଗେ ସଙ୍ଗେ ଛିଣ୍ତିଗଲା । କିନ୍ତୁ ଯାହାହେଉ ପାଣୁଆଠୁ ଏତକ ଶୁଣିଚି ଯେ ସେମାନେ ସମସ୍ତେ ମାଇନର ସ୍କୁଲ ହେଡ଼ମାଷ୍ଟ୍ରଙ୍କ ଘରର ପିଲାଏ । ଟୋକାଟି ନିଶ୍ଚୟ ଏହି ପରିବାରର ଜଣେ ।

ଡାକ୍ତରଖାନା ଆଉ ମାଇନରସ୍କୁଲ ସାମନା ସାମନି । ତା ଛଡ଼ା ହେଡ଼ମାଷ୍ଟ୍ରଙ୍କ କ୍ୱାର୍ଟର ଓ ଡାକ୍ତରଙ୍କ କ୍ୱାର୍ଟର ପ୍ରାୟ ପାଖାପାଖି କହିଲେ ଚଳେ । ମଝିରେ ମାତ୍ର ଗୋଟିଏ ପଡ଼ିଆ । କେତୋଟି ଆତ ଓ ଆମ୍ବ ଗଛ ।

ତା ଆର ଦିନଠୁ ଆରମ୍ଭ ହେଲା କାଦମ୍ବରୀର ଅନୁସନ୍ଧାନ । ଶୀତଦିନେ ସୂର୍ଯ୍ୟ ଉଇଁବା ମାତ୍ରେ କାଦମ୍ବରୀ ଗୋଟିଏ ବାସନା ତେଲଶିଶି, ଗୋଟିଏ ପାନିଆ ଓ ଦର୍ପଣ ଧରି ଝରକା ପାଖେ ବସେ । ଏହି ଝରକା ବାଟେ ହେଡ଼ମାଷ୍ଟ୍ରଙ୍କ ଘରର ଆଉ ଗୋଟିଏ ଝରକା ବେଶ ଭଲ ଭାବରେ ଦେଖାଯାଏ । କିନ୍ତୁ ସେ ଝରକା କେବେ ଖୋଲେନି । ସେ ବାଟରେ କୌଣସି ମୁହଁ ଦେଖାଯାଏ ନି ସତ କିନ୍ତୁ ଝରକାର ରନ୍ଧ୍ର ଦେଇ ଗୋଟିଏ ସ୍ୱର ସକାଳୁ ଭାସି ଆସେ ।

କାଦମ୍ବରୀ କେଶ ପ୍ରସାଧନ ଲାଗି ପାନିଆ ଉଠଉ ଉଠଉ ତଳକୁ ଖସିପଡ଼େ । ଘଣ୍ଟାଏ ଦୁଇ ଘଣ୍ଟା ନାହିଁ ସକାଳୁ ସ୍କୁଲବେଳ ହେବା ପର୍ଯ୍ୟନ୍ତ ଏଇମିତି ସେଇ ଗୋଟିଏ ଗୀତର ଲହରୀ । ଖାଲି ଗୋଟାଏ ସ୍ୱର, ଗୀତର ଭାଷା ନାହିଁ, ଭାବ ନାହିଁ, ଅଥଚ ମଧୁର ।

ଏହାରି ଭିତରୁ କାଦମ୍ବରୀ ଭାଷା ତିଆରି କରେ, ଭାବର ବେଣୀ ବାନ୍ଧେ ।

କ୍ଲାସ୍‍ରେ ଈର୍ଷାବଶତଃ କି ଅନ୍ୟ କୌଣସି କାରଣରୁ ଜାଣେନା କିନ୍ତୁ କାଦମ୍ବରୀକୁ କେହି ଭଲ ପାଆନ୍ତି ନି, କଥା ବି କହନ୍ତି ନି । ଖାଲି ସେଇ ପିଲା ଜଣକ ହିଁ ତାର ସମର୍ଥକ, ଶ୍ରଦ୍ଧେୟ ବନ୍ଧୁ-। କାଦମ୍ବରୀର ପେନସିଲ୍‌ ତଳେ ପଡ଼ିଗଲେ ସିଏ କେବଳ ଗୋଟେଇ ଆଣିଦିଏ । ଦୁଆତରୁ କାଳି ସରିଗଲେ, ହେଇ ନିଅ ମୋଠି ଅଛି ବୋଲି ତା ଦୁଆତ ବଢ଼େଇ ଦିଏ ।

ମୁଁ କିନ୍ତୁ ଈର୍ଷା କରେନା କି ସମର୍ଥନ କରି ପାରେନା । କାଦମ୍ବରୀ ମୋ ଆଖିରେ ଯେମିତି ଧରା ଦେଇଥିଲା ଅତି ହେୟ ଭଳି । ମନେ ହେଉଥିଲା ସବୁ ଝିଅ ଗୁଡ଼ାକ ଯେମିତି ଗୋଟାଏ ଗୋଟାଏ ପ୍ରହେଳିକା । ବିଶେଷତଃ ଆମେ ଯେଉଁ ଗୁଡ଼ାକୁ କହୁ ସୁନ୍ଦରୀ ବୋଲି । ତେଣୁ କ୍ଷୀଣାଙ୍ଗୀ କାଦମ୍ବରୀ ପ୍ରତି ମୋର କୌଣସି ଆକର୍ଷଣ ନ ଥିଲା । ଇମିତି ଝିଅଙ୍କୁ ଦେଖିଲେ ମୋର ସେମାନଙ୍କ ସହିତ ଖେଳିବାକୁ ଇଚ୍ଛା ହୁଏ । ସେମାନେ ରୁଷି ବା ଅଭିମାନରେ କାନ୍ଦନ୍ତେ, ନଚେତ୍‌ କିଛି ନ ବୁଝି ହସନ୍ତେ, ମୁଁ ଦେଖନ୍ତି । ବାହାରେ ସେମାନଙ୍କ ପାଇଁ ଦରଦ ଦେଇ ମୁଁ ସହାନୁଭୂତି ଦେଖାନ୍ତି କିନ୍ତୁ ଭିତରେ ଭିତରେ ହସନ୍ତି । ତାର ସେଇ ପଛଆଡ଼େ ବସିଥିବା ଟୋକାଟା ଯେମିତି ତାର ସେବା କରୁଛି ତାକୁ ଦେଖି ମୁଁ ଭାବୁଥିଲି, ହୁଏତ ସିଏ ମଧ୍ୟ କାଦମ୍ବରୀ ସହିତ ମୋ ଭଳି ଖେଳିବାକୁ ଭଲପାଏ ।

କିନ୍ତୁ ହଠାତ୍‌ ଯେ ଏମାନେ ପରସ୍ପରକୁ ଇମିତି ଭଲ ପାଇଯିବେ ଏ କଥା କେବେ କଳ୍ପନା ସୁଦ୍ଧା କରି ନ ଥିଲି ।

ମନେପଡ଼ୁଚି ଠିକ୍‌ ଡିସେମ୍ବର ୩୦ ତାରିଖ, ମସିହାଟା ସମ୍ଭବତଃ ୧୯୪୫ । ମୁଣ୍ତରେ ଏତେ ବଡ଼ ମୋଟା ଗୋଟାଏ କନ୍ଥା, ଦି କାନ୍ଧରେ ଦିଇଟା ଲିଆଫୁଟା ଧାନ ଭର୍ତ୍ତି ବ୍ୟାଗ ଧରି ଚାଲିଥାଏ ଭିଁ ପୁର ଆଡ଼ିକି । ଘରୁ ଆଦେଶ, ଏତକ ନିଅ କି ମାମୁଁଘରେ ଦେଇ ଆସିବ ।

 

ଦିପହର ଗଡ଼ିଗଲାଣି । ରବିବାର । ସ୍କୁଲ ଛୁଟି । ହାଲିଆ ହେଇ ହେଡ଼ମାଷ୍ଟ୍ରଙ୍କ ଦ୍ୱାର ବାଡ଼େଇ ଡାକିଲି, କହ୍ନେଇ ଦୁଆର ଫିଟା । ତୋରି ଘରେ ଟିକିଏ ହାଲିଆ ମାରିବି ତେବେ ଯାଇ ଯିବି । ଆଜି ତ ରାତି ଭିଁ ପୁରରେ ରହିବାକୁ ପଡ଼ିବ । ସନ୍ଧ୍ୟା ପୂର୍ବରୁ ପହଞ୍ଚି ଯିବନିଯେ । ହଁ, ବାଟରେ ଗୋଟାଏ ମଶାଣି ପଡ଼ିବ । ପଡ଼ୁ । ଆମ ଗାଁ ମଶାଣି ନୁହେଁ ଯେ ମଣିଷ ଗୁଡ଼ାକର ମୁହଁ କାନ ନାକ କଥା ମନେ ପଡ଼ିବ । ତା ଛଡ଼ା ଏ ଗାଁ ମଶାଣିର ପ୍ରେତ ଅନ୍ୟ ଏକ ଗାଁର ଲୋକକୁ ଡରେଇବା ପାଇଁ ଡରିବେ ।

 

ଦୁଆର କହ୍ନେଇ ଖୋଲିଲାନି, ଚାକର ଖୋଲିଲା ।

 

ଦୁଆର ଖୋଲାର ପ୍ରତିଧ୍ୱନିରେ ସେ ଘରର ଝରକା ପାଖର ଝିଅଟା ଟିକିଏ ସଂକୁଚିତ ବୋଧ କଲା ଭଳି ମନେ ହେଲା । କିନ୍ତୁ କାହ୍ନୁ କାନରେ ସେ ପ୍ରତିଧ୍ୱନିର କୌଣସି ସ୍ୱର ପଡ଼ିଥିଲା କି ନା ତା ହାବଭାବରୁ ଜଣା ପଡ଼ି ନଥିଲା ।

 

ଝରକା ଖୋଲି ଚାକରଟା ମତେ ନିଶ୍ଚେ ଚାହିଁଥିବ, କିନ୍ତୁ ଅବାକ୍‌ ହୋଇଥିବ ମୋର ବେଶଭୂଷା ସାଙ୍ଗକୁ ମୁଣ୍ତର ବୋଝଟାକୁ ଦେଖି । ତାଛଡ଼ା ବେଶୀ ଅବାକ୍‌ ହୋଇଥିବ ମୁଁ ଅବାକ୍‌ ହୋଇ ସେଇ ଆରପାଖ ଝରକା ଆଡ଼ର ଝିଅଟାକୁ ଯେମିତି ଲୋଲୁପ ଦୃଷ୍ଟିରେ ଚାହିଁଥିଲି, ତାକୁ ଦେଖି ।

 

ସେତେବେଳକୁ ଦି’ଟା ବେଣୀରୁ କାଦମ୍ବରୀର ଗୋଟାଏ ବେଣୀ ବନ୍ଧା ସରିଥାଏ । ଆଉ ଗୋଟିଏ ବେଣୀ ବନ୍ଧା ହେଉଚି, ପୁଣି ଫିଟୁଚି । ହୁଏତ ମୁଁ ଆସିବା ପୂର୍ବରୁ ଇମିତି ଫିଟୁଥିବ, ବନ୍ଧାହେଉଥିବା ଥରକୁ ଥର କେତେ ଥର ।

 

କାହ୍ନୁର ତୁଣ୍ତରୁ ଏଥର ଭାଷା ଫିଟିଲା । ଲାରେ ଲାପା ଗୀତ ନାହିଁ କିମ୍ବା ଖାଲି ଭାଷାହୀନ ସ୍ୱର ନାହିଁ । ହଁ, ମନେ ଅଛି ମୁଁ ଦୁଆର ବାଡ଼େଇବା ଆଗରୁ କାହ୍ନୁ କ’ଣ ଗୋଟାଏ ସିନେମା ଗୀତ ଗାଉଥିଲା । ଏତେଦିନ ହେଇଗଲାଣି, କଣ ମନେ ପଡ଼ୁଚି । ତାପରେ ଆରମ୍ଭ ହେଲା ଚମ୍ପୁର ଅକ୍ଷର, ରସାଳସାରେ ରସି ପୁଣି ଏ କି ଲୋକହସାରେ...... ।

 

ବାହା ବାହା କହ ମୁଁ ରେଜେଇଟାକୁ ମୁଣ୍ତରୁ ଫୋପାଡ଼ି ଦେଇ ଭିତରକୁ ପଶି ଆସିବାମାତ୍ରେ କାହ୍ନୁ ଏକାବେଳକେ ହତବାକ୍‌ । କ୩ଣ କରିବ କିଛି ଠିକ୍‌ କରି ପାରିଲାନି । ମନେହେଲା ଯେମିତି ସେ ଗୋଟାଏ କ’ଣ ଜିନିଷ ଚୋରୀ କରିଲା ବେଳକୁ ମୁଁ ହଠାତ୍‌ ଆସି ତାକୁ ପକଡ଼ି ନେଇଚି ।

 

କାହ୍ନୁ ମତେ କଥାକୁ ବାଆଁରେଇ କହିଲା, ଆରେ ଦୀନୁ ତୁ କ’ଣ ଏଇ ସଞ୍ଜବେଳରେ ? କୁଆଡ଼େ ଯିବୁନା ଏଠି ରହିବୁ ?

 

ନାଁ ଯିବିବୋଲି ଭାବିଥିଲି ଦେଖୁଚି ଏଇଠି ରହିବାକୁ ପଡ଼ିବ । ଯା ତୁ ଟିକିଏ କାଦମ୍ବରୀକୁ କହିଦେବୁ ଆଜି ଜଣେ ଅତିଥି ଆସିଛନ୍ତି, ଅଧିକା କିଛି ଚାଉଳ ପକେଇଥିବ ।

 

କାଦମ୍ବରୀ ନାଁ ଶୁଣି କାହ୍ନୁ ପିଲାଳିଆ ସ୍ୱରରେ କହିଲା, ଦୀନୁ ତୁ ସବୁବେଳେ ଯଦି ମତେ ଇମିତି ଗୋଡ଼େ ଗୋଡ଼େ ଜଗୁ ତାହାହେଲେ ମୁଁ ଟ୍ରାନସ୍‌ଫର ସାର୍ଟିଫିକେଟ ନେଇ ଗାଁ ସ୍କୁଲରେ ପଢ଼ିବାପାଇଁ ଯିବି ।

 

ଯାଉନୁ । ଅନେକଙ୍କ ଅଭିଶାପରୁ ତୁ ଏକାବେଳକେ ମୁକୁଳି ଯାଆନ୍ତୁ । ତୁ ବଞ୍ଚିରହି ଅନ୍ୟ ପିଲାଗୁଡ଼ାଙ୍କର ହୃଦୟଗୁଡ଼ାକୁ ଯେପରି ଡହକବିକଳ କରି ଜାଳୁଚୁ ନାଁ, ତୋ ନ ରହିବାଟାରେ ଏତେ ଖୁସି ହୋଇଯିବେ ଯେ ତୁ ତୋର ଯିବା ପ୍ରସ୍ତାବ ଶୁଣିବାମାତ୍ରେ ତୋର ସମସ୍ତ ବାଟଖର୍ଚ୍ଚ ମଧ୍ୟ ବହନ କରିବାପାଇଁ ପ୍ରସ୍ତୁତ ହେବେ—ବିରକ୍ତରେ ନୁହେଁ ବେଶ୍‌ ମନଖୁସୀରେ । କିନ୍ତୁ କାହ୍ନୁ ତୁ ଯଦି ଚାଲିଯାଉ, ଆମ ସ୍କୁଲ ସଭାସମିତିରେ ପ୍ରାରମ୍ଭିକ ସଙ୍ଗୀତ କିଏ ବୋଲିବ ?

 

କାହିଁକି କାଦମ୍ବରୀ ?

 

ସେ କ’ଣ ଗୀତ ବୋଲି ଜାଣେ ?

 

କିରେ ଝିଅପିଲାଟା, ଗୀତ ଗାଇ ଜାଣେନାଁ ? ମୋର ଗୋଟାଏ ଧାରଣା କାହିଁକି କେଜାଣି ଝିଅମାତ୍ରେ ଗୀତ ଗାଇ ଜାଣନ୍ତି । ଛୋଟ ସରୁ ଗଳାଗୁଡ଼ିକ ନାଁ, ସେଇଥିପାଇଁ ।

 

ଆମର ଏ ସବୁ କଥୋପକଥନ ବେଳେ କାଦମ୍ବରୀ ନାନା ଭାବଭଙ୍ଗୀରେ କ’ଣ କହିବାକୁ ଚାହେଁ, କିନ୍ତୁ କହିପାରେନା । ଗୀତ ବୋଳିବା ଲାଗି ଗଳା ସଜାଏ କିନ୍ତୁ ଗାଇ ପାରେନା । ହସିବାକୁ ଚେଷ୍ଟା କରେ ପାରେନା, କାରଣ ଏସବୁ ଭିତରେ ଆଉ ଗୋଟାଏ ଭିତର ଥାଏ, ଯାହାର କି ବାହାର ନାହିଁ । ବାହାର ଥିଲେ ମଧ୍ୟ ବାହାରିବାଭଳି ଦମ୍ଭ ନଥାଏ । ଏଇଟା ନାରୀ ସୁଲଭ । ଯିଏ ଯେତେ ସଭ୍ୟା, ନିସଙ୍କୋଚା ହେଉନା କାହିଁକି ପୁରୁଷ ଆଗରେ ନାରୀର ଦମ୍ଭ ସହଜେ ଭାଙ୍ଗିପଡ଼େ-। ଏହି ଭାଙ୍ଗିବା ଭିତରେ ମଧ୍ୟ ଏକ ଦରଦ ଥାଏ ଏବଂ ଏହି ଦରଦ ଭିତରେ ଥାଏ ଗୋଟାଏ ପିପାସା । ଏହି ପିପାସାର ନାଁ ପ୍ରେମ ବା ଭଲପାଇବା, ସୋହାଗ । ପରସ୍ପର ସହିତ ଜଡ଼ି ହୋଇଯିବାର ନିଶାରେ କୁମାରୀକନ୍ୟା ମଧ୍ୟ କୁମାର ପଛରେ ଧାଏଁ । ଛୋଟ କନ୍ୟା ଶିଶୁ ମଧ୍ୟ ପୁତ୍ର ଶିଶୁ ସହିତ ଖେଳିବାକୁ ଭଲପାଏ । ଏ ସବୁକୁ ଅତିକ୍ରମ କରି ଯେତେବେଳେ ଯୌବନ ଆସେ, ସେତେବେଳେ ପିପାସାର ଗତି ପ୍ରଖର ହୋଇଉଠେ । ହସିବାଲାଗି ଓଠ ଆପେ ଆପେ ଖୋଲି ହୋଇଯାଏ, ଜଣକୁ ମନଭରି ଶୋଷି ନେବାପାଇଁ ଛାତି ପଡ଼େ ଉଠେ । ଦେହ, ମନ, ଅଙ୍ଗପ୍ରତ୍ୟଙ୍ଗ ଚଞ୍ଚଳ ହୋଇଉଠେ । ବାଧା ମାନେନା ।

 

କାଦମ୍ବରୀ କୁମାରୀକନ୍ୟା ନୁହେଁ କିମ୍ବା ଯୁବତୀ ନୁହେଁ । ଠିକ୍‌ ତାର ମଞ୍ଜରେ । ଜୀବନର ଏହି ମଞ୍ଜ ଯାମଟା ହିଁ ହସଖୁସିର ସଂସାର । ସେଇଥିପାଇଁ କାଦମ୍ବରୀର ବେଣୀ ଆପେ ଆପେ ଫିଟିଯାଏ, ତେଲ ଇଡ଼ି ଇଡ଼ି ମୁଣ୍ତ ତେଲିଆ ହୋଇଉଠେ । ଚାହିଁ ଚାହିଁ ଆଖି ହାଲିଆ ହୋଇଯାଏ । ଆଉଜି ଆଉଜି ପୃଷ୍ଠଦେଶ କାନ୍ଥ ଦେହରେ ଲେସି ରହେ । ତଥାପି ସେ ଯାଇପାରେନା । ସେତେବେଳେ ସେ ଦେଖିବାକୁ ପାଉଥିଲା କାହ୍ନୁର ଗୋଟିଏ ମାତ୍ର ଯୌବନ ।

 

ତା ସାଙ୍ଗକୁ ଆଉ ଗୋଟିଏ ଆକର୍ଷଣ, ଏକ ଲଳିତ ମଧୁର ସ୍ୱର । ଏହାରି ପଛପଟେ ହଠାତ୍ ଆସି ଠିଆ ହେଲା ଅନ୍ୟ ଏକ ଅବାଂଛିତ ଅନାମଧେୟ ଯୌବନ ।

 

କାଦମ୍ବରୀର ସ୍କୁଲକୁ ଯିବାର ହେଲା ମୋଟେ ପାଞ୍ଚଦିନ । ପାଞ୍ଚଦିନ ଭିତରେ ମୋ ଭଳି କେତେ ଜୀବନର ଯୌବନକୁ ଦେଖିଥିବ । କିନ୍ତୁ ସବୁ ଗୁଡ଼ିକୁ ପାସୋରି ଦେଇ ସେ କେବଳ ମନେ ରଖିଚି ସେ ପୃଷ୍ଠଦେଶର ପତଳା ଖର୍ବକାୟ ଗୋଟାଏ ଚେହେରା ଯିଏକି ତାର ପେନସିଲ ପଡ଼ିଥିଲେ ନକହୁଣୁ ଗୋଟାଇ ଆଣିଦିଏ, ଦୁଆତରୁ ସାହି ସରିଗଲେ ସାହି ଭର୍ତ୍ତି କରିଦେଇ ଯାଏ ।

 

ଦେଖିଲି କାହ୍ନୁ ବେଶ ମାତିଚି, ମାତୁ । ବେହେଲା ବଜାଉଚି, ବଜଉ, ମୁଁ ତା’ର ତାର ଛିଣ୍ତାଇବି କାହିଁକି ? କାହ୍ନୁକୁ ଆଦାବରଜୀ କରି ଚାଲି ଆସିଲା ।

 

ଠିକ୍‌ ଘରୁ କୋଡ଼ିଏ ପଚିଶ ଗଜ ଆଗକୁ ଆସିଲାବେଳକୁ ଝରକା ଆଡ଼ିକି ଚାହିଁ ଦେଖିଲି, କାଦମ୍ବରୀ ଆଉ କାହ୍ନୁ ଆଡ଼ିକି ଅନେଇନି, ଅନେଇଚି ମୋରି ଯିବା ବାଟକୁ । ଥକିଗଲି । ଭାବିଲି ଭିକମାଗିବାକୁ ଆସି ନଥିଲି ସତ, କିନ୍ତୁ କାହ୍ନୁ ଘରୁ ଫେରିଲାବେଳକୁ ମୋ ପ୍ରାଣରେ ଭିକାରୀର କ୍ଷୁଧାନେଇ ଫେରୁଚି । ଭିକ ଯେତେବେଳେ ଜଣେ ଯାଚିଲାଣି, ନନେବାଟାରେ କୌଣସି ଗୌରବ ରହିବନି । କ୍ଷୁଧାରେ ରହିଯିବ । ହୁଏତ ଆଜି ରାତିଟା ମାମୁଁ ଘରେ ଶୋଇପାରିବି ।

 

ମୋ ଭିକ୍ଷାର ଆଧାର କିଛି ନଥିଲା, ଥିଲା ମାତ୍ର ଗୋଟାଏ ଚାହାଣୀ । ପୁଣି ଘଣ୍ଟାଏ । ଝଙ୍କା ଆମ୍ବଗଛ ମୂଳଟା । ଚାରିଆଡ଼େ ସେଇ କୁକୁରର ରଡ଼ି । ବେଳ ରତ ରତ ସମୟ ।

 

କ୍ରମଶଃ ସେ ଅପରୂପ କ୍ଷୀଣ ତନୁଟି ଅପସରି ଗଲା । ସବୁ ନୀରବ ନିଶୂନ । କାହ୍ନୁର ବେହେଲା ବାଜିଲାନି । ରସାଳସାର ଗୀତ ଅସମ୍ପୂର୍ଣ୍ଣ ରହିଲା । କିଛିଟା ବାଟ ଆଗେଇ ଗଲା ପରେ ଦେଖିଲି କାଦମ୍ବରୀ ଗେଟ୍‌ ଆଗରେ ଠିଆ ହୋଇଚି । ମେକଅପ୍‌ରେ ଦେହ ଗୋଟାକ ଯାକ ଝଟକୁଚି । ବଡ଼ ଲଜ୍ୟାବୋଧ କଲି । ତାକୁ ଭଲକରି ଅନେଇବା ଭଳି ଶକ୍ତିକୁ ମଧ୍ୟ ଦେହରେ ଠୁଳ କରିପାରିଲିନି । ଭାବିଲି ସେ ବାଟରେ ଯିବାଟା ଗୋଟାଏ ବିପଦ । କିନ୍ତୁ ନଯିବାର ଉପାୟ କ’ର ? ଏପଟେ କଣ୍ଟା ବାଡ଼, ସେ ପଟେ ମସ୍ତବଡ଼ ଗୋଟାଏ ପୋଖରୀ । ମଝିରେ ଏଇ ଏକମାତ୍ର ବାଟ ।

 

ଠିକ୍‍ ଗେଟ ପାଖରେ ପହଞ୍ଚିବାମାତ୍ରେ ସେଇ କ୍ଷୀଣ ସ୍ୱରର ଗୋଟାଏ ଧ୍ୱନି—

 

—ଆଚ୍ଛା, ଆପଣ ଆମରି କ୍ଲାସ୍‍ରେ ପଢ଼ନ୍ତି ନା ?

 

—ହଁ ପଢ଼େ ।

 

ଖଣ୍ତେ ବହି ଦେଇ ପାରିବେ, ଦୁଇତିନି ଦିନପାଇଁ ? ବାପାଙ୍କୁ କହିଚି, ଦୁଇତିନି ଦିନ ଭିତରେ ଆସିଯିବ । ପ୍ରିପାରେସନ ଲାଗି ଟିକିଏ ଦରକାର ।

 

ଆପଣ ବୋଧହୁଏ ଜାଣନ୍ତି ନି ମୁଁ ବୃତ୍ତି ପାଇ ପଢ଼େ । ଦେଖନ୍ତୁ ଏ ମୁଣ୍ତଉପରେ ଗୋଟାଏ ରେଜେଇ । ଏଇ ରେଜେଇଟାକୁ ଆଉ ଚାରିମାଇଳ ବାଟ ବୋହି ବୋହି ନେବାକୁ ପଡ଼ିବ-। ଏଠୁ ଯଦି ଘରକୁ ଫେରିଯାଏ କାଲିକି ଖାଇବାକୁ ମିଳିବନି ।

 

—ଆପଣ ତ ବେଶ୍‌ ବନେଇ ଚୂନେଇ କହି ପାରନ୍ତି ।

 

ତାର ସୁଯୋଗ କେଉଁଠି କେବେ ପାଇଲି ଯେ....ଏତିକିରେ କ’ଣ ତୁମେ ସନ୍ତୁଷ୍ଟ ? ତୁମ ସହରୀ ପୁଅ ଗୁଡ଼ାକ କ’ଣ ମୋଠୁ ନିରୀହ ? କିଛି କହି ଜାଣନ୍ତି ନି ?

 

—ହଁ ଜାଣନ୍ତି, କିନ୍ତୁ ଜଣେଇଲା ଭଳି କହନ୍ତି ନାହିଁ । ଯାହା କହନ୍ତି, ପଛରେ କହନ୍ତି । ଆମ ପାଖକୁ ସେ କଥା ଗୁଡ଼ାକ ଆସିଲାବେଳକୁ ପାଞ୍ଚ ତୁଣ୍ତ ହୋଇଆସେ । ତେଣୁ ତାର କୌଣସି ଗୁରୁତ୍ୱ ବା ମୋହ ନଥାଏ ।

 

ଏ ସବୁ ଯୁକ୍ତିପରେ ସେଇଠି ଆମର ଚୁକ୍ତି ହେଲା ମୁଁ କାଲି ସାହିତ୍ୟ ବହି ଖଣ୍ତିକ ଦେବି-। ସର୍ତ୍ତ ମାତ୍ର ତିନିଦିନ ପାଇଁ । ଆଉ ଗୋଟି ବି ସର୍ତ୍ତ ହେଲା, ସର୍ତ୍ତଟି ହେଉଚି, ମୁଁ ଏଣିକି ଗୀତ ଲେଖିଲେ, ତାକୁ ସିଏ ସୁର୍‌ ଦେଇ ବୋଲିବ । ଗୋଟିଏ ଅପରିଚିତ ମୁହଁରୁ ଇମିତି କଥା ଗୁଡ଼ାକ ବାହାରିବ, ସେ କଳ୍ପନା ସୁଦ୍ଧା କରି ନଥିଲି । ମୁହଁକୁ ହଲେଇ କିମ୍ବା ବେଣୀକି ଛାଟି ସେ ହଁ କଲାନି–ଖାଲି ଦିଓଟି ଡୋଳା ତଳକୁ ଖେଳେଇ ଦେଇ ହଁ କରିଥିଲା । ମୁଁ ରେଜେଇଟାକୁ ମୁଣ୍ତ ଉପରକୁ ଟେକି ପୁଣିଥରେ ତାକୁ ଚାହିଁଲି, ସେ ଚାଲି ଯାଇଚି । ଖାଲି ରୁକ୍ଷ ଗେଟଟା ଉପରେ ବସିଚି ଗୋଟାଏ କଜଳପାତି ଯେଉଁ ଗୁଡ଼ାକ କି କୋଇଲି ଭଳି ଦେଖାଯାଆନ୍ତି, ଅଥଚ ସ୍ୱର ତୋଳି ଗାଇ ଜାଣନ୍ତି ନି ।

 

ତା ଆରଦିନ ସ୍କୁଲରେ ଗୀତଟିଏ ନେଇ କାଦମ୍ବରୀ କି କହିଲି, ଚୁକ୍ତିର ଟିକିଏ ଅଦଳ ବଦଳ ଦରକାର । ସର୍ତ୍ତ ରହୁ ପ୍ରଥମ ତୁମେ ଗୀତରେ ସୁର ଦେବ, ଆମରି ଆଗରେ ଗାଇବ, ତା ପରେ ଯାଇ ବହି ମିଳିବ ।

 

ରାଜି ।

 

ସ୍ଥାନ ଘଣ୍ଟାଶିଳାର ଗୋଟାଏ ଚଟାଣ । ତାରି ଉପରେ ବସି କାଦମ୍ବରୀ ଗୀତ ବୋଲିଲା-। ଶ୍ରୋତା ମୁଁ ଆଉ ହରି ପାତ୍ର, ଯାହାକୁ ଆମେ ହୁର ପାତ୍ର ବୋଲି ଡାକୁ । ଧନୀ ଟୋକାଟେ । ସେ କଳାହାଣ୍ତି କାଶିପୁରରୁ ଆସି ନୂଆ ହୋଇ ନାଁ ଲେଖେଇ ଥାଏ । ଘୋଡ଼ାକୁ ଘୁଡ଼ା କହେ, କୋଡ଼ିକି କୁଡ଼ି କହେ ବୋଲି ଆମେ ତାକୁ ହର ବୋଲି ନ ଡାକି ହୁର ବୋଲି ଡାକୁ ।

 

ଜୀବନରେ ଏହି ଗୀତଟି ମୋର ପ୍ରଥମ ଲେଖା । ପ୍ରଥମ ପଦକୁ ପଦ ଯୋଡ଼ା । ଗୀତର ଭାବଟି ହେଉଛି, ଜୀବନରେ ଆନନ୍ଦ କିଛି ନାହିଁ, ଆନନ୍ଦ ହେଉଚି ଏତିକି, ଗୋଟିଏ ତରୁଣ ପାଖରେ ଆଉ ଗୋଟିଏ ତରୁଣୀ । ପରସ୍ପରକୁ ଚିହ୍ନି ନଥିବେ, କଥାବାର୍ତ୍ତା ବି କରୁ ନଥିବେ, କେହି କାହାକୁ ଚାହୁଁ ନଥିବେ ଅଥଚ ପରସ୍ପରକୁ ଭଲ ପାଉଥିବେ । ବାପ ମା ଭୁଲ୍‍ ବୁଝନ୍ତୁ, ଲୋକେ ପୁଅ ଟିକି ବଜାରୀ, ଝିଅଟିକି ଦୋଚାରିଣୀ ବୋଲି କୁହନ୍ତୁ, ଖାତିରି ନାହିଁ । ସେମାନେ ତ ପରସ୍ପରକୁ ଭଲପାଇ ବାହାସାହା କରିଯାଉନାହାଁନ୍ତି, ଘର ବାନ୍ଧୁ ନାହାନ୍ତି, କିଏ କାହାକୁ ତ ଛୁଁ ନାହାଁନ୍ତି । ଯେଉଁ ଦରଦ ନେଇ ଏମାନେ ଦୁନିଆଁକୁ ଆସିଚନ୍ତି, ସେଇ ଦରଦର ଫୁଲକୁ ଫୁଟଉଚନ୍ତି ।

 

କାଦମ୍ବରୀ ଇମିତି ଖେଳଛୁଟି ପୂର୍ବରୁ ହଠାତ୍‌କିନି ସ୍ୱର ଦେଇ ହଠାତ୍‌କିନି ବୋଳି ପକେଇବ ଏ କଳ୍ପନା ସୁଦ୍ଧା କରି ନଥିଲି । ଆଶଂକା ଥିଲା, କବିତାଟିକି ପଢ଼ି ସେ ଗୋଡ଼ତଳେ ମକଚି ଦେବ । ନଚେତ୍‌ ରାଗ ରାଗ ଚାହାଁଣୀରେ ମତେ ଅନେଇବ । କିନ୍ତୁ କାଦମ୍ବରୀ ଏକାବେଳକେ ସପ୍ରତିଭ । ସଭ୍ୟତାର ଦୀପଗୁଡ଼ିକ ଯେମିତି ତା’ର ମନ ଭିତରେ ଧୁ ଧୁ ହୋଇ ଜଳୁଚି ।

 

ହଠାତ୍‌ କାହ୍ନୁର ବେହେଲା ତାର ଛିଣ୍ତିଗଲା । ସାହାରା ନପାଇ କାଦମ୍ବରୀ ଗୀତ ବନ୍ଦ ରଖିଲା ।

 

ତାର ଛିଣ୍ତିଗଲା, ଗୀତ ବନ୍ଦ ହେଲା, ସ୍କୁଲର ଘଣ୍ଟି ବାଜିଲା । କିନ୍ତୁ ଆମେ ଅଚଳ । ସେଇ ପଥର ଚଡ଼ାଟା ଉପରେ ତିନିହେଁ ପରସ୍ପରକୁ ଚାହିଁଚୁ । ଏ ଚାହିଁବା ଭିତରେ ଯେମିତି ଗୋଟାଏ ବିରାଟ ଅତୀତ ଭାସିଯାଇଚି, ଗୋଟାଏ ବର୍ତ୍ତମାନ ବଦଳିଯାଇଚି । କାହ୍ନୁ କି ଭବିଷ୍ୟତ ଚିନ୍ତା କରୁଥିବ ଜାଣେନା, କିନ୍ତୁ ମୁଁ ଏକାବେଳକେ କାଦମ୍ବରୀକୁ ଭୁଲିଯାଇଚି । କାଦମ୍ବରୀ ମୁହଁରେ ମୁଁ ଦେଖୁଚି, ରଞ୍ଜୁକୁ ।

 

ଚାରିଦିନ ହେଲା ସ୍କୁଲକୁ ଆସିନି । ତା ସହିତ ଦେଖା ବି ହୋଇନି । ରଞ୍ଜୁକୁ ଖୋଜିଚି ବହୁତ, ପାଇନି । ଘର ଭିତରକୁ ଯାଇ ଡାକିବି ବୋଲି ଭାବିଚି, ସାହସ ପାଇନି ।

 

ଶୁଣିଲି ରଞ୍ଜୁ କୁଆଡ଼େ ବଡ଼ ହୋଇ ଯାଇଚି । ବଡ଼ ହେବାର ବଡ଼ିମାରେ ଲୁଚି ରହିଚି ସେ, ରହୁ । କିନ୍ତୁ ତାର ପ୍ରାଇଜଟା ! ପଅରଦିନ ସ୍କୁଲର ପ୍ରାଇଜ ସଭା । ଶୁଣିଚି, ରଞ୍ଜୁ ହସ୍ତାକ୍ଷରରେ, ଗୀତରେ, ଆଚରଣ ବ୍ୟବହାରରେ ପ୍ରଥମ ପୁରସ୍କାର ପାଇଚି । ଥରକୁ ଥର କେତେଥର ନାଁ ଡକାଯିବ । କେତେ ଲୋକ ତାକୁ ଚାହିଁବେ, ଆସିବନି ? ଅନ୍ତତଃ ଏ ଖବର ଦେବା ବାହାନାରେ ମୁଁ ତାଙ୍କ ଘରକୁ ପଶିଯାଇପାରେ । ମୋର ଏହି ଚିନ୍ତା ବିଭୋରତାର ସୁଯୋଗ ନେଇ, କେତେବେଳେ କାହ୍ନୁ ଓ କାଦମ୍ବରୀ ପାଖକୁ ଖସି ଚାଲିଯାଇଚନ୍ତି । ପରେ ଦେଖିଲି, ଦୁହେଁ କଣ୍ଟେଇକୋଳି ବଣରେ । ବାଧା ଦେଲିନି । ରଞ୍ଜୁର ଭାବନା ନେଇ ଚାଲିଆସିଲି ସ୍କୁଲକୁ ।

 

ଖେଳଛୁଟି ପିରିଅଡ଼ ପର ପିରିଅଡ଼ଟା ଭଗବାନବାବୁଙ୍କର । ମୋ ଉପରେ ରାଗ ଅବଶ୍ୟ ଥାଏ, କିନ୍ତୁ ମୋଠୁ ବେଶୀ ରାଗ କାହ୍ନୁ ଉପରେ । କାହ୍ନୁ ଓ କାଦମ୍ବରୀର ସିଟ ଖାଲି । ମୋ ଆଡ଼ିକି ଅନେଇଁ ପଚାରିଲେ କାଦମ୍ବରୀ ?

 

ଗୀତ ବୋଲୁଚି ।

 

ଗୀତ ବୋଲୁଚି, କୁଉଠି ?

 

ଘଣ୍ଟଶିଳା ପାହାଡ଼ ଉପରେ ।

 

ଠିକ୍‌ ଏଇ ସମୟକୁ କାଦମ୍ବରୀ ଗୋଟିଏ ଆଡ଼ୁ, ଅନ୍ୟ ଆଡ଼ୁ କାହ୍ନୁ କ୍ଲାସ୍‍ ଭିତରେ ଆସି ହାଜର । ଭଗବାନ ବାବୁଙ୍କ ଭିତରଟା ନିଶ୍ଚୟ ରାଗେ, କିନ୍ତୁ କାଦମ୍ବରୀକି ଦେଖିଲା ମାତ୍ରେ ତାଙ୍କ ମୁଁହରୁ ରାଗ କୁଆଡ଼େ ଉଭେଇଯାଏ । କିଛି ପଚରା ନାହିଁ ପଚରି ନାହିଁ—ଭଗବାନ ବାବୁ ଚକ୍‌ ଖଡ଼ି ଧରି ବ୍ଳାକବୋର୍ଡ଼ରେ ଲେଖନ୍ତି—

 

ଲଭ୍‌ ଇଜ୍‌ ବ୍ଲାଇଣ୍ତ୍‌ ।

 

ଆମେ ବି ଖାତାରେ ଉତ୍ତାରୁ, ପ୍ରେମ ଯାହା ଲଭ୍‌ ଇଜ୍‌ ବ୍ଲାଇଣ୍ତ୍‌ ଅର୍ଥାତ୍‌ ଅନ୍ଧ ତାହା ।

 

ରଂଜୁ ଶୁଣିଚି, ଦୀନୁ କାଦମ୍ବରୀ ପଛରେ ଧାଇଁଚି । ତାର ପ୍ରମାଣ ସେ ପାଇଚି ସେଦିନ ବାଡ଼ିଆଡ଼େ ଡ୍ରାମା କରିବାବେଳେ । ଗୋଟାଏ ସହରୀ ଝିଅ, ପୁଣି ଡାକ୍ତରଙ୍କ ଝିଅ, ଖବର ଅନ୍ତର ଉଣ୍ତି, ଡ୍ରାମା ଦେଖିବା ପାଇଁ ଯେ ଗୋଟାଏ ପଲ୍ଲୀଗାଁକୁ ଆସିପାରେ ! ପ୍ରେମ ହିଁ ତାକୁ ଟାଣିଚି । ତିଆରି ଆକର୍ଷଣରେ ହିଁ କାଦମ୍ବରୀ ଆନନ୍ଦରେ ବିଭୋଳ ହୋଇ ପଡ଼ିଥିଲା ଦୀନୁର ଅଭିନୟ ଦେଖି, କିଛି ନପାଇ ଡିକ୍‌ଲାର କରିଥିଲା ଗୋଟିଏ ନଡ଼ିଆ ମେଡାଲ । କିନ୍ତୁ ସେ ପ୍ରକୃତରେ ଯେ ଗୋଟାଏ ନଡ଼ିଆ ନୁହେଁ, ନିହାତି ଗୋଟାଏ ପଇଡ଼, ଭିତରେ ରସ ନାହିଁ, ଖାଲି ପାଣି, ରଞ୍ଜୁ ଏକଥା ଅନୁସନ୍ଧାନ କରି ପାରି ନଥିଲା । ଦୀନକୁ କାଦମ୍ବରୀ ଭଲ ପାଉଥିଲା, ଦୀନୁ ଭଲ କବିତା ଲେଖେ ବୋଲି । କାଦମ୍ବରୀ ଦୀନୁର କବିତାକୁ ଭଲପାଏ, ଦୀନକୁ ନୁହଁ । ରଂଜୁ ଜାଣେ, ଚନ୍ଦ୍ର ଭାଇନା ମାଇପ ବି ଦୀନକୁ ଏଇଥିପାଇଁ ଭଲ ପାଉଥିଲା । ସେଇ କଥା ସେଦିନ ସେ ବାଟରେ ତାକୁ କହିଥିଲା ।

 

ହଁ କାଦମ୍ବରୀ ଆଜି ଡାକ୍ତରାଣୀ । ଚିନି ଆଜି ଚିନି ହୋଇ ରହି ନାହିଁ । ତା ଜୀବନଟା ନିମ୍ବ ପାଲଟି ଯାଇଚି । ଡାକ୍ତରବାବୁଙ୍କ ଝିଅ ବୋଲି ପରିଚୟ ଦେବାକୁ ସେ ଲଜ୍ଜିତ । ଡାକ୍ତରବାବୁ ମଧ୍ୟ କାଦମ୍ବରୀ ନାମଧେୟା ତାଙ୍କର ଗୋଟାଏ ଝିଅ ଥିଲା ବୋଲି ବିଲକୁଲ ଭୁଲି ଯାଇଚନ୍ତି । ସେ ଦୋଷ ତାଙ୍କର, କାଦମ୍ବରୀର ନୁହଁ । କାଦମ୍ବରୀ ବିବାହିତା ନୁହଁ, କିନ୍ତୁ ତିନି ଚାରିଟା ଛୁଆର ମା । ପିଲାଙ୍କୁ ପଚାରିଲେ ବାପା ନାଁ କହି ପାରନ୍ତି ନି । ସେମାନେ ଜାଣନ୍ତି କେବଳ ମା’ରୁ ହିଁ ତାଙ୍କର ସୃଷ୍ଟି-। ମା ବାପାର ସଂଯୋଗରେ ସନ୍ତାନର ସୃଷ୍ଟି ବୋଲି କହିଲେ ହୁଏତ ସେମାନେ ଯୁକ୍ତି କରି କହିବେ ତା ଅସମ୍ଭବ ।

 

ତନରଡ଼ା ଗାଁ ଭଞ୍ଜନଗର ବେଲଗୁଣ୍ଠା ରାସ୍ତା ମଝିରେ । ତାରି ପାଖରେ ଗୋଟିଏ ଗୋଶାଳା । ଗାଁକୁ ପାଞ୍ଚ ବର୍ଷରେ ଥରେ ଯାଇଥାଏ । ସ୍କୁଲ ପିଲାଏ ଧରିଲେ, ସେମାନଙ୍କ ପାଇଁ ଡ୍ରାମା ଲେଖି ଦେବାଲାଗି, ତନରଡ଼ା ଗାଁର ଜନାର୍ଦ୍ଦନ ପତି ଥାଆନ୍ତି ମୋର କଲେଜପଢ଼ା ସାଥି । ପିଲାଏ ତାଙ୍କ ହାତ ଲେଖା ଚିଠି ଖଣ୍ତିଏ ଆଣିଦେଲେ, ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ହଁ କଲି, କିନ୍ତୁ ଗେରଡ଼ା ଭଳି ଜାଗାରେ ବସି ଲେଖାଲେଖି କରିବା ସମ୍ଭବ ନୁହଁ ବୋଲି ଜଣେଇ ଦେଲି । ଲେଖିବା ଲାଗି ଗୋଟିଏ ତୁନିତାନ ବାତବରଣ ମୋର ଲେଖାଲେଖିର ପ୍ରଧାନ ଉପକରଣ ଥିଲା ।

 

ବନ୍ଧୁ ଚିଠି ଲେଖି ପଠେଇଲେ, ଏଇଠିକି ଆସ ସେଇ ବାତାବରଣ ପାଇବ । ଗୋଟିଏ ଷ୍ଟୋଭ, ଗୋଟିଏ କାପ୍‌ଷ୍ଟେନ୍‌ ସିଗାରେଟ ଟବାକୋ ଭର୍ତ୍ତି ଡବା, କେତୋଟି ସିଗାରେଟ ମୋଡ଼ା କାଗଜ ପ୍ୟାକେଟ, ଖଣ୍ତିଏ ତକିଆ ଆଉ ସତରଞ୍ଜି ଥିଲା ମୋର ଭ୍ରମଣର ସମ୍ପତ୍ତି । ସେତକ ଧରି ଗଲି । ଜାଗା ଠିକ୍‌ ହୋଇଥାଏ ଏଇ ଗୋଶାଳାଟି । ଯାଇ ଦେଖିଲି, ନାଁ ଟି ସିନା ଗୋଶାଳା । ଗୋରୁ ଗାଈ ଗୋଟିଏ ହେଲେ ନାହାନ୍ତି । ଖାଲି ଗୋଟିଏ ଡାକ ବଙ୍ଗଳା ଭଳି ସୁନ୍ଦର ଘର, ଆଉ କେତୋଟି ଫୁଲ ଗଛ । ତାରି ଆଡ଼େ ପ୍ରଶସ୍ତ ପ୍ରାନ୍ତର । ମନ ପାଇଲା ଭଳି ବାତାବରଣଟିଏ ।

 

ସେ ଦିନ ରାତି ବାରଟାରେ ମୋର ଆରମ୍ଭ ହେଲା ନାଟକ ଲେଖା । ପିଲାଙ୍କ ଅନୁରୋଧ ଲଭ୍ ସିନ୍‌ ବେଶୀ ଦେବେନି । ଫିମେଲ କ୍ୟାରେକ୍ଟର ମଧ୍ୟ କମ୍‌ ରହିବ । ବେଶୀ ହେଲେ ଦୁଇ ତିନୋଟି । ଆଉ ଗୋଟିଏ ନାଚ । ଗୀତ ବେଶୀ । ବିଷୟବସ୍ତୁରେ ଦେଶାତ୍ମା ବୋଧ ଥିଲେ ଆଉରି ଭଲ । ଏକବାରେ ଛକକଟା ଡ୍ରାମା ଲେଖା । ପଇସାପତ୍ର କିଛି ଛିଣ୍ତେଇନି, ଲେଖିବାକୁ ଟିକିଏ କଷ୍ଟ ହେବ । ପିଲାଏ ଯଦି କିଛି ଦେବାକୁ ପଡ଼ିବନି ବୋଲି ଭାବିଥିଲେ । ତା ହେଲେ ତ ପରିଶ୍ରମ ଏକାବେଳକେ ପଣ୍ତ ହୋଇଯିବ । ଆଚ୍ଛା କହି କଲମ ଧରିବାକୁ ଯାଉ ଯାଉ ହଠାତ୍‌ ଦୁଆର ଖଡ଼ ଖଡ଼ ଶବ୍ଦ ଶୁଭିଲା । ଟିକିଏ ଭୟ ଭୟ ଲାଗିଲା । ଆଖ ପାଖରେ କେହି ନାହାନ୍ତି । ତନରଡ଼ା ଗାଁଟା ଟିକିଏ ଦୂରରେ । ଏଠି ଜଣକୁ ମାରିମୁରି ବେଶ୍‌ ମାଟି ଖୋଳି ପୋତିଦେଲେ ମଧ୍ୟ କେହି ଜାଣିବେନି । ମନେ ହେଉଥିଲା ଡିଟେକ୍‌ଟିଭ୍‌ ଉପନ୍ୟାସର ଗୋଟାଏ ଗୁମ୍ଫା ଭଳି । ଦେଖି ଯାହା ହେଉ ଭାବି ଦୁଆରଟା ଖୋଲି ଦେଖେତ ଗୋଟାଏ ମଣିଷ । ବେଶ ହୃଷ୍ଟ ପୁଷ୍ଟ । ପ୍ରଥମେ ନମସ୍କାର, ତା ପରେ ଖାଲି କଥା, ଖାଲି କଥା ।

 

ଆପଣ ଆସିଛନ୍ତି ବୋଲି ଏଇକ୍ଷଣି ଶୁଣିଲି, ହୁଏତ କାଲି ଚାଲିଯିବେ, ଦେଖା ମିଳିବନି-। ଦୂରରୁ ଦେଖିଲି ଆଲୁଅ ନିଭିନି, ଶୋଇ ନଥିବେ ଭାବି ଚାଲି ଆସିଲି । କିଛି ଅସୁବିଧା ହେବନି ତ-

 

ନାଁ, ଅସୁବିଧା କିଛି ନାହିଁ, ଇମିତି ଗୋଟିଏ ତ ଜାଗା ଖୋଜୁଥିଲି ।

 

ଏ ଭଳି ଗୋଟିଏ ଜାଗା ? ଏଇଠି କେହି କେବେ ରହିବାର ଶୁଣିନି । ତିନିବର୍ଷ ହେଲା ଏଠିକି ଆସିଲାଣି । ଦିନରେ ବି ଏଠିକି ଆସିବାକୁ ମୁଁ ଭୟ କରେ ।

 

କାହିଁକି, ଭୟ କୋଉଥିପାଇଁ ? ଭୂତ ପ୍ରେତ ଅଛନ୍ତି ନାଁ କ’ଣ ?

 

ନାଁ ସେମିତି କିଛି ନୁହେଁ । ନିଛାଟିଆ ଗୋଟାଏ ଜାଗା, ସେଇଥି ପାଇଁ । ଶୁଣୁଚି ଆପଣ ଡ୍ରାମା ଲେଖନ୍ତି, ଗଳ୍ପ କବିତା ସବୁ ଳେଖନ୍ତି, । ଏତକ ମୋର ଟିକିଏ ଦେଖି ମତାମତ ଯଦି ଦେଇ ପାରନ୍ତେ, ଉପକୃତ ହୁଅନ୍ତି ।

 

ଏଇଠି ରଖି ଦେଇ ଯାଆନ୍ତୁକି, ସମୟ ହେଲେ ଦେଖି ତାରି ଉପରେ ମତାମତ ଲେଖି ଦେଇ ଯିବି । ଆଠ ଦଶ ଦିନ ତ ରହୁଚି । ନିଶ୍ଚୟ ସମୟ ମିଳିବ । ଏତେ ପରିଶ୍ରମ କରି ଏତେ ଗୁଡ଼ାଏ ଲେଖା, ସେ ପୁଣି ଏଡ଼େ ସୁନ୍ଦର ଗୋଲ ଗୋଲ ଅକ୍ଷରରେ ଲେଖିଚନ୍ତି, ମୋ ମତରେ ଯଦି ଆପଣ ଖୁସି ହେବେ, ଦେଖି ଦେବି ।

 

ଲୋକ ଜଣକ ପ୍ରତିଦିନ ଠିକ୍‌ ରାତି ବାରଟାରେ ଆସି ଦୁଆର ବାଡ଼ାଏ । ଦୁଆର ଫିଟାଇବାମାତ୍ରେ ଗୋଟିଏ ମାତ୍ର ପ୍ରଶ୍ନ ପଚାରି ଦେଇ ଚାଲିଯାଏ–ଦେଖିଛନ୍ତି ? କେତେବେଳେ ହଁ କରେ, କେତେବେଳେ ନାହିଁ କରେ । ପ୍ରତିଦିନ ଭାବେ ଲୋକଟା କ’ଣ କରେ, କୁଉଠି ତା ଘର ପଚାରିବି ବୋଲି କିନ୍ତୁ ସମୟ ପାଏନା ।

 

ଡ୍ରାମା ଲେଖା ସରିଲା, ଦେଢ଼ ଘଣ୍ଟାର ଡ୍ରାମା । ବେଶୀ ଦିନ ଲାଗିଲାନି । ପାଞ୍ଚ ଛଅ ଦିନ ମାତ୍ର । ବନ୍ଧୁ କହିଲେ ଆଉ ତିନି ଚାରି ଦିନ ରୁହ । ମନାକଲି । କିନ୍ତୁ ମତେ ସେଠି ଆଉ କେତେଦିନ ରହିବାକୁ ପଡ଼ିଲା, ଅନ୍ୟ ଏକ କାମରେ । ଇତିମଧ୍ୟରେ ତାଙ୍କର ଚାରୋଟି ଖାତାରୁ ଦୁଇଟି କବିତା ଖାତା ଦେଖି ସାରିଚି । ସବୁଥିରେ ଗୋଟିଏ ଶବ୍ଦ ଅତି ସାଧାରଣ । ନାଁ ଟି ‘ପ୍ରତିମା-। ଗୋଟିଏ ଗୋଟିଏ ମହାକାବ୍ୟ । ଶୃଙ୍ଗାର ରସର ପ୍ଲାବନ । ସୁନ୍ଦର ଛନ୍ଦ ବନ୍ଧନ । ଯତିପାତ-। ଉପମା ଉପମେୟ । ଭଂଜୀୟ ଭାଷା । ଶେଷ ବହିଟି ଗୋଟିଏ ଉପନ୍ୟାସ । ନାୟକ ବିମ୍ବାଧର-। ନାୟିକା ସେଇ ପ୍ରତିମା ।

 

ସେ ଦିନ ଠିକ୍‌ ପଢ଼ିବା ବେଳେ ସେଇ ଲୋକ ଜଣକ ଆସି ମୋ ପଛରେ ଠିଆ ହେଲା-। ମୁହଁକୁ ପଛକୁ ବୁଲେଇ ଦେଖିଲି ଲୋକୁଟା କଇଁ କଇଁ ହୋଇ ଯେମିତି କାନ୍ଦୁଚି । ପରେ ପରେ ତାଙ୍କଠୁ ବୁଝିଲି, ସେ ଏଠା ମାଇନର ସ୍କୁଲର ହେଡ଼ ମାଷ୍ଟର । ଘର ନିଶ୍ଚିନ୍ତ କୋଇଲି । କଟକଜିଲ୍ଲା-। ବି.ଏ .,ଡ଼ି.ଇଡ଼ି ପାସ୍‌ । ଜଣେ ବ୍ୟର୍ଥ ପ୍ରେମିକ ।

 

ପଚାରିଲି, ଏ ଝିଅଟି ବର୍ତ୍ତମାନ କ’ଣ ବିବାହିତା ?

 

—ଜାଣେନା । ଏକ ଦୀର୍ଘ ନିଶ୍ୱାସ । ଏକେବେଳକେ ପ୍ରସ୍ଥାନ ।

 

ସେ ଦିନ ରାତିରେ ମନଟା ଭାରି ଖରାପ ଥିଲା । ପିଲାଏ ଆସି ଡ୍ରାମା ଫେରାଇ ଦେବା ପାଇଁ ତିଆର । ଡ୍ରାମାଟା କୁଆଡ଼େ କଟକୀ ମାର୍କା ହୋଇ ଯାଇଚି । ଅତିରିକ୍ତ ଲଭ୍‌ ସିନ୍‌ । ବଡ଼ ଅସହ୍ୟ, ବଡ଼ ଅଶ୍ଲୀଳ । ପୁଣି ଥରେ ଲେଖିବାକୁ ପଡ଼ିବ । ପୁଣି ଆଉରି ଆଠଦିନ । ସ୍ୱଭାବତଃ ମୋ ମିଞ୍ଜାସ ଗରମ । ଗୋଟାଏ ବାଜି ଗଲାଣି । ବାରଣାବାଲା କାପ୍‌ଷ୍ଟେନ୍‌ ସିଗାରେଟ୍‌ ପ୍ୟାକେଟ ଉଡ଼ିଗଲା କିନ୍ତୁ ଲଭ୍‌ସିନ୍‌ କାଟି ଦେଶାତ୍ମାବୋଧ ପୂରାଇବା ଭଳି ଶକ୍ତି ଆହରଣ କରି ପାରିଲାନି । କବାଟ ଖୋଲି ବାହାରି ଆସିଲା ବାହାରକୁ । ଶୁକ୍ଳପକ୍ଷର ଉଜ୍ୱଳ ନିଶୂନ ରାତି । ଚାରିଆଡ଼େ ଖୋଲା ଖୋଲା । ଦୂରରେ ଠିକ୍‌ ଗୋଟିଏ ହୁଡ଼ା ଉପରେ ଦେଖିଲି ଜଣେ କିଏ ବସିଛି । ଉଁ ନାହିଁ ଚୁଁ ନାହିଁ ।

 

ମନେ ପଡ଼ିଲା ସେଦିନ, ସେଇ ପ୍ରଥମ ଦିନ, ସେଇ ଲୋକଟା ମୁଁ ଏଇଠି ରହିବାରେ ବଡ଼ କିମିତି କିମିତି ବୋଧ କରିଥିଲା । ସେ ଭୂତ ଭୟ କରେ, ମୁଁ କରେନା । ତାକୁ କହିଥିଲି ଯେଉଁମାନେ ଭୂତକୁ ଭୟ କରନ୍ତି, ସେମାନେ ବାହାରେ ଓ ଭିତରେ କୌଣସିଠି ଭୌତିକ ଭୀତିରୁ ନିଷ୍କୃତି ପାଇପାରନ୍ତି ନି । ଭିତରେ ଯଦି ମର ତାହା ହେଲେ ଦମ ଅଟକି ଅନ୍ଧାରରେ ମରିବ । ଆଉ ବାହାରେ ଯଦି ମର ତାହା ହେଲେ ଖୋଲା ଆକାଶ ତଳେ ପରମ କାବ୍ୟିକ ଅନୁଭୂତି ନେଇ ମରି ପାରିବ । ଫଳ ହିସାବରେ ଦୁଇଟାଯାକ ଏକ । ଅର୍ଥାତ୍‌ ସେଇ ମରଣ ତୁମର ହେଲା ।

 

କିନ୍ତୁ ମୁଁ ସେଦିନ ବାହାରେ ବୁଲୁଥିଲି ଏକ ନୀରସ ବିଷୟ ବସ୍ତୁର ଆହରଣରେ । ସରସତକ ବାଦ ଯିବ, ନୀରସ ଡାଏଲଗ ଆଣି ଭର୍ତ୍ତି କରିବାକୁ ପଡ଼ିବ ।

 

ହଠାତ୍‌ ସେଇ ‘‘ଜଣେ କିଏ’’ କୁ ଦେଖି ମୋର ଚିନ୍ତାଧାରା ଅଟକି ଗଲା । ମନେ ହେଲା ନିଶ୍ଚୟ ଜଣେ କେହି ବ୍ୟର୍ଥ ପ୍ରେମିକ । ପୁରୀ ସମୁଦ୍ର କୂଳରେ ଓ କଟକ ଯୋବ୍ରା କୂଳରେ ରାତି ଅଧରେ ଏଇମାନଙ୍କୁ ଦେଖାଯାଏ । ବୁଲୁ ବୁଲୁ ହଠାତ୍‌ ଝାସ ଦିଅନ୍ତି ସମୁଦ୍ର ଓ ନଦୀ ବକ୍ଷରେ । ମୃତ୍ୟୁ ସାଥିରେ ସେମାନେ ପରିପୂର୍ଣ୍ଣ କରନ୍ତି ଅତୃପ୍ତ ବାସନା ।

 

ବୋଧହୁଏ ଇଏ ସେଇମିତି ଗୋଟାଏ ଜୀବ । ଭୂତ ନୁହେଁ । ହୁଏତ ଆଉ କିଛିକ୍ଷଣ ପରେ ସେ ସେୟା ହେବାକୁ ଯିବ । କୌତୂହଳ ମେଣ୍ଟିଲାଯାଏ ଶାନ୍ତି ପାଉଚି କୁଉଠି ? ଟିକିଏ ଆଗେଇ ଯିବାପରେ ଭୁଲ ଭାଙ୍ଗିଲା । ସେଇ ଲୋକଟା । ସେଇ ଜଣକ ହେଡ଼ମାଷ୍ଟର । ତନ୍ମୟ ସେ ଆଖି ଦୁଇଟା ଉପରକୁ ଟେକି ଚାହିଁ ରହିଚି ଶୀତଳ ଚନ୍ଦ୍ରକୁ । ପାଖକୁ ଯାଇ ଟିକିଏ ହଲେଇ ଦେଲି ।

 

ଚମକି ପଡ଼ି ସଙ୍ଗେ ସଙ୍ଗେ ଲୁଗାରେ ମୁହଁଟାକୁ ପୋଛିପୋଛି ଦେଇ କହିଲା, ଆପଣ ? ସେ ଘରଟାଠୁ ତ ଏ ଜାଗାଟା ବହୁତ ଦୂର । ରାତି ଦୁଇ, ଆପଣ ଜାଣିଲେ କିମିତି ମୁଁ ଏଠି ବସିଛି ବୋଲି ।

 

ହାଓ୍ୱା ଖାଉଥିଲି, କିନ୍ତୁ ତୁମେ ଏଠି ବସି କାନ୍ଦୁଚ କାହିଁକି ?

 

ଧରାପଡ଼ି ଯିବା ଭୟରେ । ଆଉ ଥରେ ଚମକି ଉଠିଲା ଲୋକଟା । ବହୁ ସମୟ ଧରି ସେ ଚୁପ୍‍ ରହିଲା । ତାପରେ କହିଲା, କାନ୍ଦ ଗୁଡ଼ାକ ଖାଲି ମୋରି ପାଇଁ, ମୋର ଅକ୍ଷମତା ଲାଗି । ପକେଟ ଭର୍ତ୍ତି ଅର୍ଥ ଦେଇ ନାହାନ୍ତି ଭଗବାନ, କିନ୍ତୁ ଆଖିରେ ଲୁହ ଦେଇଚନ୍ତି ଅସରନ୍ତି । ଏଇ ନଦୀ, ଏଇ ପୋଖରୀ ଦେଖି ଆପଣମାନେ ଉପଭୋଗ କରନ୍ତି ପ୍ରକୃତିର ସୌନ୍ଦର୍ଯ୍ୟକୁ, କିନ୍ତୁ ମୋ ଭଳି ଗରିବ ଆଖିରେ, ଏ ନଦୀ ନାଳ ଆଉ ସେ ସମୁଦ୍ରଠୁ ବଳି ବଡ଼ ନଈନାଳ, ସମୁଦ୍ର । ଆଉ ୟାର ଜଳ ଏ ସମୁଦ୍ରର ଜଳଠୁ ଆହୁରି ବେଶୀ ଲୁଣିଆ । ବୁଝିଲି, ଆଜି ଆକାଶରେ ଚାନ୍ଦ ଉଠିଚି, ସମୁଦ୍ରରେ ଆଜି ଜୁଆର ଆସିଥିବ । କିନ୍ତୁ ଏ ଲୋକୁଟାର ହୃଦୟରେ ତାଠୁ ବଳି ବଡ଼ ଭୟଙ୍କର ଜୁଆର । ଏତେ ବିଷର୍ଣ୍ଣ, ବିଦଗ୍‌ଧ କାହିଁକି ? କାହା କଥା ଭାବୁଚ ?

 

ଗୋଟିଏ ଛୋଟ ଉତ୍ତର ମିଳିଲା—ପ୍ରତିମାର ।

 

ପ୍ରତିମା, ତାଙ୍କ ଗାଁର ପ୍ରତିମା । ପିଲାଦିନୁ ଭଲପାଇ ଆସିଥିଲା ସେ । ଏତେ ନରମ ନରମ ଆଖି ଦିଇଟା, ଏତେ ଘନ କେଶ, ଏଭଳି ଲାଜୁକ ଝିଅ । ଗାଁ ଡାକ୍ତର ନରହରି ମହାନ୍ତିଙ୍କ ଝିଅ ପ୍ରତିମା । ଏକମାତ୍ର ଝିଅ । ପିଲାଦିନ କଥା ମନେ ପଡ଼ୁଚି । ସେତେବେଳକୁ ପ୍ରତିମାର ବୟସ ଦଶ କି ବାର । ଛୋଟ ହେଲେ କ’ଣ ହେଲା—ଯୌବନର ସମସ୍ତ ସମ୍ଭାର ଯେମିତି ଫଳ ଫୁଲରେ ଭରି ଉଠିଥିଲା ତା ଦେହରେ । ଭାରି ଭଲ ପାଏ ସେ । ପ୍ରତିମା ଥିଲା ଟିକିଏ ଗର୍ବିତା । ପ୍ରଥମେ ପ୍ରଥମେ ତାର ଗର୍ବ ନଥିଲା । ଠିକ୍‌ ଦଶବର୍ଷ ପାର ହେଲାମାତ୍ରେ କିମିତି କେଜାଣି ତା ଆଖିରେ ଗର୍ବ ଟିକିଏ ଧରା ପଡ଼ିଥିଲା । ହଁ କାହିଁକି ଗର୍ବ କରିବନି, ଧନ ଥିଲା, ମାନ ଥିଲା, ରୂପ ବି ଥିଲା । ମନେ ପଡ଼ୁଚି ଦୁହେଁ ଯାଇଥିଲେ ଶିମ୍ବ ଲଟାକୁ । ଗୋଟାଏ ବିଞ୍ଛଣା ମହୁ ଫଣା ଭାଙ୍ଗିବାକୁ । କୁଆଡ଼ୁ ଥିଲା କେଜାଣି ଦୁରୁଜ ଘର ଷଣ୍ଢଟା ଧାଇଁ ଆସି ଶିଙ୍ଘ ଦିଇଟାରେ ଫୋଫାଡ଼ି ଦେଇଥିଲା ପ୍ରତିମାକୁ । ସେ ବଡ଼ କରୁଣ ଦୃଶ୍ୟ । ହାତରେ ବାଡ଼ିଟା ଧରି ଧାଇଁ ଯାଇଥିଲା ସେ । ଷଣ୍ଢକୁ ବାଡ଼େଇ ବାଡ଼େଇ ଦୂରେଇ ଦେଇଥିଲା । ପରେ ଯାଇ ଦେଖିଲା, ଗୋଟାଏ ଶିଙ୍ଘ ଭୂଷି ହେଇ ଯାଇଚି ପ୍ରତିମାର ଠିକ ଅଣ୍ଟା ତଳେ । ପିଚ ପିଚ ରକ୍ତ ବାହାରି ଚାଲିଚି । ଦେହର ଗାମୁଛା ଚିରି ବାନ୍ଧି ଦେବାକୁ ପ୍ରସ୍ତୁତ ହେଲା ସେ । କିନ୍ତୁ ଲାଜୁକୁଳି ପ୍ରତିମା ଅଣ୍ଟାରୁ ଲୁଗା ଫିଟାଇବାକୁ ଏକାବେଳକେ ନାରାଜ । ପୀଡ଼ାରେ ତା ମୁହଁ ବିକୃତ, ତଥାପି ଅଣ୍ଟା ତଳୁଟା, ଝିଅ ପିଲା ସେ, ଲୁଗାଟାକୁ ଗୋଟାଏ ହାତରେ କାମୁଡ଼ି ଧରିଥାଏ ଅତି ଜୋରରେ । ଥଟାଲ କିନି ଗୋଟାଏ ଚାପୁଡ଼ା କସିଦେଲା ସେ । ହାତ କାଢ଼ି ଦେଲା ପ୍ରତିମା । ଭଲକରି ବ୍ୟାଣ୍ତେଜ ଭିଡ଼ିଦେଇ ଟେକି ନେଇ ଆସିଥିଲା ଡାକ୍ତରବାବୁଙ୍କ ଘରକୁ । ପ୍ରତିମାର ବାପ ମା, ଛୋଟ ଭାଇ ତାକୁ ସେଦିନ କେତେ ଧନ୍ୟବାଦ ଜଣେଇ ନଥିଲେ ! ଜ୍ଞାନ ଫେରି ଆସିବା ପରେ ବି ଆଖି ମେଲି ନଥିଲା ଜଣେ—ପ୍ରତିମା ।

 

ତାପରେ ବହୁତ ସମୟ ଦେଖାହେଇଚି ପ୍ରତିମା ସାଥିରେ । କଥା କହିବାର ସୁଯୋଗ ପାଇଚି, କିନ୍ତୁ ଜବାବ ଖୁବ୍‌ ସଂକ୍ଷିପ୍ତ । ଦିନେ ପଚାରିଲା, ପ୍ରତିମା ଦେହ କିମିତି ?

 

ପ୍ରତିମା ଜବାବ ଦେଇଥିଲା, ବଦମାସ୍‌ ।

 

ଆଉଥରେ ପଚାରିଥିଲା, ତୁ ତ ଜାଣୁ ମୁଣ୍ତ ବଥେଇଲେ କି ଔଷଧ ଖାଆନ୍ତି ?

 

ପ୍ରତିମା ଉତ୍ତର ଦେଇଥିଲା, ବେସରମ୍‌, ଅଲାଜୁକ୍‌ ।

 

ଆଉ ଥରେ ପଚାରିଥିଲା—ଏଇ ନୀଳ ଶାଢ଼ି ପିନ୍ଧିଲେ ତୁ ଦେଖା ଯାଉଚୁ ଠିକ୍‌ ସହରୀ ଝିଅ ଭଳି ।

 

ପ୍ରତିମା ଜବାବ ଦେଇଥିଲା—ବୁଦ୍ଦ୍‌ କାହାଙ୍କା ।

 

ତାପରେ ଦିନେ ଅର୍ଥାତ୍‌ ସେତେବେଳକୁ ପ୍ରତିମାକୁ ବୟସ ପନ୍ଦର କି ଷୋହଳ । ମାଟ୍ରିକ ପାସ କରି ସାରିଥାଏ । ଡାକ୍ତର ନରିବାବୁଙ୍କ ବଦଳି ହୋଇଥାଏ ଆଉ ଗୋଟାଏ ଜାଗାକୁ । ଘରେ ପିଲାଙ୍କୁ ଛାଡ଼ିଦେଇ ଯାଇଥାଆନ୍ତି, କ୍ୱାର୍ଟର ଠିକ୍‌ ହେଲେ ଯିବେ । ସେଇଦିନ ସେଇ ଗୋଟାଏ ନଡ଼ିଆ ଗଛ ଆଢ଼ୁଆଳରେ ଝଟକିନି କାନିଟାକୁ ଟାଣୁ ଟାଣୁ ଠିକ୍‌ ଟାଣି ଆଣିଥିଲା ବୁକୁ ଉପରକୁ । ପଚାରିଥିଲା ଏଥର ?

 

ପ୍ରତିମା ଛଟପଟ କରି କହିଲା, ଛାଡ଼େମ କିଏ ଦେଖିଦେବ ଯଦି । ସେଇଠୁ ବୁଝି ନେଇଥିଲା ସେ ପ୍ରତିମା ତାକୁ ଭଲପାଏ, ଭାରି ଭଲପାଏ । କିଏ ଦେଖି ନେବ ଏତକ ହିଁ ପ୍ରେମର ପ୍ରଥମ ଇଙ୍ଗିତ । ତା ଅର୍ଥ ହେଉଚି ‘‘ମୁଁ ତୁମକୁ ଭଲପାଏ ।’’

 

ତା ପରଠୁ ଦିନରାତି ଖାଲି ସେଇ ପ୍ରତିମା । ସୁଯୋଗ ମିଳିଲା ମାତ୍ରେ ତା ସହିତ ଦେଖା କରେ । ରାତିସାରା ତାରି ସ୍ୱପ୍ନ । କେତେ କାଣ୍ତ କରି ନାହାଁନ୍ତି ଦୁହେଁ ! ଦିନେ ନଈବାଲି ଉପରେ ଆଙ୍ଗୁଠିରେ ଗାରକାଟି ଲେଖିଥିଲା ପ୍ରତିମା । ପ୍ରତିମା ଦେଖି କି ଖୁସି ହୋଇ ନଥିଲା ! ତାପରେ ଜଣେ କିଏ ଆସିବାର ଦେଖି ଶୀଘ୍ର ଶୀଘ୍ର ଲିଭେଇ ପକେଇଥିଲେ ଅକ୍ଷରଗୁଡ଼ା । ଥରେ, ମନେ ପଡ଼ୁଚି ତାର, ପ୍ରତିମାର ମାକୁ ଆସିବାର ଦେଖି ଗାଁ ଖଳାବାଡ଼ି ପାଳଗଦା ଭିତରେ ଲୁଚେଇ ରଖିଥିଲା ପ୍ରତିମାକୁ । ଲୁଗା କାନିଟା ଦେଖାଯାଉଥିଲା ବାହାରକୁ । ମା ଭୟରେ କାନିଟାକୁ ଝିଙ୍କି ନେଇପାରି ନଥିଲା ପ୍ରତିମା । ଦିଇଟା ଗାଈ ଆସି ଲୁଗା କାନିଟା ଚୋବେଇବାରେ ବ୍ୟସ୍ତ । ଯାହାହେଉ ଭାଗ୍ୟ ଭଲ, ମା ଦେଖି ପାରିନି । କିନ୍ତୁ ଗଲାବେଳେ ପାନ ଛେପ ପକଉ ପକଉ ଠିକ୍‌ ଆସି ପଡ଼ିଥିଲା ପ୍ରତିମା ଆଖିରେ । ସେ ଆଖିକୁ ଧୋଇ ଧୋଇ ମଧ୍ୟ ଫୁଲା ଗଲାନି କେତେଦିନ ଧରି । ବହୁତ କଷ୍ଟ ଭୋଗିଥିଲା ବିଚାରୀ ।

 

ଆଉ ଦିନେ ବନ୍ଧୁକଟା ଧରି ଶିକାର କରି ଫେରୁଚି ସେ । ବାଟରେ ପ୍ରତିମା ହାବୁଡ଼ରେ ପଡ଼ିଲା । ତାକୁ ଦେଖି ପ୍ରତିମା ଧାଇଁ ପଳଉଥିଲା କ୍ଷିପ୍ର ଗତିରେ । ପାଟି କରି ଉଠିଲା ସେ, ଠିଆ ହୁଅ ନଚେତ ହେଇ ବନ୍ଧୁକରୁ ଗୁଳି ଚାଲିଲା । ଦିଟାଯାକ ହାତକୁ ଟେକି ଠିଆ ହୋଇ ପଡ଼ିଥିଲା ପ୍ରତିମା । ପାଖକୁ ଲାଗି ଆସିଥିଲା ସେ । ପୁଣି ଛଳନା କରି ବନ୍ଧୁକ ଉଚଉ ଉଚଉ ପ୍ରତିମା ଛାତିରୁ ଲୁଗାଟାକୁ କାଢ଼ିଦେଇ କହିଥିଲା, ଦେଖୁଚୁ ନାଁ ବିମ୍ବୁ, ଏଇଠିକି ଯଦି ଲକ୍ଷ୍ୟ ଭେଦ କରି ପାରିବୁ ତାହାହେଲେ ଜାଣିବି ଶିକାରୀ ।

 

ଶିକାରୀର ବନ୍ଧୁକ ଖସିପଡ଼ିଲା ତଳକୁ । କୁଣ୍ଢେଇ ଧରି ପକେଇଥିଲା ପ୍ରତିମାକୁ । ପ୍ରତିମା ବେଣୀ ଦିଇଟାକୁ ତା ପଛଆଡ଼କୁ ଫୋପାଡ଼ି ଦେଇ ଗରମ ବୁକୁ ଉପରେ ମୁହଁଟାକୁ ଲେପଟେଇ ଦେଇଥିଲା । ଦୁଇଟାଯାକ ଦେହରେ କମ୍ପନ, ଶିହରଣ । ସେଇ ଗୋଟାଏ ମୁହୂର୍ତ୍ତ ଭିତରେ ଫିସ୍‌ଫିସ୍‌ କରି ପ୍ରତିମା ଯେ କେତେ କ’ଣ କହି ନ ଥିଲା ତାକୁ । ବିମ୍ବୁ ଆଜିଠୁ ଏ ଦେହ ଗୋଟାକ ଯାକ ତୋର । ତୁ ମତେ ଇମିତି ଚିରଦିନ ଧରି ରଖ, ବ୍ୟବହାର କର । ମୁଁ ଆଉ ମୋର ହୋଇ ରହିନି, ସବୁ ତୋର ।

 

ଇମିତି କେତେ ଘଟଣା, କହି ବସିଲେ ସରିବନି, ଇମିତି କେତେ ଜହ୍ନ ଆସିବ ଯିବ, କିନ୍ତୁ ମୋର କଥା ସେମିତି ଲାଗି ରହିବ । ଲୋକୁଟା କହୁଥାଏ, ମୁଁ ଶୁଣୁଥାଏ ।

 

ତାପରେ ?

 

ତାପରେ ପୁଣି ଗୋଟାଏ ଦୀର୍ଘନିଶ୍ୱାସ ।

 

ପୁଣି ଯାଇ ପ୍ରତିମା ସହିତ କଲେଜରେ ଦେଖାସାକ୍ଷାତ । ମୋର ବି.ଏ, ତାର ଆଇ .ଏସ.ସି ଫାଷ୍ଟ ଇଅର । ସେ ରହେ ତାର ମାଉସୀ ଘରେ, ମୁଁ ରହେ କଲେଜ ହଷ୍ଟେଲରେ । ପରସ୍ପର ସହିତ ଦେଖାସାକ୍ଷାତ ହୁଏ । ସେ ଥରେ ଅଧେ ମତେ ଚିଠି ଲେଖି ପଠାଏ, ବିମ୍ବୁ ପିସା ଦରକାର ଦେଇଥିବୁ, ବାପା ପଠେଇଲେ ଫେରାଇ ଦେବି । ପୂଜାରୀ ହାତରେ ଚିଠି ପଠାଇବାପାଇଁ ସାହସ ହୁଏନି । କିନ୍ତୁ ଦିନେ କାହିଁକି କେଜାଣି ପ୍ରତିମା ଲେଖି ପଠେଇଲା ଛୋଟ ଛୋଟ ଚିଠି ଲେଖିଲେ ତାକୁ ଭଲ ଲାଗୁନି । ଲମ୍ବା ଲମ୍ବା ଚିଠି ଦରକାର । ତା ଉପରେ ପ୍ରାଇଭେଟ ଲେଖିଦେଲେ ମାଉସୀ ପଢ଼ିବେନି ।

 

ଥରେ ଦେଖା ହେଇଥିଲା ସେଇ ଗୋଟାଏ ସଭାରେ । ଲେଡ଼ି ଭଲେଣ୍ଟିଅରରେ ନାଁ ଲେଖେଇଥିଲା ପ୍ରତିମା । ଇଏ ଥିଲା ଭଲେଣ୍ଟିଅର ଦଳର ନେତା । ସୁଯୋଗ ମିଳିଲା କଥାବାର୍ତ୍ତା ହେବାକୁ । ପ୍ରତିମା ଯେ ଏତେ କଥା ମନେ ରଖେ, ଭାବି ନ ଥିଲା ସେ । ସେଇ ମହୁଫେଣା ଭାଙ୍ଗିବା ବେଳର ଘଟଣା, ସେହି ପାନ ପିକ....ସବୁ କଥା ପଡ଼ିଲା । ତାପରେ ବିବାହ ହେବା କଥା । ପ୍ରତିମା ରାଜି....କିନ୍ତୁ ବାପା ମା ତ ଆଦୌ ରାଜିହେବେନି । ବିମ୍ବୁ ତୁ ଗରିବ, ମୁଁ ତ ଧନୀ ଘରର ଝିଅ । ବାପାଙ୍କୁ ଅବଶ୍ୟ ମୁଁ ବୁଝେଇବି କିନ୍ତୁ ବାପା ଚାହିଁବେ ଟଙ୍କା ପଇସା । ତୁ ପାରିବୁ ?

 

କେତେ ଟଙ୍କା ?

 

ବି.ଏ. ପାସ ପରେ ତୁ ଯଦି କୁଆଡ଼େ ଫରେନ୍‌ ଯିବାର ବ୍ୟବସ୍ଥା କରି ପାରନ୍ତୁ ତାହାହେଲେ ଫରେନ୍‌ରୁ ଫେରିଆସିବା ମାତ୍ରେ ମୁଁ ବାପାଙ୍କୁ ନିଜେ ପ୍ରସ୍ତାବ ଦିଅନ୍ତି ତୋ ସହିତ ମୋର ସଂବନ୍ଧ କରିବାପାଇଁ । ବୁଝିଲୁ ବିମ୍ବୁ ଆଜିକାଲି ଧନୀ ଗରିବରେ କିଛି ନାହିଁ । ଫରେନ୍‌ ଯାଇ ଫେରିଆସିଲେ ବାପ ମା ଗୁଡ଼ାକ ଭାବନ୍ତି ପିଲାଟା ନିଶ୍ଚୟ ଗୋଟାଏ ବଡ଼ ଚାକିରି ପାଇବ । ଅନ୍ତତଃ ତିନି ଚାରି ଶହ ଟଙ୍କାରେ ତ ।

 

ଆଛା ଫରେନ୍‌ ଯିବାପାଇଁ କେତେ ଟଙ୍କା ଲାଗିପାରେ ?

 

ତୁ ଚାରିହଜାର ଆଣି ମତେ ଦେ, ତାପରେ ଯାହା ଲାଗିବ ମୁଁ ଯୋଗାଡ଼ କରିବିନି ?

 

ବିମ୍ବୁର ଇଚ୍ଛାଥିଲା ବି.ଏ ପରେ ପଲିଟିକାଲ ସାଏନ୍ସରେ ଏମ୍‌.ଏ ପଢ଼ି ସେକେଣ୍ତଡିଭିଜନ ହେଲେ ପ୍ରଫେସର ଚାକିରିଟାଏ କରିବାପାଇଁ ।

 

ସବୁକିଛି ତ ଓଲଟ ପାଲଟ ହୋଇଗଲା । ପ୍ରତିମାର ପ୍ରସ୍ତାବ ତ ମନ୍ଦ ନୁହେଁ । କିନ୍ତୁ ଚାରିହଜାର ଟଙ୍କା, ବହୁତ ବାଟ । ଜୀବନରେ ଏକାବେଳକେ ଶହେ ଟଙ୍କା କରି କେବେ ହାତରେ ଧରିନି । ଦେଖିଚି ଶେଠମାନେ ଶହେ ଟଙ୍କିଆ ନୋଟ ବିଡ଼ା ବିଡ଼ା ଗଣନ୍ତି କିନ୍ତୁ ଦିନେ ହେଲେ ଛୁଇଁବାର ସୁଯୋଗ ସେ ପାଇନି ସିମିତି ଚାଳିଶଟା ଶହେଟଙ୍କା ନୋଟ ହେଲେ ଯାଇ ଚାରିହଜାର ।

 

ୟାର ବି.ଏ ପାସ ସରିଲାବେଳକୁ ପ୍ରତିମାର ସେକେଣ୍ତଇଅର ଆଇ.ଏସ୍‌.ସି । ଖବର କାଗଜର ଓ୍ୱାଣ୍ଟେଡ଼ ପଢ଼ିଚି ବହୁତ, ଦର୍ଖାସ୍ତ ବି ଦେଇଚି ବହୁତ । ଇଣ୍ଟରଭ୍ୟୁରେ ଆଟେଣ୍ତ କରିଛି ଅନେକ । ଚାକିରି ମିଳିଲାନି ।

 

ଦିନେ ପ୍ରତିମା ଚିଠି ଲେଖିପଠେଇଲା, ଚାକିରି ଯଦି ମିଳୁନି, ଡି.ଇଡ଼ି ରେ ନାଁ ଲେଖାଅ-। ଦଶଟା ମାସ ତ, ଚାହୁଁ ଚାହୁଁ ଚାଲିଯିବ । ମାଷ୍ଟ୍ରଚାକିରିଟାଏ ଥୁଆ । ସେୟା ହେଲା । ଡି.ଇଡ଼ି ପଢ଼ି ସାରି ବି ସେ ତିନି ଚାରିମାସ କାଳ ବହୁତ ବୁଲିଚି । ଚାକିରି ମିଳିନି । ଶେଷରେ ଏଇ ମାଇନର ସ୍କୁଲରେ ଅଶିଟି ଟଙ୍କାରେ ଚାକିରି ମିଳିଲା । ଟଙ୍କା ସଞ୍ଚୟ କରିବାଲାଗି ସବୁ ସୁଖକୁ ଜଳାଞ୍ଜଳି ଦେଇଚି । ଓଳିଏ ଖାଏ ଆର ଓଳିକି ଖାଲି ପ୍ରତିମା କଥା ଭାବି ଭାବି ପେଟର କ୍ଷୁଧା ମେଣ୍ଟାଏ-। ଆଜିକି ହେଲା ପାଞ୍ଚ ବର୍ଷ ଅଠେଇଶ ଦିନ । ସନ୍ଧ୍ୟାବେଳେ ପନ୍ଦର କୋଡ଼ିଏଜଣ ଛାତ୍ରଙ୍କୁ ଧରି ଟିଉସନରେ ବସେ । ସେଥିରୁ କିଛି ମିଳେ । ମାଷ୍ଟ୍ରଚାକିରିରେ ଟ୍ୟୁସନ ଛଡ଼ା ବାହାରୁ ରୋଜଗାର କରିବାର ଉପାୟ ଆଉ କିଛି ନାହିଁ । ହଁ ଅଛି, ସାମାନ୍ୟ । ଧାର ଉଧାର ଦେଲେ ସୁଧବାବଦରୁ କିଛି ମିଳେ ।

 

ସେତେବେଳକୁ ରାତି ପ୍ରାୟ ତିନିଟା । ବିମ୍ବାଧରକୁ ଡାକି ନେଇ ଆସିଲି ଘର ଭିତରକୁ । ପଚାରିଲି, ଆଚ୍ଛା ବିମ୍ବାଧର ଯାହା ପାଇଁ ଏତେ ସଞ୍ଚୟ, ସେ ନିଜ ଯୌବନକୁ ତୁମପାଇଁ ସଞ୍ଚୟ କରି ରଖିଚିକି ନାହିଁ ତାର କ’ଣ କିଛି ଖବର ଅନ୍ତର ରଖ ?

 

ନିଶ୍ଚୟ, ତାର ଅନ୍ତରଙ୍ଗ ବନ୍ଧୁ ମୋର ପିଉସୀ ଝିଅ ଭଉଣୀ । ତା’ରିଠୁ ଚିଠି ପାଏ । ପାଞ୍ଚବର୍ଷ ବଡ଼ ଦୀର୍ଘ ମନେ ହେଲାଣି । ଏ ଅପେକ୍ଷା ଗୁଡ଼ାକ ଆଉ ମୁଁ ବର୍ଷ ବର୍ଷ ଧରି ହିସାବ କରେନା, ହିସାବ କରେ ଗୋଟାଏ ଗୋଟାଏ ଯୁଗ । ଇମିତି ପାଞ୍ଚଟା ଯୁଗ କଟିଗଲାଣି । କିନ୍ତୁ ପ୍ରତିମା ତା......ଅର୍ଦ୍ଧସମାପ୍ତ ରଖି ଚୁପ୍‍ ହୋଇଗଲା ବିମ୍ବାଧର । ତାପରେ ସେଇଠୁ ଉଠି ଚାଲିଯିବାକୁ ଆରମ୍ଭ କଲା । ମନେ ହେଲା ଯେପରି ତାର କଣ୍ଠରୁଦ୍ଧ ହୋଇ ଆସୁଛି, ଆଖି ଭରି ଉଠୁଛି, ସେଇଥିପାଇଁ ରହିପାରିଲାନି ।

 

କିଛି କ୍ଷଣ ପରେ ପୁଣି ଫେରି ଆସି କହିଲା, ପ୍ରତିମା ନିଶ୍ଚୟ ଅପେକ୍ଷା କରି ରହିଥିବ, ମୁଁ ଫରେନ୍‌ରୁ ଫେରିଲେ ନିଶ୍ଚେ ଦୁହେଁ ବାହା କରିବୁ । ଇଏତ ତୁମର ଡ୍ରାମାଭଳି ବନେଇ ଚୁନେଇ ଲେଖାଭଳି ଜିନିଷ ନୁହେଁ । ପ୍ରତିମା କଳ୍ପନା ନୁହେଁ, ସମ୍ପୂର୍ଣ୍ଣ ବାସ୍ତବ । ସଚ୍ଚା ମୋହବତ୍‌ । ବହୁତ ମୂଲ୍ୟବାନ । ଏଥିରେ ବହୁତ ଲୁହ ଲୁହ ଖର୍ଚ୍ଚ ହୁଏ । ଜାଣନ୍ତି ମଝି ମଝିରେ ଦିହ ଖରାପ ହୁଏ । ଜର ହୁଏ । ଜର ସତ୍ୱେ ମୋର ଟିଉସନ ବନ୍ଦ ହୁଏନା, ନଷ୍ଟ କରିବା ଭଳି ମୋର ସମୟ ନାହିଁ । ଚାରିହଜାର ଟଙ୍କା ନହେବା ଯାଏଁ ପ୍ରତିମା ମତେ ଚାହିଁ ରହିଥିବ । ସେଇଥିଲାଗି ପାଞ୍ଚବର୍ଷର ଗୋଟିଏ ରାତି ବି ନିଶ୍ଚିନ୍ତରେ ଘୁମେଇ ପାରିନି ।

 

ଆଜି କାନ୍ଦୁଥିଲ କାହିଁକି ?

 

ଆଜି ଟଙ୍କାତକ ଗଣି ଦେଖିଲି, ଚାରିହଜାର ଟଙ୍କା ହେବାକୁ ଆଉ ମାତ୍ର ପଚିଶ ଟଙ୍କା ବାକୀ । ଆଉ ମାସ ଦରମା ମିଳିବାକୁ ଆଉରି ତିନି ଦିନ ସମୟ, ମୋର ସ୍ୱପ୍ନ...ସେଇଥିପାଇଁ କାହିଁକି କେଜାଣି କାନ୍ଦ ମାଡ଼ିଲା । ମୋ ପରିଶ୍ରମର ଝାଳଗୁଡ଼ାକ ଖୁସିରେ ଅଶ୍ରୁ ହୋଇ ଆଖିରୁ ବହି ପଡ଼ିଲା । ନିଜର ଦାରିଦ୍ର୍ୟ, ଅକ୍ଷମତା ଲାଗି ନିଦାରୁଣ କଷ୍ଟ ଭୋଗିଚି ! ତେଣୁ ଆଜି ସବୁ ପାଇ ମଧ୍ୟ ନିଜକୁ କିମିତି ଦୁର୍ବଳ ବୋଧ କରୁଥିଲି । ମନେ ହେଉଚି ମୋ ଜୀବନରୁ ଏ ଯେଉଁ ପାଞ୍ଚଟା ନିରାନନ୍ଦ ବର୍ଷ ଖସିଗଲା, ତା କେବଳ ମୋର ଦାରିଦ୍ର୍ୟଯୋଗୁଁ । ଏ ଦାରିଦ୍ର୍ୟ ଆମର ମିଳିତ ଜୀବନକୁ ମଧ୍ୟ କମ୍‌ କଷ୍ଟ ଦେବନି ! କିନ୍ତୁ ସେତକ ତ ମୁଁ ଜଣେ ବହନ କରିବିନି । ବହନ କରିବୁ ଦୁଇଜଣ ଯାକ । ପ୍ରତିମା ସାହଚର୍ଯ୍ୟରେ କଷ୍ଟଗୁଡ଼ାକ ଆଉ କଣ୍ଟା ହୋଇ ରହିବନି, ଫୁଲ ପାଲଟିଯିବ । ସକାଳ ପାହି ଆସିଲାଣି, ଯାଉଚି ।

 

ଟିକକପରେ ଯିବାକୁ ପୁଣି ଆରମ୍ଭ କଲା—

 

ଟିକିଏ ଶୁଣ ତ .... ସେ ପଛକୁ ଘୂରି ଠିଆ ହେଲା । ଆଚ୍ଛା ପଟିଶଟା ଟଙ୍କା ତ, ମୁଁ ଯଦି ଦିଏ, ନବ ?

 

ସିଏ ଟିକିଏ ହସିଲା, ଭିକ୍ଷା ନେଇ ପ୍ରେମକୁ ଛୋଟ କରିଦେଇ ପାରିବିନି । ଆଚ୍ଛା, ନମସ୍କାର ।

 

ତିନୋଟି ଦିନ କଟିଗଲା । ଦରମା ପାଇଚି ବିମ୍ବାଧର । କାଲି ଯିବା କଥା । ସକାଳେ ଆସି ହାଜର ହେଲା ମୋ ଘରେ । ନୂତନ ପୋଷାକ । ବେଶ୍‌ ମାନୁଚି । ମୁହଁରେ ତା ହସ ଟିକକ ମଧ୍ୟ ନୂଆ ନୂଆ ବୋଧହେଲା । ଲମ୍ବା ଗୋଟାଏ ନମସ୍କାର ପକେଇ କହିଲା—ଯାଉଚି, ଆଜି ସନ୍ଧ୍ୟାରେ ବସ୍ ଧରିବାକୁ ପଡ଼ିବ ।

 

ପଚାରିଲି, ପ୍ରତିମାକୁ ଚିଠି ଦେଇଚ ତ ?

 

ଆଖି ଦିଇଟାରେ ଗୋଟାଏ ଅଦ୍‌ଭୁତ ହସ । କହିଲା, ନାଁ, ଗତ ସପ୍ତାହରେ ଭଉଣୀ ପାଖକୁ ଚିଠି ଦେଇ ଜଣେଇ ଦେଇଚି । ମୁଁ ପ୍ରତିମାକୁ ଅଚାନକ ଭାବରେ ଦେଖି ତା ମନରେ ଚମକ ଆଣିଦେବାକୁ ଚାହେଁ । ଭଉଣୀକି ଲେଖଚି, ମୋ ଯିବା ଖବର ପ୍ରତିମା ଯିମିତି ନଜାଣେ ।

 

କିନ୍ତୁ ତୁମ ଭଉଣୀ ଜଣେଇ ଦେଇ ଥାଇପାରେ ପ୍ରତିମାକୁ । ମାଇପି ଲୋକଙ୍କ ପେଟରେ କଥା ରହେନା ।

 

ନାଁ, ମୁଁ ଯାହା ମୋ ଭଉଣୀ ବି ଠିକ୍‌ ତାହା । କଦାପି କହି ନଥିବ ।

 

ବିବାହ କେବେ ?

 

ଫରେନ୍‌ରୁ ଫେରିଲେ । ତାପରେ କୁଇଠି ରହିବୁ ଠିକ୍‌ ନାହିଁ । ପ୍ରତିମାର ଯାହା ଇଚ୍ଛା, ତା ହେବ ।

 

ପ୍ରତିମାକୁ ନପାଉଣୁ ଏତେ ସ୍ତ୍ରୈଣ ହୋଇ ଉଠିବାଟା ଭଲ ନୁହେଁ ବିମ୍ବାଧର ।

 

ସେ ହସି ହସି କହିଲା, ପ୍ରତିମା ଭଳି ଝିଅ ପାଇଲେ, ମୁଁ କ’ଣ ଚେଙ୍ଗିଜ୍‌ ଖାଁ ଭଳି ଲୋକ ବି ସ୍ତ୍ରୈଣ ହୋଇଯାଇପାରେ ।

 

ସେ ଦିନ ରାତିରେ ମୁଁ ଆରାମ ଚେୟାରଟାରେ ଗୋଡ଼ହାତ ପ୍ରସାରି ସିଗାରେଟ ଫୁଙ୍କୁଥାଏ ଆରାମରେ । ରାତି ବେଶୀ ହେଇନି । ଦଶଟା କି ଏଗାରଟା । ବାରଟାବେଳେ ସୁରୁ ହେବ ମୋର ଲେଖାଲେଖି । ରିଟଚ୍‌ । ଆଜି ନିଶ୍ଚିନ୍ତ । ବିମ୍ବାଧର ଆସି ଆଉ ବାଧା ଦେବନି । କୌତୂହଳୀ ହୋଇ ମୁଁ ଆଜି ଦିନ ଗୋଟାକଯାକ ଲାଗି ତାର ଉପନ୍ୟାସଟା ପଢ଼ିଚି । ଯୋଉ କଥାଗୁଡ଼ାକ କହିଗଲା, ସେଇମିତି କେତେ ଘଟଣା ସେ ଲିପିବଦ୍ଧ କରି ରଖିଚି ଏଇ ଖାତାଟାରେ । ଗଲାବେଳେ ଖାତାଟି ମାଗିଲାନି କି ମୁଁ ମନେ ପକେଇ ଦେଇ ପାରିଲିନି ବୋଲି ମନରେ ବଡ଼ ଦୁଃଖ ହେଉଥାଏ ।

 

ଠିକ୍‌ ଏଇ ସମୟକୁ ଆସି ଠିଆହେଲା ବିମ୍ବାଧର । ଆଖିରୁ ଝରଝର ହୋଇ ଲୁହ ଗଡ଼ିଗଲାଣି । କୋହ ପରେ କୋହ ।

 

ପଚାରିଲି, ଯାଇନ ଯେ ।

 

ନାଁ, ଆଜି ଭଉଣୀର ଚିଠି ପାଇଲି ଦିପହରେ । ପ୍ରତିମା କଲେକ୍ଟରଙ୍କ ଶଳା ସାଥିରେ ପଳେଇଚି ଗଲା ତିନି ଦିନ ହେଲା ।

 

ପ୍ରତିମା ପଳେଇଚି ?

 

ହଁ, ଚାଲିଯାଇଚି । ବହୁଦିନ ଅପେକ୍ଷା ପରେ ବୋଧହୁଏ ଆଉ ପାରିଲାନି । ଆଉ କେଇଟା ଦିନ ହେଲେ ଅପେକ୍ଷା କରି ଥାଆନ୍ତା ।

 

କ’ଣ ଯେ କହିବି ଭାବି ପାରିଲିନି, ମୋର ଭାଷା ଯିମିତି ସବୁ ସରି ଯାଇଚି । ଅମାନୁଷିକ ପରିଶ୍ରମ କରି ଚାରି ହଜାର ଟଙ୍କା ସଂଗ୍ରହ କରିଚି ଯିଏ ଯାହାପାଇଁ ଖାଲି ଟିକିଏ ଭଲ ପାଇବା ଲାଗି, ତାର ଏଇ ନୃଶଂସ ବିଶ୍ୱାସଘାତକତାର ନପୁଂସକ କ୍ରୋଧରେ ଜଳି ଉଠିଲା ମୋ ଦେହଗୋଟାଯାକ । ଅନେକ ସମୟ ପରେ କହିଲି, ପ୍ରତିମା ଇମିତି କଲା କାହିଁକି ?

 

ମୁଁ କିଛି ବୁଝିପାରୁନି ?

 

ସେଇ ଦିନଠୁ ବିମ୍ୱାଧର ମୋ ପାଖକୁ ଆସିନି । ମୁଁ ସେଠି ରହିଥିଲି ଆଉ ମାତ୍ର ସାତଦିନ । ତା ଭିତରେ ଥରେ ଦେଖା ହୋଇଥିଲା ସଡ଼କ ଉପରେ । କିଛି କହିବାକୁ ଇଚ୍ଛା ହୁଏନା, ମୁଁ କେବଳ ତାର ବେଦନା ବୁଝେ । ତେଣୁ ଜୋର କରି କିଛି କହେନା । କ୍ରନ୍ଦନର ମହା ସମୁଦ୍ରରେ ଢେଉ ତୋଳି କି ଲାଭ ? କିବା ଲାଭତାର ଅଶ୍ରୁର ମେଘ ସାଥିରେ ମହ୍ଲାର ଧ୍ୱନି ତୋଳିବାରେ ?

 

କଟକ ଫେରି ଆସିଥିଲି । ଛ’ ମାସ ପରେ ଥରେ ସେ ଖଣ୍ତିଏ ଚିଠି ଲେଖିଥିଲା, କେଉଁଠି ଗୋଟିଏ ହାଇସ୍କୁଲରେ ଚାକିରି ଯୋଗାଡ଼ କରିଦେଇ ପାରିଲେ ସେ ଚାଲି ଆସନ୍ତା । ଉତ୍ତର ଦେଇଥିଲି ଡିସେମ୍ବର ପନ୍ଦରରେ ଆସିବାକୁ । ଚାକିରି ବୁଝିଚି । କଟକ ଜିଲ୍ଲାରେ—ଗାଁ ନିକଟ ହେବ । ସରକାରୀ ସ୍କୁଲ । ଦରମା ବହୁତ ମିଳିବ ।

 

ସେଦିନ ପନ୍ଦର ତାରିଖ । ଗୋଟିଏ ଭେରାଇଟି ସୋ ର ରିହରସାଲ ଚାଲିଥାଏ ମୋରି ଘରେ । ନାଚ, ଗୀତ, ଗୋଟିଏ ଏକାଙ୍କିକା । ସମସ୍ତେ ଆମେଚର ଆର୍ଟିଷ୍ଟ । ଗୁଡ଼ିଏ ଝିଅ, ସମସ୍ତେ ମୋର ପରିଚିତା । ମୋ ଡାକରାରେ ସମସ୍ତେ ଆସି ହାଜର । ମୁଁ ଆର ଘରେ ବସି ନୃତ୍ୟନାଟିକାର କେତୋଟି ଗୀତ ସଂଶୋଧନ କରିବାରେ ବ୍ୟସ୍ତ । ହଠାତ୍‌ ଶୁଭିଲା ମାଡ଼ମରାମରି ଶବ୍ଦ । ଯାଇ ଦେଖେ ତ ବିମ୍ବାଧର ତଳେ ପଡ଼ିଚି । ଖୁବ୍‍ ମାଡ଼ ହୋଇଚି ତା ଉପରେ । କିଏ ମାରିଚି ଜାଣିବାକୁ ଚାହିଁଲି । ଜଣେ ଯୁବକ ଉଠି କହିଲା, କାହିଁକି ମୁଁ ମାରିଚି । ଏ ଲୋକଟା ମୋ ସ୍ତ୍ରୀ ଦେହରେ ହାତ ଦେବାକୁ ଚେଷ୍ଟା କଲା, ମାରନ୍ତିନି, ଆଉ କ’ଣ ଛାଡ଼ି ଦିଅନ୍ତି ?

 

ଦୂରରେ ଟିକିଏ ଦୂରରେ ଫେୟାରୀ ଟେଲସ୍‌ର ପରୀ ଭଳି ମୁହଁକୁ ତଳକୁ କରି ଠିଆ ହୋଇଚି ଝିଅଟି । ବିପର୍ଯ୍ୟସ୍ତ କେଶଗୁଚ୍ଛ । ୟାକୁଇ ଆକ୍ରମଣ କରିଚି ବିମ୍ବାଧର, ଠିଆହୋଇ ସେଇ ଝିଅଟି ଆଡ଼ିକି ଅନେଇଚି, ନିଷ୍ପଲକ ନେତ୍ରରେ । ପଚାରିଲି ବିମ୍ବାଧର !

 

କିଛି ଜବାବ ମିଳିଲା ନାହିଁ । ପୁଲିସ ପଚାରିଲା, କୌଣସି ଜବାବ ନାହିଁ ।

 

ଜାମିନରେ ଆଣିବାପାଇଁ ଚାହିଁଲି । ବ୍ୟର୍ଥ ହେଲା । ବିମ୍ବାଧର ଜାମିନ ଚାହେଁନା । କାହିଁକି ? ବହୁ ସମୟ ପରେ ମୁହଁ ଖୋଲି କହିଲା, ଝିଅଟି ସେଇ ପ୍ରତିମା ! ଏଇ ବଦମାସ ତାକୁ ଭୁଲେଇ ଭାଲେଇ ନେଇଯାଇଥିଲା ବମ୍ବେ । ବମ୍ବେରୁ ଏବେ ଫେରିଲା ବୋଧେ କଟକ ।

 

କିନ୍ତୁ ୟା ନାଁ ତ କାଦମ୍ବରୀ !

 

ହଁ ବାବୁ ସେଇ କାଦମ୍ବରୀ, ସେଇ ପ୍ରତିମା, ସେଇ ଚିନି । କିଛି କରିନି ତାକୁ । ଖାଲି ତା ପାଖକୁ ଯାଇ ପଚାରିଥିଲି, ପ୍ରତିମା ତୁ ମୋ ସହିତ ଏମିତି ବ୍ୟବହାର କଲୁ କାହିଁକି ? ଏତିକିରେ ପ୍ରତିମା ଏକାବେଳକେ ଆତଙ୍କିତ, ଠିକ୍‌ ଇମିତି ଆତଙ୍କିତ ହୋଇ ଉଠିଥିଲା ସେଦିନ ଷଣ୍ଢଟାକୁ ଦେଖି । ସଙ୍ଗେ ସଙ୍ଗେ ଏ ଟୋକାଟା ଆସି ମତେ ମୁଥେ ମାରିଲା, ବିଧା ଗୋଇଠା ମାରି ତଳେ ଶୁଆଇ ଦେଲା ।

 

ତୁ ତ ତାଠୁ ଖୁବ୍‍ ସୁସ୍ଥ ସବଳ । ତାକୁ ବେଶ୍ ମାରିପାରି ଥାଆନ୍ତୁ । ତେବେ ମାଇଲୁନି କାହିଁକି ?

 

ହୁଏତ ପ୍ରତିମା ମନରେ କଷ୍ଟ ହେବ ।

 

ସେଥିରେ ତୋର ଯାଏ ଆସେ କ’ଣ, ପ୍ରତିମା ତ ତତେ ଆଉ ଭଲ ପାଉନି । ଅନ୍ୟଜଣକୁ ଭଲ ପାଉଚି ।

 

ଜାଣେ ପ୍ରତିମା ମତେ ଭଲ ପାଏନା, ଭଲ ପାଏ ସେଇ ଟୋକାଟାକୁ । କିନ୍ତୁ ମୁଁ ତ ପ୍ରତିମାକୁ ଭଲ ପାଏ । ତା ମନରେ କିମିତି କଷ୍ଟ ଦିଅନ୍ତି ?

 

ମୁଁ ଏକାବେଳକେ ସ୍ତବ୍‌ଧ । ମନେ ହେଲା ଯେମିତି ବିମ୍ବାଧର ମୂଳରୁ ପାଗଳ ।

 

ତାପରେ ବିମ୍ବାଧର କେତେଦିନ ଜେଲରେ ରହିଲା, ମନେ ରଖିନି । କାରଣ ଭାବିନେଇଥିଲି ସେ ପାଗଳ ହୋଇଯାଇଚି । ତାର ଆରୋଗ୍ୟ ଅସମ୍ଭବ ।

 

ଦୁଇମାସ ପରେ ବିମ୍ବାଧର ଏକାବେଳକେ ପାଗଳ ବେଶରେ ଆସି ପହଞ୍ଚିଲା ମୋ ଘରେ । କାହ୍ନୁ ମୋ ପାଖରେ ବସିଥାଏ ।

 

ପଚାରିଲି, କିରେ କେବେ ଖଲାସ ହେଲୁ ?

 

ଆଜି, ଏହିକ୍ଷଣି । ତା’ପରେ ଇତଃସ୍ତତ ଭାବରେ କହିଲା, ଗୋଟିଏ ଅନୁରୋଧ ରକ୍ଷା କରିପାରିବେ ?

 

କହ କ’ଣ କରିବାକୁ ପଡ଼ିବ ?

 

ଆପଣଙ୍କର ତ ପ୍ରତିମା ସାଥିରେ ଦେଖାହେବ ନିଶ୍ଚୟ ।

 

ଜାଣେନା । ଶୁଣୁଚି ପ୍ରତିମା କୋଉ ଗୋଟାଏ ଜାଗାରେ ଅଛି ।

 

ଟିକିଏ ଖୋଜି ଦେଲେ ବଡ଼ ଉପକାର ହୁଅନ୍ତା ।

 

ଟିକିଏ ବିରକ୍ତ ହୋଇ କହିଲି, କାହିଁକି ପ୍ରଥମେ କୁହ ।

 

ଆଗେଇ ଆସି ଟେବୁଲ ଉପରେ ଗୋଟାଏ ରୁମାଲର ପୁଟୁଳି ରଖିଦେଇ କହିଲା, ଏଥିରେ ଚାରିହଜାର ଟଙ୍କା ଅଛି । ଏତକ ତାକୁ ଦେଇଦେବେ ।

 

ମୁଁ ଅବାକ୍‌ ।

 

ଟିକକପରେ ଚାରିଆଡ଼କୁ ଚାହିଁ କହିଲା, ସେ ଦିନ ତାକୁ ଦେଖି ଜାଣିପାରିଚି, ତା’ର ପିଲାପିଲି ହେବ । ଏଇ ସମୟରେ ମାଇପିଲୋକ କାମ କମ୍‌ କରିବାକୁ ହୁଏ । ଯାହାକୁ ସେ ସ୍ୱାମୀ ବୋଲି ଧରିଚି, ତାକୁ ଦେଖି ମନେ ହେଉନି, ତା ପାଖରେ କିଛି ପଇସାପତ୍ର ଅଛି ବୋଲି । ସେଥିପାଇଁ କହୁଥିଲି, ଏ ଟଙ୍କାତକ ତାକୁ ଦେଇଦେବେ । ତା’ରି ଲାଗି ତ କମେଇଥିଲି, ତା’ରି ଲାଗି ଖର୍ଚ୍ଚ ହେଲେ ହେଲା । କହିବେ, ପରୀକ୍ଷା ଦେଉ, ଅନ୍ତତଃ ଡାକ୍ତରୀଟା ପାସ୍‌ କରିଯାଉ । ନିଜ ଗୋଡ଼ରେ ନିଜେ ଠିଆ ତ ହୋଇପାରିବ । ଶୁଣୁଚି ବାପା ତାର ଆଉ ତାକୁ ପଚାରୁନାହାଁନ୍ତି ।

 

ଏତିକି କହି ସେ ଚାଲିଲା, ପଛକୁ ଥରେ ଥରେ ଚାହେଁ । ଦେଖିଲି ବେଶ୍‌ ହସି ହସି ଚାଲିଚି । କାହ୍ନୁକୁ କହିଲି, ଏଇ ତୋର ଚିନିର ପାଗଳ, ବିମ୍ବାଧର ।

 

ଏବେ ବି ତାକୁ ମୁଁ ଥରେ ଥରେ ବ୍ରହ୍ମପୁର ରେଲଷ୍ଟେସନରେ ଦେଖେ । ଦେଖିଲାମାତ୍ରେ ହିନ୍ଦିରେ ସେ କହେ, ସଲାମ ।

 

ତିନି

 

ଦିଆଡ଼ିକି ଦୁଇଟା ଚଉଦଳ ଭଳି ବୋଝ । ଆଗରେ ମଙ୍ଗଳା ଠାକୁରାଣୀ, ପଛରେ ସେବକର ଚାଉଳ ରଖିବା ଡାଲା, ଲୁଗାପଟା, କଂସାବାସନ । ସେବକ ଘଣ୍ଟ ବଜାଇ ବଜାଇ ଆସେ-। ଯାହା ଦୁଆରେ ପାଣି ଚିଞ୍ଚା ଯାଏ ତା’ରି ଦୁଆରେ ଦିଅଁ ରହନ୍ତି । ସେଦିନ ସେବକ ଘଡ଼ିଏକାଳ ଘଣ୍ଟ ବଜେଇ ବଜେଇ ନାକେଦମ୍‌ । କାହାରି ହେଲେ ଭକତି ହେଲାନି, ପାଣିଢାଳୁଟେ ନେଇ ଇଡ଼ିଦେବା ପାଇଁ ।

 

ମୁଁ ଆସୁଥାଏ ଗୋଛାଏ ପାଳଧରି ଗାଈଙ୍କି ଦେବାପାଇଁ । ଦାଣ୍ତରେ ଯେତେବେଳେ ଆସେ ଚନ୍ଦ୍ରଭାଇନା ଦାଣ୍ତଦୁଆରେ ମୋର ଗୋଡ଼ ଅଟକିଯାଏ । ଦୁଆର ମୁହଁକୁ ଟିକିଏ ଚାହେଁ, ଚାଲିଆସେ । ସେଦିନ ମଧ୍ୟ ଟିକିଏ ଟେରେଇ କରି ଚାହିଁଥିଲି । ଦେଖିଲି କବାଟ ଏପଟେ ଗୋଟାଏ ହାତ ଦିଶୁଚି, ହାତରେ ପାଣି ଢାଳୁଟାଏ ।

 

ପାଳ ଗୋଛାକ ତଳେ ରଖିଦେଇ ଦାଣ୍ତପିଣ୍ତା ଉପରକୁ ଉଠି ଆସିଲି । ପାଣି ଢାଳୁଟାକୁ ଆଣି ଦାଣ୍ତରେ ଇଡ଼ିବା ପରେ ଦିଅଁ ବସିଲେ । ଘଣ୍ଟ ବଜା ବନ୍ଦ ହେଲା । ଖାଲି ଢାଳଟାକୁ ଦେବାକୁ ଗଲାମାତ୍ରେ ପୁଣି ସେଇ ହାତଟିକି ଦେଖିଲି । ବେଶ୍ ଗୋରାଗୋରା ହାତଟି, କଅଁଳ କଅଁଳ, ବଳିଲାପରି । ନାଲି, ହଳଦିଆ ଦି’ ପ୍ରକାରର କାଚ । ଆଙ୍ଗୁଠିରେ ଗୋଟାଏ ସୁନାମୁଦି । ଗୋଟାଏ ଚମକ ଲଗେଇ ଦେଲାଭଳି ହାତଟିଏ । ସେଦିନ ଖାଲି ପିଠିଆଡ଼ଟା ଦେଖି କେତେ ଯେ ଘୋଳେଇଘାଣ୍ଟି ନହେଇଚି । ଆଜି ଏ ହାତର କମନୀୟ ଦୃଶ୍ୟ, ଏକ ଅମୋଘ ଆକର୍ଷଣରେ ମତେ ମୋହାବିଷ୍ଟ କରି ପକେଇଲା । ହାତକୁ ଢାଳୁଟାକୁ ବଢ଼େଇ ଦେଇ ଠିକ୍‌ ଫେରି ଆସୁଚି ......ଭିତରୁ ଗୋଟାଏ ସ୍ୱର ଶୁଭିଲା, ହଇହେ ଦୀନୁ, ମୋଠି ଏତେ ଅହନ୍ତା କାହିଁକି କହିଲ ? ସବୁ ଶୁଣେ ସବୁ ଜାଣେ । କେତେଦିନ ହେଲାଣି କହିଲ, ଚିଠି ଦେଲି ଯେ ଉତ୍ତର ମିଳିଲାନି ?

 

କ’ଣ ଗୋଟାଏ କବିତା ପାଇଁ ?

 

ମୋର ନାଁ ଭଣତି ଥିବ, ସେମିତି ଗୋଟିଏ ଗୀତ ।

 

ଭାଷା ସିନା ମୁଁ ଦେବି, ଭାବ ତ ଦେଇପାରିବିନି ।

 

ତୁମଠି କ’ଣ ଭାବର ଅଭାବ ?

 

ଭାବର ଅଭାବ ନାହିଁ, ସ୍ୱଭାବର ଅଭାବ ।

 

କାହାକୁ ଯଦି କିଛି କହିବନି, ଭାବ ସ୍ୱଭାବ ସବୁ ଯୋଗେଇ ଦେବି । ତୁମେ ଖାଲି ଲେଖିପାରିଲା ହେଲା ।

 

କିନ୍ତୁ ରଞ୍ଜୁକୁ ନ କହି ତ ମୁଁ ରହିପାରିବିନି ।

 

ହଁ, ସେୟା ହେଉ ରଞ୍ଜୁ , ତୁମେ ଆଉ ମୁଁ.....

 

ହାତଟି କ୍ରମଶଃ ଭିତରକୁ ପଶିଗଲା..ଗୋଟିଏ କଣ୍ଠର ଛୁଞ୍ଚି ମୁନ ଭଳି ସରୁ ସରୁ ଗୁଡ଼ିଏ ସ୍ୱର ଖାଲି ଶୁଣିଲି, ମୁହଁଟି ଦେଖି ପାରିଲିନି । ଅବ୍‌ଶୋଷ ମେଣ୍ଟିଲାନି । ....ଶେଷ ପାହାଚକୁ ଓହ୍ଳେଇ ପଛକୁ ଅନେଇ ଦେଖିଲି, ପୁଣି ସେଇ ହାତଟି ବାହାରେ ଆସି ଲମ୍ବିଚି । ସେଥର ଥିଲା ଗୋଟାଏ ଢାଳ ଏଥର କିନ୍ତୁ ଗୋଟାଏ ଭୋଗେଇ । ପୁଣି ଥରେ ଉଠି ସେତକ ଆଣି ଦିଅଁ ସେବା ଲାଗି ଦାଣ୍ତରେ ଥୋଇଲି । ସେବକର ଘଣ୍ଟ ବାଜିଲା, ଚାଉଳରେ ଫୁଲ ପଡ଼ିଲା, ପୂଜା ହେଲା, ଚାଉଳତକ ସେବକ ଡାଲା ଭିତରକୁ ଗଲା, ତୁଚ୍ଛା ଭୋଗେଇଟି ଧରି ସେ ହାତକୁ ବଢ଼େଇଦେବା ମାତ୍ରେ ପୁଣି ପଦେ କଥା, ହଇହେ ଦୀନୁ, ବୁଝି ପାରୁନି, ତୁମେ ମତେ ଲାଜ କରୁଚ କି ମୁଁ ତୁମକୁ ଲାଜ କରୁଚି । ଇମିତି ତୁଚ୍ଛା ଭୋଗେଇରେ କେତେଦିନ ଥିବି କହିଲ ?

 

ମୋ ହାଲୁକ ଶୁଖିଗଲା । କିଛି ଉତ୍ତର ଦେଇ ପାରିଲିନି । ନିଜକୁ ସମ୍ଭାଳି ନେଇ କହିଲି, ମୁଁ ତ ଦାଣ୍ତରେ ଅଛି ସମସ୍ତେ ଦେଖୁଛନ୍ତି । ତୁମ ଭଳି ତ କବାଟ କୁଣେ ଲୁଚି ରହିନି ।

 

କିନ୍ତୁ ଜାଣେ ଦୀନୁ ଏ ମୁହଁଟା ଦେଖିଦେଲେ ତୁମର ସବୁ ସରିଯିବ । ସେଥିପାଇଁ ଘୋଡ଼େଇ ରଖିଚି । ଦଶ ପନ୍ଦର ବର୍ଷ ଯାଉ ଦେଖିବ । ଆଖିରେ କଜଳ ସେମିତି ରହିଥିବ, ମଥାରେ ବି ସିନ୍ଦୂର ସେମିତି ରହିଥିବ । ବୁଢ଼ୀ ସିନା ହେଇଯିବି । ଭଗବାନ ମତେ ଆଶିର୍ବାଦ ଦେଇଛନ୍ତି, ମଲାଯାଏ ସଧବା ରହିଥିବି ।

 

କିଛି ବୁଝିପାରୁନି ଭାଉଜ ।

 

ବୁଝିବ, ଆଉ ଟିକିଏ ବଡ଼ ହୁଅ ।

 

ତୁମେ କ’ଣ ମୋଠୁ ବଡ଼, ରଞ୍ଜୁଠୁ ବଡ଼ ?

 

ବଡ଼ ନ ହେଲେ କ’ଣ କିଏ ଶାଶୁ ଘରକୁ ଆସେ ?

 

ରଞ୍ଜୁ ତ ବଡ଼ ହେଇଗଲାଣି, ତାହାହେଲେ ସିଏ କ’ଣ ଶାଶୁଘରକୁ ଯିବାକୁ ପଡ଼ିବ ?

 

ରଞ୍ଜୁ ଆଉ ମୋ ଭିତରେ ଫରକ୍, ରଞ୍ଜୁ ବାହା ନ ହଉଣୁ ବଡ଼ ହେଇଗଲେ ମୁଁ ବାହା ହେବାପରେ ଯାଇ ବଡ଼ ହେଲି ।

 

ଦାଣ୍ତ ପିଣ୍ତାରେ ଠିଆ ହୋଇ ଗୋଟାଏ ମାଇପି ସାଥିରେ ଫୁସୁରୁ ଫୁସୁରୁ ହୋଇ ଦିନ ଦିପହରଟାରେ ଇମିତି ଗୁଡ଼ାଏ ଏଣୁ ତେଣୁ କଥାବାର୍ତ୍ତା ହେବାକୁ ମତେ ବଡ଼ ଅସ୍ୱସ୍ତିକର ବୋଧ ହେଉଥାଏ । ହଉ କହି ସେଠୁ ସେଦିନ ଚାଲି ଆସିଥିଲି । ଇଚ୍ଛା ଥିଲା ମୁହଁଟିକି ଦେଖିବା ପାଇଁ, ସେ ସୁଯୋଗ ଯଦି ମିଳିଲାନି, ବାଜେ କଥାରେ ଲାଭ କ’ଣ ?

 

ବଡ଼ିଭୋର । ରଞ୍ଜୁ ଫେରୁଛି ଗାଧୁଆ ତୁଠରୁ । ହଳଦି ଗୁରୁ ଗୁରୁ ଦେହ । ବଡ଼ ହୋଇ ଯାଇଚି କିନା । ଟିକିଏ କଳଂକି ଲାଗିଯାଇଥିଲା ତା ଦେହରେ । ଚାରି ଦିନରେ ଏ କଳଂକି ଧୁଆ ହୁଏ । ପଜେଇ ହେଇଯାଏ ଦେହଟା । ପିଲାଏ କହନ୍ତି, ଛୁଆଁ ଆଜି ଭଲ ହେଲା । କେହି ଦେଖିବେନି, ଦେଖିଲେ ଛାଇ ପଡ଼େ । ପିଲାଙ୍କ ଦେହରେ ଲାଗେନା । ମୁଁ ଯାଏ ପ୍ରତିଦିନ ସକାଳୁ କଇଠ ଗୋଟେଇବା ପାଇଁ । ଗୋପିଆ ଭାଇନା ଘର ପାଚିଲା କଇଠ ଭାରି ସୁଆଦ । ଗୁଡ଼ ନ ଦେଇ ବି ଚଟଣି କଲେ, ବିନା ତରକାରୀରେ କଂସେ ଭାତ ଠେଲି ହେଇଯାଏ । ମୋର ବଡ଼ ଲୋଭ ଏଇ ପାଚିଲା କଇଠରେ । ମୋର ଗୋଟାଏ ବିଶ୍ୱାସ, ଦିନରେ ପାଚିଲା କଇଠ ଝଡ଼ ତଳେ ପଡ଼େନା । ରାତି ହେଲେ ଥଣ୍ତା ପଡ଼ିଲେ, ଡେମ୍ଫ ଟିକିଏ ନରମା ହେଇଆସେ । ଖସିପଡ଼େ । ସତରେ ଦିନବେଳେ ସେ ଗଛଟାରୁ ଆଦୌ କଇଠ ପଡ଼େନା ! ୟା ମୂଳରେ କି ଉଦ୍‌ଭିଦ ବିଜ୍ଞାନର ତଥ୍ୟ ଅଛି କେଜାଣି ! ମୁଁ କାଦୁଅ ପଙ୍କରେ ଗୋଡ଼ ଚିପି ଚିପି କଇଠ ଦରାଣ୍ତେ । କେତେବେଳେ ବଡ଼ବଡ଼ ଗେଣ୍ତା ବି କଇଠ ଭଳି ଲାଗେ, ଠକିଯାଏ ।

 

ସେ ଦିନ କିନ୍ତୁ କଇଠ ସିନା ମିଳିଲାନି ଏକବାରେ ତଟକା ସଦ୍ୟସ୍ନାତା ବଡ଼ ରଞ୍ଜୁଟା ଆସି ଆଖିରେ ଧରା ପଡ଼ିଲା । ହାତରେ ଗୁଡ଼ାଏ ଓଦା ଲୁଗା......

 

—ହଇଲୋ ରଞ୍ଜୁ ତୁ ପରା ବଡ଼ ହେଇଗଲୁଣି....କାହିଁ ଯେଡ଼ୁଟିଏ ଥିଲୁ ତ ସେଡ଼ୁଟିଏ ।

 

ଲଫଙ୍ଗା ବଜାରୀ କହି ରଞ୍ଜୁ ସେଦିନ ଯୋଉ ମୁହଁଟା ଦେଖେଇଲା ନା ସେଥିରେ ତାର କୌଣସି ବଡ଼ିମାର ସୂଚନା ପାଇ ନ ଥିଲି । ମନେ ହେଲା ଏ ଚାରିଦିନ ଭିତରେ ରଞ୍ଜୁଟା ନିହାତି ଛୋଟ ହେଇ ଯାଇଚି ।

 

Unknown

କିନ୍ତୁ ପରମୁହୂର୍ତ୍ତରେ ତୁନି ତୁନି କହିଲା, ଏଥର ବାହା ହେବିରେ ଦୀନୁ ।

 

କେବେ କିଲୋ ?

 

ତୁ ଯୋଉଦିନ ଏ ଗାଁରୁ ଯିବୁ ।

 

ମୁଁ ଥିଲେ, ତୋର ଅସୁବଧାଟା କ’ଣ ଜାଣେ ?

 

ତୁ ଥିଲେ ବର ମିଳିବନି । ମିଳିଲେ ବି ମନ ବି ମିଳିବନି । ବର ଆଉ ମନ ମିଳିଲେ ବି ତୋର ଯୋଉ ମନ ନା, ଦିଇଟା ଯାକ ମିଳୁ ମିଳୁ ତୋ ମନ ଆସି ସବୁ ଭାଙ୍ଗି ପକେଇବ ।

 

କାହିଁକି ମୋ ମନଟା କ’ଣ ଏତେ ଟାଣ ?

 

ଟାଣ ନାହିଁ ଯେ ଗୋଟାଏ ବାଣ....ବାଣ ସାଙ୍ଗକୁ ପୁଣି ଗୋଟାଏ ରାଣ ।

 

ରଞ୍ଜୁ ଚାଲିଗଲା ସିନା, ଦିନୁ ମନରେ ଗୋଟାଏ ବିରୁଡ଼ି ପୂରେଇ ଘାଇଁ ଘାଇଁ ବିନ୍ଧି ଦେଇଗଲା । ହଁ, ସତ କହିଚି ରଞ୍ଜୁ ରାଣ କଥାଟା ବିଲକୁଲ ସତ । ସେଦିନ ରାଣ ପକେଇ କହିଥିଲା, ମରିଯିବି ପଛେଁ ଦୀନୁ ତୋ ଛଡ଼ା ଆଉ କାହାରି ରାଣୀ ହେବିନି । ତୁଳସୀ ପତ୍ର ମିଳି ନଥିଲା ବୋଲି ବିଲ ଗହିର ମାଟି ଟେଳାକୁ ଛୁଇଁ ଦୁହେଁ ଶପଥ କରିଥିଲୁ । ଦୁହେଁ ଭାବି ନେଇଥିଲୁ, ମାଟିଠୁ ପବିତ୍ର ଜିନିଷ କିଛି ନାହିଁ । ମାଟି ହିଁ ଆମର ଚିର ସାକ୍ଷୀ । ମଲେ ମଣିଷ ମାଟିରେ ମିଶେ । କିନ୍ତୁ ଠିକ୍‌ ମନେ ଅଛି ମାଟିଟେଳାଟିକ ଧରି ରାଣ ପକଉ ପକଉ ବୋଧହୁଏ ଜୋରରେ ଚିପି ଦେଇଥିଲା । ଟେଳା ଗୋଟିକ ଟାକ ଚୂନା ହୋଇ ତଳେ ଖସି ପଡ଼ିଥିଲା ....ରଞ୍ଜୁର ସିନା ଖିଆଲ ନଥିଲା କିନ୍ତୁ ମୁଁ ଠିକ ଭାବି ନେଇଥିଲି, ଏ ଶପଥଟା ବି ଠିକ ସେମିତି ଚୂନା ହେଇଯିବ ।

 

ତା ଆରଦିନଠୁ ଘରେ ମନା କରିଦେଲେ, ସାବଧାନ ଦୀନୁ, ଏଣିକି ବାଡ଼ିଆଡ଼କୁ ଗାଧୋଇଗଲେ ଟାଙ୍କ ବାଡ଼େଇ ଛୋଟା କରିଦେବି । ଖାଲି ସେତିକି ତ ମନା ହେଉନଥିଲା—ଉପନ୍ୟାସ ବହି ପଢ଼ୁ ପଢ଼ୁ ଶକତ ଚଟକଣା ଖାଇଥିଲି । ଦାଶକାଠିଆର ଶଶୀକଳା ହରଣ ଚରିତ ଶୁଣିବା ପାଇଁ ଶୋଇବା ଘର ଦୁଆର ଫିଟାଇ ଯାଉ ଯାଉ ପଛରୁ ଗୋଇଠେ ପାଇଥିଲି । ସେ ଦିନ ଯୋ ମାଡ଼, ଗୌ, ଗାବୌ,ଗାବଃ ଶବ୍ଦରୂପ ଉଚ୍ଚାରଣ କରୁ କରୁ ମୁହଁରୁ ବାହାରିପଡ଼ିଥିଲା ରଞ୍ଜୁର ଶବ୍ଦରୂପ ।

 

ଏକଆଡ଼େ ପାଠପଢ଼ା, ଏକ ଦୀର୍ଘ ଭବିଷ୍ୟରେ ସୁଖସ୍ୱପ୍ନ । ଅନ୍ୟଆଡ଼ୁ ରଞ୍ଜୁ ରଞ୍ଜୁନାର ଆକର୍ଷଣ, ସୁନାଭଳି ଧନର ମୋହ । ସେ ଦିନଠୁ ଚେଷ୍ଟାକରିଥିଲି ଭୁଲିଯିବା ପାଇଁ । ରଞ୍ଜୁଲୋ ତତେ ଭୁଲି ଯିବାପାଇଁ ଆପ୍ରାଣ ଚେଷ୍ଟା କରୁଚି ବୋଲି ଯେଉଁଦିନ ଜଣକ ହାତରେ ଅତି ଗୋପନରେ ତା ପାଖକୁ ଚିଠି ଲେଖି ପଠେଇଲି, ମନେପଡ଼ୁଚି, ସେ ସଙ୍ଗେ ସଙ୍ଗେ ତାର ଉତ୍ତର ଦେଇଥିଲା ଏଇ କେତୋଟି ପଦରେ—

 

‘‘ଚେଷ୍ଟାକଲେ ମଣିଷ ଯଦି ସବୁ ଭୁଲିଯାଇ ପାରୁଥାଆନ୍ତା । ତାହାହେଲେ ଏ ପୃଥିବୀରେ ଏତେ ଦୁଃଖ କଷ୍ଟ ନଥାଆନ୍ତା । ସେଇଥିପାଇଁ ତ ଆମ ଦେଶର ଗୋଟାଏ ଦିଅଁର ନା ଭୋଳାନାଥ । ଖାଲି ଭାଙ୍ଗ ଖାଇ ଚିଲମ ଟାଣି ଏ ଦେବତାଟା ସମଗ୍ର ସଂସାରକୁ ଭୁଲି ଯାଏ । କିନ୍ତୁ ସେଇ ଭୋଳାନାଥ ହିଁ ଶେଷରେ ସତୀ ପାର୍ବତୀର ମୃତ ଦେହ କାନ୍ଧରେ ବହନ କରି କି କାଣ୍ତ କରି ନଥିଲେ କହିଲୁ?’’

 

ମୁଁ ଚୁପ...ସତରେ ରଞ୍ଜୁଟା ମୋଠୁ ବେଶି କେତେ କଥା ଜାଣେ ! ମନେହେଲା ଗୋଟାଏ ମସ୍ତବଡ଼ ଲାଇବ୍ରେରୀକି ଢୋକି ପକେଇଚି ଏଇ କେଇଟା ଦିନ ଭିତରେ, ବୋଧହୁଏ ବଡ଼ ହେବା ଦିନଠାରୁ । ନଇଲେ ଏତେ ଜ୍ଞାନ, ସେ ପୁଣି ଏତେ ସୂକ୍ଷ୍ମ ! ମୋର ଗୋଟାଏ ବଡ଼ ଧାରଣା ଜ୍ଞାନ ମିଳେ କେବଳ ବହି ପଢ଼ାରେ, ଦେଶ ଭ୍ରମଣରେ । ଦିନେ ମୁଁ ମାଷ୍ଟ୍ରକୁ ପଚାରିବାରେ ଇମିତି ଗୋଟିଏ ଉତ୍ତର ପାଇଥିଲି ବୋଲିଏ ଧାରଣାଟା ରହିଆସିଚି ଅତି ମୂଳରୁ । ରଞ୍ଜୁକୁ ଭୁଲିଯିବାର ଯୋଜନା ଗୁଡ଼ାକ ଯେମିତି ମୋର ପାଣି ଫାଟିଗଲା ଏକାବେଳକେ । ଭୁଲିଯିବାର ଚେଷ୍ଟା କରିବିନି ବୋଲି ଦିନେ ଶପଥ କରୁଥିଲି...କିନ୍ତୁ ଶେଷରେ ରଞ୍ଜୁ ଯେ ଗୋଟାଏ ଭୁଲ ରଞ୍ଜୁ ନିଜେ ପ୍ରମାଣିତ କଲା । ହୁଏତ ବହୁତ ଦିନ ପରେ.... । ଲୋକ ମୁଖରେ ପ୍ରଚାରିତ ହେଳା ରଞ୍ଜୁଟା ଅଲକ୍ଷଣି ବୋଲି, ଲୋକେ ତାକୁ ବାହା ହେଉ ନାହଁନ୍ତି । ଜ୍ୟୋତିଷକୁ ପଇସା ଦେଇ ହୁଏତ ତା ନନା ଏଇକଥା ପ୍ରଚାର କରିଥିଲେ, ସଂଭାବ୍ୟ ବରଗୁଡ଼ାକ ଆଗରେ ।

 

ହଠାତ୍‌ ଦିନେ ସେ ଉପକୂଳରେ ଗୋଟାଏ ପ୍ରଳୟ ଦେଖାଦେଲା....। ମୋ କବଳରୁ, ମୋ ଲୋଲୁପ ଆଖି ଆଗରୁ ରଞ୍ଜୁର ଯୌବନଟାକୁ ଦୂରେଇ ରଖିବା ଲାଗି କିଏ କେତେ ପ୍ରସ୍ତାବ ବାଢ଼ିଲେ । ଶେଷରେ ରଞ୍ଜୁ ଖୁଡ଼ିର ପ୍ରସ୍ତାବଟା ହିଁ ରହିଲା ।

 

ରଞ୍ଜୁ କକେଇ କାମ କରୁଥିଲେ କୋଉ ଗୋଟାଏ ବିଭାଗରେ । ବଡ଼ ଅଫିସର । ସବ୍‌ଡ଼େପୁଟି କି ଡ଼େପୁଟି କ’ଣ ଗୋଟାଏ । ତିନି ଚାରି ବର୍ଷରେ ଥରେ ଗାଁକୁ ଆସନ୍ତି । ଆସିଲାବେଳେ ସ୍ତ୍ରୀଟିକି ଇମିତି ସଜେଇ ଆଣିଥାଆନ୍ତି ଯେ ଗାଁଟିଯାକ ମାଇପିଙ୍କ ମେଳାହୁଏ ତାଙ୍କରି ଘରେ । ପିଲାଝିଅ ନ ଥିଲେ କ’ଣ ହେଲା ଦୁଃଖ ତ ନାହିଁ । କଣ ନ କରିଚି, କାନକୁ ଝୁଂପି, ବେକକୁ ଚେନ୍, ହାତରେ ଆଠ ଆଠ ପଟ ସୁନାଚୁଡ଼ି । ସିନ୍ଦୁକରେ ସିନ୍ଦୁକେ ପାଟପତନି । ଆସିଲାବେଳେ କଳା ମିଚି ମିଚି ହୋଇ ଯୋଉ ଅସନା ଦେଖାଯାଉଥିଲା, ନା ! ଦେଖ ପଇସା ହେଲେ ମଣିଷ କର ନହୁଏ ! ନାଲି ଟହ ଟହ ଦିହ ।

 

ଖୁଡ଼ି କହିଲେ, ବାହାହେବା ଯାକେ ରଂଜୁ ମୋରି ପାଖରେ ରହିବେ । ପାଠ ନପଢ଼ିଲେ କ’ଣ ହେଲା, ଆଉ କ’ଣ କିଛି ଶଖିବାକୁ ନାଇଁ । ଭଳି ଭଳି ସିଲେଇ । ଘରେ ତ ସିଙ୍ଗର ମେସିନ୍‌....ସବୁ ତ ଶିଖେଇ ଦେବି ।

 

ରଂଜୁବୋଉ ମନା କରନ୍ତେ କିପରି, ହଉ ଯାଉ ।

 

ରଂଜୁ ସେଇଦିନଠୁ ଚାଲି ଆସିଲା.... । ସେ ଯୋଉଦିନ ଗଲା, ମୁଁ ନଥିଲି ଘରେ । ସେଦିନ ଗଲା, ତା ଆରଦିନ ସକାଳେ ଯାଇ ଜାଣିଲି ଯୋଉଦିନ ସର ଭାଉଜ କହିଲା.....ହଇହେ ଦୀନୁ, ବିଚାରୀ କେତେ ଖୋଜିଲା । କୋଉ ପୂରରେ କୋଉ ଗୋପୀ ପାଖରେ ଥିଲ ? କେତେ ଭଙ୍ଗୀରେ କେତେ ଢଗ ମେଲି କେତେ ଗୀତ ବୋଲି ସେଦିନ ଥଟ୍ଟା ଟାପରାରେ ମତେ ବୁଡ଼େଇ ଦେଇଥିଲା ସର ଭାଉଜ । ସେଇଦିନ ଜାଣିଲି ରଞ୍ଜୁ ଚାଲିଗଲା ସହରକୁ ସମେଇମାମୁଁ ସାଥିରେ ।

 

ସହର ନାଁଟା ଲେଖି ନାହିଁ । ପିଚୁରାସ୍ତା, ଗାଡ଼ିମଟର, ବଡ଼ ବଡ଼ କୋଠାଘର, ଇଲେକ୍‌ଟ୍ରି ଲାଇଟ ଯେଉଁଠି ଥାଏ ସେମିତି ଗୋଟିଏ ସହରରେ ସମେଇ ଭାଇନା ବଡ଼ ଅଫିସର । ରଞ୍ଜୁ ଚିଠି ଦିଏ, ଦୀନୁର ଇଠି ପବନ ତିଆରି ହୁଏ ଆମକୁ ବିଞ୍ଛିବାପାଇଁ ଗାଁରେ ସଦେଇ ଜେନା ମୁଣ୍ତିଚଷା ଘୋଟଣା ଖାଇଲା ଭଳି ଏଠି ଖିଆପିଆ ନାହିଁ । ସକାଳେ ବ୍ରେକ୍‌ଫାଷ୍ଟ, ଦିପହରେ ଲଞ୍ଚ୍‌, ଚାରିଟାବେଳେ ଟି, ଆଉ ରାତିରେ ଡିନର୍‌ ଖିଆ, ଭାରି ମଜା ଲାଗୁଚି । ପଡ଼ିଶା ଘର ଅଳକା ମୋର ବଡ଼ ସାଙ୍ଗ । ଆଉ ଦୁଇ ତିନି ଜଣ ମିଶି ବେଶ୍‌ କ୍ୟାରମ୍ ଖେଳୁ । ରାତି ହେଲେ ତାସ୍‌ । (ସବୁ ଚିଠିରେ ଗୋଟିଏ ନାଁ କମନ୍‌ ଥାଏ, ନାଁଟି ପରିତୋଷ ବାବୁ) । ବୟସ ତୋଠୁ ଅତି ବେଶୀ ହେଲେ ବର୍ଷେ ଦୁଇବର୍ଷ ବେଶୀ ହେବ । ବଡ଼ ଚମତ୍କାର ପିଲା । ଖୁଡ଼ିଙ୍କର ସେ ଧରମ ଭାଇ । କ’ଣ କରନ୍ତି, କେବେ ପଚାରନି । ତୋ କଥା ତାଙ୍କୁ ଥରେ ଥରେ କହେ, ଶୁଣି ବଡ଼ ଖୁସି ହୁଅନ୍ତି । ହଁ, ତତେ ଗତଥର ଲେଖିବାକୁ ଭୁଲି ଯାଇଥିଲି, ସିଏବି ତୋ ପରି କବିତା ଲେଖନ୍ତି। କିନ୍ତୁ ତାଙ୍କ କବିତାଗୁଡ଼ାକ ଟିକିଏ ଟିକିଏ ଅଖଡ଼ୁଆ ବୋଧହୁଏ । ଖାଲି କବିତା ତ ଲେଖନ୍ତିନି, ନାଟକ ବି । ସେଦିନ ଗାର୍ଲସ୍କୁଲରେ ତାଙ୍କର ‘‘ନୀଳ ନୟନୀ’’ ନାଟକ ମଞ୍ଚସ୍ଥ ହେଇଥିଲା । ଯୋଉ ହସ କ’ଣ କହିବି ! ହସି ହସି ପେଟ ଫାଟିଗଲା । ଥରେ ଥରେ ଭାବେ, ସିଏତ ଦିନ ଆଠଟାରୁ ରାତି ବାରଟା ଯାଏଁ ଖୁଡ଼ି ପାଖରେ ନଚେତ୍‌ ମୋ ପାଖରେ, ଲେଖନ୍ତି କେତେବେଳେ ? ଥରେ ପଚାରିଲି, କହିଥିଲେ, ବାଟରେ ଯାଉ ଯାଉ ପୁଣି ସେ ଲେଖିଦେଇ ପାରନ୍ତି । ମୁଁ ଅବିଶ୍ୱାସ କଲେ କହନ୍ତି, ଜାଣନା ରଂଜନା, ପୃଥିବୀର ଯେତେ ବଡ଼ ବଡ଼ ଲେଖକ ସେମାନଙ୍କ ଲେଖାର ସମୟ ଓ ଢଙ୍ଗ ଅଦ୍ଭୁତ ପ୍ରକାରର । ଭିକ୍ଟୋର ହୁଗୋ ବୋଲି ଗୋଟାଏ କିଏ ମସ୍ତବଡ଼ ଲେଖକ ଶହ ଶହ ପୃଷ୍ଠାର ଲା ମିଜେରବଲ ବହିଟା କୁଆଡ଼େ ଲେଖିଥିଲେ ଠିଆ ଠିଆରେ । ...ଖୁଡ଼ି କେତେ ବୁଝେଇଲେ, କକେଇ ତ ରୋଜ ଖାଇସାରିବାବେଳେ ବୁଝାନ୍ତି, ସହରୀ ଝିଏ ନାକରେ କିଛି ଲଗାନ୍ତି ନି । ମନାକଲି । ନାକ ଫୋଡ଼େଇବାପାଇଁ ପିଲାଦିନେ ଏତେ ଅଝଟ, ବୋଉ ଶରଧାରେ ନାକ ଫୋଡ଼େଇ ଡିମ୍ୱ ଲଗେଇ ଦେଇଚି, କାଢ଼ିଦେବି ? ନା ହେବନି । କିନ୍ତୁ କଣ ମୋର ଜିଦ୍‌ ରହିଲା ! ସେଦିନ ଜବରଦସ୍ତି ନାକଟାକୁ ଧରି ପରିତୋଷ ବାବୁ କାଢ଼ିଦେଲେ ନା । ତୁ ଯୋଉ ଡିମ୍ବଟା ଦେଖିଥିଲୁ, ଆଉ ସେ ଡିମ୍ବ ନାଇଁ କି ନାକ ନାଇଁ । ହେଲେ ବଡ଼ ସାହସୀ, ଭାରି ଖୋଲା ପିଲାଟା । ଖୁଡ଼ିଙ୍କର ତ ସହଜେ ଧରମ ଭାଇ । ଖିରି ପିଠା ହେଲେ ଡାକ ପରିତୋଷକୁ, ସିଏ ଚାଖୁ, ଭଲ କି ମନ୍ଦ କହୁ, ତାପରେ ଯିଏ ଯେମିତି ଖାଇବ ।

 

ରଂଜୁ ଚିଠି ଲେଖିଲାବେଳେ ଏତେ ବିଭୋର ହୋଇ ଲେଖେ ଯେ ଚିଠିଟା ପଢ଼ି ଦୀନୁର ମନ ଯେ କ’ଣ ହେବ ଭାବି ପାରେନା । ସହଜେ ଝିଅ ପିଲା, ହେଇଟି ଏଇଲାଗେ କୈଶୋରରୁ ଯୌବନ ଦୁଆରେ ଆସି ପହଞ୍ଚିଚି । ସ୍ନେହ, ଆଦର, ମମତା ପାଇଲେ ଏ ଯୌବନ ଆବିଷ୍ଟ, ବିମୁଗ୍‌ଧ ହୋଇପଡ଼େ । ନବବିବାହିତା ସ୍ତ୍ରୀ ମଧ୍ୟ ବିବାହର ସମସ୍ତ ଆସ୍ୱାଦ ପାଇବା ସତ୍ତ୍ୱେ ପରପୁରୁଷକୁ ଲୋଡ଼େ । ରଂଜନା ନାରୀ, ପୁଣି ଅବିବାହିତା । ଚିଠି ପଢ଼େ, ତା ଆନନ୍ଦର ସ୍ରୋତକୁ ବନ୍ଦ କରିବାକୁ ଇଚ୍ଛା ହୁଏନା । ଆନନ୍ଦରୁ ଝିଅପିଲାଙ୍କୁ ବଞ୍ଚିତ କରିବା ଅର୍ଥ ସେମାନଙ୍କୁ ଅପମାନିତ କରିବା । ଜାଣେ Fraility thy name is woman । ପୁଅଙ୍କର ଦୁର୍ନୀତି ରାଜପଥରେ । ଝିଅଙ୍କର ପରଦା ଭିତରେ । ପ୍ରଥମଟା ରଣସ୍ଥଳୀରେ ମୃତ୍ୟୁ, ଦ୍ୱିତୀୟ ଯକ୍ଷ୍ମାରୋଗରେ କ୍ଷୟ ହେବା । ପ୍ରଥମଟା ଅକୃତିମ ପୌରୁଷର ବିଭତ୍ସ ଚିତ୍କାର, ଅନ୍ୟଟା ମଧୁର କବିତାର ଅପରୂପ ଲାବଣ୍ୟ ।

 

ରଂଜୁ ପ୍ରଥମ କେତେମାସ ଏତେ ଜଲ୍‌ଦି ଜଲ୍‌ଦି ଚିଠି ଲେଖେ ଯେ ଉତ୍ତର ଦେବାକୁ ସମୟ କରିପାରେନା । ପରିତୋଷ, ସେଇ ଗୋଟାଏ ନାଁର ପୁନରାବୃତ୍ତି । ଥରେ ଥରେ ମନେ ହେଉଥିଲା, ଟିକିଏ ନିଷ୍ଠୁରତା ହେଉ ପଛେକେ, ମନା କରିଦେବି, ଚିଠି ଦେଇଚୁ ଦେ ପଛକେ, ଏଇ ଭିଲେନ୍‌ ପରିତୋଷଟାର ଚିହ୍ନବର୍ଣ୍ଣ ଚିଠିରେ ଯେମିତି ନରହେ । କିନ୍ତୁ ଏକ ଧାବମାନ ଯୌବନର ହୁଏତ ଗତିରୁଦ୍ଧ ହୋଇଯିବ, ଜଣେ ପ୍ରତିଯୋଗୀ ଅଭିଯାତ୍ରୀର ପଦକ୍ଷେପ ତୁଷାରଖଣ୍ତର ଆଘାତରେ ବନ୍ଦ ହୋଇଯିବ, ହସଗୁଡ଼ାକ ଅଶ୍ରୁରେ ପରିଣତ ହୋଇଯିବ, ଏଇ ଆଶଙ୍କାରେ କିଛି ନଲେଖି—ତାର ଆଠଶହ ଚଉଦ ଶବ୍ଦ ବିଶିଷ୍ଟ ଚିଠିରେ ଉତ୍ତର ମୁଁ ଦିଏ ଚାରି ଧାଡ଼ିରେ । କିନ୍ତୁ ମୁଁ ନିଷ୍ଠୁର ହେବା ପୂର୍ବରୁ ରଂଜୁ ଆପେ ଆପେ ନିଷ୍ଠୁର ହୋଇପଡ଼ିଥିଲା—ହୁଏତ ନିଜର ଆନ୍ତରିକ, ନିର୍ଦ୍ଦେଶରେ ନୁହେଁ, ଅନ୍ୟର ଦାର୍ଶନିକ ପରାମର୍ଶରେ ।

 

ପରିତୋଷର କିଛି ନଥିଲା, ଥିଲା ମାତ୍ର ଗୋଟିଏ ସଙ୍କେତ, ଗୋଟିଏ ଇଙ୍ଗିତ । ଏଇ ଇଙ୍ଗିତଟି ହେଉଚି ଅକାତର ଭାବରେ ଖର୍ଚ୍ଚ କରିବାଭଳି ସ୍ୱଚ୍ଛଳତା ଓ ବାହ୍ୟାଡ଼ମ୍ବର । ବେଣୀ ପାଠ ପଢ଼ିନି । ଅତି ବଡ଼ ହେଲେ ଆଇ.ଏ. ଯାଏଁ । କିନ୍ତୁ ନିଜର ମଟର ଅଛି, ଡ୍ରାଇଭର ଡ୍ରାଇଭିଂ କରେନା, ନିଜେ ନିଜେ ଡ୍ରାଇଭର । ବଜାରରେ ଲୋକେ କହନ୍ତି, ପରିତୋଷଟା ଏକ ନମ୍ବର ଫାଡ଼ା, ଅଭଦ୍ର କିନ୍ତୁ ରଂଜନା ଓ ତା ଖୁଡ଼ିଙ୍କ ଭାଷାରେ ପରିତୋଷ ଭଳି ଭଦ୍ର, ସରଳ ପିଲା ପୃଥିବୀରେ ବିରଳ । ଏଇ କେଇଟି ଭାଷା ପରିତୋଷର ନିଃସଙ୍ଗ ଜୀବନରେ ଢେଉ ତୋଳେ । ହଜାରେ ଟଙ୍କାର ପେଟ୍ରୋଲ ଦିନକେ ଖର୍ଚ୍ଚ ହେଲେ ବି ପରୁଆ ନାଇଁ । ସେ ଭାବେ ପେଟ୍ରୋଲ ପୋଡ଼ି ସେ ଯେତିକି ବାଟ ଆଗେଇ ଚାଲିବ, ତାର ରଂଜୁକୁ ପାଇବାର ଆଶା ସେତିକି ଆଗେଇ ଯିବ । ମୋ ଆଖିରେ ରଂଜୁର ଯୌବନ ଯେତେବେଳେ ଧରା ଦେଇଥିଲା ସେତେବେଳେ ସେ ଥିଲା ଏକ କଷି ଯୌବନ । ଫୁଲ ଫୁଟିଆସୁଥିଲା, ଫୁଟି ନଥିଲା । ସେ ଯୌବନରେ ମାୟା ଥିଲା, ମୋହ ନଥିଲା, କିଂତୁ....

 

ପ୍ରଥମେ କେତେଗୋଟି ରିବନ, କେତୋଟି ହେଆର ପିନ ଆଉ କେତୋଟି ବ୍ଲାଉଜ ପିସ୍‌-

 

ରଂଜୁର ମୁହଁରୁ ବାହାରୁ ନବାହାରୁଣୁ ମଟର ଛୁଟାଇ ପରିତୋଷ ଯେତେବେଳେ ବାହାରକୁ ଆସିଥିଲା, ଭାବିଥିଲା ରଂଜୁଟା ନିହାତି ବୋକା । ଏଇତକ ଚାହିଦା.....ଡ଼ିମାଣ୍ତ ! ସାମାନ୍ୟ । ଦିଇଟା ଦଶଟଙ୍କିଆ ନୋଟ ଫୋପାଡ଼ିଦେଲେ ଶେଷ । ଇମିତି କେତେଟା ଜିନିଷ ମାଗନ୍ତା ଯାହାକି ଯେତେଦେଲେ ବି ସରନ୍ତା ନାହିଁ । ଦାମ୍‌ ବେଶୀ ହୁଅନ୍ତା, କିନ୍ତୁ ଓଜନ ବେଶୀ ହୁଅନ୍ତାନି ।

 

ଦ୍ୱିତୀୟ ଦିନ ରଂଜୁ ଚାହିଁଥିଲା, ପରିଭାଇ ଆଜି ଯଦି ଖଣ୍ତିଏ ନଭେଲ୍‌ ଆଣି ଦିଅନ୍ତ....

 

—ଏଇଟା ଗୋଟାଏ ଜିନିଷ ! ବାପାଙ୍କ ଦୋକାନଟା ଯାକ ତ ନଭେଲ୍‌ ରେ ଭର୍ତ୍ତି । କି ଭାଷାରେ ? ଓଡ଼ିଆ, ଇଂରେଜୀ, ବଙ୍ଗଳା ନା ହିନ୍ଦୀ ?

 

ଚାରିଦିନ ବାଦେ ରଂଜୁ ଚାହିଁଥିଲା....ଗୋଟାଏ ଭଲ ଇଂରେଜୀ ଫିଲ୍‌ମ୍‌ ଆସିଛି ବୋଲି ଅଳକା କହୁଥିଲା....ଖୁଡ଼ୀ କହୁଥିଲେ, ତିନିହେଁ ମିଶିକରି ଯାଆନ୍ତେ ।

 

ପରିତୋଷ ଖବରକାଗଜ ଓଲଟେଇ ଦେଖିଲା, ଫିଲ୍‌ମ୍‌ ମାଁ ତଳେ ଲେଖାହେଇଚି କେବଳ ବୟସ୍କଙ୍କପାଇଁ । ରଂଜୁର ଚଏସ୍‌ଟା ତା ମନକୁ ଏକାବେଳକେ ପାଇଗଲା ।

 

ପନ୍ଦର ଦିନ ବାଦେ...ରଂଜୁର ଅନୁରୋଧ ଖୁଡ଼ୀ ବି ନଥିବେ, ତୁମେ ଆଉ ମୁଁ ଏକା ଏକା ଯିବା, ବହୁତ କଥା ଅଛି କହିବାକୁ । ସେଦିନ ସିନେମାରେ ସେ ଟୋକାଟା କି ସୁନ୍ଦର ନାଚିଲା ମ ! କିନ୍ତୁ ଇମିତି ନିର୍ଲ୍ଲଜ । ଛି ! ଦେହରେ ଲୁଗାପଟା କିଛି ନାହିଁ, ଖାଲି ଖାଲିରେ । ତୁମେ ଯାହା କୁହ ପରୀଭାଇ, ମତେ ଏତେ ଖରାପ ଲାଗିଲା, ଉଠିଆସିବାକୁ ଇଚ୍ଛା ହେଲା । କିନ୍ତୁ ଟଙ୍କା ଦେଇ ଟିକଟ ଯେତେବେଳେ କାଟିଚ ! ତମ ଟଙ୍କା ହେଲେ କ’ଣ ହେଲା ! ଭାବିଲି, ନିଜେ ଯେମିତି ଅଣ୍ଟାରୁ ପଇସା ଖରଚ କରିଚି । ସେଇଥିପାଇଁ ଉଠି ଆସି ପାରିଲିନି । ବୁଝିପାରୁନି, ତୁମର ଖର୍ଚ୍ଚ ଗୁଡ଼ାକ ମତେ କାହିଁକି ବଡ଼ ବାଧୁଚି ।

 

ମାସକ ବାଦେ.....ହଠାତ୍‌ ମଟର ହର୍ଣ୍ଣ ଶୁଭିଲା ଏକ ଆଦିମ ଅନନ୍ତ ପଥରେ । ସେ ରାସ୍ତାରେ ମଣିଷ, ପଶୁ, ପକ୍ଷୀର କୌଣସି ସତ୍ତା ନାହିଁ; କାହାରି କୌଣସି କୋଳାହଳ ନାହିଁ, ସବୁ ନିଃଶୂନ, ନିସ୍ତବ୍‌ଧ । କିନ୍ତୁ ପରିତୋଷର ହାତଟା ହର୍ଣ୍ଣ ଉପରକୁ ଉଠିଆସେ—ବାଜୁ ବାଜୁ ବାଜିଯାଏ-। ଏହି ଧ୍ୱନି କେହି ଶୁଣିପାରନ୍ତି ନାହିଁ, କେବଳ ରଂଜନା ଶୁଣେ । ରଂଜନା ଏଇ ପଥର ଏକମାତ୍ର ଯାତ୍ରୀ । ହର୍ଣ୍ଣର ଶବ୍ଦ ତାର କାନରେ ଖାଲି ପଡ଼େନା, ତାର ଦେହର ଚାରିଆଡ଼େ ବିଂଛି ହୋଇଯାଏ-। ପ୍ରତିଧ୍ୱନିରେ ଝଙ୍କୃତ ହୋଇଉଠେ ତାର ସମସ୍ତ ଶିରା ପ୍ରଶିରା । ଆଗରେ କୌଣସି ବଙ୍କା ବଙ୍କା ରାସ୍ତା ନାହିଁ, ବିଲକୁଲ ସିଧା ରାସ୍ତା । ପରିତୋଷ ରଂଜନାର କଥାକୁ ପ୍ରତିପାଳନ କରିଚି ଅକ୍ଷରେ ଅକ୍ଷରେ । ରଂଜନା ତାକୁ କହିଥିଲା, ପରୀଭାଇ ଏତର ଖୁଡ଼ି ବି ନଥିବେ, ତୁମେ ଆଉ ମୁଁ ଏକା ଏକା ଯିବା, ବହୁତ କଥା ଅଛି କହିବାକୁ ।

 

ଅକଥନୀୟ ଏ କଥା । ଅକରଣୀୟ ଏ କାମ । ଅନିର୍ବଚନୀୟ ସେ ବଚନ । ସେ କଥା ଗୁଡ଼ାକ ଅଳିଆଗଦାପରି ମୂଲ୍ୟହୀନ ନୁହେଁ । ଏକଥା ରଂଜନରଶ୍ମିଭଳି ବକ୍ଷଭେଦୀ, ଅତି ମୂଲ୍ୟବାନ୍‌-। ଦୁର୍ଲଭକୁ ସୁଲଭ କରି ପାଇଚି ପରିତୋଷ । ପରିତୁଷ୍ଟ ସେ ।

 

ଏଥର ମୋ ପାଖକୁ ଚିଠି ଆସେନା । ରଂଜୁ ମନର ଭାବ ସ୍ୱଭାବ ସବୁ ଖୋଲି ଲେଖେ ସର ଭାଉଜ ପାଖକୁ । ସର ଭାଉଜ ନାଟକର ଡିରେକ୍ଟର ନା, ସେଇଥିପାଇଁ । ସର ଭାଉଜ ମନରେ ବଡ଼ ଖୁସି । ରଂଜୁଟା ତା’ର ନିର୍ଦ୍ଦେଶଗୁଡ଼ା ଠିକ୍‌ ଠିକ୍‌ ମାନି ଚଳିଚି । ଜୀବନ ଓ ଯୌବନର ମଂଚ ଉପରେ ରଂଜୁର ଅଭିନୟ ତାକୁ ଭାରି ଭଲ ଲାଗୁଚି.... । ସର ଭାଉଜ ଥରେ ଥରେ ଲମ୍ବା ଚିଠିର ଗୋଟାଏ ଅଶଂ ହାତ ପାପୁଲିରେ ମାଡ଼ିବସି କହେ, ଦୀନୁ, ଏଇଠୁ ପଢ଼, ଭାରି ମଜା ଲାଗୁଚି-। ଆର ଗୁଡ଼ାକ ବାଜେ କଥା । ସେଗୁଡ଼ାକ ଖାଲି ମାଇପି ଲୋକ ପଢ଼ନ୍ତି, ତୁମ ଭଳି ପିଲା ସେଗୁଡ଼ାକ ପଢ଼ିଲେ ମୁଣ୍ତ ଖରାପ ହୋଇଯିବ । ପଢ଼େ, ନିହାତି ଫାଲ୍‌ତୁ କଥା । ସେଥିରେ ରସ ନଥାଏ... ।

 

‘‘ଭାଉଜ ଲୋ ପରିତୋଷବାବୁ କାଲି ଘରେ ମୋ ପାଇଁ ଖଣ୍ତିଏ ଖଟ ପକେଇ ଦେଇଯାଇଚନ୍ତି । ଖଟ ନୁହେ ଲୋ ତାକୁ କହୁଚନ୍ତି ବମ୍ବେ ପାଟର୍ଣ୍ଣ ପଲଙ୍କ । ହାତେ ବହଳର ଗଦି । ତଳେ ପୁଣି ହାତେ ବହଳର ଆଉ ଏକ ପ୍ରସ୍ତ । କ’ଣ ତାକୁ କହୁଚନ୍ତି ତ, ସ୍ପ୍ରିଙ୍ଗ । ହଁ, ସେମିତି ଗୋଟାଏ କ’ଣ ନାଁ ତାର । ତଳକୁ ବସି ଯାଉଚି, ପୁଣି ଥରେ ଉଠି ଆସୁଚି । ପ୍ରଥମ ଦିନ ତ ବଡ଼ ଭୟ ଲାଗିଲା । ଭାବିଲି, ନାହିଁ ତଳେ ଶୋଇବି । ଆଉ କ’ଣ ଭାବିବାକୁ ଦଉଚିନ୍ତି ସେ, ଏକାବେଳକେ କୁଣ୍ଢେଇ ନେଇ ଶୁଣାଇଦେଲେ ଠିକ୍‌ ମଝିଟାରେ, ସେତିକି ତାଙ୍କର ଗେଲବସର ନାତୁଣୀଟିଏ । ଖୁଡ଼ୀ ଦେଖିଲି ଗୋଟାଏ ପକ୍‌କା ମାଇକିନିଆଁ ।

 

ସବୁ ଦେଖୁଥିଲେ....ହଠାତ୍‌ ଦୁଆରଟାକୁ ପକେଇ ଦେଇ ଛୁ । ଭିତରୁ ଯେତେ ଡାକିଲେ କ’ଣ ଆଉ ଶୁଣୁଚନ୍ତି ? ବାହାରେ କିଳିଣୀ ବନ୍ଦ । ଭିତରେ ପରିତୋଷ ସହିତ ଏକବାରେ ଝଗଡ଼ା । କିନ୍ତୁ ହାରିଗଲି ଲୋ ଭାଉଜ, ଏତେଦିନଯାଏଁ ଅପରାଜିତା ଥିଲି, ଏକା ଥରେ ଗୋଟିଏ କଥାରେ ଚୁପ୍‌ । ମୁଣ୍ତ ନଇଁଗଲା....ସବୁ ରାଗ ସବୁ ରୋଷ କୁଆଡ଼େ ଉଭେଇଗଲା । ଅନୁରାଗରେ ଭରପୂର ହୋଇଉଠିଲା ହୃଦୟଟା । କିଛି ସମୟ ପରେ ଖୁଡ଼ୀ ଦୁଆର ଫିଟେଇ ଭିତରକୁ ପଶିଆସିଲା ବେଳକୁ ଲାଜରେ ମୁଁ ଏକାବେଳକେ ଥରହର । କିନ୍ତୁ ଖୁଡ଼ୀ କ’ଣ କହିଲେ ଜାଣୁ ? ହଇହେ ରଂଜୁ ଏତିକିରେ ଭାଜିପଡ଼ିଲେ ହେବ ? ପିଲାଟା ସାଥିରେ ଖେଳୁଥିଲ ତ ଆଉ ତ କିଛି କରିନା ।’’

 

ଏତକ ହେଉଚି ରଂଜୁ ଯିବାର ପାଞ୍ଚମାସ ପରର କଥା । ଶୁଣିଲି ୟା ପରେ ପରିତୋଷ କୁଆଡ଼େ ଆସିବାକୁ ସାହସ କରି ପାରିଲାନି ସୋମନାଥ ମହାପାତ୍ରଙ୍କ ଘରକୁ । କେହି କିଛି ପଦେ ବି ତାକୁ କହି ନାହାନ୍ତି, ବରଂ ନିମନ୍ତ୍ରଣ ଯାଇଚି କେତେ ଥର ଖୁଡ଼ି ପାଖରୁ । କିନ୍ତୁ ପରିତୋଷର ନୈତିକତା ସେ ଦୁଆର ମାଡ଼ିବାକୁ ବାଟ ରୋକିଦିଏ । ସାହସ ପାଏନା । ଥରେ ଥରେ ଗାଡ଼ି ନେଇ ରଂଜୁ ଘର ପାଖ ପୋଖରୀରେ ବନସୀ ପକାଏ । ରଂଜୁ ହାତରୁ ଖସି ପୋଖରୀ ଭିତରେ ଯାଇ ପଡ଼େ । ମାଛ ବନସୀ କଂଟା ସହ ଖାଡ଼ିକି ବି ଝିଙ୍କି ନେଇ ଯାଆନ୍ତି । ରଂଜୁ ସେଇ ବମ୍ବେ ପାଟର୍ଣ୍ଣ ପଲଙ୍କର ସ୍ପ୍ରିଙ୍ଗ ଦିଆ ଗଦି ଉପରେ ଶୋଇ ଶୋଇ ପରିତୋଷକୁ ଅନୁଭବ କରେ । କ୍ରମଶଃ ଚିନ୍ତାଗ୍ରସ୍ତ ହୋଇ ପଡ଼େ ତାର ଛୋଟ ଅପରିପକ୍ୱ ମନଟା । ଫୁଲ ସେ, ସେ ଖାଲି ଚାହେଁ ଭ୍ରମର, ମହୁମାଛିର ଗୁଂଜନ ।

 

ସୋମନାଥ ମହାପାତ୍ରେ ଅଫିସ୍‌ କାମଦାମ, ବଜାର ଆଦିର କାମ ସାରି ଫେରି ଘରକୁ ଆସନ୍ତି ରାତି ଦଶରେ । ଘରକୁ ଆସି ଗଣ୍ତେ ଖାଇ, କେତୋଟି ଫାଇଲରେ ଆଖି ବୁଲେଇ ଦେଇ ଶୋଇବା ଛଡ଼ା ସେ କିଛି ଜାଣନ୍ତି ନାହିଁ । ଏଭଳି କି ତାଙ୍କର ସ୍ତ୍ରୀ ବୋଲି ଗୋଟାଏ ଜୀବ ଅଛି, ରଂଜୁ ବୋଲି ଗୋଟାଏ ଅବିବାହିତା ଭୁଆଷୁଣୀ ଝିଅ ଅଛି, ସେମାନଙ୍କ କଥା ବୁଝିବା ତାଙ୍କର କର୍ତ୍ତବ୍ୟନିଷ୍ଠ କାର୍ଯ୍ୟବ୍ୟସ୍ତ ମସ୍ତିସ୍କରେ କେବେ ପଶି ପାରେନା । ହଁ, ସେ ଏତିକି ଜାଣନ୍ତି, ପରିତୋଷ ବୋଲି ଗୋଟାଏ ଜବାନ୍‌ ଟୋକା ତାଙ୍କ ଘରକୁ ଯିବା ଆସିବା କରେ । ଥରେ ଅବାଧ ପ୍ରବେଶକୁ ବନ୍ଦ କରିବାକୁ ସେ ଚେଷ୍ଟା କରିଥିଲେ, କିନ୍ତୁ ସେ ଯେଉଁଦିନ ଶୁଣିଲେ ଯେ ତାଙ୍କର ସ୍ତ୍ରୀ ତାକୁ ଧରମ ଭାଇ କରିଚନ୍ତି ସେ ଦିନଠୁ ସେ ଚୁପ୍‌ । ଥରେ ଥରେ ପରିତୋଷ ପାଖରେ ବସି ତାଙ୍କ ସହିତ କଥାବାର୍ତ୍ତା କରେ, ଚରିତ୍ରବାତ୍ତା ବିଷୟରେ ଅନେକ କଥା କହେ । ସମାଜ ବିଷୟରେ ଚମତ୍କାର ବିଶ୍ଲେଷଣ କରି କହିଲାବେଳେ ସୋମନାଥ ମହାପାତ୍ରେ ଥରେ ଥରେ ଆଶୀର୍ବାଦ କରି କହନ୍ତି, ପରିତୋଷ ତୋର ଚରିତ୍ରବତ୍ତାରେ ମୁଁ ମୁଗ୍‌ଧ । ବାପା ତୋର ପଇସାବାଲା ହେଲେ କ’ଣ ହେଲା, ତୁ ଯେଉଁ ପନ୍ଥା ସ୍ଥିର କରିଚୁ ନା ସେଥିରେ ସମାଜର ଅଶେଷ ମଙ୍ଗଳ ହେବ, କଲ୍ୟାଣ ହେବ । ସମାଜ ତତେ ଓ ତୋ ଭଳି ଯୁବକକୁ ଚାହିଁ ରହିଚି ।

 

ଖୁଡ଼ି ସଲିଳାଦେବୀଙ୍କ ଅକୁଣ୍ଠ ସ୍ନେହ ସୋହାଗ ଓ ସହରର ବିଶିଷ୍ଠ ଜନପ୍ରିୟ ଅଫିସରଙ୍କର ଅପାର କରୁଣାରାଶିରେ ପରିତୋଷର ଅଭିଯାନ ଚାଲେ । ଗତ ପାଞ୍ଚଦିନ ତଳେ ରଂଜୁ ଭଳି କାଂଚନଜଙ୍ଘାକୁ ଜୟ କରି ଫେରିବା ପରେ ସେ ଟିକିଏ ମାନସିକ କ୍ଲାନ୍ତି ବୋଧ କରିଚି । ପରିତୋଷର ବିଶ୍ରାମ ଦରକାର । ବନ୍‌ସୀରେ ଏଡ଼େ ମାଛଟାଏ ଯେତେବେଳେ ପଡ଼ିଲାଣି, ଆଉ ଦରକାର କ’ଣ ? ବନସୀ କଣ୍ଟାଟାକୁ ଫୋପାଡ଼ି ଦେଇ, ଭସେଇ ଦେଇ, ଚାଲି ଆସିଲା ସେ ।

 

ପରିତୋଷ ସହିତ ବାଟରେ ଦେଖା ହୋଇଥିଲା ସମେଇ ମହାପାତ୍ରଙ୍କର । ପଚାରିଥିଲେ କିରେ ପରୀ ! ରାତିରେ ପୁଣି ମଟର ନାହିଁ କି ମଟର ସାଇକେଲ ନାଇଁ, ଇମିତି ତ କେବେ ଦେଖିନି। ଘରୁ ଫେରୁଚୁ ଟିକି ?

 

—ନାଇଁ ମ ଭାଇନା, ଯାଇଥିଲି ଟିକିଏ ବନସୀ ପକେଇବା ପାଇଁ । ଗାଡ଼ିଟା କେଇଦିନ ହେଲା ମରାମତି ଲାଗି ଗ୍ୟାରେଜରେ ।

 

—ରାତି, ପୁଣି ଏତେ ରାତିରେ ତୋର ମାଛଧରା ?

 

—କାହିଁକି ଜହ୍ନ ରାତି ତ ।

 

—ଜହ୍ନ ରାତିରେ କ’ଣ ବନସୀ କଣ୍ଟାରେ ମାଛ ଧରାପଡ଼ିଲା କି ନାହିଁ ଜଣାପଡ଼େ ?

 

—ସେଇଥିପାଇଁ ପରା ଖାଡ଼ିଟା ଫୋପାଡ଼ି ଦେଇ ଆସିଲି । ଆଜି ନାନୀଘର ଆଡ଼େ ଯାଇନି । ମନଟା କାହିଁକି କେଜାଣି ଭଲ ଲାଗୁନି ।

 

—ମନ ଭଲ ନ ଲାଗିଲେ ତ ତୁ ନାନୀ ଘରକୁ ଆସୁ । ତାହାହେଲେ ନିଶ୍ଚୟ ଯିବା କଥା-

 

—ଗଲେ ବଡ଼ ହଇରାଣ, ଏତେ ଖୁଆଇ ପିଆଇ ଛାଡ଼ୁଚି ଯେ ଏକାବେଳକେ ଅଜୀର୍ଣ୍ଣ ହୋଇ ଉଠୁଚି । ପେଟ ତ ପୁଣି ବିଶ୍ରାମ ଦରକାର କରୁଚି ।

 

ସମେଇ ମହାପାତ୍ରେ ଯେତେ ଉଦାସୀନ ସରଳ ଲୋକ ହେଲେ ବି ମୁଣ୍ତ ତ ଅଛି । ପରିତୋଷ ଯେତେଗୁଡ଼ାଏ କଥା କହିଗଲା, ସବୁ ଯେ ଡାହା ମିଛ ସେ ବେଶ୍‌ ମନେ ମନେ ଠଉରେଇ ନେଇ ପାରିଲା । ଗାଡ଼ି ଗ୍ୟାରେଜରେ ନାହିଁ, ଏକଥା ସେ ଭଲ ଭାବରେ ଜାଣନ୍ତି । ଏଥିଲାଗେ ସେ ଦେଖି ଆସିଚନ୍ତି, ବଜାର ଛକ ଉପରେ । ଆଗରେ ପରିତୋଷର ବାପା, ପଛରେ ମା’ ଆଉ ଛୋଟ ଭଉଣୀ । ଘରକୁ ଯାଇ ଦେଖିଲେ ରଂଜୁ ଚିଠି ଲେଖୁଚି । ଆର ଘରେ ଘରଣୀ ତାଙ୍କର ବିରାଟ ଆଇନାଟା ଆଗରେ ଠିଆ ହେଇ ନିଜର ପ୍ରୌଢ଼ତ୍ୱ ଭିତରୁ ଯୌବନର କଣିକାକୁ ଖୋଜୁଚନ୍ତି। ଠିକ୍‌ ପଛରୁ ଟିକିଏ ଦୂରରେ ଠିଆହୋଇ ଲକ୍ଷ୍ୟ ଲମ୍ବା କେଶଗୁଡ଼ାକ ଯେମିତି ଦୁଇଚାଖଣ୍ତ କମି ଆସିଲାଣି । ଆଉ ସୁକେଶୀ ନୁହଁନ୍ତି, ସେ ନିଃକେଶୀ । ସ୍ତ୍ରୀ ସଲୀଳାଙ୍କ ଲୀଳା ବେଶ୍‌ ଭଲ ଲାଗୁଚି ତାଙ୍କୁ । ସଲୀଳା କେତେବେଳେ ହସୁଚନ୍ତି, କେତେବେଳେ ମୁହଁ ଶୁଖି ଆସୁଚି । ବୟସକୁ କଷୁଚନ୍ତି ସେ, କଷନ୍ତୁ । ଗଳାଖଙ୍କାର ନାଇଁ, ହଇହେ ଆସିଲ ବୋଲି ସମ୍ବୋଧନ ନାହିଁ, ଖିଆପିଆ କେତେବେଳେ ହେବ ପଚରାଓଚରା ନାହିଁ । ଖାଲି ଦେଖିଲେ, ଉପଭୋଗ କଲେ, ଚାଲି ଆସିଲେ ।

 

ରଜୁଂକୁ ଆସି ପଚାରିଲେ, ପରିତୋଷ ଆସିଥିଲା ? ରଂଜୁ ନିଜକୁ ସଜାଡ଼ି ନେଇ କହିଲା, କାହିଁ ନାଁ’ତ ?

 

—କେତେଦିନ ହେଲା ଆସି ନାହିଁ ?

 

—ତିନି ଚାରି ଦିନ ହେଲା ।

 

ସ୍ପ୍ରିଙ୍ଗ୍‌ଦିଆ ବମ୍ବେ ପାଟର୍ଣ୍ଣ ଖଟଟା ଉପରେ ଏହି ପଚାରିବା ଭିତରେ ଆଖିକି ଖେଳେଇ ଦେଖିଥିଲେ, ଗୋଟିଏ ନୀଳ କାଗଜ ପ୍ୟାଡ଼, ସଭାଉପରେ ଚାରୋଟି ଳାଲ ଲାଲ ଛପା ବଙ୍କା ଅକ୍ଷର ‘ଲଭ୍‌’ ବୋଲି ଗୋଟିଏ ଶବ୍ଦ । ଇଂରେଜୀରେ ବନାନ ଯାହାର ଏଲ୍‌.ଓ.ଭି.ଇ. । ଠିକ୍‌ ତାର ତଳକୁ ଏଡ଼େ ଏଡ଼େ ଚାରିଟା ଅକ୍ଷର ‘‘ପରୀଭାଇ’’ । ଆରଗୁଡ଼ାକ ନିହାତି ଛୋଟ ଅକ୍ଷର । ଚଷମା ପିନ୍ଧାଳି ସମେଇ ମହାପାତ୍ରେ ଚେଷ୍ଟା କରିଥିଲେ ଅବଶ୍ୟ, କିନ୍ତୁ ପଢ଼ି ହୋଇ ନଥିଲା । ସେ ବେଶ୍‌ ବୁଝି ନେଇଥିଲେ ଏହି ଛୋଟ ଅକ୍ଷରର ବୁଦବୁଦିକିଆ ଗୁହା ଭିତରେ ସେଇ ଗୋଟିଏ ଶିକାରୀର ଶିକାର ଗପ ଛପି ରହିଥିବ । ଠଉରେଇ ନେବା ପରେ ବୁଝିବା କଷ୍ଟ ହୁଏନା । ଅଫିସର ଲୋକ, ଭଲଭାବରେ ଜାଣନ୍ତି । ପୁଲିସ ଏମିତି ଠଉରେଇ ନେଇ ହିଁ ଅସଲ ଆସାମୀକୁ ଧରେ । ମଣ୍ତଦିଆ ଲୁଗାଟାରୁ ମଣ୍ତ ବାହାରି ପତଳା ହୋଇ ଆସିଲା ଭଳି, ତାଙ୍କ ମନଟା ସେମିତି ପତଳା ହେଇ ଆସିଲା । ମନେ ମନେ ଧନ୍ୟବାଦ ଜଣେଇଲେ ସଲୀଳା ଦେବୀଙ୍କୁ, ନିଃଶ୍ୱାସ ମାଇଲେ । ମନେହେଲା ନିଃଶ୍ୱାସ ମାରିବ ଶବ୍ଦଟା ଯାଇ ଯେମିତି ରଂଜୁ କାନରେ ଧକ୍‌କା ଦେଲା । ସଲୀଳା ଦେବୀ ତାହାହେଲେ ରଂଜୁଟାକୁ ଗାଁ’ରୁ ଏଇଥିପାଇଁ ଝିଙ୍କି ଆଣିଥିଲେ । ସରକାରଙ୍କ ଏଡ଼େ ଏଡ଼େ ଯୋଜନା ଦେଖିଚନ୍ତି ସତ, କିନ୍ତୁ ଏମିତି ଆଶ୍ଚର୍ଯ୍ୟ ହୋଇନଥିଲେ କେବେ । ସେଥିରେ ତ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଚି, କିନ୍ତୁ ସଲୀଳା ଦେବୀଙ୍କ ଯୋଜନାରେ ତ କାହିଁ ପଇସେ ବି ଖର୍ଚ୍ଚ ହେଲାନି । ଅଥଚ ଏଡ଼େ ବଡ଼ ଗୋଟାଏ ପୋଲ ତିଆରି ହେଇଗଲା । ତାଙ୍କ ଘରଠୁ ପରିତୋଷ ଘର ପର୍ଯ୍ୟନ୍ତ ଏଡ଼େ ଗୋଟାଏ ବ୍ରିଜ୍‌ । ଏତେ କମ୍‌ ଦିନରେ ଶେଷ ହେଇଗଲା ଅଥଚ ସେ କିଛି ଜାଣି ପାରିଲେନି ।

 

ସମେଇ ମହାପାତ୍ରେ ରାତି ଏଗାରଟା ବେଳେ କଫି ଖାଆନ୍ତି । ଉଦ୍ଦେଶ୍ୟ ଆଉ କିଛି ନୁହେଁ, କିଛିଟା ରାତି ଅନିଦ୍ରା ହେଇ ଫାଇଲ ଦେଖିବା । ସେଦିନ ସଲୀଳା ଆଣି କଫି ଦେଲେନି, ରଂଜୁ ଆସି ଦେଇଗଲା । ରଂଜୁ ହାତରୁ କଫି ନେଉ ନେଉ ସମେଇ ମହାପାତ୍ରେ ରଂଜୁ ମୁହଁ ଆଡ଼ିକି ଚାହିଁଲେ । ସୀମନ୍ତ ଦେହରେ ମନେହେଲା ଗୋଟାଏ ଗାଢ଼ ସିନ୍ଦୂର ଗାର । କିନ୍ତୁ ରଂଜୁ ଏତେ ଲାଜ କରୁଚି କାହିଁକି ? କେବେ ତ ଲାଜ କରେନା । ବ୍ରାହ୍ମଣ ଶାସନର ଏକମାତ୍ର ଅବିବାହିତା ବଡ଼ କନ୍ୟା ସେ । ଗର୍ବ ତ କରିବାର କଥା, ପରିତୋଷକୁ ସେ ପସନ୍ଦ କରିଚି, ପରିତୋଷ ଯଦି ତାକୁ ପସନ୍ଦ କରିଥାଏ ତେବେ ତ ଆନନ୍ଦର କଥା ।

 

କିନ୍ତୁ ଚିନ୍ତାଧାରା ଅଟକି ଗଲା ସମେି ମହାପାତ୍ରଙ୍କର । ସେଦିନ ହଠାତ୍‌ ପରିତୋଷକୁ ଡାକ୍ତରଖାନାକୁ ଆମ୍ବୁଲାନ୍‌ସରେ ବୁହାହୋଇ ନିଆଗଲା କାହିଁକି ? ଯଦିବା ଗଲା, ଅବସ୍ଥା ସାଙ୍ଘାତିକ ବୋଲି ସମସ୍ତେ କହିଲେ, ତଥାପି ତା ଆରଦିନ ତ ପରିତୋଷକୁ ସେ ତାଙ୍କରି ଘରେ ଦେଖିଲେ, ବେଶ୍‌ ସୁସ୍ଥ । ଗତ ଦିନ ସେ ଅସୁସ୍ଥ ହୋଇ ଡାକ୍ତରଖାନାକୁ ବୁହା ହୋଇଯାଇଥିବା ଭଳି କୌଣସି ରୋଗର ଲକ୍ଷଣ ତ ତା ଦେହରେ ଦେଖାଗଲାନି । ତାହାହେଲେ କ’ଣ ଆଉ କିଏ ପରିତୋଷ ? ହେଇଥିବ, ଛାଡ଼ ସେ କଥା । ଯାହାହେଉ ଭାଇନାଙ୍କୁ ଖବରଟା ଦେଲେ ବଡ଼ ଖୁସି ହେଇଯିବେ । ଜାଣେ ପରା, ରଂଜୁପାଇଁ ପାତ୍ର ଖୋଜିବା ଭାଇନାଙ୍କ ହାତରେ ଆଦୌ ହେଇ ପାରିବନି । ଯୌତୁକ ଦେବାକୁ ପଡ଼ିବ ବୋଲି ତାଙ୍କର ମୁଣ୍ତ ପାଗଳ । ଦେବାକୁ ସିନା ପଡ଼ିଥଆନ୍ତା, ନିଅନ୍ତୁ ଏଥର ଯୌତୁକ କେତେ ନେବେ ।

 

ଇଚ୍ଛା ହେଲା, ସଲୀଳାଙ୍କ ତପସ୍ୟା ଭଙ୍ଗକରି ଏହିକ୍ଷଣି ଯାଇ ବଧେଇ ଜଣେଇ ଆସନ୍ତେ-। କିନ୍ତୁ ଯୋଜନା ଯଦି ତାଙ୍କର ଅଧପନ୍ତରିଆ ଅବସ୍ଥାରେ ଥାଏ, ସେ ଯାଇ ବିଧାଦିଅନ୍ତି, ତାହାହେଲେ ତ କିଛି ଭଲ ହେବ ନାହିଁ । ବାଧା ତ କେବେ ଦେଇ ନାହାଁନ୍ତି, ଏବେ ବା କାହିଁକି ଦେବେ ? ପରିତୋଷ ଯେଉଁଦିନ ପ୍ରଥମକରି ତାଙ୍କ ଘରକୁ ଆସିଲା, ସେ ଦିନ ତ ସଲୀଳାଙ୍କ ଅପେକ୍ଷା ସେ ତ ଥିଲେ ଅଧିକ ଉତ୍ସାହୀ । ସ୍ନେହସ୍ନିଗ୍‌ଧ ଭାଷାରେ ସଂଭାଷଣ ଜଣାଇଥିଲେ ପରିତୋଷକୁ । କିନ୍ତୁ ସେତେବେଳେ ଥିଲା ନିହାତି ପିଲାଟାଏ । ଫୁଲ୍‌ପ୍ୟାଣ୍ଟ୍‌ ବି ପିନ୍ଧି ନ ଥିଲା-। ମୁହଁରୁ କଥାପଦେ ବି ବାହାରୁ ନଥିଲା, ସେଇଥିପାଇଁ ତ ସଲୀଳା ଦେବୀ ଏକାବେଳକେ ଭାଇ କରି ନେଇଥିଲେ । ପରିତୋଷଟା କୁଆଡ଼େ ଦେଖିବାକୁ ସଲୀଳା ଦେବୀଙ୍କ ସାନଭାଇ ରମେଶ ଭଳି-

 

ରଂଜୁ ଖାଲି ଥୋଇଦେଇ ଗଲା ସିନା, ଏଇ ଚିନ୍ତାରେ ଆଉ ତାଙ୍କର ମନେ ପଡ଼ିଲାନି କଫି ପିଇବାକୁ । ଥଣ୍ତା ହେଇ ଆସିଲାଣି...ଘଡ଼ିରେ ଘଣ୍ଟା କଣ୍ଟାଟା ଆଉ ପନ୍ଦର ମିନିଟ ବାଦ୍‌ ବାରାଟାକୁ ଛୁଇଁବ । ଓ୍ୟାଲକ୍ଲକ୍‌ର ସେଇ ଆଲାରାମ ସାଙ୍କେତିକ ବେଲ୍‌ଟା ସେମିତି ଦୋହଲୁଚି । ଏଇକ୍ଷଣି ବାଜି ଉଠିବ ।

 

ରଂଜୁ ଆସି ପଚାରିଲା, କକେଇ କଫି ଥଣ୍ତା ହେଇଯିବଣି, ତତେଇ ଦେଇ ଆଣିବି ?

 

ରଂଜନାକୁ ପୁଣି ଥରେ ଦେଖିନେଲେ ସମେଇ ମହାପାତ୍ରେ । ରାତି ଯେତିକି ବଢ଼ି ବଢ଼ି ଚାଲିଚି, ରଂଜୁର ଦେହଟା ସେତିକି ଆଲୋକିତ ହୋଇ ଉଠୁଚି । (ରଂଜୁକୁ ଦେଖି ହଠାତ୍‌ କାହିଁକି କେଜାଣି ସଲୀଳାଙ୍କ କଥା ମନେ ପଡ଼ିଗଲା । କେବେ ଏମିତି ଅତର୍କିତ ଭାବରେ ମନେ ପଡ଼ିନଥିଲା ତାଙ୍କର ।) ପଚାରିଲେ, ଖୁଡ଼ୀ ?

 

ଜାଣେନାଁ !

 

ରାତି ବାର ହେଲାଣି, ଖୁଡ଼ୀ କୁଆଡ଼େ ଯାଇଚି, ଅଥଚ ତୁ ଜାଣୁନା !

 

—ଖୁଡ଼ୀ ମତେ ତ ଜଣେଇ ଯାଇ ନାହାନ୍ତି । ରଂଜୁର ଧାରଣା ସେକେଣ୍ତ୍‌ ସୋ ସିନେମା ଯାଇଥିବେ, ନଇଲେ ପଡ଼ିଶା ଘରେ ଖୁଡ଼ି ମିସ୍‌ ରତ୍ନାଙ୍କ ସାଥିରେ ତାସ୍‌ ଖେଳୁଥିବେ । ଖୁଡ଼ୀଙ୍କର ରାତି ବାରାଟା ଗୋଟାକରେ ଫେରିବା ତ ତାଙ୍କ ପକ୍ଷରେ ନୂଆ ନୁହେଁ । କକେଇଙ୍କ ପକ୍ଷରେ ନୂଆ-

 

ପ୍ରକୃତରେ ସମେଇ ମହାପାତ୍ରଙ୍କ ଜାଣିବା ଭିତରେ ନିଶ୍ଚୟ ନୂଆ । ସେ କେବେ ଜାଣିବା ପାଇଁ ଚେଷ୍ଟା କରିନାହାଁନ୍ତି । କେବଳ ସକାଳୁ ଉଠି ଦେଖନ୍ତି ସଲୀଳା ଶୋଇଚି । ଥରେ ଥରେ ସକାଳେ ବି ତାଙ୍କର ଦେଖା ମିଳେନି । ଭାବନ୍ତି, ହୁଏତ ବଡ଼ିଭୋରୁ ଉଠି ସଲୀଳା ବେଡ୍‍ ଟି ପାଇଁ ପ୍ରସ୍ତୁତ ହେବାଲାଗି ରୋଷେଇ ଘରକୁ ଯାଆନ୍ତି । ସେଦିନ ସେମିତି ରାତି ଉଜାଗର ରହିଲେ ସମେଇ ମହାପାତ୍ରେ ଜାଗ୍ରତ ପ୍ରହରୀ ଭଳି । ରାତି ପାହିଗଲା । କୁକୁଡ଼ା ରାବିଲେ, ଫସର ଫାଟିଲା, ସୂର୍ଯ୍ୟ ଉଇଁଲା, କିନ୍ତୁ ସଲୀଳା ଶୋଇବା ଘରକୁ ଆସିଲେ ନି ।

 

ମନ ବ୍ୟସ୍ତରେ ସମେଇ ମହାପାତ୍ରେ ଆର ଘରକୁ (ଯେଉଁ ଘରେ ସଲୀଳା ଦେବୀ ବେଶଭୂଷା ହୁଅନ୍ତି) ପଶି ଆସିଲାବେଳକୁ ଦେଖିଲେ ସଲୀଳା ଠିଆ ହୋଇଚନ୍ତି ସେହି ଲମ୍ବା ଚଉଡ଼ା ଅଇନାଟା ଆଗରେ । ଗତକାଲି ଅଫିସରୁ ଆସିବା ବେଳେ ତାଙ୍କୁ ଦେଖିଥିଲେ ଠିକ୍‌ ଏଇମିତିକା ଭଙ୍ଗୀରେ । ପୁଣି ଥରେ ମୁଣ୍ତ ସଜଡ଼ା ଚାଲିଚି ଅନ୍ୟ ଏକ ଅଭିଯାନରେ ବାହାରିବା ପାଇଁ ।

 

ସଶଙ୍କ ସ୍ୱରରେ ସମେଇ ମହାପାତ୍ରେ ପଚାରିଲେ, ସଲୀଳା କାଲି ରାତିରେ କୁଉଠି ଥିଲ-?

 

ରିହର୍ସାଲ ଚାଲିଥିଲା, ରାତି ପାହିଗଲା, ସରିଲାନି । ଆଜି ବି ବାରଟାଠୁ ଚାଲିବ ।

 

କୋଉ ରିହର୍ସାଲ ?

 

ପରିତୋଷ ହେରିକା ଗୋଟାଏ ଭେରାଇଟି ସୋ କରୁଛନ୍ତି ।

 

ତୁମେ ସେଥିରେ କ’ଣ ?

 

ମ୍ୟୁଜିକ୍‌ ଡାଇରେକ୍ଟର ।

 

କେବେ ?

 

ଆଉ ମାସକ ପରେ ।

 

କ’ଣ ସେଥିରେ ଡ୍ରାମା ଅଛି ।

 

ଡ୍ରାମା, ନୃତ୍ୟ, ଗୀତ, ଫାନ୍‌ସି ଡ୍ରେସ୍ ।

 

କ’ଣ ଫୁଲଲେଂଗ୍‌ଥ ଡ୍ରାମା ?

 

ନାଁ, ଗୋଟାଏ ଏକାଙ୍କିକା, ଗୋଟିଏ ମାତ୍ର ସେଟ, ମାତ୍ର ଚାରୋଟି ଚରିତ୍ର ।

 

ଫିମେଲ କ୍ୟାରେକ୍ଟର ?

 

ତିନୋଟି ଫିମେଲ, ଗୋଟିଏ ମେଲ ।

 

ହୀରୋ କିଏ ?

 

ପରିତୋଷ ।

 

ହିରୋଇନ୍‌ ?

 

ଭାରି ହସ ଲାଗିଲା ସଲୀଳାଙ୍କୁ । ହର୍ଷୋତ୍‌ଫୁଲ୍ଲ ହୋଇ କହିଲେ, କ’ଣ କରିବି, ନୀମା, ଇନ୍ଦିରା, ଶିବାନୀ ସମସ୍ତେ ଧରି କହିଲେ, ଭାଉଜ ତୁମକୁ ଯେମିତି ସାଜିବନା ! ବହୁତ ମନା କଲି ହେଲାନି । ହେଲା, ପରିତୋଷଟା ତ ଭାଇ ହେବ । ତା ସାଙ୍ଗରେ ହିରୋଇନ୍‌ ହେବାକୁ ସଙ୍କୋଚ ବୋଧ କରିବି କାହିଁ କି ? ହଁ କରି ଦେଲି । ଏବେ ନାହିଁ, ଆଉ ଦି ଚାରି ଦିନ ଯାଉ, ଯିବ ଦେଖିବ, ଖୁବ୍‌ ପସନ୍ଦ ହେବ । ଡ୍ରାମାଟା ଭାରି ହିଉମରସ୍‌ । ହସି ହସି ତୁମ ପେଟ ଫାଟିଯିବ । ଡାଏଲଗ୍‌ ଗୁଡ଼ାକ ଚମତ୍କାର ।

 

ସମେଇ ମହାପାତ୍ରଙ୍କ ଭିତରଟା ଡହ ଡହ ହୋଇ ଜଳି ଉଠୁଥାଏ, କିନ୍ତୁ ରୂପସୀ କାନ୍ତା ସଲୀଳାଙ୍କ ମୁହଁରେ କଟୂ ଭାଷା କହି ଧିକ୍‌କାର କରିବା ଭଳି ସାହସ ହେଲାନି । ମାତ୍ର ଟିକିଏ ବୁଲେଇ କରି କହିଲେ, ଆଚ୍ଛା ସଲୀଳା, ପରିତୋଷ ସାଙ୍ଗକୁ ତୁମେ ଟିକିଏ ବୟସରେ ବଡ଼ ହେଇଯିବ । ସାଜିବନି । ରଂଜୁକୁ ନେଇ ଠିଆ କରାଇଲେ କିମିତି ହୁଅନ୍ତା ?

 

ରଂଜୁଟା ଏକାବେଳେକେ ଅନ୍‌ଫିଟ୍‌ ! ଖାଲି ତ ରୂପ ଥିଲେ ହେବନି । ଫୁର୍ତ୍ତି ଦରକାର । ଇଏ ଯୋଉ ଲାଜୁକୁଳି ନା, ପରିତୋଷର ଦିହକୁ ଦିହ ବାଜିଲେ ଏକାବେଳେକେ ଆଖିରୁ ଲୁହ ଝର ଝର ବହି ଆସିବ । ଡ୍ରାମାରେ ଏମିତି କେଇଟା ଦୃଶ୍ୟ ଅଛି ଯେଉଁଥିରେ ହୀରୋ ହୀରୋଇନକୁ କୋଳରେ ଶୁଆଇ ସାନ୍ତ୍ୱନା ଦେବ, ବୁଝେଇବ । ଏହି ଗୁଡ଼ିକ ରଂଜୁ ଦେଇ କ’ଣ ହେବ, କହିଲ ?

 

ସମେଇ ମହାପାତ୍ରେ ଚୁପ୍‌ ରହିଲେ କିଛିକ୍ଷଣ, ତାପରେ ପଚାରିଲେ, ରିହର୍ସାଲରେ ରାତିଟି ତ ପାହିଲା । ଏବେ ପୁଣି କୁଆଡ଼େ ?

 

ଚାନ୍ଦା ମାଗିବା ପାଇଁ ।

 

ଡ୍ରାମାର ହୀରୋଇନ୍‌, ମ୍ୟୁଜିକ୍‌ ଡାଇରେକ୍ଟର, ତା ସାଙ୍ଗକୁ ପୁଣି ଚାନ୍ଦାମଗା ପାର୍ଟ ?

 

ବୁଝିପାରୁନ । ପରିତୋଷ କହିଛି, ନେକ୍‌ଷ୍ଟ ଚାନ୍‌ସଟା ମୋର । କଳାନିକେତନର ପ୍ରେସିଡ଼େଣ୍ଟ । କେତେ ବଡ଼ ପଦ ଜାଣ ? ତୁମେ ସିନା ଖାଲି ଫାଇଲ୍‌ ଆଉ କିରାଣୀଙ୍କ କଥା ଜାଣ-। ଆଚ୍ଛା କେତେ ଜଣ ତୁମକୁ ଜାଣନ୍ତି କହିଲ ? କିନ୍ତୁ କଳାନିକେତନର ବର୍ଷେ ପ୍ରେସିଡ଼େଣ୍ଟ ହେବା ଅର୍ଥ ଏମ୍‌.ଏଲ.ଏ. ପାଇଁ ଠିଆ ହେଲେ ବି ଭୋଟ ଆସି ଅଜାଡ଼ି ହୋଇପଡ଼ିବ ତୁମ ପାଖରେ-। ଜନପ୍ରିୟତା—ତୁମ ଇଂରେଜୀ ପାଠରେ ଯାହାକୁ କହନ୍ତି ପପୁଲାରିଟି କ’ଣ ଜାଣ ? କେବେ ଚାଖିଚନା ପାଇଚ ଯେ ଜାଣିବ ? ନହେଲେ, ପାଞ୍ଚବର୍ଷ ହୋଇଗଲା, ତୁମ ପାହ୍ୟାର କେତେ କୁଆଡ଼େ ସେକ୍ରେଟାରୀ ପଦକୁ ଉଠିଲେଣି । ତୁମେ ସେହି ଫାଷ୍ଟକ୍ଲାସ୍‍ ମାଜିଷ୍ଟ୍ରେଟ ପାହ୍ୟାକୁ ଧରି ବସିଥାଅ ? ତୁମ ଦେଇ ତ ପ୍ରମୋସନଟା ହେଲାନି । ସ୍ତ୍ରୀ ଦେଇ ହେଇ ପାରୁଚି କି ନାହିଁ ଦେଖ-। ବାହାରେ ବନ୍ଧୁ ପରିବାର ଆତ୍ମୀୟ ସ୍ୱଜନ ମହଲରେ ଟିକିଏ ବଦନାମୀ ହେବ, ହେଉ । ସେତକ ସହିନେଲେ ଗଲା ।

 

ସମେଇ ମହାପାତ୍ରେ ଦେଖିଲେ, ସେହି କାଳର ଗୋଟିଏ ବାସର ରାତିରେ ସଲୀଳା ଆଜି ପାଲଟିଯାଇଚନ୍ତି କୋଟିଏ ବାସର ରାତିର ସଲୀଳା । ଖେଳାଲୋଳା ଖଞ୍ଜନାକ୍ଷୀରେ ଆଉ ସେ କଜଳର ଗାର ନାହିଁ, ସେହି ବେଣୀ ବା କୂଡ଼ା ନାହିଁ । ସେ ସବୁ ପାଲଟି ଯାଇଚି ଏକାବେଳେକେ ଆଧୁନିକ ସଂସ୍କୃତ ସଭ୍ୟ ଭାଷାର କବରୀ । ଚକିଭଳି କ’ଣ ଗୋଟାଏ, ତାରି ଚାରିପାଖରେ ସେହି ଯୋଡ଼ା ହୋଇ ବାଳ ଗୁଡ଼ାକ ଗୁଡ଼େଇ ଏକ ନୂତନ ରୂପ ଧରିଚି । ୟାକୁଇ କହନ୍ତି ହେୟାର ଡ୍ରେସିଂ, ହେୟାର ମେକଅପ୍‌ । ତାରି ଚାରିପାଖ ଗୁଡ଼େଇ ହେଇ ରହିଚି ସେହି ମୁଣ୍ତର ବାଳ ଗୁଡ଼ାକ । ୟାକୁଇ କହନ୍ତି, ‘‘ଡୋନେଟ୍‌’’ ଖୋସା ବା ରିଙ୍ଗ୍‌ ଖୋସା । ଡ୍ରେସିଂ ଟେବୁଲ ଉପରେ ପ୍ରସାଧାନର କେତେକ ସାମଗ୍ରୀ । ଫିଗର ଏଇଟ୍‌ ଖୋସା ବାନ୍ଧିବା ଲାଗି କେତେ ହେୟାର ପିନ୍‌ । ଓଠ ଲାଲି କରିବା ଲିପିଷ୍ଟିକ୍‌, ଗାଲକୁ ନାଲି ଓ ଚିକ୍‌ଚିକ୍‌ କରିବାଲାଗି ରୋଜ ପାଉଡ଼ର । ବିଉଟି ସ୍ପଟ୍‌ କାଢ଼ିବାଲାଗି କଳାରଙ୍ଗର ଛୋଟ ଗୋଟିଏ ଡିବା । ସ୍ନୋ, ପାଉଡ଼ର କ୍ରିମ୍‌, କ୍ୱଟେକ୍‌ସ କେତେ ନା କ’ଣ ।

 

ସମେଇ ମହାପାତ୍ରେ ଦେଖି ଅବାକ୍‌ ! ବଡ଼ କୌତୁକବୋଧ ହେଲା ତାଙ୍କୁ । ଏଇଟା ଫେରେ ଗୋଟାଏ କ’ଣ ? ଦେଖି ତ ନଥିଲେ, ଇଂରେଜୀ ଉପନ୍ୟାସରେ ପଢ଼ିଥିଲେ । ଓଃ ୟାରି ନାଁ ତାହାହେଲେ ଲିପ୍‌ଷ୍ଟିକ୍‌ ! ୟାକୁଇ ଘଷିଲେ କଳା ଧଳା ଓଠ ଲାଲି ହୁଏ ନା ! କିନ୍ତୁ ସଲୀଳା ତ ଥିଲା ନିହାତି ମଫସଲିଆଣୀ । ସେହି କୋଇଲି ଗୋପୀଭାଷା, ରାମାୟଣର ସଲୀଳା, ଏତେଗୁଡ଼ାଏ କଥା ଜାଣିଲା କିମିତି, ଶିଖିଲା କୁଉଠୁ ! କାହିଁକି ପଡ଼ିଶା ଘର ଏସ୍‌.ପି.ଙ୍କ ସ୍ତ୍ରୀ ତ ଏସବୁର କିଛି ଧାରା ଧରନ୍ତିନି । ତାଙ୍କ ଝିଅ ଅଳକା ତ ଭାରି ସରଳ, ନିରାଡ଼ମ୍ବର । ସେ ଭାବିଥିଲେ ସଲୀଳା କେବଳ ତାଙ୍କରି ଘରକୁ ଯାଏ । ସିଲେଇ ଫିଲେଇ ଶିଖେ । କିନ୍ତୁ ଘରେ ତ ଖଣ୍ତିଏ ବୋଲି ସିଲେଇର ନମୁନା ନାହିଁ । କୋଇଲି, ଗୋପୀଭାଷାର ସଲୀଳା କିନ୍ତୁ ଆଜି ତ ଏମିଲ ଜୋଲାଙ୍କ ପୂରାପୂରୀ ‘‘ନାନା’’ ପାଲଟି ଯାଇଚି । ହେଇ ଟିକକ ତଳେ ମୁହଁ ବୁଲେଇ କଥା ହେଉଥିଲାବେଳେ ମୁହଁର ସେ ଛୋଟ ଛୋଟ ବସନ୍ତ ଦାଗ ଗୁଡ଼ାକ ଏକାବେଳକେ ଫୁଟି ଦେଖାଯାଉଥିଲା ବାହାରକୁ । କାହିଁ ସେ ସବୁ ତ କୁଆଡ଼େ ଲୁଚିଗଲାଣି । ସ୍ନୋ ପାଉଡ଼ରର କି ମହିମା ସତେ ! ହାୟରେ ଯୁଗ ! ହାୟରେ ସଭ୍ୟତା ! ପିନ୍ଧିଥିବା ଫୁଲପ୍ୟାଣ୍ଟ୍‌, ଫୁଲ୍‌ ସୁଜକୁ ଥରେ ଚାହିଁ ଭାବିଲେ, ଯଦି ସଲୀଳା ଏଇକ୍ଷଣି ବି ସୁଜ୍‌ ପିନ୍ଧିବ, ହଳେ କରିଦିଅ ବୋଲି କହେ, ତାହାହେଲେ ତ ଆଶ୍ଚର୍ଯ୍ୟ ହେବାର କିଛି ନଥିବ । ମନେ ମନେ ମାପିନେଲେ ସଲୀଳାର ଦେହଟାକୁ । ଠିକ୍‌ ତାଙ୍କରି ଭଳି ଲମ୍ବା ଚଉଡ଼ା ଦେହଟା । ଯଦି ଦରକାର ପଡ଼େ, ତାଙ୍କର ତ ପାଞ୍ଚ ଛ ହଳ ଅଛି ପିନ୍ଧି ଯିବେ । କିନ୍ତୁ ଯଦି ସିଗାରେଟ ମାଗନ୍ତୁ, ତାହାହେଲେ..... । ଏକ ବିରକ୍ତିର ହସ ଫୁଠିଉଠିଲା ତାଙ୍କ ଓଠ ଦିହରେ ।

 

ସଲୀଳା ମୁହଁକୁ ବୁଲେଇ ଦେଖିଲେ, ତାଙ୍କ ଅଫିସର୍‌ ହଜବେଣ୍ତ୍‌ ଅନାବଶ୍ୟକ ଭାବରେ ଖୁବ୍‌ ହସୁଚନ୍ତି । ଠିକ୍‌ ଏମିତି ହସିଥିଲେ ପରିତୋଷ କାଲି ରାତିରେ ଡ୍ରାମାରେ ଡାଏଲଗ୍‌ଟା କହିଲାବେଳେ । ତେଣୁ ସଲୀଳାଙ୍କ ମନେ ହେଲା ସେ ଯେମିତି ଡ୍ରାମାରେ ଅଭିନୟ କରୁଚନ୍ତି । ଆଗରେ ହିରୋ । ମୁଖସ୍ଥ ଡାଏଲଗ୍‌ (ଯେଉଁ ଡାଏଲଗ ପରିତୋଷର ଏହି ଅନାବଶ୍ୟକ ହସ ପରେ କହିବା କଥା) ବାହାରି ଆସିଲା ସଲୀଳାଙ୍କ ମୁହଁରୁ.....

 

‘‘ମତେ ଥଟ୍ଟା କରୁଚ ସୁନନ୍ଦ !’’

 

ସମେଇ ମହାପାତ୍ରେ ମନେ ମନେ ଲଜ୍ଜିତ ହୋଇ ଭାବିଲେ, ହସିବାଟା ତାଙ୍କର ତାହାହେଲେ ଗୋଟାଏ ମସ୍ତବଡ଼ ଦୋଷ । କିଛି ଉପାୟ ନ ଦେଖି ହଠାତ୍‌ କଳ୍ପନା କରିନେଲେ ଉତ୍ତରଟା, ନାଇଁ ହସୁନି ଯେ, ଲିପିଷ୍ଟିକ ଲାଳିବୋଳାଟା ଟିକିଏ କମ ହେଇଗଲା । ସେଦିନ ତ ଡିନର ପାର୍ଟିରେ ଦେଖିଥିଲି, ମେଜର ସାମନ୍ତରାୟଙ୍କ ମେମ୍‌ ସେହେବାଣୀଙ୍କ ଓଠ ଦିଇଟା ଏକାବେଳକେ ଗାଢ଼ଲାଲ ଦେଖାଯାଉଥିଲା, ଏଇଟା କାହିଁକି ଟିକିଏ ଫିକା ଦେଖାଯାଉଚି ।

 

ସଲୀଳା ଏଥର ପ୍ରକୃତିସ୍ଥ ହୋଇ ସାରିଚନ୍ତି । କାହିଁ ଆଗରେ ତ ପରିତୋଷ ଭଳି ହୀରୋ ନାହିଁ । ମୁଖସ୍ଥ ଡାଏଲଗ ଭୁଲ ସ୍ଥାନରେ ପ୍ରୟୋଗ ହୋଇଗଲା ନା ! କଥାକୁ ବଙ୍କେଇ ନେଇ ସଲୀଳା କହିଲେ, ଡିନର ତ ରାତିରେ ହୁଏ, ଖୁବ୍‍ ଲାଇଟ ଫୋକସ୍‌ ପଡ଼ୁଥିବ, ସେଇଥିପାଇଁ ମିସ୍‌ ସାମନ୍ତରାୟଙ୍କ ଓଠ ତମକୁ ଲାଲ ଦେଖାଯାଉଥିଲା । ସେଦିନ ଡ୍ରାମାବେଳେ ଦେଖିବ, ଏହି ଫିକା ରଙ୍ଗଟା କିମିତି ଲାଲ ଦେଖାଯିବ ।

 

ସମେଇ ମହାପାତ୍ରେ କିଛି ନକହି ଫେରି ଆସିଲେ ପ୍ରସାଧନର ଅପ୍ରଶସ୍ତ ଗୃହରୁ । ଲକ୍ଷ୍ୟ କଲେ ସଭ୍ୟତାର ବୀଜାଣୁଗୁଡ଼ାକ ଦେହଯାକ ସାଲୁସାଲୁ ହୋଇ ବୁଲୁଚନ୍ତି ସଲୀଳା ଦେହରେ-। ‘ଦୋଷ’ ଗୋଟାଏ ଅଭିଧାନର ଅତି କଦର୍ଯ୍ୟ କୁତ୍ସିତ ଶବ୍ଦ । କିନ୍ତୁ ସଲୀଳା ସେ ଦୋଷଠୁ ବଳି ଆହୁରି ଆହୁରି ଦୂଷିତ । ଏହି ଦୁଷ୍ଟି ବୀଜାଣୁ ଦେହରେ ପୁଣି ଥାଏ ସୌରଭ, କୌସ୍ତୁଭ, କସ୍ତୁରୀ-! ଏହି ବୀଜାଣୁ ବଳରେ ସଲୀଳା ଆଣିବ ତାଙ୍କର ଚାକିରି ପ୍ରମୋସନର ଦୌଲତ ! ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟ ପଦରୁ ବିନା ପରୀକ୍ଷାରେ ବିନା ଇଣ୍ଟରଭ୍ୟୁରେ ସେ ପୁଣି ହେବେ ଆଇ.ଏ.ଏସ. ଅଫିସର, ବିଭାଗୀୟ ସେକ୍ରେଟାରୀ । ଦରମା ବଢ଼ି ବଢ଼ି ଯିବ ହଜାରରୁ ପନ୍ଦରଶ, ପନ୍ଦରଶହରୁ ଦୁଇହଜାର ପର୍ଯ୍ୟନ୍ତ । କୋଠା ତୋଳିବେ, ମଟର କରିବେ । କିନ୍ତୁ ସଲୀଳାଙ୍କ ଅନନ୍ତ ପୀପାସାର ଅନ୍ତ କେବେ ?

 

ଟିକିକ ପରେ ମଟରର ଆବାଜ୍ ଆସି ତାଙ୍କ କାନରେ ପଡ଼ିଲା । ଝରକା ଖୋଲି ଦେଖିଲେ, ତାଙ୍କରି ଦୁଆରୁ ଗୋଟାଏ ମଟର ଛୁଟିଗଲା । କେହି ନାହାଁନ୍ତି, ଆଗରେ ଜଣେ ସୁଦର୍ଶନ ଯୁବକ, ପାଖକୁ ଲାଗି ବସିଚନ୍ତି ସଲୀଳା ଦେବୀ, ତାଙ୍କର ଅର୍ଦ୍ଧାଙ୍ଗିନୀ, ସହଧର୍ମିଣୀ । ବୋଧ କଲେ, ଆଜିଠୁ ତାଙ୍କର ଦେହର ଅଦେ ଅଂଶ ହଠାତ୍‌ ତୀକ୍ଷ୍‌ଣଧାର ଛୁରୀରେ କିଏ ଯେମିତି କାଟି ନେଇଗଲା । ଗଲା ବର୍ଷେ ହେଲା ସେ ସଲୀଳାଙ୍କ ଅଙ୍ଗକୁ କେବେ ସ୍ପର୍ଶ କରି ନାହାଁନ୍ତି ସତ; ମାତ୍ର ପ୍ରତ୍ୟେକ ମୁହୂର୍ତ୍ତରେ ଅନୁଭବ କରୁଥିଲେ ଦୁଇଟା ଦେହ ତାଙ୍କ ଦେହରେ ଯୋଡ଼ି ହୋଇ ରହିଚି, ସେ ପୂର୍ଣ୍ଣାଙ୍ଗ । କିନ୍ତୁ ଆଜି ସେ ପୂରାପୂରି ବିକଳାଙ୍ଗ ।

 

ଦନି ଦଶଟା ବାଜିଲା । ରଂଜନା ଆସି ଡାକିଲା, କକେଇ ବେଳ ହେଇଗଲାଣି, ଖାଇବନି !

 

ଆଜି ଭୋକ ନାହିଁ କହି ରଂଜୁକୁ ଚାହିଁଲେ ସମେଇ ମହାପାତ୍ରେ । କାଲି ରାତିର ରଂଜୁ ଆଜି ଏକାବେଳକେ ଶ୍ରୀହୀନା । ମନେ ହେଲା ସେ ଯେମିତି ଭୋକିଲା ରହିଚି ବହୁଦିନ ଧରି । କାଲି ଯେଉଁ ସୀମନ୍ତକୁ ଦେଖି ମନେ କରିଥିଲେ ମଝିରେ ଗୋଟାଏ ସିନ୍ଦୂରଗାର, ଆଜି ବିଲକୁଲ ଫାଙ୍କା । କିଛି ନାହିଁ । ଆହା ବିଚାରୀ ରଂଜୁ ! ତା ଦେହରେ ଯେମିତି ହଠାତ୍‌ ମଳୟ ବାଜି, ହଠାତ୍‌ ଚାଲିଯାଇଚି । ଆସିଯାଇଚି ନିଦାଘ, ଗୋଟାଏ ଶୁଷ୍କ ଗ୍ରୀଷ୍ମ ଋତୁ । ଗୋଟାଏ ଜୀବନରେ ପଲ୍ଲବ ଦେଖାଦେଲା, ହଠାତ୍‌ କରି ଝଡ଼ିପଡ଼ିଲା ।

 

ରଂଜୁକୁ ପଚାରିଲେ, ତୁ ଖାଇଲୁଣି ?

 

ତୁମେ ଖାଇସାରିଲେ ଖାଇବି ।

 

ଖୁଡ଼ି କେତେବେଳେ ଆସିବ, କହିଗଲା ?

 

ତାଙ୍କର ସେଠି ଲଞ୍ଚ୍‌ ଅଛି, ଗାଧୁଆପାଧୁଆ କରି ଯାଇଚନ୍ତି, ସବୁ ସାରି ଯାଇ ଫେରିବେ-

 

ସବୁ ବୋଇଲେ ? ଚାନ୍ଦା ମଗା ତ ଗୋଟାଏ, ରିହର୍ସାଲ ତ ରାତିରେ, ଆଉ ଗୁଡ଼ାଏ କ’ଣ ?

 

ମନ୍ତ୍ରୀଙ୍କୁ ସାକ୍ଷତ କରି ତାଙ୍କର ପ୍ରୋଗ୍ରାମ ସ୍ଥିର କରିବେ ।

 

ସେ କାମ ତ ‘କଳା ନିକେତନ’ ସଭାପତି, ସେକ୍ରେଟାରୀଙ୍କର ।

 

ଖୁଡ଼ି ଅଭ୍ୟର୍ଥନା ସମିତିର ପ୍ରେସିଡ଼େଣ୍ଟ ।

 

ତାହାହେଲେ ତ ଅନେକଠୁ ବଳି ଅନେକ ପ୍ରୋଗ୍ରାମ । ସେକ’ଣ ଆଜି ସରିବ ଯେ ଫେରିବେ । ତୁ ମା ତାକୁ ଅପେକ୍ଷା କରନା, ମୁଁ ତ ଖଇବିନି, ତୁ ଖାଇପକା । ଭୋକ ହେଲେ ପିଅନକୁ ପଠେଇବି, ଟିଫନ୍‌କାରିଅରରେ କ’ଣ ଗଣ୍ତେ ପଠେଇଦେବୁ ।

 

ସମେଇ ମହାପାତ୍ରଙ୍କ ଭୋକ ମରିଗଲା । ଭୋକ ଥିଲେ ବି ଯେଉଁ ଖାଦ୍ୟକୁ ସେ ପଥ୍ୟ ବୋଲି ଗ୍ରହଣ କରିଥିଲେ, ସେ ହଠାତ୍‌ ଗୋଟିଏ ରାତି ଭିତରେ ପଚି ସଢି ଏକାବେଳକେ ନଷ୍ଟଭ୍ରଷ୍ଟ, ଅଖାଦ୍ୟ ସେ । ଡ଼ାଏରୀ ଖୋଲି ଦେଖିଲେ, ପଅର ଦିନଠୁ ଦିଶଦିନ ପର୍ଯ୍ୟନ୍ତ ଲମ୍ବା ଗସ୍ତ ପ୍ରୋଗ୍ରାମ-। ସହର ଛାଡ଼ି ଯିବାକୁ ପଡ଼ିବ । ମନେମନେ ଭାବିଲେ ସଲୀଳାର ଭାଗ୍ୟରେ ବାଟ ଗୁଡ଼ାକ ହଠାତ୍‌ ଏପରି ପରିଷ୍କାର ହୋଇ ଗଲା କିମିତି ? କ’ଣ ଏ ଯାଦୁ, ଗୁଣି ଗାରେଡ଼ି ? ସଲୀଳା ଡ୍ରାମାର ହିରୋଇନ୍‌, ପରିତୋଷ ହୀରୋ ହୋଇ ମଞ୍ଚ ଉପରେ ଠିଆ ହେବେ । ଭଲ କଲେ ମନ୍ତ୍ରୀତାଳି ମାରିବେ, ମେଡାଲ ଡିକ୍‌ଲାର ହେବ, ହିରୋଇନ କିଏ ବୋଲି ଲୋକେ ପଚାରିବେ, ଅମୁକଙ୍କ ସ୍ତ୍ରୀ ମିସେସ୍‌ ମହାପାତ୍ର ବୋଲି ସେ ଦର୍ଶକ ମଣ୍ତଳି ଭିତରେ ବସି ପ୍ରଶଂସା ଶୁଣିବେ, କେତେ ଖୁସି ହୁଅନ୍ତେ ସେ ! ଏହିଭଳି ଦିନରେ ତାଙ୍କୁ ଅନୁପସ୍ଥିତ ରହିବାକୁ ପଡ଼ିବ । ସଲୀଳା ତ ନିଶ୍ଚୟ ତାଙ୍କର ଉପର ହାକିମଙ୍କ ପାଖକୁ ଚାନ୍ଦା ମାଗିଯିବେ, ପଦେ ତ ଅନୁରୋଧ କଲେ, ଏଇ ରିଲିଫ୍‌ ବଣ୍ଟନ ଗସ୍ତ କାର୍ଯ୍ୟ ବନ୍ଦ ହୋଇଯାଆନ୍ତା ।

 

କିନ୍ତୁ ପର ମୁହୂର୍ତ୍ତରେ ସମେଇ ମହାପାତ୍ରଙ୍କ ମନରେ ମାନବ ସେବା ଧର୍ମର ଆକର୍ଷଣ ଧକ୍‌କା ମାରେ । ଅନେକ ବନ୍ୟା ପ୍ରପୀଡ଼ିତ ଲୋକେ ତାଙ୍କୁ ଚାହିଁଥିବେ । ଲୁଗା, ଚାଉଳ, ତେଲ, ଲୁଣ, କିରାସିନି, ଘର ତୋଳିବା ପାଇଁ ଋଣ ବାଣ୍ଟିବାକୁ ପଡ଼ିବ । ସେମାନଙ୍କ ଆଖିରେ ଲୁହ, ଜୀର୍ଣ୍ଣଶୀର୍ଣ୍ଣ ଶରୀର ତାଙ୍କ ଆଖି ଆଗରେ ନାଚି ଉଠେ । ସେମାନଙ୍କ ମୁହଁରେ ଯଦି ଟିକିଏ ହସ ଦେଖିବାକୁ ମିଳେ, ଲଙ୍ଗଳା ଦେହରେ ଲୁଗା ଖଣ୍ତିଏ ଢାଙ୍କିଦେଲେ ସେମାନେ ଯେଉଁ ଭଳି ଖୁସି ହେବେ, ସେ ନାଟକର ଦୃଶ୍ୟଠୁ ବଳି କ’ଣ ଏହି କୃତ୍ରିମ ଅଭିନୟ ଦେଖିବାକୁ ଅଧିକ ସୁଆଦ, ରୁଚିକର, ପ୍ରୀତିକର ! ସମେଇ ମହାପାତ୍ରଙ୍କ ସେଇ ଅତୀତ ଦିନଟା କଥା ମନେପଡ଼େ । ଭାଇନାଙ୍କୁ ସେତେବେଳେ ପନ୍ଦର ବର୍ଷ, ତାଙ୍କୁ ମାତ୍ର ଦଶବର୍ଷ । ନନା ନିତାନ୍ତ ଗରିବ । ବ୍ରାହ୍ମଣ ବୋଲି ସିନା, ପଇତା ଦି’ଖିଅ ଦେହରେ ଥିଲା ବୋଲି ସିନା ! ମନେପଡ଼ୁଛି, ନନା ପନ୍ଦର କୋଡ଼ିଏ ଘରେ ପୁରାଣ ବୋଲି ଧାନ ନଉତିଏ ଗଉଣିଏ କରି ଆଣନ୍ତି । ଉଆ କୁଟାଯାଏ । ରାତି ବାରରେ ଚୁଲି ଲାଗେ । ସମସ୍ତେ ଭୋକରେ ଡହକବିକଳ । ରାତି ତିନିରେ ପେଟରେ ଗଣ୍ତାଏ ପଡ଼େ । ବର୍ଷାଦିନେ ନନା କୁଆଡ଼ିକି ଯାଇ ପାରନ୍ତିନି । ଦିନେ ନୁହେଁ, ଦୁଇ ତିନିଦିନ ଲାଗି ଲାଗ ଉପାସ ରହିବାକୁ ପଡ଼େ । ମାଗି ମାଗି ଥେୟା, ହାତ ପତେଇ ଆଖିରୁ ଲୁହ ଝରିପଡ଼େ । ବ୍ରାହ୍ମଣ ହୋଇ ଶେଷରେ ଗାଁ ଧୋବା ଘରୁ ନଡ଼ିଆ ପଇତା ବାବଦରୁ ଗଣ୍ତେ ଧାନ ଆଣନ୍ତି । ଧାନକୁ ନେଇ ସେଦିନ ଭାଇନା, ସିଏ, ଦିଇଟି ଭଉଣୀ ରମା, ଉର୍ବଶୀ କି ଖୁସି ହୋଇ ନଥିଲେ ! ଯିମିତି ସ୍ୱର୍ଗ ଗୋଟାଏ ଆଣି କିଏ ଥୋଇ ଦେଇଗଲା । ଘର ପୋଡ଼ିଗଲା, ବାଉଁଶ କାଠି ଖଣ୍ତେ ବି ରହିଲା ନି । ସମସ୍ତେ ଉଚ୍ଛନ୍ନ । ସୋସାଇଟିରୁ ଟଙ୍କା ଋଣ ଦେବା ପାଇଁ ସେ ଦିନ ଅଫିସର ଆସିଥିଲେ । କିଏ କ’ଣ ବନ୍ଧା ଦେଲା, ଦଶ ପନ୍ଦର କରି ପାଇଲେ । ନନାଙ୍କର କିଛି ନଥିଲା । କେତେ ନେହୁରା ହେଲେ । ହାଡ଼ କଂକାଳ ଦେଖାଇ ଆମେ ସମସ୍ତେ ଯାଇ ତାଙ୍କ ଗୋଡ଼ ତଳେ ପଡ଼ିଥିଲୁ । ତଥାପି ଆଇନର ଚାକର ଅଫିସର ଟିକିଏ ବି ଟଳିଲେ ନି ।

 

ସେ ସବୁ ଦୃଶ୍ୟ ଗୁଡ଼ାକ ଝଲସି ଉଠିଲା ତାଙ୍କ ଆଖି ଆଗରେ । ଭୁଲିଗଲେ ସଲୀଳାକୁ-। ସଲୀଳାଙ୍କ ଖେଳାଲୋଳା ଖଂଜନାକ୍ଷୀଙ୍କୁ । ଗସ୍ତ ପୋଗ୍ରାମ ବନ୍ଦ କରିବାକୁ ସଲୀଳାକୁ କାହିଁକି କହିବେ ? ବନ୍ଦ କରିବା ତାଙ୍କ ପକ୍ଷରେ ଏକ ଅଧର୍ମ ହେବ । ସେ ଯିବେ । ସଲୀଳା ନାଚନ୍ତୁ, ଗାଆନ୍ତୁ, ଅଭିନୟ କରନ୍ତୁ । ପ୍ରଶଂସାର କୋଳାହଳ ଭିତରେ ସେ ରୁହନ୍ତୁ ଚିର ବସନ୍ତ ହେଇ । ସେ ବସନ୍ତ ମଳୟ ଚାହାନ୍ତିନି, ସେ, ସେ ଫୁଲର ସୌରଭ ଚାହାନ୍ତିନି । ଲଗ୍ନ ବିଭତ୍ସ ସଭ୍ୟତାର ତାଣ୍ତବ ଯେଉଁଠି ମଣିଷର ଧମନୀକୁ ଉତ୍ତୋଜିତ କରେ ସେଇଠି ତ ମାନବିକତା ନଥାଏ, ଥାଏ ବିକ୍ରେତାର ସ୍ୱାର୍ଥାନ୍ଧ ଅର୍ଥ ଲୋଲୁପତା ନଚେତ୍‌ ମାଂସଲୋଭୀ ଶୃଗାଳ ଗୁଡ଼ାକର ନିରର୍ଥକ ରଡ଼ି-। ସଲୀଳା ସହରିଆଣୀ ହୋଇ ରହିଥାଉ, ସେ ପଛକେ ମଫସଲୀ ହୋଇ ରହିବେ, ସେ ସେ ଆବର୍ଜନାକୁ ଆଘ୍ରାଣ କରିବେନି, ପାଖ ବି ମାଡ଼ିବେନି । ସ୍ୱାଧୀନତା ପାଇଚି ସଲୀଳା, ପକ୍ଷୀ ଲାଗିଲାଣି ତା ଦେହରେ । ଉଡ଼ୁ, ଯେତେଦୂର ଉଡ଼ି ଉପରକୁ ଉଠି ପାରୁଛି, ଉଠୁ । ତା ପରେ ସାମାଜିକ ସ୍ଲୋଗାନ, ରାଜନୀତିକ ଆହ୍ୱାନ, ନୈତିକତାର ଶଙ୍ଖ ଧ୍ୱନି ପ୍ରଗତିର ପ୍ରଳୟ, ସଭ୍ୟତାର ପଦକ୍ଷେପ ପଥରେ ସଲୀଳା ଦୃତ ଗାମିନୀ ଏକ ଅତ୍ୟାଧୁନିକ ଯାନ । ବାହାନ ପରିତୋଷ । ହୁଏତ ପରିତୋଷର ପରିତୁଷ୍ଟି ପରେ ନିଶିକାନ୍ତ ଆସିବେ, ଦିନମଣି ଆସିବେ....କେତେ ଅଫିସରଙ୍କ ପୁଅ, କେତେ ମନ୍ତ୍ରୀଙ୍କ ଭଣଜା । ପ୍ରଥମେ ଶାସ୍ତ୍ରୀୟ ନୃତ୍ୟ, ଶାସ୍ତ୍ରୀୟ ସଂଗୀତ ପରେ ପରେ ବଲ ଡ୍ୟାନ୍‌ସ, ଲାରେ ଲାପା, ରକ ଆଣ୍ତ୍‌ ରୋଲର ଲାରେ ଲାରେ ଲା ଭଳି ଯତିହୀନ ଛନ୍ଦହୀନ ସଂଗୀତ, ଆଉ ନୃତ୍ୟ । ଶାଢ଼ି ଯିବ, ସୁଟ୍‌ ଆସିବ ମଠା ଯିବ, ଲାଇଲନ ଆସିବ । ସଭା ଶେଷରେ ବେଦିଂ କଷ୍ଟ୍ୟମ ଚାଖଣ୍ତେ ବୋଲି କନା । ହୁଏତ ସେତକ ବି ମନେ ପଡ଼ିବନି ନେବା ପାଇଁ । ଆଣିବାକୁ ଭୁଲି ଗଲି—ଆଜି ପାଣିଟା କି ନୀଳ, କି ସୁନ୍ଦର ଛୋଟ ଛୋଟ ଗୁଡ଼ାଏ ଠେଉ । ସି-ବାଥ୍‌ କଲେ କି ଆରାମ ଲାଗନ୍ତାନି-

 

ପ୍ରକୃତରେ ସଲୀଳା ତୁମେ ନଦୀ ନାଳ ପାଣି ପବନ ନୁହଁ, ଲୀଳାର ସହିତ ବର୍ତ୍ତମାନ, ସଲୀଳା !

 

ସଲୀଳା ଲାଗି ବିଶେଷ ଚିନ୍ତା ନାହିଁ । ସେ ଯାଇଚନ୍ତି, ଯାଉଚନ୍ତି, ଯିବେ । ଯେଉଁ ଗର୍ଭରେ ତାଙ୍କର ପାଦ ପଡ଼ିଚି ସେ ଗର୍ଭରେ ସେ ବିଲୀନ ହୋଇଯିବେ । ବିଲୀନ ହୋଇଯିବ ତାଙ୍କର ଜୀବନର ସମସ୍ତ ସାଧନା । ଏଇ ନଗରୀର ନିଃଶଙ୍କ ଉତ୍ସୃଙ୍ଖଳତାର ଦୂରରେ ଦେଖାଯାଉଛି ମନ୍ଦିରର ଚୂଡ଼ା । ଏହାରି ଭିତରେ ଧର୍ମର ପ୍ରତୀକ । ଅନ୍ଧକାରକୁ ପରାଜୟର ଗ୍ଲାନିରେ ମ୍ଲାନ କରିଦେବା ହେଉଛି ମନ୍ଦିରର ଧର୍ମ । ଭଗବାନଙ୍କ ସତ୍ୟ ଏହି ମନ୍ଦିରର ଶୀର୍ଷ ଦେଶରେ ସ୍ପଷ୍ଟ ଦେଖିବାକୁ ପାଇଲେ ସେ । ଜୀବନର ଏଇ ପ୍ରାନ୍ତ ପ୍ରଦେଶରେ ଠିଆହୋଇ ସମେଇ ମହାପାତ୍ରେ ଭାବୁଚନ୍ତି, ସର୍ବକାଳର ସେି ଚିରନ୍ତିନ ସତ୍ୟ ମଧ୍ୟରେ ନିଜକୁ ଯଦି ସେତେବେଳେ ବିଲୀନ କରିଦେଇ ପାରିଥାଆନ୍ତେ, ଆଜି ତାହାହେଲେ ପାରିପାର୍ଶ୍ୱିକ ସହିତ ଏଭଳି ସଙ୍ଗତିହୀନ ହୋଇପଡ଼ି ନ ଥାଆନ୍ତେ । ସଲୀଳା ତାଙ୍କର ଉଷ୍ଣତା ପାଇନି ବୋଲି ଉଷ୍ଣତା ଖୋଜିବୁଲିବାକୁ ବାଧ୍ୟ ହୋଇଚି । ଗୋଟିଏ ଦିଗରୁ ଦେଖିଲେ ସଲୀଳା ଭୁଲ ନୁହେଁ, ଠିକ୍‌ । କିନ୍ତୁ ଆଉ ଅନ୍ୟଦିଗରୁ ଦେଖିଲେ ନିହାତି ବେଠିକ୍‌, ଖାପଛଡ଼ା ।

 

କିନ୍ତୁ ସଲୀଳାର ଏହି ମୁକ୍ତ ପଦକ୍ଷେପରେ ଆଉ ଜଣେ ଯେ ଦଳିଚକଟି ହେଇଯାଉଚି, ଅନୁଭବ କରିପାରିଚନ୍ତି ସମେଇ ମହାପାତ୍ରେ...ସଲୀଳା ସିନା ଗୌରଶଙ୍କର ଶୃଙ୍ଗ ଜୟ କରିବାକୁ ଗଲେ, ଏ କାଂଚନଜଙ୍ଘା ରଂଜନା ଭଳି ଶୃଙ୍ଗଟି କଥା ତ ତାଙ୍କର ଆଦୌ ମନେ ନାହିଁ । ଏଇମିତି ଗୁଡ଼ାଏ ଭାବି ଭାବି ସମେଇ ମହାପାତ୍ରେ ଚାଲିଗଲେ ଅଫିସିକି ।

 

ଘରେ ଏକା ରଂଜୁ, ରଂଜୁନା । ସେ ବି ଭାବୁଚି ଖୁଡ଼ିଟା ଏକ ନମ୍ବର ଜାଲିଆ । ସେ ଦିନ ଦୁଆରଟା ପକେଇ ଦେବାରେ କି ମଜା ମିଳିଲା ତାଙ୍କୁ ! କିନ୍ତୁ ପରିତୋଷବାବୁଙ୍କ କଥାବାର୍ତ୍ତା, ହାବଭାବ, ଦିଆନିଆରୁ ତ ଖୁଡ଼ିଙ୍କ ଭଳି ସେ ବି ଜାଲିଆ, ସେ କଥା ତାର ମନେ ହେଉ ନଥିଲା । ପରିତୋଷ ବାବୁ କ’ଣ ଏଇମିତି ବମ୍ବେ ପାଟର୍ଣ୍ଣ ଖଟ ସବୁରି ଘରେ ପକେଇ ଚାଲିଚନ୍ତି ! ପରିତୋଷ ବାବୁଙ୍କ ଭଲ ପାଇବାର ଇତିହାସଟା କ’ଣ ଏଡ଼େବେଗି ଶେଷ ହୋଇଗଲା ! ଖୁଡ଼ିଙ୍କର କ’ଣ ବା ଅଛି ? ରୂପ ଗୁଣ, ଧନ ମାନ ? କିଛି ତ ନାହିଁ ! ଶୁଖିଆ ପୋଡ଼ି ପଖାଳ ଖାଇ ଖାଇ ଘରେ ଦିନ କଟୁଥିଲା । ସୁଯୋଗକୁ କକେଇ ସିନା ଲଭ୍‌ ମାରେଜ କଲେ ବୋଲି ! ପରିତୋଷ ବାବୁ ତ ସେଦିନ ତାକୁ କହୁଥିଲେ, ନାଟକର ନାୟିକା କରିବା ପାଇଁ । ଖୁଡ଼ି ତା ମଝିରେ ବାହାରିଲେ କେଉଁଠୁ ? ଜାଣେ ପରିତୋଷ ବାବୁ ସେଦିନ ମତେ ହିଁ ନେବାକୁ ଆସିଥିଲେ । ଖୁଡ଼ି ଜବରଦସ୍ତି ଗୋଟାଏ ଲମ୍ବା ନାହିଁ କରି ଝିଙ୍କିନେଇଗଲେ ମଟରକୁ, ଚାଲ—ଚାନ୍ଦା ମାଗିବା ପାଇଁ ବୋଲି । ଖୁଡ଼ିଙ୍କର ବି କି ପିଲାଳିଆ ବୁଦ୍ଧି ! ତେଇଶି ଚବିଶି ବର୍ଷର ହୀରୋ ସାଙ୍ଗକୁ ବତିଶି ବର୍ଷର ଦରବୁଢ଼ୀ ଖୁଡ଼ିକି ହିରୋଇନ ପାର୍ଟ ଯୋଉ ସାଜିବ ଛାଡ଼ ! ମନେ ପଡ଼ଲା ଦୀନୁ ସହିତ ସେ ବାଡ଼ଆଡ଼େ ପାର୍ଟକରେ, କେତେ ପ୍ରଶଂସା !

 

ଆଇନା ପାଖକୁ ଯାଇ ତାର ଭୋକିଲା ରୂପର ଶୁଖିଲା ଲାବଣ୍ୟ ଗୁଡ଼ାକ ଟିକିଏ ଦେଖିନେଲା ରଂଜୁ । ଟେବୁଲ ଉପରେ କେତେ ଜିନିଷ ! ଦେଖି ନଥିଲା ରଂଜନା । କେତେ କ’ଣ, ଇଂରାଜୀ ତ ଭଲକରି ଜାଣେନା, ନାଁ ଗୁଡ଼ାକ ଭଲକରି ଉଚ୍ଚାରଣ କରି ପାରୁନି ସେ । ହାତରେ ଗୋଟିଏ ଗୋଟିଏ ଧରେ, ଶୁଙ୍ଘେ; ବେଶ୍‌ ବାସୁଚି, ବଡ଼ ମୁଲାୟମ୍‌ । ଏଇଟା ତ ସ୍ନୋ, ଏଇଟା ତ ପାଉଡ଼ର, ଭେସ୍‌ଲିନ....କିନ୍ତୁ ଏଇ ଶିଶିଟା ? ତେଲ ତ ନୁହେଁ, ଭଲକରି ଦେଖିଲା ରଂଜନା । ଏ.ବି.ସି.ଡ଼ି. ଠୁ ଜେଡ଼ ପର୍ଯ୍ୟନ୍ତ ଯେତେ ଶବ୍ଦ ଠିକ୍‌ ମନେପକେଇ ଆଣିଲା ସେ । ବୋତଲ ଉପରେ ଯେତେଗୁଡ଼ାଏ ଅକ୍ଷର ଲେଖା ହେଇଚି ସବୁଗୁଡ଼ାକୁ ମିଶାଇଲେ ଗୋଟିଏ ଫଳ ବାହାରୁଚି, ତାରି ନାଁ ‘‘ଲିକର’’ । ସଂସ୍କୃତ ଏବଂ ସବୁ ଭାରତୀୟ ଭାଷାରେ ଯାହାର ନାଁ ମଦ, ସରାବ, ସୁରା । ଖୁଡ଼ି କ’ଣ ୟାକୁଇ ପିଅନ୍ତି ?

 

କକେଇ ଯଦି ଦେଖନ୍ତି....ମୁଣ୍ତ ବୁଲେଇ ହେଇ ଆସିଲା ରଂଜୁର, ଠିକ୍‌ ତାକୁ ଖାଇଲେ ଯେମିତି ମଣିଷର ମୁଣ୍ତ ବୁଲେଇ ହେଇଯାଏ ସିମିତି । ଦୁମ୍‌କିନି ପଡ଼ିଗଲା ତଳେ । ଏକବାରେ ସଂଜ୍ଞାହୀନା ।

 

କିଛି ସମୟ ପରେ ରଂଜୁ ଅନୁଭବ କଲା ଗୋଟାଏ ସ୍ନେହସ୍ନିଗ୍‌ଧ କୋଳରେ ସେ ଶୋଇଚି । ସେଇ ବମ୍ବେ ପାର୍ଟର୍ଣ୍ଣ ଖଟର ସ୍ପ୍ରିଙ୍ଗ୍‌ଦିଆ ଶେଯ ଉପରେ । ଧୀରେ ଧୀରେ ଆଖିକି ଫେଇ ଦେଖିଲା— କକେଇ ନୁହନ୍ତି, ପରିତୋଷ । ଦେଖିବାମାତ୍ରେ ଏକ ଆକସ୍ମିକ ଆକର୍ଷଣ ବୋଧ କରିଥିଲା ସେ । କିନ୍ତୁ ଭଲକରି ବି ଆଖି ଖୋଲି ଦେଖିବାପରେ ତାର କାହିଁକି ସନ୍ଦେହ ହେଲା ପରିତୋଷ ବି ମଦ ଖାଏ । ହୀରୋ ଯଦି ମଦ ଖାଏନା, ହୀରୋଇନ ଖାଇଲା କିପରି ?

 

ପରିତୋଷ ଜାଣିପାରିଲା ମଦ କଥା ଭାବୁ ଭାବୁ ରଂଜୁ ପଡ଼ିଯାଇଚି ତଳେ । ସେ ମଦ ଖାଇନି ଅଥଚ ତା ହାତରେ ମଦ କାଚ ଥିଲା । ଯେଉଁମାନେ ମର୍ଡ଼ର କରନ୍ତି, ସେଇମାନେ ହିଁ ମର୍ଡ଼ର କରିସାରି ମୃତ ବ୍ୟକ୍ତିର ହାତରେ ଏଇମିତିକା ଛୁରୀ ବା ବନ୍ଧୁକ ଧରେଇ ଦେଇ ଚଂପଟ କରନ୍ତି । ପ୍ରମାଣିତ ହୁଏ ନିଜେ ନିଜକୁ ହତ୍ୟା କରିଚି, ସୁଇସାଇଡ଼ କରିଚି । ନ୍ୟାୟାଧୀଶ ନ୍ୟାୟ ଯୁକ୍ତି ବଳରେ ଅସଲ ହତ୍ୟାକାରୀକୁ ମୁଣ୍ତ ଦିଅନ୍ତି । ଏହା ହିଁ ଆଇନର ଗ୍ରନ୍ଥସିଦ୍ଧ ନ୍ୟାୟ । ନ୍ୟାୟର ନ୍ୟାୟ ନୁହେଁ, ଅନ୍ୟାୟର ନ୍ୟାୟ । ହୁଏତ ସଲୀଳା ଦେବୀ ଯଦି ରଂଜୁକୁ ଏଇ ଅବସ୍ଥାରେ ଦେଖି ଥାଆନ୍ତେ, ରଂଜୁ ବିରୁଦ୍ଧରେ ଥୋଡ଼େ ଅପପ୍ରଚାର କରିବାକୁ ଛାଡ଼ନ୍ତେ ନାହିଁ । କିନ୍ତୁ ସମେଇ ମହାପାତ୍ରେ ଦେଖିଥିଲେ କ’ଣ ବିଶ୍ୱାସ କରନ୍ତେ ? ସେ ବିଶ୍ୱାସ କରନ୍ତେ ସଲୀଳା ଜାଣିଶୁଣି ଏ ମଦଗୁଡ଼ାକ ରଖିଦେଇ ଯାଇଥିଲା । ରଂଜୁ ବିଷ ବୋଲି ଖାଇ ଦେଇଚି । କିନ୍ତୁ ଏ ବିଷରେ ମଣିଷ ମରେନା, ମଲେ ଯେଉଁ ସ୍ୱର୍ଗକୁ ଦେଖେ, ନମରୁଣୁ ସେଇ ସ୍ୱର୍ଗକୁ ବେଶ୍‌ ଅନୁଭବ କରିପାରେ । ପାରିଜାତର ସୌନ୍ଦର୍ଯ୍ୟ, ନନ୍ଦନକାନନର ସୌରଭକୁ ଆଘ୍ରାଣ କରିପାରେ ।

 

ରଂଜୁ ପରିତୋଷ କୋଳରେ ସେମିତି ଶୋଇ ରହିଚି ସତ, ଅନୁଭବ କରୁଚି ପରିତୋଷ ଗୋଟିକଯାକ ଖୁଡ଼ିଙ୍କର, ତାର ନୁହଁନ୍ତି । ଏ କୋଳରେ ସାମୟିକ ସୁପ୍ତିର ପ୍ରଶାନ୍ତି ସେ ଉପଲବ୍‌ଧି କରିବାକୁ ଚେଷ୍ଟା କରି ପାରେନା । ପଚାରେ, ପରୀଭାଇ, ତୁମେ ମଦ ଖାଅ ?

 

—ମୁଁ ଖାଏନା, ତୁମର ଖୁଡ଼ି ପିଅନ୍ତି ।

 

—କିଏ ଆଣିଦିଏ ?

 

—ପ୍ରଥମେ ପ୍ରଥମେ ମତେ ହିଁ ଆଣିଦେବାକୁ ପଡ଼ୁଥିଲା ତାପରେ ମୋର ବି କୌଣସି ସାହାଯ୍ୟ ଦରକାର ହେଲାନି, ସବୁ ନିଜେ ନିଜେ କରିନେଲେ ।

 

—ହିରୋଇନ ଖଉଚି ଅଥଚ ହୀରୋ ଖାଏନା, କନ୍ୟା ଖାଏ, ବର ଖାଏନା; ସ୍ତ୍ରୀ ପିଏ, ସ୍ୱାମୀ ପିଏନା; ଇଏ କିମିତି ଗୋଟାଏ ଅବାସ୍ତବ ଡ୍ରାମା ମ !

 

—କିନ୍ତୁ ମୁଁ ତ ଡ୍ରାମାର ହୀରୋ ନୁହେଁ ।

 

—ତୁମେ ଡ୍ରାମାର ହୀରୋ ନୁହଁ, ଆଉ କିଏ ?

 

—ସିଭିଲସର୍ଜନଙ୍କ ମଝିଆଁ ପୁଅ ବ୍ରଜ ।

 

—କିନ୍ତୁ ତୁମର ଲେଖା ନିଶ୍ଚୟ ହୋଇଥିବ ।

 

—ନାଁ, ଏଥର ଲେଖିବାର ସୁଯୋଗ ମତେ ମିଳିନି, ମିଳିଚି ବସନ୍ତକୁ ।

 

କିନ୍ତୁ ଭଲକରି ଜାଣେ, ହୀରୋ ପାଇଁ ତୁମେ ହିଁ ବଛା ହେଇଥିଲ ପ୍ରଥମରୁ ।

 

—କିନ୍ତୁ ତୁମକୁ ହୀରୋଇନ କରି ମୁଁ ମନେ ମନେ ବାଛି ନେଇଥିଲି ଏବଂ ଠିକ୍‌ କରିଥିଲି ତୁମେ ହୀରୋଇନ ନହେଲେ ମୁଁ ହୀରୋ ପାର୍ଟ କରିବିନି । ସେଇଥିଲାଗି ସେଦିନ ମଟର ଛୁଟେଇ ଆସିଥିଲି । ଖୁଡ଼ିର ଦୌରାତ୍ମ୍ୟରେ ତୁମ ପାଖ ସୁଦ୍ଧା ପହଞ୍ଚିବା ସମ୍ଭବ ହୋଇପାରିଲାନି । ମୁଁ ସମସ୍ତଙ୍କୁ କହିଥିଲି, ତୁମେ ଆସୁଚ । କିନ୍ତୁ ଖୁଡ଼ି ଯାଇ ସମସ୍ତଙ୍କୁ କହିଦେଲେ ରଂଜୁଟା ବିଲକୁଲ ଅନଫିଟ୍‌, ଲାଜକୁଳି । ଆଦୌ ପାରିବନି । ରଂଜୁ ବଦଳରେ ସେ ହୀରୋଇନ ପାର୍ଟ ନେବାକୁ ପ୍ରସ୍ତୁତ-। ମୁଁ ମନା କଲି, ବ୍ରଜ ବାହାରିଲା । ସେ ଅଧା ବୁଢ଼ାକୁ ଇଏ ଅଧା ବୁଢ଼ୀ, ବେଶ୍‌ ମାନୁଚି-। ବ୍ରଜ ନମ୍ବରଉଆନ ମଦୁଆ । ତାଙ୍କରି ସାଙ୍ଗେ ପଡ଼ି ଖୁଡ଼ି ବି ମତୁଆଲୀ । ମତେ ମଝିରେ ମଝିରେ ପ୍ରକ୍‌ସି ଦେବାକୁ ପଡ଼ୁଚି ବୋଲି ଖୁଡ଼ି ବୋଧହୁଏ ତୁମମାନଙ୍କ ପାଖରେ ଆସି କହୁଚନ୍ତି ମୁଁ ହୀରୋପାର୍ଟ କରୁଚି । କଳଙ୍କ ଧୋଇବା ପାଇଁ ତ ଗୋଟାଏ କିଛି ରସ ଦରକାର । ଆଚ୍ଛା, କକେଇ କ’ଣ ଏସବୁ କଥା ଜାଣନ୍ତି ? ଜାଣି ଶୁଣି ବି ଖୁଡ଼ିକି ଛାଡ଼ନ୍ତି ?

 

ରଂଜୁ ଯେମିତି କିଛି ଶୁଣି ନଥିଲା, ଖାଲି ଲକ୍ଷ୍ୟ କରୁଥିଲା ପରିତୋଷ ମୁହଁରୁ ଯେଉଁ ଗନ୍ଧଟା ବାହାରୁଚି ତାହା ମଦ ଗନ୍ଧ ନା ଆଉ କିଛି । ଆଖିକି ଦେଖିଲା, ଲାଲ ପଡ଼ିନି । ବୁଝିପାରିଲା ପରିତୋଷ ମଦ ଖାଏନା, ମଦ ଖୁଆଇ ଅନ୍ୟଠି ମଦର ପ୍ରତିକ୍ରିୟା ଦେଖିବାରେ ଆନନ୍ଦ ପାଏ ।

 

ଖୁଡ଼ିଙ୍କ ଚରିତ୍ର ନେଇ କୌଣସି ସନ୍ଦେହ ନଥିଲା ରଂଜନାର । କିନ୍ତୁ ପରିତୋଷ ସମ୍ପର୍କରେ ତାର ଯଥେଷ୍ଟ ସନ୍ଦେହ ରହିଥିଲା, ରହିବା ସ୍ୱାଭାବିକ ମଧ୍ୟ । କିନ୍ତୁ ଆଜି ସେ ପରିତୋଷ ଆଖି ଦିଇଟାରେ ଦେଖିଲା ଦିଇଟା ଭିତରର ଡୋଳା ଭାରି ଉଜ୍ଜ୍ୱଳ । ଡୋଳା ତାକୁ ଟାଣେ । ପରିତୋଷର ପୌରୁଷ ତାକୁ ଓଟାରି ନିଏ ଅତି ଗଭୀର ଉପତ୍ୟକାକୁ । ସିମିତି କୋଳରେ ଶୋଇ ଉପରକୁ ଚାହିଁ ରହିଚି ରଂଜନା—ପରିତୋଷର ମୁହଁଟା ସୁନ୍ଦର !

 

ହଠାତ୍‌ ପଶି ଆସିଲେ ସମେଇ ମହାପାତ୍ରେ, ଅଫିସ ଛୁଟି ହେଇନି, କାମ ବି ସରିନି ତଥାପି କାମରେ ମନ ଲାଗିଲାନି ବୋଲି ସେ ଫେରି ଆସିଚନ୍ତି । ଗୋଟାଏ କୋଳ ଦିହରେ ଆଉ ଗୋଟାଏ ଦିହ ଯେ ନିଃସଙ୍କୋଚ ଭାବରେ ଶୋଇ ରହିଚି, ସେ ସବୁ ତାଙ୍କ ଆଖିରେ ହଠାତ୍‌କିନି ପଡ଼ିଲା ନି । ସେ ଖାଲି ଦେଖିଲେ ପରିତୋଷ ବସିଚି, ସେ ନିଜେ ଦେଇଥିବା ବମ୍ବେ ପାର୍ଟର୍ଣ୍ଣ ଖଟ ଉପରେ । କିନ୍ତୁ ଇଏତ ସଲୀଳାର ଡ୍ରେସିଂରୁମ୍‍ ନୁହଁ କି ଶୋଇବା ଘର ବି ନୁହଁ । ପରିତୋଷ ଯେ ସଲୀଳାକୁ ଛାଡ଼ି ରହିପାରେ, ତାଙ୍କର କାହିଁକି ବିଶ୍ୱାସ ହେଲାନି । ବାର ଘଣ୍ଟାର ୪୮୦ ମିନିଟିଆ ଗୋଟାଏ ଦୀର୍ଘ ଅତୀତ ତାଙ୍କୁ ଯେମିତି ଅନ୍ଧ କରି ପକାଇଚି । ସେଇଥିପାଇଁ ରଂଜୁ ତାଙ୍କର ଆଖିରେ ପଡ଼ି ନଥିଲା, ଆଖିରେ ପଡ଼ିଥିଲା ପ୍ରଥମେ ପରିତୋଷ । ତାଙ୍କ ତାଙ୍କ ପାରିବାରିକ ନାୟିକାର ନାଟକୀୟ ନାୟକ ପରିତୋଷ । କିନ୍ତୁ ପରମୁହୂର୍ତ୍ତରେ ଦେଖିବାକୁ ପାଇଲେ ରଂଜୁ ଅଳସ ଭାଙ୍ଗି ଉଠୁଚି ଅନନ୍ତ ଶୟନରୁ । ଭାରି ଖୁସି ହୋଇ ଉଠିଲା ତାଙ୍କ ମନ । ସେ ତ ଚାହୁଁଚନ୍ତି ରଂଜୁ ଆଜୀବନ ପରତୋଷ କୋଡ଼ରେ ଶୋଇ ରହୁ । ସେ ଭାବିଥିଲେ ସଲୀଳା ସେଇ ଯୋଜନାର ଜାଲ ବୁଣି ଚାଲିଚି ବୋଲି । କିନ୍ତୁ ସେ ନିଜେ ଯେ ଅନ୍ୟ ଏକ ଜାଲରେ ଯାଇ ଆପେ ଆପେ ଧରା ଦେଇଚି, ସେ ପରିତୋଷକୁ କୌଣସି ପଦେ କଥା ବି ନପଚାରି ବେଶ ବୁଝି ପାରିଲେ ।

 

ରଂଜୁ ଅଳସ ଭାଙ୍ଗି ଉଠିଲା । ପଲଙ୍କ ପାଖ ଝରକା ଉପରେ ଥିବା ଆଇନାରେ ମୁହଁକୁ ଦେଖିଦେଇ ପୁଣି ଆଉଜି ଆସିଲା ପରିତୋଷ ଉପରକୁ । ପରିତୋଷ ମଦ ଖାଇନି, ତଥାପି ରଂଜୁ ବୋଧକଲା ପରିତୋଷ ଦେହଟା ଭାରି ଗରମ । ନିଜ ଦେହଟା ଯେ ଗୋଟିଏ ଅମୋଘ ସ୍ପର୍ଶରେ ଆହୁରି ଗରମ ହୋଇ ଉଠିଚି, ବୋଧହୁଏ ସେହି ମୁହୂର୍ତ୍ତର ସମୟ ସୁଯୋଗ ଦେଇ ନଥିଲା ତାକୁ ଭାବିବା ପାଇଁ । କକେଇ ବେଶୀ ଦୂରରେ ଠିଆ ହୋଇ ନାହାଁନ୍ତି । ହୁଏତ ତାଠୁ ଦୁଇ ତିନି ଗଜ ଦୂରରେ, ଠିକ୍‌ ଦୁଆର ପାଖରେ । କିନ୍ତୁ ରଂଜନା କାହାରିକି ଦେଖି ପାରୁନି, କେବଳ ଗୋଟିଏ ମଣିଷକୁ ହିଁ ଦେଖୁଚି, ସେ ହେଉଚି ପରିତୋଷ ।

 

ପରିତୋଷ ମୁଣ୍ତ ନୁଆଇଁ ଦେଇଚି ।

 

ରଂଜନା ଶୋଇଚି ।

 

ସମେଇ ମହାପାତ୍ରେ ଭାବିଲେ, ହୁଏତ ସଲୀଳା ଆସିଲେ ଏ ନୀଡ଼ଟି କ୍ଷଣକରେ ଭାଙ୍ଗିଯିବ, କିନ୍ତୁ ସେ ଭାଙ୍ଗିଯାଉ ବୋଲି ଚାହାଁନ୍ତିନି । ସେ ନୀରବରେ ଫେରି ଆସିଲେ, କେବଳ ତାଙ୍କ ବିବାହ ଚାରିଦିନ ପରେ ଯେଉଁ ମୁହୂର୍ତ୍ତଟି ତାଙ୍କ ଜୀବନରେ ଆସିଥିଲା, ସେହି ମୁହୂର୍ତ୍ତର ସ୍ମୃତି ଟିକକ ନେଇ ।

 

ପରିତୋଷ ଜାଣେ ତାଙ୍କର ଧରମ ଭଉଣୀ ଶ୍ରୀମତୀ ସଲୀଳା ମହାପାତ୍ର ଏହିକ୍ଷଣି ଆସିବେନି । ଘରୁ ଗଲାବେଳେ ସେ ଯେମିତି ଝଅଟକିନି ଜଲଦି ଜଲଦି ଯାଇପାରନ୍ତି, ଆସିଲାବେଳେ ସେମିତି ମଠେଇ ମଠେଇ ପଛକୁ ଚାହିଁ ଚାହିଁ ଫେରନ୍ତି । ଯିବା ଆଉ ଆସିବା ଭିତରେ ଦୀର୍ଘ ଦଶ ବାର ଘଣ୍ଟା ବିତିଯାଏ । ସେ ଜାଣେ, ରଂଜନା ତାକୁ ଯେମିତି ଟାଣେ, ବ୍ରଜ ବି ତାଙ୍କୁ ସେମିତି ଟାଣେ କ୍ରିକେଟ ଖେଳର ରେଫରୀ ଭଳି ସମେଇ ମହାପାତ୍ରେ କେବଳ ଖେଳାଳୀଙ୍କ ଗେଞ୍ଜି, ମୁଣ୍ତର କ୍ୟାପ୍‌ ଗୋଟେଇବା ଜାଣନ୍ତି । ଏହିଭଳି ଲୋକଙ୍କୁ କହନ୍ତି ନିର୍ମାୟା, ବୈରାଗୀ, ଟିକିଏ କଡ଼ା ଭାଷାରେ ନପୁଂସକ ।

 

ତା ଆରଦିନ ସମେଇ ମହାପାତ୍ରେ ଚିଠି ଲେଖିଲେ—ଭାଇନା, ବରପାତ୍ର ଠିକ୍‌ ହେଇଗଲା, ବାର ଠିକ୍‌ କର ।

 

ଉତ୍ତର ଦେଲେ ଭାଇନା, ରଜୁଂ ଖୁଡ଼ିର ମତ ନେଇଚୁ ତ ?

 

ବଡ଼ ଅଡ଼ୁଆରେ ପଡ଼ିଲେ ସମେଇ ମହାପାତ୍ରେ । ଭାଇନାଙ୍କୁ କ’ଣ ବୋଲି ଲେଖିବେ । ଏ ପ୍ରଶ୍ନ ଏକାବେଳକେ ଭୁଲ ପ୍ରଶ୍ନ । ଏହାର ଉତ୍ତର କ’ଣ କେବେ ହୋଇପାରେ ? ପରୀକ୍ଷାରେ ପିଲାମାନେ ଇମିତି ଭୁଲ ପ୍ରଶ୍ନ ପାଇ ପରୀକ୍ଷା ହଲରୁ ଉଠିଆସନ୍ତି, ପରୀକ୍ଷକଙ୍କୁ ବାଡ଼ାନ୍ତି, ବିଶ୍ୱବିଦ୍ୟାଳୟର ବଦନାମ କରନ୍ତି । ଭାଇନା, ଭଳି ପରୀକ୍ଷକ, ଭାଉଜଙ୍କ ଭଳି ଶିକ୍ଷୟିତ୍ରୀ ଏପର୍ଯ୍ୟନ୍ତ ସଲୀଳାକୁ ଚିହ୍ନି ନାହାଁନ୍ତି ବୋଲି ସେ କ’ଣ ଜାଣନ୍ତି ? କିନ୍ତୁ ଭାଇନା ଭାଉଜ ଦୁହେଁ ଏ ପ୍ରଶ୍ନ ପଚାରିବା ସ୍ୱଭାବିକ । ସଲୀଳାକୁ ସେମାନେ ଚିହ୍ନନ୍ତି ଅନ୍ୟଭାବରେ । ନିତାନ୍ତ ସରଳ, ଦେଢ଼ଶୁର ବୋଲି ସଲୀଳାର କେତେ ଭକ୍ତି । ଜା’ ବୋଲି ଭାଉଜଙ୍କୁ କେତେ ଖାତିରୀ । ଲମ୍ବାହୋଇ ଗୋଡ଼ତଳେ ପଡ଼ି ପ୍ରଣାମ ! ସଲୀଳାଙ୍କର ତ ସେ ଆଦୌ ମତ ନେଇ ନାହାଁନ୍ତି । ମତ ଦେଇଥିଲେ ସେତିକିବେଳେ, ଯେତେବେଳେ ତାଙ୍କର ଧାରଣା ଥିଲା ପରିତୋଷକୁ ରଂଜୁପାଇଁ ଧରିବାଲାଗି ଯୋଜନାର ଯୋଜନ ଦୂରରେ ଠିଆ ହୋଇ ରହିଥିଲେ । ପରିତୋଷ ତାଙ୍କର ଧରମ ଭାଇ, ଖୁବ୍‌ ବଡ଼ ଲୋକର ପୁଅ । ସେ ତାକୁ ଛାର ଜଣେ ଫାଷ୍ଟକ୍ଲାସ୍‍ ମାଜିଷ୍ଟ୍ରେଟର ଝିଆରୀ ସହିତ ବିବାହ କରେଇ ଦେଇ ସନ୍ତୁଷ୍ଟ ହେବେ ? ସେ ଚାହାଁନ୍ତି, ପରିତୋଷ ଚିରକୁମାର ରହିଥାଉ ସେ ଯେଉଁ ପର୍ଯ୍ୟନ୍ତ ବିବାହ କରି ମଧ୍ୟ ଚିରକୁମାରୀର ଛଳନା କରିପାରୁଥିବେ ସେଇ ପର୍ଯ୍ୟନ୍ତ । ସେ ଚାହାଁନ୍ତି ସେ ଥିବେ ଠିକ୍‌ ଦ୍ରୌପଦୀ ଭଳି, ତାଙ୍କ ଚାରିପାଖେ ପରିତୋଷ, ବ୍ରଜ, ପ୍ରଣବ, ବିଚିତ୍ର, ନିଶିକାନ୍ତ ଦିନମଣି ସମସ୍ତେ ଘେରି ରହିଥାଆନ୍ତୁ ।

 

କିନ୍ତୁ ମତ ନନେଇ ସମେଇ ମହାପାତ୍ରେ ତ ଭାଇନାଙ୍କ ପାଖକୁ ‘ହଁ ପଚାରିଚି, ସଲୀଳା ଏକମତ’ ବୋଲି ମିଛରେ ଲେଖି ପାରିବେନି, ପାପ ହେବ । କିନ୍ତୁ ସଲୀଳାଙ୍କୁ ପଚାରିବା ଭଳି ସମୟ ତ ଏବେ ନାହିଁ । ଆଉ ଅଠର ଦିନ ସମୟ ଦରକାର । ଭେରାଇଟ ସୋ ସରିବ, ସଲୀଳା ଦେବୀ କାଳାନିକେତନର ସଭାନେତ୍ରୀ ହେଇ ନିର୍ବାଚିତ ହେବେ, ତାପରେ ହୁଏତ ସମୟ ମିଳିବ ପଚାରିବା ପାଇଁ ।

 

ଭାଇନାଙ୍କୁ ଉତ୍ତର ଦିଆଗଲା, ରଂଜୁ ଖୁଡ଼ି ଏବେ ଭାରି ବ୍ୟସ୍ତ । ସମୟ ମିଳୁନି ତାଙ୍କୁ ପଚାରିବାପାଇଁ । ୧୮ ତାରିଖ ପରେ ଯାଇ ।

 

ଶଙ୍କର ମହାପାତ୍ରେ ଚିଠି ପଢ଼ିଲେ, ମନେ ମନେ ଭାବିଲେ ସମେଇଟା ପାଗଳ ହୋଇଗଲା ନା କଣ ? ରଂଜୁ ଖୁଡ଼ିଙ୍କି ସମୟ ନାହିଁ । ଭାରି ବ୍ୟସ୍ତ । ଘରେ ତ ରହୁଥିବେ । ଘର ଭିତରେ ପୁଣି ଇମିତି କି ବ୍ୟସ୍ତତା ଯେ ସମୟ ମିଳୁନି !

 

ଚିଠି ଆସିଲା । ଏଥର ସମେଇ ମହାପାତ୍ରେ ସବୁ କଥା ବୁଝେଇ ଲେଖି ବସିଲେ ଗୋଟାଏ ଗ୍ରନ୍ଥ । ସଲୀଳା ଏବେ କେବଳ ସମେଇ ମହାପାତ୍ରଙ୍କର ସେବିକା ରହି ନାହାଁନ୍ତି, ଶତ ଜନ ସେବିକା । ଜନପ୍ରିୟା ଅଭିନେତ୍ରୀ, ନର୍ତ୍ତକୀ, ଗାୟିକା ସେ ।

 

ଶଙ୍କର ମହାପାତ୍ରେ ଏସବୁ ପଢ଼ି ଏକାବେଳକେ ହତବାକ୍ୟ । ସଲୀଳା ପୁଣି ଏତେ ଦୂର ଯାଇପାରେ ? ସଲୀଳା କଥା ଚିନ୍ତା କରି ସେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ତାର ମାତ୍ରା ଶତଗୁଇଁ ବଢ଼ି ଉଠିଲା ତା ଆରଦି ଯେତେବେଳେ ସେ ପଢ଼ିଲେ ଝିଅ ନିଜେ ଲେଖିଚି, ନନାହେ ତମକୁ କଷ୍ଟ କରିବାକୁ ପଡ଼ିବନି । ବରପାଇଁ ଆଉ ଖୋଜାଖୋଜି ଦରକାର ନାହିଁ । ମୁଁ ନିଜେ ଖୋଜି ପାଇଚି । ତୁମର ମନ ପାଇବ, ବୋଉର ମନ ପାଇବ, ଗାଁଟି ଯାକର ମନ ପାଇବ ।

 

‘ହାୟରେ ସହର’ କହି ଶଙ୍କର ମହାପାତ୍ରେ ଠିଆ ହୋଇଥିବା ଜାଗାରେ ବସି ପଡ଼ିଲେ !

 

ଚାରି

 

ସେ ଦିନ ଚନ୍ଦ୍ର ଭାଇନା ମାଇପ କଥା ଛଳରେ କହିଥିଲା, ସେ ଚିରଦିନ ସଧବା ରହିବ-। ସେଦିନ ସିନା ବୁଝି ପାରି ନଥିଲି । ଆଜି ବୁଝିଲି ଠିକ୍‌ ଦି ବର୍ଷ ପରେ । ପ୍ରକୃତରେ ସେ ଚିର ସଧବା । ଚନ୍ଦ୍ର ଭାଇନା ବୋଲି ଗୋଟାଏ ଅମର ବସ୍ତୁ, ଅକ୍ଷୟ ମନ୍ଦିର, ମଲେ ବି ଜିଇ ରହିଥିବ—ଠିକ୍‌ ନେତାଜୀ ସୁବାଷ ବୋଷ ଭଳି, ଆଉ ଚନ୍ଦ୍ର ଭାଇନା ମାଇପ ହାତର କାଚ ବି ବଜର ହୋଇ ରହିଥିବ ।

 

ସେ ଦିନ ପଣ୍ତାଘର ବଇଦା ରାଙ୍ଗୁନ୍‌ରୁ ଆସିଲା ଗାଁ ଲୋକ ପଚାରିଲେ କିରେ ଚନ୍ଦ୍ରଟା ବଞ୍ଚିଚିଟିକି ? ବଇଦା କହୁ କହୁ ହସରେ ଗଡ଼ି ଉଠୁଥିଲା । ଚନ୍ଦ୍ର ଭାଇନାର ପୁଣି ଗଣ୍ତାଏ ଛୁଆ । ତାକୁ ସେ ରାକ୍ଷସୀ ଛାଡ଼ିବ ଯେ ଆସିବ ? ସେ ଦିନ ଗାଁ ମଣ୍ତପ ଉପରେ ବଇଦା ମଝିରେ ବେଶ୍ ଆଖଡ଼ା ଜମେଇ ବସିଯାଏ, କହୁଥାଏ, ଆମେ ଶୁଣୁଥାଉ । ପକେଟରୁ ଗୋଟାଏ ଫଟୋ ବାହାର କରି ଦେଖେଇଲା, ମଝିରେ ଚନ୍ଦ୍ର ଭାଇନାର ବର୍ମାଣୀ ସ୍ତ୍ରୀ ପାଖେ ପୁଅଝିଅ ଚାରିଟା । କି ଅସୁନ୍ଦର ସେ ମାଇକିନାଟା । ଫଟୋରେ ଲେଦାଏ ଛେପ ପକେଇ ଦେଇ ଦଳି ଦେବାକୁ ଇଚ୍ଛା ହେଲା । ଭାରି ଦୟା ହେଲା ଚନ୍ଦ୍ର ଭାଇନା ମାଇପ ଉପରେ । ଅତି ସୁନ୍ଦରୀ ବୋଳି ଗାଁଟା ଯାକର ଏଡ଼େ ଡାକ, ତାକୁ ଛାଡ଼ି ଚନ୍ଦ୍ର ଭାଇନା ଯାଇ ରେଙ୍ଗୁନରେ ଘର ସଂସାର କଲା ? ବଇଦା କହେ, ସିଏ କରିନି ଯେ ଅବସ୍ଥା କରେଇ ଦେଇଚି । ମୋର କଣ ନଥିଲା ନା, ଯି, ସବୁ ଅଛନ୍ତି ତାଙ୍କର ନାହାନ୍ତି । ଭାଗ୍ୟକୁ ମୋ ରାକ୍ଷସୀଟା ମରିଗଲା ବୋଲିନା, ନଇଲେ ମୁଁ ନାଁ ଏଇ ଗୋପୀନାଥ ପୁର ! ଛାଡ଼ି ଥାଆନ୍ତା ନା ଆସି ଥାଆନ୍ତା ! ଆଠ ବର୍ଷ ଧରି ଘର ସଂସାର କଲି ଯେ ଗୋଟେ ହେଲେ ଛୁଆ ହୋଇ ଥାଆନ୍ତେ । ଦେଲି ଦିନେ ବିଷ ପିଏଇ । ଏକାବେଳକେ ଚିତ୍‌ପଟାଙ୍ଗ । ଆଉ ଉଠିବ ଯେ ମତେ ବାଟ ଓଗାଳିବ ? ଛୁଆ ପିଲେ ଥିଲେ ହୁଏତ ଟିକିଏ ମାୟା ମମତା ଲାଗି ଯାଇଥାଆନ୍ତା, ଆସି ହୁଅନ୍ତା ନି । କିଛି ନଥିଲା ବୋଲି ଗାଁ ମାଟିଟା ଭାରି ଟାଣିଲା । ଆସିଗଲି । ଗାଁର ବଟ, ଶ୍ୟାମ, ରବି ତିନିହିଁଙ୍କ ଅବସ୍ଥା ଏକା । ଚିଠି ଲେଖିବେ, ନିଶ୍ଚେଁ ଯିବୁ, ହେଇ ଆଜି ଯିବୁ, କାଲି ଯିବୁ, କହି ରଖୁଚି, କେବେ ଆସି ପାରିବେନି ।

 

ଯୋଉଦିନ ବଇଦା ଆସିଲା, ସେଦିନ ଚନ୍ଦ୍ର ଭାଇନା ବୋଉ ବହୁତ ଦଉଡ଼ିଚି ତା ଘରକୁ-। କିନ୍ତୁ ଶୁଣିଚି, ଚନ୍ଦ୍ରଭାଇନା ମାଇପ ମନରେ ଖବର ଶୁଣିବାପାଇଁ କୌଣସି ଚାଞ୍ଚଲ୍ୟ, ଆଗ୍ରହ କିମ୍ବା ଉତ୍କଣ୍ଠା ନଥିଲା । ସେ ଚାହେଁ ଚିର ସଧବା ରହିବ, ଗୋଟାଏ ମୃତ୍ୟୁଶୀଳ ମଣିଷ ବୃଦ୍ଧ ବୟସରେ ଆସି ତା’ର କଣ୍ଠ ବେଷ୍ଟନ କରି, ଗେଲ ସରାଗରେ ସ୍ତ୍ରୀ ବୋଲି ସମ୍ବୋଧନ କରୁ, ସେ ଆଦୌ ଚାହେଁନା ।

 

ବଇଦା ଆସିବାର ଦି’ମାସ ବାଦେ ଚନ୍ଦ୍ର ବୋଉର ଦେହାନ୍ତ ଘଟିଲା । ଶୁଦ୍ଧି କରିବା ଲାଗି ଘରେ କେହି ନଥିଲେ । ଜାତିର ଲୋକେ ଏଗାର ଦିଦ ଦିନ ପୁରୁଣା ହାଣ୍ତି କାଢ଼ି ନୂଆ ହାଣ୍ତି କଲେ । କିନ୍ତୁ ଚନ୍ଦ୍ରଭାଇନା ମାଇପ ଘରେ ସେ ପୁରୁଣା ହାଣ୍ତି ବଦଳିଲା ନାହିଁ । ହଁ, ଚନ୍ଦ୍ରଭାଇନା ମାଇପ ଏଗାର ଦିନ ଅରୁଆ ଭାତ ଗଣ୍ତେ ରାନ୍ଧି ଖାଇଥିଲା । ବାରଦିନ ବାଦେ ତାଙ୍କ ମାମୁଁ ଖବର ପାଇ ସମ୍ପତ୍ତିବାଡ଼ି କଥା ବୁଝିବା ପାଇଁ ଆସିଲେ । ହିସାବ କରି ଦେଖିଲେ ସମ୍ପତ୍ତି ଯାହା ଅଛି, ଭାଣିଜୀ ବସି ବସି ଜୀବନଯାକ ମହାସୁଖରେ ଖାଇପିଇ ଚଳିପାରିବ । ଛ’ ସାତ ମାଣ ଜମି । ପୁଡ଼ୁଗ ପୁଡ଼ୁଗ ଧାନ । ନଗଦ ସାତ ହଜାର ଟଙ୍କା । ଘର ଆଗରେ, ବାଡ଼ିଆଡ଼େ ମସ୍ତବଡ଼ ଦିଇଟା ଧାନ ଖଣି । ଭାଣିଜୀକି କହିଲେ, ଘରଟରେ ଏକା ଏକା ଭୁଆଷୁଣୀ ଝିଅଟା କାହିଁକି ପଡ଼ି ରହିବୁ, ଜମିତକକୁ ଭାଗଚାଷରେ ଲଗେଇଦେଇ ତୁ ଯାଇ ଆମରି ଘରେ ରହ । କିଛି ଅସୁବିଧା ହେବନି । ଭାଣିଜୀ ମୁଣ୍ତ ହଲେଇ କହିଲେ, ଯିବେନି । ସେ ଏଇଠି ରହିବେ । ମାମୁଁ ବହୁତ ବୁଝେଇଲେ, ହେଲାନି ।

ସର ଭାଉଜ ଉପରେ ପଡ଼ି ମାମୁଁକୁ ବୁଝେଇଲା । ମନ ଯେବେ ହେଉନି, ଜୋର୍‌ ଜବରଦସ୍ତି କରି ନେବାଟା ଭଲ ହେବନି । ରହୁ, ଇଚ୍ଛାହେଲେ ଯିବ ।

ମାମୁଁ ନାଚାର । ଶଗଡ଼ ବଳଦ ଧରି ଆସିଥିଲେ—ସେଇଥିରେ ଚାଲିଗଲେ ।

ଏହିସବୁ ଘଟଣା ପରେ ଚନ୍ଦ୍ର ଭାଇନା ମାଇପ ପ୍ରତି ମୋର କିମିତି ଗୋଟାଏ ଆକର୍ଷଣ-। ଏତେଦିନ ଧରି ତାର ରୂପ ଚର୍ଚ୍ଚାର ବାହୁଲ୍ୟ ମତେ ଟାଣି ନେଉଥିଲା, ତାର ରୂପ ଦେଖିବାଲାଗି-। କିନ୍ତୁ ଏଥର ତାର ଦାମ୍ଭିକତାରେ ମୁଁ ମୁଗ୍‌ଧ ହୋଇ ପଡ଼ିଲି । ତାକୁ ଦେଖିବାକୁ ମନ ଏକାବେଳକେ ଅଥୟ ହୋଇ ଉଠିଲା ।

ଦିନେ ହଠାତ୍‌ ଦାଣ୍ତଆଡ଼ ଦୁଆର ମେଲେଇ ସମସ୍ତ ଲୌକିକତାକୁ ବ୍ୟତିକ୍ରମ କରି ଭିତରକୁ ପଶିଗଲି । ବୋଧହୁଏ ସେଇଟା ଦିଅଁଙ୍କ ଘର । ଚନ୍ଦ୍ର ଭାଇନା ମାଇପ ବସିଚି, ପରିଧେୟ ଗୋଟାଏ ମଠା ଲୁଗା । ମୁଣ୍ତର ବାଳଗୁଡ଼ାକ ମୁକୁଳା । ଏହିକ୍ଷଣି ଗାଧୋଇ ଯେମିତି ଫେରିଚି । ଆଗରେ ହରପାର୍ବତୀଙ୍କର ଗୋଟାଏ ଚିତ୍ରପଟ ପୁଷ୍ପମଣ୍ତିତ । ଏକାବେଳକେ ଧାନମଗ୍ନା ।

ସେଇ ପଛପଟଟା । ହୁଏତ ବାଡ଼ିଆଡ଼ୁ ଆସିଥିଲେ, ମୁହଁଟା ଠିକ ସାମନାରେ ପଡ଼ି ଥାଆନ୍ତା । କିଛି ସମୟ ତୁନିତାନ ଠିଆ ହୋଇ ରହିଲି । ଗଳା ଖଙ୍କାର ମାରି ଶବ୍ଦ କଲି । ତଥାପି ସେ ଫେରି ଚାହିଁଲା ନି । ତାର ଭକ୍ତିରସରେ ଗଦ୍‌ଗଦ୍‌ ହୋଇ ଫେରି ଆସିଲି ଦାଣ୍ତ ଦୁଆରକୁ ।

ଦେଖିଲି, ଏଡ଼େବଡ଼ ଠେଙ୍ଗୁଣି ଧରି ମାମୁଁ ଦାଣ୍ତରେ ଠିଆ । ଗୁଡ଼ାଏ ଲୋକ ଆସି ରୁଣ୍ତ । ସମସ୍ତେ ମତେ ଯେମିତି ଅପେକ୍ଷା କରି ରହିଚନ୍ତି । ମାମୁଁ ହୁଏତ ଜବାବ ଦେବେ ଠେଙ୍ଗାରେ, ଅନ୍ୟମାନେ ଜବାବ ଦେବେ ତିରସ୍କାର, ଭର୍ତ୍ସନାରେ । ଦାଣ୍ତ ଦୁଆର ଏରୁଣ୍ତି ଉପରେ ମୋର ଗୋଟାଏ ପାଦ, ଘର ଭିତରେ ଗୋଟାଏ ପାଦ । ସମସ୍ତଙ୍କ ରୋଷ-ଚକ୍ଷୁର ବ୍ୟୁହ ଭିତରକୁ ଯିବାପାଇଁ ସାହସ ହେଲାନି । ମାମୁଁ ଠେଙ୍ଗାରେ ଠାରିଲେ, ତଳକୁ ଖସ ।

ଖସି ପାରିଲିନି । ମନେ ହେଲା ଦେହର ସବୁଗୁଡ଼ାକ ଶକ୍ତି ଯେମିତି ଏକାବେଳକେ ଖସି ତଳେ ଲୋଟି ପଡ଼ିଚି । ମାମୁଁ ଡେଙ୍ଗା ଡେଙ୍ଗା ପାଦ ଦିଇଟାକୁ ଉଠେଇ ମାଡ଼ି ଆସିଲେ ଉପରକୁ । ଆଜିଠୁ ଭଣଜା ନାଁ ବୁଡ଼ିଲା କହି ରାଗରେ ଠେଙ୍ଗାଟା ମୋରି ଉପରେ ଇଜାଡ଼ି ଦେବା ବେଳକୁ ହଠାତ୍‌ ଗୋଟାଏ କୋମଳ ହାତ ମତେ ଭିତରକୁ ଟାଣି ନେଇଆସେ ଧଡ଼କରି ଦୁଆରଟାକୁ ବନ୍ଦ କରିଦେଲା ।

ତାପରେ, ସେଇ ଦିଅଁ ପାଖକୁ । ବାହାରେ ବହୁ ସମୟ ଧରି ପାଟିତୁଣ୍ତର ପ୍ରତିଧ୍ୱନି ଆସି ମୋ କାନରେ ପଡ଼ୁ୍ଥାଏ । ବାଡ଼ିଆଡ଼େ ବି ଗୁଡ଼ାଏ ମାଇକିନିଆଁଙ୍କ ପାଟିତୁଣ୍ତ । ଦିଆଡ଼ୁ ଦୁଆର ବନ୍ଦ-। ଗାଳିଗୁଡ଼ାକ ଆଉ ମୋ ପ୍ରତି ନୁହଁ, ସବୁ ଚନ୍ଦ୍ର ଭାଇନା ମାଇପ ଉପରେ । ଦୋଚାରୁଣୀ, ଅଲକ୍ଷଣୀ, ଅଳପେଇସୀ, ଡାହାଁଣୀ, ଚିରୁଗୁଣୀଠୁ ଆରମ୍ଭ କରି ମାଇକିନିଆଁଙ୍କ ତୁଣ୍ତରୁ ଯେଉଁସବୁ ଗାଳି ବାହାରେ ସବୁଗୁଡ଼ାକ ।

କିନ୍ତୁ ଦେଖିଲି ଚନ୍ଦ୍ର ଭାଇନା ମାଇପର କୋଉଥିକି ଖାତିରି ନାହିଁ । ଝରକାର କ୍ଷୀଣ ଆଲୋକ ଦିହରେ ବୋହୁ ଆକାଙ୍‌କ୍ଷିତ ମୁଁହଟି ଦେଖିଲି, କେଡ଼େ ସୁନ୍ଦର ! ବିନୀତ, ବଡ଼ ନମ୍ର । କରୁଣାର ଗୋଟିଏ ଧାରା ଭଳି ଭାରି ସ୍ୱଚ୍ଛ, ବଡ଼ ପବିତ୍ର ।

 

ମୋର ଭୟ କାତରତା ଦେଖି କହିଲା, ଦୀନୁ ଡ଼ରୁଚ ? କୋଉଥିପାଇଁ ? ମାମୁଁ ବାଡ଼େଇବେ, ପାଠ ପଢ଼େଇବେନି ? ଫୋପାଡ଼ି ଦେବେ ? ତୁମେ ତ ଆବର୍ଜନା ନୁହଁ କି ପଚାସଢ଼ା ଜିନିଷ ନୁହଁ, ଫୋପାଡ଼ିଦେଲେ ଫୋପାଡ଼ି ଦିଅନ୍ତୁ । ସୁନା ରୂପା ହୋଇଥିଲେ ଯିଏ ପାରୁ ସେ ଗୋଟେଇ ଆଣିବେ ? ମୋ ମନ ଏକାବେଳକେ ଏଇ କେତୋଟି କଥାରେ ଶାନ୍ତଶୀତଳ ହୋଇ ଆସିଲା । ମନେ ହେଲା, ଭାଉଜ ଦିଟାଯାକ ଦୁଆର ଖୋଲି ଦେଇଚି । ଦିଇଟାଯାକ ହାତ ପସାରି ଦେଇ ଲୋକଗୁଡ଼ାକୁ ଡାକୁଚି, ଆସ ଭିତରକୁ ଆସ । ଦୀନୁକୁ ଟାଣିନେଇ ଯାହା ସେ ପାଇବର କଥା ପାଇ ସାରିଲାଣି । ଇଚ୍ଛା କଲେ ତାକୁ ନେଇଯାଅ, ନହେଲେ ଛାଡ଼ିଦେଇ ଯା’ । ପରୁଆ ନାହିଁ-। ଫୋପାଡ଼ିଦେଲେ ସେ ଗୋଟେଇ ଆଣିବାକୁ ପ୍ରସ୍ତୁତ ।

 

ଠିକ୍‌ ଏଇ ସମୟକୁ ସରଭାଉଜ ଆସି ବାଡ଼ିଆଡ଼ ଦୁଆରେ ଡାକ ପକେଇଲା – ଆଲୋ ଏ ଶକୁ (ଚନ୍ଦ୍ର ଭାଇନା ମାଇପ ନାଁ ଶକୁନ୍ତଳା) ଦୁଆର ଫିଟା ।

 

ସର ଭାଉଜ ଗାଁ ମାଇକିନିଆଁଙ୍କ ଭିତରେ ନେତ୍ରୀ-ସ୍ଥାନୀୟା । ସମସ୍ତଙ୍କ ଖାତିର ତାକୁ । ଭଲ ମନ୍ଦ ଦିଟାଯାକରେ ସେ ନିଜକୁ ବେଶ୍‌ ଗୋଳେଇ ମିଶେଇ ଦେଇପାରେ । ବୋଧହୁଏ ସେ ଘରେ ନଥିଲା, ଗାଧୋଇବାକୁ ଯାଇଥିଲା, । ଏଡ଼େ ଗୋଟେ ଝଡ଼ ବହିଗଲା, ଅଥଚ ସେ କିଛି ଜାଣେନା । କାଲି ଶକୁନ୍ତଳା ଘରୁ ସରାଏ ଲୁଣ ନେଇଥିଲା, ସୁଝି ଦେବାକୁ ଆସିଚି ।

 

ଶକୁନ୍ତଳା ଦୁଆର ଫିଟେଇ ଦେଲେ । ଭିତରକୁ ପଶି ଆସିଲା ଭାଉଜ । ଗମ୍ଭିରୀ ଘର ଭିତରକୁ ପଶୁ ପଶୁ ଦିଅଁ ଘରଟା ଆଡ଼ିକି ହଠାତ୍‌ ଆଖି ପଡ଼ିଗଲା । ମୁଁ ବସି ଭୋଗ ଖାଉଚି । କଦଳୀ ସାଙ୍ଗକୁ କିଛିଟା ଧୂଆମୁଗ । ଉପରେ ଛିଞ୍ଚା ହେଇଚି ମୁଠେ ଚିନି । ମତେ ଦେଖି ପ୍ରଥମେ ଟିକିଏ ଆଶ୍ଚର୍ଯ୍ୟ ବୋଧ କରିଥିଲା ନିଶ୍ଚୟ, କିନ୍ତୁ ମୁହଁରୁ ଆଶ୍ଚର୍ଯ୍ୟ ଭାବଟା ହଠାତ୍‌ ପୋଛି ପକେଇ କହିଲା, ଦୀନୁ ନାଗରଟିକି ! ଦେଖିଲି ରସିକ, ତ ଦୀନୁ ରସିକ । କିଓ ଗୁହାଳରୁ ଫିଟିଲ କିମିତି ? କ’ଣ ମାମୁଁ ଆଜି କୋତରା ପଘାରେ ବାନ୍ଧି ଦେଇଥିଲେ ନା ଫାଶଟା ଟିକିଏ ଟାଣରେ ପଡ଼ି ନଥିଲା-?

 

ଶକୁନ୍ତଳା ଭାଉଜ ସର ଭାଉଜ ଲାଗି ଆସି କହିଲା, କିଛି କହନି ନାନୀ, ପିଲାଟାକୁ ଭାରି ବାଧିଚି । ଆଉ ଟିକିଏ ହେଇଥିଲେ ଦିନୁ କୁଆଡ଼େ ଯାଇ ମଶାଣି ହୁଡ଼ାରେ ହାଜର ହୁଅନ୍ତେଣି-। ଲଜ୍ଜା, ଅପମାନ ସବୁକୁ ତୁଟେଇ ଝିଙ୍କି ଆଣିଲି ବୋଲି ପିଲାଟା ଯାହାହେଉ ରକ୍ଷା ପାଇଗଲା-

 

ଶକୁକୁ ଟିକିଏ ଅନେଇ ଦେଇ ସରଭାଉଜ କହିଲେ, ତତେ ନୂଆ ଲାଗୁଚି ଲୋ ଶକୁ । ଏ ମୁଣ୍ତଟାରେ ଏଇିମିତି କେତେ ପାହାର ବାଜିଲାଣି, ବେତରେ ପିଠି କେତେ ଥର ଲୋଳା ଫାଟିଲାଣି । ସେଦିନ ଦାଶକାଠିଆ ଗାୟକ ପାଳିଆ ପହଞ୍ଚିବା ଦେଖି ପରା ରାତି ଅଧରେ ଉଠି ପିଲାଟା ଛୁଟିଥିଲା ବାଣପୁରକୁ । କ’ଣ ନା ଆଜି ଜାତ ହେବ । ଡେ ଲାଇଟ ସେ ନିଜେ ଯାଇ ଆଣିବ । ନନ୍ଦ ଦୋକାନରୁ ଦି’ ପଟେ ଦିଟା ଲାଇଟ ଓହଳେଇ ବାବୁ ଆସୁଚନ୍ତି ବିଲ ଗହୀରରେ କ’ଣ ନା ଦାସକାଠିଆ ଜାତ ହେବ । ଲକ୍ଷଣାବତୀ ହରଣ ଚରିତ ପଡ଼ିବ । ବାଜିଲା ଠେଙ୍ଗା ଯେ ଲାଇଟ ଭାଙ୍ଗି ଚୂନା । ପିଲାଟା ଦେହରୁ ଦଶ ଦିନଯାଏ ବଥା ଗଲାନି । ସେଇ ମାମୁଁ ମାଇଲେ, ସେଇ ମାମୁଁ ଭଣଜାର କଷ୍ଟ ସହି ନପାରି ଭଣଜା ନଖାଇଲା ପର୍ଯ୍ୟନ୍ତ ଖାଇଲେନି କି ଭଲକରି ନିଦରେ ବି ଶୋଇଲେ ନି । ଆମେ ଖାଲି ମାମୁଁ ଭଣଜାଙ୍କର ଲୀଳା ଦେଖିବା କଥା ।

 

ଆଉଦିନେ ଏଇ ଟୋକା ଖଣ୍ତକର ଯୋଉ ନାଟ ! ଦଳେ ଘୁଡ଼କୀ ନାଟୁଆଙ୍କୁ ଧରି ଆସି ବାଡ଼ିଆଡ଼େ ହାଜର । କ’ଣନା ସର ଭାଉଜ ଚାନ୍ଦା ଅସୁଲ କର, ନାଟ ହେବ । କ’ଣ କରିବି, ଲାଗିଲି, ବୁଲି ବୁଲି ଚାନ୍ଦା ଅସୁଲ କଲି, ନାଟ ହେଲା ଯାଇ ଦିଅରଙ୍କ ମନରେ ଶାନ୍ତି !

 

ଶକୁ ଭାଉଜ କହିଲେ, ବଜାରକୁ ବାହାରୁନି ବୋଲି କ’ଣ କିଛି ଜାଣୁନି ନାନୀ । ସବୁ ଜାଣିଚି ବୋଲିତ ପିଲାଟା ପ୍ରତି କାହିଁକି କିମିତି ଗୋଟାଏ ଶ୍ରଦ୍ଧା ହେଇ ଯାଇଚି । ସେ ଦିନ ଜାଣିଲି, ଯୋଉ ଟୋକା ଗୁଡ଼ାକ ଆମ ବାଡ଼ିଆଡ଼େ ନଡ଼ିଆଗଛରୁ ପଇଡ଼ ଚୋରୀ କରି ଖାଇଗଲେ, ସେମାନଙ୍କର ଭିତରେ ଏଇ ଦୀନୁ ଥିଲେ ଲିଡ଼ର । ଭେଟିଆ ଆସି କହିଲା । ଛାଡ଼ି ଦେ ବୋଲି କହିଲି—ଖାଲି ଏଇ ପିଲାଟା ଯୋଗୁଁ । ଜାଣେ ଇଏ ଚୋରୀକରେ, ଦୁଷ୍ଟାମୀ କରେ, ସମସ୍ତଙ୍କୁ ମାରି ଗେଡ଼ାଏ, ଅସହ୍ୟ ଭାବରେ ରୋକ୍‌ଠୋକ୍‌ କହିଯାଏ, ତଥାପି ୟା କଥା ଶୁଣିଲେ କାହିଁକି କେଜାଣି ମୋ ମନଟା ଭାରି ବିକଳ ହୋଇଉଠେ ।

 

ମୁଁ ବଲ ବଲ କରି ଶକୁ ଭାଉଜର ମୁହଁଟାକୁ ଖାଲି ଚାହିଁ ରହିଥାଏ । ରାମାୟଣ, ମହାଭାରତ, ଗୀତା ୟାକୁ କି ସୁନ୍ଦର କରି ଗଢ଼ିଚି ସତେ ! କି ମହତ୍‌ ୟାର ହୃଦୟ ! ସେଦିନ ପରିହାସ ବେଳର ଭାଉଜ ତ ଏ ନୁହେଁ !

 

ଶାନ୍ତ ସୌମ୍ୟ ଗୋଟାଏ ଅବୟବ । ଭାଉଜ ଦିଅରର ପରିହାସ ଏମାନଙ୍କ ପ୍ରତି କେବେ ପ୍ରଯୁଜ୍ୟ ନୁହେଁ । ଯେଉଁ ନାରୀକୁ ଦେଖିଲେ ପଳ ପଳ କରି ଖାଇଯିବାକୁ ଇଚ୍ଛାହୁଏ, ସୌନ୍ଦର୍ଯ୍ୟର ମହାସାଗରରେ ଅବଗାହନ କରିବାକୁ ଦେହ ମନ କାତର ହୋଇଉଠେ—ସେ ଏଇ ନାରୀ । କିନ୍ତୁ ଇଚ୍ଛା ହୁଏନା ଏଭଳି ଏକ ପବିତ୍ର ଦେହରେ କୌଣସି ସ୍ପର୍ଶ ଦେବାକୁ । ଏ ନାରୀ ହସନ୍ତ କିନ୍ତୁ ହଳନ୍ତ ନୁହେଁ, ଏ ନାରୀ ପୂର୍ଣ୍ଣଚ୍ଛେଦ, କମା ବା ସେମିକୋଲେନ ନୁହେଁ । ସରଭାଉଜ ବୋଧହୁଏ ଯୋଉଦିନ ଜନ୍ମ ହୋଇଚି ନାରୀତ୍ୱ ନେଇ, ସେଇ ଦିନଠୁ ନାରୀତ୍ୱର ସମସ୍ତ ଦୁର୍ବଳତା ବିଦାୟ ଦେଇ ଚାଲିଚି ଏକ ଦୁର୍ଗମ, ଦୁର୍ଭେଦ୍ୟ ପଥରେ ।

 

ଶକୁ ଭାଉଜ କହିଲା—ଦୀନୁ ଇମିତି ବଲବଲ କରି ମତେ ଅନେଇଚ କାହିଁକି ? ଆଗ ସେତକ ଖାଇପକ, ତାପରେ ସବୁ ଠିକ୍‌ ହେଇଯିବ ଯେ ।

 

କହିଲି—ଇଚ୍ଛା ହେଉନି ଭାଉଜ ।

 

ସର ଭାଉଜ ଟିକିଏ ରାଗିଲା ଭଳି ମନେ ହେଲା—ଇଚ୍ଛା ହେଉନି ତ ଇମିତି ଲୁଚି ଲୁଚି ଆସି ଠେଙ୍ଗା ବାଡ଼ିଆ ଖାଇବାକୁ ଦାଣ୍ତକୁ ଯାଉଥିଲା କାହିଁକି ? ଇଠି ଖାଇଦେଲେ ତ ଜାତି ଯିବନି । ବ୍ରାହ୍ମଣ ଘର ତ ! ପଇତା ଖଣ୍ତେ ପକେଇଚ ବୋଲି ଏତେ ବାଛ ବିଚାର କାହିଁକି ? ପଇତା ତ ପକେଇଚ, ସଂଧ୍ୟା ପୂଜାମନ୍ତ୍ର ଆସୁଚି ?

 

ହଁ ଶିଖିଥିଲି, ମନେ ଅଛି, ପୂଜାପଦ୍ଧତି ଧରି ଏ ମୁଣ୍ତରୁ ସେ ମୁଣ୍ତଯାଏଁ ସବୁ ଘୋଷି ପକେଇଥିଲି ବୋଲି ତ ସେ ଦିନ ଗଦାଧର ଆଉ ମୁଁ ଯାଇ ପୋଖରୀ ତୁଠରେ ପାଣି ଆଞ୍ଜୁଳାରେ ବାପା, ମା, ସମସ୍ତଙ୍କର ନାଁ ଧରି ତର୍ପଣ କରି ଚାଲିଚୁ—ଏକା ଦମ୍‌ରେ । ପଛରୁ ଆସି ନବ ଅଜା ଭିଡ଼ି ଧଇଲେ ଦିଜଣକୁ—କିରେ ତମମାନଙ୍କର ନନା ବୋଉ ଅଛନ୍ତି ପରା, ନ ମରୁଣୁ ତର୍ପଣ, ସ୍ତୃପ୍ୟତାଂ ! ସଂନ୍ଧ୍ୟା ବି ଆସୁଥିଲା, ପୂଜା ବି ଆସୁଥିଲା, ପାଣି ନ ହେଲେ ପରିସ୍ରା କରିବା ହେଉ ନଥିଲା । ସବୁ ଭୁଲି ଯାଇଚି । ପୂଜା କଲେ କେବଳ ତାଳି ମାରିବା ଛଡ଼ା ଆଉ କିଛି ମନେପଡ଼େନା-। ଚଳୁ କଲେ ଟିପ ଆଗରେ ତିନି ମୁଠା ଭାତ ତଳେ ରଖି ପାଣି ଇଡ଼ିବା ଛଡ଼ା ତ କିଛି ମୁଁ ଜାଣେନା-

 

ସର ଭାଉଜ ପଚାରିବାମାତ୍ରେ ମୁଣ୍ତ ହଲେଇ କହିଲି, ପୂଜା କରିବା ଢଙ୍ଗଟା ଜାଣେ, ମନ୍ତ୍ରଟା ମନେ ନାଇଁ ।

 

ସର ଭାଉଜର ହସ ଯେ ହସ । ଶୁଣିଲୁ ଲୋ ଶକୁ—ୟାକୁଇ କହନ୍ତି ବ୍ରାହ୍ମଣ !

 

ଶକୁ ଭାଉଜ ମୋର ସମ୍ମାନ ରଖିଦେଲେ ବୋଲି ସିନା; ନଇଲେ । ସରଭାଉଜକୁ ଉତ୍ତର ଦେଇଥିଲା— ସନ୍ଧ୍ୟା ତର୍ପଣ ନକଲେ କ’ଣ ମଣିଷ ବ୍ରାହ୍ମଣ ବୋଲାଏନି ? ଗୀତା, ମହାଭାରତରୁ କେତେ କଥା ଉଦ୍ଧାର କରି ବୋଲିଗଲା ସେ । ସରଭାଉଜ ଏକାବେଳକେ ଚୁପ୍‌ । ଏଡ଼େ ବଡ଼ ପାହାଡ଼ଟା ଆଗରେ ସେ ମନେକଲା ନିଜକୁ ନିହାତି ଦୁବଗଛ । ସର ଭାଉଜର ବଡ଼ ଗର୍ବ—ସେ ଟେରେଇ କରି ଭାରି କଟାକ୍ଷ ମାରିଜାଣେ । ସେ କଟାକ୍ଷୀ, ଶକୁ ଭାଉଜ ମୀନାକ୍ଷୀ । ଇଏ ସୁନା, ସିଏ ଅଙ୍ଗାର । ଇଏ ରମା, ସେ ଖାଲି ରମଣୀ । ସେ ଚଉଷଠୀ ବନ୍ଧନ ଜାଣେ, ଏ ଗୋଟିଏ ହେଲେ ବନ୍ଧନ ଜାଣେନା । ସେ ଯେଉଁ ବନ୍ଧନ ଜାଣେ, ସେଇ ବନ୍ଧନ କୋଟିକରେ ଗୋଟିଏ ନାରୀ ବି ଜାଣନ୍ତି ନାହିଁ । ସେଇ ବନ୍ଦନରେ ମତେ ବାନ୍ଧି ପକେଇଚି ବୋଲି ମୁଁ ଭୋଗ ନ ଖାଇ ଖାଲି ତା ଭଳି ଦିଅଁକୁ ଚାହିଁ ରହିଚି । ତା କଥା ଚିନି, କଦଳି, ଧୂଆମୁଗଠୁ ବି ମିଠା ।

 

ଶକୁ ଭାଉଜ କହିଲା—ଦୀନୁ, ତୁମେ ପରୀକ୍ଷା ଦେଇ ସାରିଚ ପରା !

 

ହଁ, ପରୀକ୍ଷା ଦେଇ କାଆଲି ଫେରିଲି ।

 

ପାସ୍‌ କରିବ ତ ?

 

ପାସ୍‌ କରିବା ଶବ୍ଦଟା ମୋ ପଢ଼ାପଢ଼ି ଆଗରେ ଥିଲା ନିହାତି ଗୋଟାଏ ଛୋଟ ଶବ୍ଦ । ପାସ୍‌ଟା ନିଶ୍ଚିତ, ଏକଥା ମୁଁ ଜାଣେ । ମୁଁ ଚାହେଁ ଭଲ ପୋଜିସନ । ପାଠପଢ଼ାର କଠୋର ପରିଶ୍ରମ ଭିତରୁ ଏକ ଅନବଦ୍ୟ କୃତୀତ୍ୱ ! ସେଇଥିପାଇଁ ଶକୁ ଭାଉଜକୁ କହିଲି—ନା କରିପାରିବିନି ।

 

—ତୁମେ ପରା ତମ କ୍ଲାସ୍‍ରେ ଫାଷ୍ଟ ହୁଅ ।

 

—କିନ୍ତୁ ସମଗ୍ର ଓଡ଼ିଶାରେ ଯେତେ ସ୍କୁଲ ଅଛି, ତାରି ଭିତରେ ଫାଷ୍ଟ ହେବାର ସୁଯୋଗ କେବେ ଜୁଟିନି । ଏଇଥର ଜୁଟିଚି । ପାସ୍‌ କରି ପାରିବି କି ନା ଜାଣେନା, କିନ୍ତୁ ଫାଷ୍ଟ ହେବି । ମୋର ନିଚାଶା ନାହିଁ, ଉଚ୍ଚାଶା ।

 

—ଯଦି ପାସ୍‌ କର, ତାପରେ ?

 

—ପଢ଼ିବି ।

 

—ପଇସା ?

 

—ତମେ ଦବ ।

 

ଧାଇଁଆସି କୁଣ୍ଢେଇ ପକେଇଥିଲା ଶକୁ ଭାଉଜ । ଯାହାର ମୁହଁକୁ ଦେଖିବା କଥା ଭାବିଲା ମାତ୍ରେ ଦେହରେ କଂପନ ଉଠୁଥିଲା—ସେ ମତେ କୁଣ୍ଢେଇ ପକେଇଲା, ଅଥଚ କାହିଁ କୌଣସି ସିତ୍‌କାର, କୌଣସି ରୋମାଞ୍ଚ ନାହିଁ । ଏଇ କେଇଟା ଘଣ୍ଟା ଭିତରେ ମୋ ମନଟା ଭିତରେ କି ଯେ ପରିବର୍ତ୍ତନ ଘଟିଗଲା, ବୁଝିପାରିଲି ନାହିଁ । ଆଗରେ ସର ଭାଉଜ । ଅପପ୍ରଚାରର ମୁଖପାତ୍ର । ସମସ୍ତ ଆବର୍ଜନାର ମହାକୁଣ୍ତ । ସିଂହ ନଥାଇ ବି ସେ ସିଂହୀ ନୁହେଁ, ସିଂହ । ସବୁକୁ ଭୁଲି ଯାଇଚି ଶକୁ ଭାଉଜ । ଏକ ଯୌବନ କୁଣ୍ଢେଇ ପକେଇଚି ସଦ୍ୟଜାତ ଏକ ନବୀନ ଯୌବନକୁ-। ଏକ ପାଳଗଦା ଭିତରେ ଝାସ ଦେଇଚି ଗୋଟାଏ ଡହ ଡହ ନିଆଁଖଣ୍ତ । ହୁଏତ ଏହାରି ଭିତରୁ ଚାହିଁଲେ ସର ଭାଉଜ ସୃଷ୍ଟି କରି ଦେଇପାରେ ପ୍ରଳୟ ଦାବାନଳ । ମୁଁ କିନ୍ତୁ ହଜି ଯାଇଚି, ଶକୁଭାଉଜ ବି ନିଜକୁ ହରେଇ ଦେଇଚି ଏକ ଆତ୍ମସ୍ଫୂର୍ତ୍ତ ଭାବପ୍ରବଣତାରେ । ସେ କିଛି ଚାହେଁ–ସେଇ କିଛିଟା ମୁଁ । ସେ ପ୍ରଲୋଭିତ ହେବାକୁ ଚାହିଁ ନଥିଲା କେବେ, କିନ୍ତୁ ପ୍ରଲୋଭନ ନିଜେ ଆସି ବାଧ୍ୟ କରିଚି ତାକୁ ପ୍ରଲୋଭିତ ହେବାଲାଗି । ଏହି ଉଦାର ପ୍ରଲୋଭନର ସଂଜ୍ଞା କ’ଣ ସେ ଜାଣେନା, ମୁଁ ମଧ୍ୟ ଜାଣେନା । ସାମୟିକ ଉତ୍ତେଜନାରେ ନାରୀଭିତରୁ ଯେଉଁ ପ୍ରଲୋଭନର ସ୍ଫୁରଣ ହୁଏ, ତାରି ନାଁ ପ୍ରଣୟଲିପ୍‌ସା, ଆଧୁନିକ ଭାଷାରେ ପ୍ରେମ, କିନ୍ତୁ ସାମୟିକ ଭାବପ୍ରବଣତାରୁ ଯେଉଁ ଆକର୍ଷଣ ସୃଷ୍ଟି ତାରି ନାଁ ସ୍ନେହ, ଅନୁରାଗ । ଶକୁ ଭାଉଜର ମୋ ପ୍ରତି ବାହୁବେଷ୍ଟନ ସେହି ସ୍ନେହଜାତ । ତା ଦେହ ଆଉ ଗୋଟିଏ ଦେହକୁ କୁଣ୍ଢେଇ ପକେଇନଥିଲା, କୁଣ୍ଢେଇ ପକେଇଥିଲା ଦୀନୁର ହୃଦୟକୁ । ପ୍ରଣୟ କ୍ଷଣସ୍ଥାୟୀ, ସାମୟିକ, କିନ୍ତୁ ସ୍ନେହ ଚିରସ୍ଥାୟୀ, ଶାଶ୍ୱତ । ସ୍ନେହାବିଷ୍ଟ ଆଖିରୁ ଯେଉଁ ଲୁହ ଗଡ଼େ ତାହା ପାଣି ନୁହେଁ, ଅମୃତ । ସେଥିରେ ବେଦନା ନଥାଏ, ଥାଏ ସଂବେଦନା ।

 

ଶକୁ ଭାଉଜକୁ ଝିଙ୍କି ନେଇଗଲା, ସର ଭାଉଜ । ଦେଖିଲି ସର ଭାଉଜ ବିଲକୁଲ ବଦଳି ଯାଇଚି । ଶକୁ ଭାଉଜ ମୋ ପ୍ରତି ଯେମିତି ଟାଣି ହୋଇଆସିଛି ସେଇମିତି ଟାଣି ହୋଇଯାଉଚି ସର ଭାଉଜ ଶକୁ ଭାଉଜ ପ୍ରତି । ତା ଆଖିରେ ସେଇ କ୍ରୂରତା, ନିର୍ଦ୍ଦୟତା, ଖଳ ଭାବ ନାହିଁ ! ଶକୁ ଭାଉଜର ସ୍ନେହରାଶିରେ ସେ ପାଲଟି ଯାଇଚି ଏକାବେଳକେ ନିର୍ମାଲ୍ୟ ।

 

ସର ଭାଉଜ କହିଲା ଶକୁ ଲୋ ତତେ ଏତେ ଦିନ ଯାଇ ଚିହ୍ନିଲି, ଦୀନୁକୁ ବି ଚିହ୍ନିଲି । ମୋ ନାଟକର ଅଭିନୟ ଆଜି ଏଇଠି ଶେଷ ହୋଇଗଲା । ଭାବିଥିଲି ରଂଜୁ ଏଗାଁରୁ ଯିବା ଦିନଠୁ ଦୀନୁ ବି ଚାଲି ଯାଇଚି—ଖାଲି ତାର ଆତ୍ମାଟା ପଡ଼ିରହିଚି ଏଠି ବୋଲି । ରଂଜୁକୁ ଚିହ୍ନିଥିଲି, ପ୍ରତି ସପ୍ତାହରେ ତା ଚିଠିରୁ ଭଲ କରି ଚିହ୍ନୁଚି । କିନ୍ତୁ ଦୀନୁଟାକୁ ତ ଏଇମିତି କେବେ ଚିହ୍ନି ନଥିଲି । ଜାଣିଲି, ସର ଭାଉଜକୁ ଶକୁ ଭାଉଜ ନାନୀ ବୋଲି ଡାକିବାଟା ଏଇଠି ସାର୍ଥକ ହେଲା । ସରଭାଉଜ ଯଦି ରକ୍ଷାକବଚ, ତାହାହେଲେ ଏ ଗାଁଟାରେ କାହାର ଜିଭରେ ହାଡ଼ ନାହିଁ-ଶକୁ ଭାଉଜ ନାଁରେ କି ଦୀନୁ ନାଁରେ ଅପପ୍ରଚାର କରିବା ପାଇଁ । ବାତାବରଣଟା ବିଳକୁଲ ବଦଳି ଯାଇଚି । ଆକାଶରେ ମେଘ ଥିଲା, ହଠାତ୍‌ ପୋଛି ହୋଇଯାଇଚି । ଏକାବେଳକେ ନିର୍ମଳ । ଶକୁ ଭାଉଜର ହୃଦୟଟା ଭଳି ସ୍ୱଚ୍ଛ, ଶୁଭ୍ର ଆକାଶରେ ସୂର୍ଯ୍ୟ ଫୁଟିଚି,ସର ଭାଉଜ ହୃଦୟରେ ସ୍ନେହ ଫୁଟିଚି !

 

ସେଇ ଦିନଠୁ ଶକୁ ଭାଉଜ କାହିଁକି କେଜାଣି ହାତରୁ କାଚ କାଢ଼ିଦେଲା । ବାଳକୁ ମୁକୁଳା ରଖିଲା, ମୁଣ୍ତରେ କଳା ଲୁଗା ଘୋଡ଼େଇଲାନି । ଶ୍ୱେତ ବସନା, ନିରାଡ଼ମ୍ବରା । ଠିକ୍‌ ଜଣେ ଯୁବତୀ ବିଧବା ଭଳି ମଠା ଲୁଗା ପିନ୍ଧେ । ମଝି ମଝିରେ ପିଠାପଣା କରି ଖାଇବାକୁ ଡାକେ । ପଇସା ପତ୍ର ଅଭାବ ଅଛି କି ପଚାରେ । ଦରକାର ନାହିଁ କହିଲେ ବଡ଼ ବିରକ୍ତ ହୁଏ । ତାର ଇଚ୍ଛା ବଡ଼ଘର ପିଲାଙ୍କ ଭଳି ମୁଁ ସୁଟ୍‌ପ୍ୟାଣ୍ଟ ପିନ୍ଧନ୍ତି, ଆଡ଼ା ଚଉଡ଼ାରେ ଯାଆନ୍ତି । ଖାଲି ମୋର ଆଡ଼ମ୍ବରକୁ ଆସ୍ୱାଦ କରନ୍ତା । ସେତକ ହିଁ ତାର ମନରେ ସୁଖଶାନ୍ତି ଆଣି ଦିଅନ୍ତା ।

 

ସେ ଦିନ ଘଟଣା ପରେ ମାମୁଁଙ୍କର ମନ ବି ବଦଳି ଯାଇଚି । ସ୍ନେହକୁ ସେ ଚିହ୍ନିଚନ୍ତି । ମନର ଆବିଳତାକୁ ସେ ଫିଙ୍ଗି ଦେଇ ଶକୁ ଭାଉଜର ହୃଦୟ ଦେଇ ମତେ ସେ ଦେଖିଚନ୍ତି । ମନକୁ ନିଜର ବହୁତ ଚିପୁଡ଼ି ଚିପୁଡ଼ି ଶେଷରେ କେବଳ ସ୍ନେହ ପାଖରେ ଯାଇ ଝୁଂଟିଚନ୍ତି । ଯା ବୋଲି ପ୍ରତ୍ୟେକ୍ଷ ଭାଷାରେ ମତେ କିଛି କହି ନାହାନ୍ତି, କିନ୍ତୁ ପରୋକ୍ଷ ଭାଷାରେ ମତେ କିଛି କହି ନାହାନ୍ତି, କିନ୍ତୁ ପରୋକ୍ଷ ଭାଷାରେ ସେ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ମୁଁ ଅର୍ଥ କଲି—ତୁ ଯା, ଶକୁ ଆଦର୍ଶରେ ତୁ ନିଜକୁ ଅନୁପ୍ରାଣିତ କର । ତୋ ଜୀବନ ଚାହେଁ ପ୍ରେରଣା, ଉଚ୍ଛ୍ୱାସ । କେହି ଦେଇ ପାରିବନି ଶକୁ ଭାଉଜ ଛଡ଼ା ।

 

ମୁଁ ଯେଉଁ ଦିନ ମାମୁଁ ଘର ଗାଁର ଆଠବର୍ଷର ଇତିହାସକୁ ଛାଡ଼ି ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଚାଲି ଆସିଲି, ସେଦିନ ଥିଲା ମଗୁଶିର ମାସ ବୁଧବାର । ବାଡ଼ିଆଡ଼କୁ ଗଲି ଶକୁ ଭାଉଜଠୁ ବିଦାୟ ନେବା ପାଇଁ । ସଂଧ୍ୟା ବେଳଟା । ଶକୁ ଭାଉଜ ଖବର ଦେଇଥିଲା, ଦୀନୁ, ଲେଉଟା ଚକୁଳି କରିଚି, ଖାଇଯିବୁ । କିନ୍ତୁ ସେ ଦିନ ଭଳି ଗୋଟିଏ ଦିନରେ ତାଠୁ ବିଦାୟ ନେବା ପାଇଁ ଯିବି, ଭଲ ଲାଗୁ ନଥିଲା । ଭୟ ବି ଲାଗୁଥିଲା ହୁଏତ ସେଇ ପଇସା ପୁଣି ଯାଚିବ । ପିଲାଦିନୁ କାହାର ଧାରୁଆ ହୋଇ ରହିବା ପାଇଁ ଚାହୁଁ ନଥିଲି । ଶକୁ ଭାଉଜଠୁ ଯେତେକ ସ୍ନେହ ନେବା କଥା ତ ନେଇ ଯାଇଚି, ପୁଣି ପଇସା ଯଦି ନିଏ ଋଣରେ ଭାରାକ୍ରାନ୍ତ ହୋଇ ପଡ଼ିବି । ତେଣୁ ତା ପାଖକୁ ନ ଯାଉଣୁ ମନଟା ଭାରି ଭାରି ଲାଗୁଥିଲା ।

 

ଯିବିକି ନାହିଁ, ଏଇମିତି ଗୁଡ଼ାଏ ଭାବି ହୁଏତ ଦଶପନ୍ଦର ମିନିଟ ଡେରି ହୋଇଗଲା । ଦେଖିଲି ଶକୁ ଭାଉଜ ଚୁଲିରେ ଚକୁଳି ପିଠଉ ବସେଇ ଦେଇ ବାଡ଼ିଆଡ଼େ ଆସି ଝୋଟି ଦେଉଚି ... ସର ଭାଉଜ ପାଖରେ । ସର ଭାଉଜକୁ କହୁଚି ଶକୁ ଭାଉଜ ...ଦୀନୁଟା ଚାଲିଯିବ, ବଡ଼ ଖୁଜୁମୁଜୁ ଲାଗିବ । ଯାଉ, ତାକୁ କିଏ ରଖିବ । ପାଠପଢ଼ନ୍ତା ହେଲେ । ଏଡେ କମ୍‍ ବୟସରୁ ଯୋ କବିତା ଲେଖୁଚି ଲୋ ନାନୀ—ମନେ ହେଉଚି ବଡ଼ ହେଲେ ସେକ୍‌ସପିଅର ହୋଇଯିବ ।

 

—ସେକ୍‌ସପିଅର୍‌ କିଏ କିଲୋ ଶକୁ ?

 

ଇଂରେଜୀ ସାହିତ୍ୟର କବି ସମ୍ରାଟ, ଆମର ଯେମିତି ଉପେନ୍ଦ୍ରଭଞ୍ଜ, କାଳିଦାସ ।

 

ଏତେ ଦିନେ ଜାଣିଲି, ଶକୁ ଭାଉଜ ଇଂରେଜୀ ବି ଜାଣେ । କିନ୍ତୁ ପଢ଼ିଲେ କୁଉଠ, କିମିତି ? ଶୁଣିଚି ସେ ଖାଲି ମାଇନର ପାସ୍‌, ଅଷ୍ଟମ ଶ୍ରେଣୀ ବେଞ୍ଚରେ ବି ବସିନି । ତଥାପି.... ।

 

ତଥାପି ଗୋଟାଏ କ’ଣ ? କ୍ଲାସ୍‍ରେ ନ ବସିଲେ କ’ଣ ମଣିଷ ପାଠ ପଢ଼ି ପାରେନା ।

 

ଶକୁ ଭାଉଜ ପ୍ରକୃତରେ ବଡ଼ କ୍ଲାସ୍‍ରେ ବସିନି କିନ୍ତୁ ପାଠ ପଢ଼ିଚି । ସେ ଯେମିତି ଥାଇ ମଧ୍ୟ ବିଧବା, ସେଇମିତି ମଧ୍ୟମା ପାସ କରି ମଧ୍ୟ ଏକ ସ୍ନାତକ । ତା ପରେ ଶିକ୍ଷୟିତ୍ରୀ ।

 

ପଛକୁ ଲାଗିଆସିଲି ଶକୁ ଭାଉଜର । ସର ଭାଉଜ ଠାରି ଦେଲା ଶକୁ ଭାଉଜକୁ...ପଛକୁ ଚାହେଁ ତ ତାର ଆଦରର ଦୀନୁ । ଆଉ କୌଣସି ପାଇଁ ଆସିନି, ଆସିଚି ଲେଉଟ ଚକୁଳି ଖାଇବା ପାଇଁ । ଏ ଚକୁଳି ଖାଇଲେ ମଣିଷ ଯେତେ ଦୂର ଗଲେ ବି ଲେଉଟି ଆସେ । ବୋଧହୁଏ ଚନ୍ଦ୍ର ଭାଇନା ବୋଉ ଚନ୍ଦ୍ର ଭାଇନା ରେଙ୍ଗୁନ ଗଲାବେଳେ ଲେଉଟି ଚକୁଳି ଦେଇ ନଥିଲା ବୋଲି ସେ ଆଉ ଲେଉଟି ଆସିପାରିଲାନି ।

 

ଶକୁ ଭାଉଜ କହିଲା—ନାନୀ, ଏଇ ପଦ୍ମଟା ଅଧା ରହିଯାଇଚି, ସାରିଦେଇ ଆସିବ । ମୁଁ ଯାଉଚି ୟା ଗାଡ଼ିବେଳ ହେଇଯିବ । ଖୁଆଇ ଦେଇ ଆସିବି ।

 

ସର ଭାଉଜ ଥଟ୍ଟା କରି କହିଲା—ଦୀନୁ ତ ପିଲା ନୁହେଁ, ଖୁଆଇ ଦେବୁ କାହାକୁ ?

 

ଜାଣୁନା ନାନୀ, ମାମୁଁ ଘରେ ସିନା ହାତରେ ଖାଏ, ଏ ଘରେ କିନ୍ତୁ ଖୁଆଇ ନଦେଲେ ଖାଏନା ।

 

ସର ଭାଉଜର ଧାରଣା ମାଟ୍ରିକ ପରେ ପିଲାଙ୍କ ପାଠ ପଢ଼ା ଶେଷ ହୋଇଯାଏ । ତାପରେ ପିଲେ ବାହା ହୁଅନ୍ତି, ମାଷ୍ଟ୍ର ଚାକିରି କରନ୍ତି, ଘର ଦୁଆର କରି ପିଲାଛୁଆ କରାନ୍ତି । ନହେଲେ ଝିଅଗୁଡ଼ାକ ସ୍ୱାମୀ ପାଇବ କିମିତି ? ପାଣି ପବନ ଆଲୁଅ ଭଳି ଜୀବନ ଧାରଣ ପାଇଁ ଝିଅମାନଙ୍କ ପାଖରେ ସ୍ୱାମୀ ଗୋଟାଏ ଅନ୍ନ ବସ୍ତ୍ର ପରି ନିତାନ୍ତ ପ୍ରୟୋଜନ । ସ୍ନେହ ନ ପାଇଲେ ଝିଅଗୁଡ଼ାକ ବଞ୍ଚିପାରନ୍ତି ନି । ସେମାନେ ସ୍ଥିତି ଚାହାନ୍ତି । ଖୁଣ୍ଟି ଚାହାନ୍ତି । ଖୁଣ୍ଟିର ଜୋର ହେଉଚି ଝିଅଗୁଡ଼ାକର ଜୋର । ଏକାକୀ ଜୀବନ ନେଇ ସେମାନେ ସୁଖୀ ହୋଇ ପାରନ୍ତିନି । ସେମାନେ ଚାହାନ୍ତି ଦାମ୍ପତ୍ୟ, ଦ୍ୱୈତ ଜୀବନ । ସଂକ୍ରାମକ ଭଳି ସେମାନେ ନିଜର କାମନା ବାସନା ଦ୍ୱାରା ପୁରୁଷଗୁଡ଼ାଙ୍କୁ ସଂକ୍ରମିତ କରିବାକୁ ଚାହାନ୍ତି । ଆଦର ସୋହାଗ ଦେଖାଇ ସେମାନେ ବନ୍ୟ ପୁରୁଷକୁ ପୋଷା ମନାନ୍ତି । ପୋଷା ମନେଇବାଟା ହିଁ ସେମାନଙ୍କ ଧର୍ମ । ସେମାନଙ୍କ ଜୀବନର ପରମ ସାର୍ଥକତା ।

 

ସେଇଥିପାଇଁ ସର ଭାଉଜ କହିଥିଲା, ଦୀନୁ ଏଥର ବିବାହ କର । ଭଲପାତ୍ରୀ ଅନେକ ମିଳିବେ ।

 

ଜବାବ ଦେଇଥିଲି ସର ଭାଉଜକୁ—ଏଠୁ ଯିବାଦିନରୁ ବିଚ୍ଛେଦ କ’ଣ ଜାଣେ, କିନ୍ତୁ ବିବାହ ଯେ କ’ଣ ଜାଣେନି । ବିବାହ କ’ଣ ଗୋଟାଏ ଚୁକ୍ତି ? ଦୁଇଟି ସ୍ତ୍ରୀ ପୁରୁଷ ସ୍ଥାୟୀ ଭାବରେ ବସବାସ କରିବାର ଗୋଟାଏ ମେଣ୍ଟ ? ମୁଁ ତୁମକୁ ସ୍ୱାମୀ ବୋଲି ଗ୍ରହଣ କଲି, ତୁମେ ମୋତେ ସ୍ତ୍ରୀ ବୋଲି ଗ୍ରହଣ କଲ । ଦୁହେଁ ମିଶି ଶପଥ କଲେ ଦେବତା ପାଖରେ ସାକ୍ଷୀ ! ପୁରୁଷ ଗୋଟାଏ ସ୍ତ୍ରୀ ବାଛିନେଲା—ନାରୀ ବି ଗୋଟାଏ ପୁରୁଷ ବାଛିନେଲା । ସମାଜ ଦୁହିଁଙ୍କି ମିଳେଇ ଦେଇ ଛାଡ଼ପତ୍ର ଦେଇଦେଲା ଯାଅ, ଏଥର ହାତକୁ ହାତ ଧରି ବୁକୁରେ ବୁକୁ ମିଳେଇ ପୃଥିବୀର ସ୍ୱର୍ଗୋଦ୍ୟାନରେ ବିଚରଣ କର ସୃଷ୍ଟିକୁ ବଞ୍ଚେଇ ରଖିବା ଲାଗି, ପୃଥିବୀରେ ମଣିଷକୁ ଜିଆଇଁ ରଖିବା ଲାଗି ସ୍ତ୍ରୀ ପୁରୁଷର ମିଳନ ଅପରିହାର୍ଯ୍ୟ । ସନ୍ତାନ ଉତ୍ପାଦନ ହିଁ ବିବାହର ମୂଳ କାରଣ । ପୁତ୍ରାର୍ଥେ କ୍ରୀୟତେ ଭାର୍ଯ୍ୟା । ପୃଥିବୀ ମାଟିରେ ଶସ୍ୟ ଫଳାଅ । ନାରୀ ଗର୍ଭରେ ସନ୍ତାନ ଉତ୍ପାଦନ କର । ଏହା ହିଁ ସୃଷ୍ଟିର ପ୍ରଥମ ବାର୍ତ୍ତା । ସେହି ବର୍ବର ଯୁଗର ବନ୍ୟତା ଆଜିସୁଦ୍ଧା ଚାଲୁ ରହିଚି । କେବଳ ସଭ୍ୟତାର ମାଟି-ଲେସା ଚୂନ କାମରେ ଦୃଷ୍ଟିକୋଣକୁ କିଛିଟା ଶୁଭ, କିଛିଟା ରମଣୀୟ, ସହନୀୟ କରାଯାଇଚି-। ପ୍ରଜନନ ଛଡ଼ା ଏହାର କୌଣସି ଅର୍ଥ ନାହିଁ । କୌଣସି ସାର୍ଥକତା ନାହିଁ ସ୍ତ୍ରୀ ପୁରୁଷର ନୁହେଁ କି ନାରୀର ନୁହେଁ । ଏ କାମନା ପ୍ରକୃତିର । ଏ ଆନନ୍ଦ ସୃଷ୍ଟିର । ବିଶ୍ୱ ବ୍ରହ୍ମାଣ୍ତର ଆଦେଶ–ନାରୀ ପ୍ରାଣ ମୂଳରେ ହିଁ ସୃଷ୍ଟର ଉଗ୍ରତା । ନାରୀ ସେହି ଉଗ୍ରତା ପାଖରେ ନିଜକୁ ନିଜକୁ ଉତ୍ସର୍ଗ କରିଦିଏ । ନିଜକୁ ଭସେଇ ଦିଏ ସୃଷ୍ଟିର ପ୍ରାଣବନ୍ୟାରେ, ପ୍ଳାବନର ପ୍ରଚଣ୍ତତାରେ ନାରୀ ନିଷ୍ଠୁର ହୋଇଉଠେ । ଉଗ୍ର ପ୍ରକୃତି ଭଳିସେ କଠୋର, ଭୟାବହ ଓ ମୋହିନୀ ହୋଇ ଉଠେ । ପୁରୁଷକୁ ସେ ସେତେବେଳେ ନିର୍ଦ୍ଦୟ ଭାବରେ ଆକର୍ଷଣ କରେ—ନିଜ ଉପରେ ଉତ୍ସର୍ଗ କରିଦେବା ପାଇଁ । ନିଜ କାମରେ ଲଗାଏ । ନରନାରୀ ଜୀବନରେ ଏ ଏକ ଭୟାବହ ସଂଗ୍ରାମ । ପରସ୍ପରକୁ ସେମାନେ ଗ୍ରାସ କରିବାକୁ ଚାହନ୍ତି । ଜୟୀ ହୁଏ ନାରୀ । ପୁରୁଷ ତାର ଉଦ୍ଦେଶ୍ୟ ସିଦ୍ଧିର ଯନ୍ତ୍ର ମାତ୍ର-। ସେ ସନ୍ତାନର ପିତା ହୁଏ । ପୁରୁଷର କର୍ତ୍ତବ୍ୟ ଓ ଦାୟିତ୍ୱ ଆରମ୍ଭ ହୁଏ ଏହି ଉତ୍ପାଦିତ ସନ୍ତାନର ଆହାର ସଂଗ୍ରହ କରିବାରେ । ନିରାପଦ ପ୍ରଜନନ ଏବଂ ତାର ସନ୍ତାନ ପ୍ରତିପାଦନ ଲାଗି ହିଁ ନାରୀ ପାଖରେ ପୁରୁଷର ପ୍ରୟୋଜନ । ଆଦିମ ଯୁଗରୁ ଏହାହିଁ ହେଲା ସ୍ତ୍ରୀ ପୁରୁଷର ମିଳନର ଇତିହାସ-। ଏହା ହିଁ ହେଲା ତ୍ରିକାଳର ବିବର୍ତ୍ତନ ସୂତ୍ର । ଏହାହିଁ ନରନାରୀର ଜୀବନ ଦର୍ଶନ । ଏହି ମିଳନ ମଝିରେ ନରନାରୀ ଜୀବନର ଏକ ଉଦ୍ଭଟ ରହସ୍ୟର ସଂଗୋପନ । ଅନ୍ଧକାରର ଗୋପନ ଅନ୍ତରାଳରେ ଅନିର୍ଦ୍ଦିଷ୍ଟ ଏକ ରହସ୍ୟମୟ ଆକର୍ଷଣରେ ଦୁଇଟି ଦେହର ମିଳନ ଘଟେ ସନ୍ତାନ ଜନ୍ମଦାନର ଅଭିସନ୍ଧିରେ । ସଭ୍ୟତାର ଅଙ୍କୁଶରେ ବିଦ୍ଧି ହୋଇ ଦୁଇଜଣଯାକ ଦ୍ୱିଧା-କଣ୍ଟକରେ ସଙ୍କୁଞ୍ଚିତ ହୋଇ ଉଠନ୍ତି । ମନ ଭିତରେ ହୁଏ ତ ଦୁହିଙ୍କର ବିରାଗ ଜନ୍ମେ—ଏକ ଅପରିସୀମ ଲଜ୍ଜାରେ । ମନେ ମନେ ସ୍ତ୍ରୀ ବା ପୁରୁଷ ହୁଏତ କହିପାରନ୍ତି—ନା ଏଗୁଡ଼ାକ ଭଲ ଭଲ ନୁହେଁ, ନିହାତି ପାଶବିକତା, କିନ୍ତୁ ନଚାହିଁଲେ କ’ଣ ହେବ ? ମନ ଚାହେଁନା, କିନ୍ତୁ ଦେହ ଚାହେଁ । ଏକ ଅଦୃଶ୍ୟ ଶକ୍ତି ୟା ପଛରେ ଥାଏ ।’’

 

ବିବାହ କରିନି ସିନା, କିନ୍ତୁ ବୈବାହିକ ଜୀବନର ସମସ୍ତ ତଥ୍ୟ ଖୋଲି ଦେଇଚି ଆଜି ଗୋଟିଏ କଳାକୁଶଳୀ ପ୍ରଣୟ-ପ୍ରବୀଣା ନାରୀ ଆଗରେ, ଆଉ ଗୋଟିଏ ଅନଭିଜ୍ଞା ଚିର-କୁମାରୀ ନିକଟରେ । ଦୀନୁ ଆଜି ଚାଲି ଯାଉଚି—ଶେଷ ଦିନର ଏହି ଅଧ୍ୟାୟଟି ପଢ଼ିଦେଇ । ହୁଏତ ଅନ୍ୟ ଅଧ୍ୟାୟ ଅପଠିତ ରହିଯିବ ଚିରଦିନ ଲାଗି । ଶକୁ ଭାଉଜ ଯେତେ ବହି ପଢ଼ିଚି ମନ ଭିତରେ ସବୁଗୁଡ଼ିକୁ ଖୋଜି ଚାଲିଚି, କେଉଁଠି ହେଲେ ଏତେ ବଡ଼ ସତ୍ୟ କଥା ସେ କେବେ ପଢ଼ିବାକୁ ପାଇନି ।

 

ସର ଭାଉଜ କହିଲା, ହଇ ହେ ଦୀନୁ, ତମେ ତ ଥିଲ ଘୋଷବସନ୍ତ ବଳବନ୍ତ । ଖାଲି ପାଠ୍ୟପୁସ୍ତକର କୀଟ । ବ୍ୟାକରଣ ଘୋଷ, ଅଙ୍କ କଷ । ଏଇଗୁଡ଼ାକ ବାହା ନ ହେଉଣୁ ଜାଣିଲ କୁଉଠୁ, କିମିତି ?

 

କହିଲି, ବାହା ହେଇନି ଭାଉଜ । କାମଶାସ୍ତ୍ରର ପ୍ରଣେତା ବାତ୍ସାୟନ ମଧ୍ୟ ବାହା ହେଇ ନ ଥିଲେ କି ସ୍ତ୍ରୀ ପାଖ ସୁଦ୍ଧା ମାଡ଼ି ନ ଥିଲେ । ତଥାପି ସେ ତ ପୁଣି ଲେଖିଗଲେ କାମଶାସ୍ତ୍ର ଭଳି ଯୌନ ମିଳନର ତଥ୍ୟ ସମ୍ବଳିତ ଏତେ ବଡ଼ ଗ୍ରନ୍ଥ । ବାହା ନ ହେଇ ବି ପୁରୁଷ ଜାଣେ ସ୍ତ୍ରୀ ଜିନିଷଟା କ’ଣ ସ୍ତ୍ରୀ ବି ଜାଣେ ପୁରୁଷ ଜିନିଷଟା କ’ଣ ? ଯୌନ ମିଳନର ଆନନ୍ଦ ନପାଇ ମଧ୍ୟ ସେ ଆନନ୍ଦକୁ ବେଶ୍‌ ଉପଲବ୍‌ଧି କରିପାରେ । ଏ ସବୁ ମନସ୍ତତ୍ୱର ବିଷୟ । ଶକୁ ଭାଉଜକୁ ପଚାର, ସେ କହିବ ।

 

ହଇଲୋ ଶକୁ, ତୁ ଜାଣୁ ? ଦୁହିଁଙ୍କୁ ଦୁହେଁ କିଏ କିଛି ଚାଖିନା, ତଥାପି ତିନ୍ତୁଳିକି ଜାଣ ଖଟା ବୋଲି, ଚିନି କି ଜାଣ ମିଠା ବୋଲି ? ଚିପିଲେ ରସ ବାହାରେ ବୋଲି ଜାଣ, ରସକୁ ଖାଇଲେ ସୁଆଦ ଲାଗେ ବୋଲି ଜାଣ ?

 

ପଞ୍ଚମ

 

ସେଦିନ ଥିଲା କଳା ନିକେତନର ବିଚିତ୍ରାନୁଷ୍ଠାନ । ସମେଇ ମହାପାତ୍ରେ ନିମନ୍ତ୍ରଣ ପାଇଥିଲେ, କିନ୍ତୁ ଗଲେନି । ଠିକ୍‌ ସେଇଦିନ କରି ପକେଟରେ ନିମନ୍ତ୍ରଣ ପକେଇ ବାହାରିଗଲେ ମଫସଲ ଗ୍ରସ୍ତରେ । କେବଳ ରଂଜୁ ଯାଇଥିଲା, ପରିତୋଷ ସାଙ୍ଗରେ ।

 

ବିଚିତ୍ରାନୁଷ୍ଠାନ କାର୍ଯ୍ୟକ୍ରମ ଅନେକ । ନାଚ—ନାଚ ଭିତରେ ଓଡ଼ିଶୀ, ଏକକ, ସମବେତ, ଭାରତ, ନାଟ୍ୟମ୍‌, କଥକ । ଗୀତ ଭିତରେ ଶାସ୍ତ୍ରୀୟ, ଲଘୁ-ସଂଗୀତ । ଯନ୍ତ୍ର ସଂଗୀତ ଭିତରେ ବଂଶୀ, ବେହେଲା, ସେତାର । ସଭା ଶେଷରେ ନାଟକ । ପ୍ରଥମ ଦୃଶ୍ୟରୁ ସଲୀଳାଙ୍କର ଅଭିନୟ ଆରମ୍ଭ । ସୁନ୍ଦର ମେକ୍ଅପ୍‌ । ସତେ ମେକ୍‌ଅପ୍‌ କ’ଣ ନ କରି ପାରେ ! ଉପବାସୀ ଅନ୍ତରର ଅନନ୍ତ ଶୂନ୍ୟତା ଭିତରେ ଏହି ମେକ୍‌ଅପ୍ ବା ପ୍ରସାଧାନ ହିଁ ଆଣିଦିଏ କ୍ଷଣଭୋଗ୍ୟ ପୂର୍ଣ୍ଣତାର ଅସ୍ୱାଦ । ପ୍ରକୃତରେ ମଧୁର ଏ ଆସ୍ୱାଦ ।

 

ପ୍ରଥମ ଦୃଶ୍ୟର ଗୋଟିଏ ସେଟ- ଗୋଟିଏ ବାଥରୁମ୍‍, ସ୍ନାନାଗାର । ସଲୀଳା ବାହାରି ଆସିଲେ ଗୋଟିଏ ତାଜା ଫୁଟନ୍ତ ଫୁଲତୋଡ଼ା ଭଳି । ଦୀପ୍ତ ମୁଖ । ଫୁଲ ପାଖୁଡ଼ା ଭଳି କୋମଳ ଓ ମସୃଣ । ଚିକକ୍‌ଣ କେଶରାଶି । ପରିପାଟିରେ ବିନ୍ୟସ୍ତ । ଦେହରେ ଗୋଟାଏ ହାତକଟା ନୀଳ ରଙ୍ଗର ଜାର୍ସି । ନିଟୋଳ ଦେହକୁ ଯେମିତି ଜାବୁଡ଼ି ଧରିଚି । ଅଙ୍ଗର ସମସ୍ତ ଆବରଣ ନିଃସଙ୍ଗ ହୋଇପଡ଼ିଚି, ପ୍ରକଟିତ ହୋଇଉଠୁଚି ବାହୁମୂଳରୁ ବକ୍ଷର ଅପ୍ରତିବନ୍ଧ ବିସ୍ତାର, ଆବୃତ୍ତ ଅବରୁଦ୍ଧ ସ୍ତନାଗ୍ର ଉଦ୍ଧତ ନିର୍ଘୋଷ ।

 

ରଂଜୁ ଠିକ୍‌ ଏହି ଦୃଶ୍ୟର ଉଦ୍‌ଘାଟନ ପରେ ପରେ ଚାହିଁଲା ପରିତୋଷକୁ । ଏ ନାଟକର ଅଭିନେତ୍ରୀଙ୍କୁ ଭଲ କରି ସେ ଚିହ୍ନେ, କିନ୍ତୁ ଚିହ୍ନି ପାରେନା ଏହି ଶୋଭା ସମ୍ଭାରର ଆଭରଣ ଭିତରେ । ରଂଜୁ ଜାଣେ, ସ୍ତ୍ରୀମାନେ ଏ ସବୁ ପୋଷାକ ପିନ୍ଧନ୍ତି ମଧୁଚନ୍ଦ୍ରିକା ରାତିରେ । ଏ ପୋଷାକକୁ କେହି ଦେଖିବେନି, କେବଳ ସ୍ୱାମୀ ହିଁ ଦେଖେ । ୟାକୁଇ ଉପଭୋଗ କରି କରି ସେଇ ପ୍ରକ୍ରିୟା ଭିତରେ ହିଁ ସ୍ୱାମୀ ଉପଭୋଗ କରିଯାଏ ସମଗ୍ର ଶରୀରଟାକୁ । କିନ୍ତୁ ନାଟକର ହିରୋଇନ୍‌ ଏତେ ବଡ଼ ଲମ୍ବା ଚଉଡ଼ା ମଞ୍ଚ ଉପରେ ଠିଆ ହୋଇ ସମସ୍ତ ଦର୍ଶକ-ପୁରୁଷଙ୍କ ମନରେ ସ୍ୱାମୀ-ପ୍ରାଣର ଉତ୍ତେଜନା ସୃଷ୍ଟି କରିପାରେ, ଏ ବିଶ୍ୱାସ ତାର ନ ଥିଲା ।

 

ରଂଜୁ ପଚାରିଲା, ପରିଭାଇ, ଏ ମାଇକିନିଆଟାକୁ କୋଉ ବେଶ୍ୟା ମହଲରୁ ଗୋଟେଇଲ ?

 

ପରିତୋଷ ବୋଧହୁଏ ପ୍ରଥମେ କହିବାକୁ ଟିକିଏ ସଙ୍କୋଚବୋଧ କରିଥିଲା, କିନ୍ତୁ କହୁ କହୁ କହି ପକେଇଲା, ତୁମରି ଘରୁ ।

 

ରଂଜନା ସବୁ ବୁଝି ଭୀଷଣ ଲଜ୍ଜିତ ହୋଇପଡ଼ିଲା । ସଙ୍ଗେ ସଙ୍ଗେ କହିଲା, ପରିଭାଇ, ଖୁଡ଼ିଙ୍କର ଅଭିନୟ ବଡ଼ ଅସହ୍ୟ ବୋଧ ହେଉଚି । ଘରକୁ ଚାଲିଯିବି ।

 

ପରିତୋଷ କହିଲା, ଏହି ପୋଷାକର ମହିମାରେ ଶହ ଶହ ଦର୍ଶକ ପ୍ରାଣରେ ଆସକ୍ତି ସୃଷ୍ଟିକରି ଯିଏ ନିଃସଂକୋଚରେ ଅଭିନୟ କରିପାରୁଚି ସିଏ ବଡ଼ ନା ଯିଏ ସାମାନ୍ୟ ଏଇ କେଇଟା ଦୃଶ୍ୟ ଦେଖି ଆଖିକି ବୁଜି ଦେଉଚି ସିଏ ବଡ଼ ?

 

କୌଣସି ଯୁକ୍ତି ନକରି ପରିତୋଷକୁ ଧରି ରଂଜନା ଚାଲି ଆସିଥିଲା ଘରକୁ । ପ୍ରକୃତରେ ସେ ସହି ପାରି ନଥିଲା—ଏଭଳି ଏକ ବାତାବରଣକୁ । ସେ ଠିକ୍‌ ଏଇ ମୁହୂର୍ତ୍ତରେ ଚାହେଁ ପରିତୋଷକୁ । କାମନାରେ ତା ମୁହଁ ଗୋଟାକଯାକ ଲାଲ ହୋଇ ଉଠିଚି । ଆଖି ଦିଇଟା ଦପ୍‌ ଦପ୍ ହେଇ ଜଳି ଉଠୁଚି । ସର୍ବାଙ୍ଗରେ ଅଗାଧ ସ୍ପୂର୍ତ୍ତି । ଅନନ୍ତ ଆନନ୍ଦ । ସ୍ୱାସ୍ଥ୍ୟ ଓ ଯୌବନର ଉଦ୍ଦାମ ନୃତ୍ୟଲୀଳା । ଖୁଡ଼ିଙ୍କର ଅଭିନୟକୁ ବଳି ସେ ଅଭିନୟ କରିବାକୁ ଚାହେଁ ।

ଟାଣିନେଇ ଆସିଲା ପରିତୋଷକୁ ସେଇ ବମ୍ବେ ପାଟର୍ଣ୍ଣ ପଲଙ୍କର ଡନ୍‌ଲପ୍‌ ଗଦି ଉପରକୁ । ହସି ହସି ଅଥଚ ଶାସନଭଙ୍ଗୀରେ କହିଲା—ପରିଭାଇ, ଏଥର ମୋ ଅଧିକାର ଉପରେ ତୁମେ ହସ୍ତକ୍ଷେପ କରନି, ବାଧା ଦିଅନି ।

ଆଦର, ଅନୁରାଗ, ସ୍ନେହ, ସରାଗରେ ଆଚ୍ଛନ୍ନ କରି ରଖିବାକୁ ଚାହେଁ ରଂଜୁ ପରିତୋଷକୁ । କାମନାର ଫେନିଳ ସୁରାପାନ କରେଇ ପରିତୋଷକୁ ଉଦ୍ଦୀପ୍ତ କରିବାକୁ ଚାହେଁ ସେ । ସେ ଚାହେଁ ନିଜର ତୃଷା ମେଣ୍ଟାଇବାକୁ । ୟା ଭିତରେ ମତ୍ତତା ନାହିଁ; ଅଛି କେବଳ ମଦିରତା-

ପରିତୋଷ ମନ ଚହଲି ଉଠେ । ସଂଶୟ ପୁଲକରେ ବିଚଳିତ ତା ମନ । ରଂଜନା ତା ଚାରିପାଖେ ମୋହାବେଶ ରଚନା କରେ । ଦୃଷ୍ଟିର କୁହୁକରେ ତାକୁ ଅବଶ କରିଦିଏ । ରଂଜନା ପ୍ରକୃତରେ ବେପରୁଆ ସୁନ୍ଦରୀ, ବନ୍ଧନହୀନା, ଅସଂଯତା, ଦୁଃସାହାସୀ ।

ନୀରବ ଅନ୍ଧକାରରେ, ଅପରିସୀମ ଶଯ୍ୟାରେ, ଗୋଟିଏ ରେଜେଇ ତଳେ ଆଶ୍ଲିଷ୍ଟ ଦେହରେ ଦୁଇଟି ନରନାରୀଙ୍କ ରାତି ଶେଷ ହେଲା ।

ସଲୀଳାଙ୍କର ହୁଏତ ରାତ୍ରି ଶେଷ ହୋଇଥିବ ନାୟକ ବ୍ରଜ ସାଥିରେ, ବ୍ରଜ ଲୀଳାରେ ।

ରଂଜନା କହିଲା, ଇଏ ଦଇବର ଚକ୍ରାନ୍ତ । ପ୍ରକୃତିର ନିର୍ଦ୍ଦେଶ । କ୍ଷୁବ୍‌ଧ ପ୍ରକୃତି ବିରୁଦ୍ଧରେ ସଂଗ୍ରାମ କରିବାର ସାଧ୍ୟ ମୋର ନଥିଲା ।

ପରିତୋଷର ବାଂଛିତ ଓ ବିକ୍ଷୁବ୍‌ଧ ଯୌବନର ଋଣ ପରିଶୋଧ କଲା ରଂଜନା ।

ଦୀର୍ଘ ତେରଦିନ ପରେ ସମେଇ ମହାପାତ୍ରେ ଫେରିଲେ ଘରକୁ । ସଲୀଳାଙ୍କ ଅଭିନୟ ଶେଷ ହେଇଚି, ଏଇ ଖବରଟା ସର୍ବବିଦିତ । କାରଣ ଏ ସବୁ ଖବର ଖବରକାଗଜରେ ବାହାରେ । କିନ୍ତୁ ରଂଜନାର ଅଭିନୟ ଯେ ସଲୀଳାଙ୍କ ଅଭିନୟ ତାଳେ ତାଳେ ଛନ୍ଦ ତୋଳିଚି, ଝଂକୃତ ହୋଇଚି, ଏଇ ଖବରଟା ଅବିଦିତ । ସମେଇ ମହାପାତ୍ରେ ଜାଣନ୍ତିନି କି ସଲୀଳା ବି ଜାଣେନି ।

କିନ୍ତୁ ଶଂଙ୍କର ମହାପାତ୍ର ଜାଣନ୍ତି । କାରଣ ବମ୍ବେ ପାଟର୍ଣ୍ଣ ପଲଙ୍କ ଉପରେ ତାର ଅଭିନୟ ପରେ ପରେ ରଂଜନା ଚିଠି ଦେଇଚି ନନାଙ୍କ ପାଖକୁ, ଯଦି ବର କନ୍ୟାକୁ ବେଦୀରେ ବସାଇ ବାହା କରେଇବାଇଚ୍ଛା ଥାଏ, ତାହାହେଲେ ଆଗରେ ତିଥି ଅଛି, ଶୀଘ୍ର କରେଇ ନିଅ । ନଇଲେ ଆମେ ଦୁହେଁ ବିବାହବନ୍ଧନରେ ଆବଦ୍ଧ ହେବୁ ରେଜିଷ୍ଟ୍ରି ଦ୍ୱାରା ।

ଶଂକର ମହାପାତ୍ରେ ଚିଠି ପାଇବା ପରଦିନ ଆସି ଘରେ ପହଞ୍ଚି ଦେଖିଲେ ସମେଇ ରଂଜୁ ଖୁଡ଼ି ବିଷୟରେ ଯାହା ଲେଖିଥିଲା ଆଦୌ ଠିକ୍‌ ନୁହେଁ । ସେ ଦେଖିଲେ ସଲୀଳା ମୁଣ୍ତରେ ଏଡ଼େ ପଣନ୍ତ । ଦେଢ଼ଶୂର ବୋଲି ରନ୍ଧାବଢ଼ାରେ ବ୍ୟସ୍ତ । କିନ୍ତୁ ଝିଅକୁ ଦେଖିଲେ, ଝିଅଟା ଏକାବେଳକେ ଚୁନା ହେଇଯାଇଚି । ଏକାବେଳକେ ବଦଳି ଯାଇଚି । ଓଳକି ନାହିଁ, ଠିଆ ଠିଆରେ ପାଞ୍ଚ ଛଅ ହାତ ଦୂରରୁ ଲମ୍ବା ଚଉଡ଼ା ନମସ୍ତେ । ପ୍ରଥମେ ସେ ଚିହ୍ନି ପାରିଲେନି ଏଇଟା ତାଙ୍କର ଝିଅଟି କି ! ଏଇ ଝିଅ ଘରକୁ ଆସିଲାମାତ୍ରେ ପିଢ଼ା ପାଣିଧରି ଦାଣ୍ତପିଣ୍ତାକୁ ଦଉଡ଼ି ଆସୁଥିଲା । ସନ୍ତୁଳା କରାଯିବ କି ବେସର କରାଯିବ ପଚାରୁଥିଲା ସେସବୁ ଭାଷାରୁ ଗୋଟିଏ ହେଲେ ଶବ୍ଦ ନାହିଁ-। ଅଣ୍ତିରାଚଣ୍ତୀଙ୍କ ଭଳି ଢପ ଢପ ଚାଲି । ଦେହରେ ଶାଢ଼ି ନାହିଁ, କୁଞ୍ଚୁକୁଞ୍ଚୁ ହେଇ ଗୋଟାଏ ଫୁଲପେଣ୍ଟ, ଦେହଟାରେ ଗୋଟାଏ ରଙ୍ଗ ବେରଙ୍ଗର କାମିଜ୍‌ ! ରଂଜୁବୋଉ ଏ ବେଶକୁ ଦେଖିଲେ....କ’ଣ ନ କହିବ ? ସମେଇ ପାଠ ପଢ଼ୁଆ ପୁଣି ଖୁଡ଼ି ତାର ଚାଲାକ୍‌ ଚତୁର ବୋଲି ପଠେଇଥିଲି କ’ଣ ଏଇଥିପାଇଁ ? ନାଁ ସଲୀଳାର ଆଦୌ ଦୋଷ ନୁହେଁ । ଏଇ ଭୋଳାନାଥ ସମେଇଟା କିଛି ବୁଝୁନି । ନଇଲେ ଝିଅ ବୋଲି ଡାକିଦେଲେ ଯାର ଗୋଡ଼ ହାତ ଥରି ଉଠୁଥିଲା, ତାର ପୁଣି ଏଇମିତି ବେଖାତିରିଆ ଭାବ !

 

ସଲୀଳାଙ୍କ ଅଚିନ୍ତନୀୟ ପରିବର୍ତ୍ତନକୁ ଦେଖି ସେମେଇ ମହାପାତ୍ରେ ଅବାକ୍‌ । ସେ ଭାବିଲେ ସେଇ ନ୍ୟୃତଶୀଳା ‘‘ତନ୍ୱୀ ଶ୍ୟାମା ଶିଖରୀଦଶନା ପକୱବିମ୍ବାଧରୋଷ୍ଠୀ’’ ଏଇ ସେଇ ସଲୀଳାଟକି ! ଗସ୍ତପୂର୍ବ ତେରଦିନ ତଳର ସଲୀଳା ? ଲୀଳାୟିତ ବିଲୋଚିତ ଭଙ୍ଗୀ ଦେଖି ଯିଏ ବିକ୍ଷୁବ୍‌ଧ ହୋଇ ଉଠିଥିଲେ ? ଆଜି ସେଇ ସମେଇ ମହାପାତ୍ରେ ଏକାବେଳକେ ଆଚମ୍ବିତ । ସଲୀଳା ହାତରେ ଛାଞ୍ଚୁଣୀ ଫୁଙ୍କୁନଳା ବାସନକୁସନ ଆଦି ଦେଖି ଆଚମ୍ବିତ ନ ହେବାଟା ଯେପରି ଅସ୍ୱାଭାବିକତାର ଲକ୍ଷଣ ! ଭାଇନା ଯଦି ପଚାରନ୍ତି, କ’ଣ କହିବେ ସେ ?

 

ଠିକ୍‌ ମୁହୂର୍ତ୍ତରେ ଭାଇନା ପଶି ଆସିଲେ ସୋମନାତ ମହାପାତ୍ରଙ୍କ ବସିବା ଘର ଭିତରକୁ । ଏଡ଼େ ପାଟିରେ ଏଡ଼େ ଗୋଟାଏ ଗର୍ଜନ—କିରେ ସମେଇ, ସ୍ତ୍ରୀ ବିରୁଦ୍ଧରେ ତୁ ତ ଢେର କହି ଶିଖିଲୁଣି ।

 

ଏଇ ଗୋଟାଏ ବାକ୍ୟ ଖୁବ୍‍ ଜୋରରେ ଯାଇ ବାଜିଲା ଚାରିଟା କାନରେ । ଚାରିଟା କାନ ଭିତରୁ ଦି’ଟା ସମେଇ ମହାପାତ୍ରଙ୍କର, ଆଉ ଦିଟା ରନ୍ଧନରତା ସଲୀଳା ଦେବୀଙ୍କର । ସମେଇ ମହାପାତ୍ରେ ଡରିଗଲେ ସିନା ସଲୀଳା ତିଳେ ହେଲେ ଡରିଲେ ନାହିଁ । ଯୋ ହୋଗା ଦେଖା ଯାଏଗା ଭାବାପନ୍ନର ନାରୀ ସେ । ହଁ, ଟିକିଏ ଥିଲା ପରିତାପର ବିଷୟ । ଦିଇଟାମାତ୍ର ଭୋଟରେ ହାରିଗଲେ ସିନା ! କଳା ନିକେତନର ସଭାନେତ୍ରୀ ହୋଇ ପାରିଲେନି ସେ । ସଭାନେତ୍ରୀ ହେଲେ ମଂଜରୀ ଦେବୀ । ବୋଧହୁଏ ସଲୀଳାଙ୍କଠୁ ସେ ଟିକିଏ ସୁନ୍ଦରୀ । ଭୋଟଦାତାଙ୍କ ପ୍ରାଣ ମଂଜରୀଙ୍କ ମଞ୍ଜୁଳ ଚାହାଣୀରେ ମଞ୍ଜରିତ ହୋଇପାରିଲା । ସଲୀଳାଙ୍କ ଖେଳାଲୋଳା ଖଞ୍ଜନାକ୍ଷୀ ହାରିଗଲା ଏ ପ୍ରତିଦ୍ୱନ୍ଦ୍ୱତାରେ । କିନ୍ତୁ ବ୍ରଜ ତ ଆଶା ଦେଇଚି ଆର ଥରକୁ ନିଶ୍ଚୟ । ଏ ବର୍ଷ ଅସ୍ଥାୟୀ ଭାବରେ ସେ ଆଉ ଗୋଟିଏ ଶିଶୁମଙ୍ଗଳ କେନ୍ଦ୍ରରେ ସମ୍ପାଦିକା ହେବାର ଯଥେଷ୍ଟ ସମ୍ଭାବନା ଅଛି । କିନ୍ତୁ ସଲୀଳା ଦେବୀ ଆଳୁ ଭାଜୁ ଭାଜୁ ଭାବୁଥିଲେ ତାଙ୍କର ପ୍ରତିଶ୍ରୁତି କଥା । ସୋମନାଥ ମହାପାତ୍ର ଅର୍ଥାତ୍‌ ତାଙ୍କର ଅର୍ଦ୍ଧାଙ୍ଗ ସ୍ୱାମୀଙ୍କର ପ୍ରମୋସନ କଥା । କଳା ଦ୍ୱାରା ମଣିଷ ଯେତେ ଶୀଘ୍ର କବଳିତ ହୋଇପାରେ, ଶିଶୁମଙ୍ଗଳ ବା ନାରୀମଙ୍ଗଳ ଜରିଆରେ ତ ସେତେ ଶୀଘ୍ର ହୋଇପାରିବନି । ଅଫିସର, ମନ୍ତ୍ରୀମାନଙ୍କୁ ଧରିବାକୁ ହେଲେ, ମନ ଘେନିବାକୁ ହେଲେ କଳାଭଳି ଉତ୍କୃଷ୍ଠ ମାଧ୍ୟମ ଆବଶ୍ୟକ । ଯୁଗଟା ମିଡ଼ିୟମ ବା ମାଧ୍ୟମର ଯୁଗ । ପରିଚୟ ପାଇବା ଲାଗି, ପରିଚିତ ହେବା ଲାଗି ମାଧ୍ୟମ ନହେଲେ ସବୁ ଅଚଳ ।

 

ଶଂକର ମହାପାତ୍ରେ ସମେଇକୁ ଚାହିଁଲେ, ସମେଇ ଏକେବେଳକେ ନିସ୍ତବ୍‌ଧ, ନିର୍ବାକ ! ତୁନି ହେଇ ଚାଲି ଆସିଲେ ଦାଣ୍ତ ପିଣ୍ତାକୁ । ବାହାର ଆଡ଼ିକି ଚଷମା ଦିହରେ ନିରିଖି ଦେଖିଲେ ରଂଜୁ ଚାଲିଚି ଜଣେ ଯୁବକର ହାତକୁ ଧରି ।

 

ସମେଇକୁ ଡାକିଆଣି ପଚାରିଲେ—ସମେଇ ଏ ଟୋକାଟା କିଏ କିଏରେ ?

—ପରିତୋଷ ।

—ରଂଜୁ ତେବେ ୟାକୁଇ.... ?

—ହଁ, ତାକୁଇ ।

—କିଛି ଭଲ ଦେଖାଯାଉନି ।

—ଦୂରରୁ ଭଲ ଦେଖାଯାଏନା, ପାଖକୁ ଡାକିଦେବି ?

—ଡାକ ତ !

ପରିତୋଷ ବୋଲି ଡାକ ଦେଲାମାତ୍ରେ ପରିତୋଷ ଆସି ହାଜର । ପାଖରେ ରଂଜୁ ! ଉନ୍ମତ ଶିର ।

ଶଂକର ମହାପାତ୍ରଙ୍କ ମିଂଜାସ ଖୁସ୍‌ । ଠିକ ବାଛିଚି ଝିଅଟା । ଦେଖିବାକୁ ଭାରି ସୁନ୍ଦର ପିଲାଟା । କିନ୍ତୁ ଧନ, ମାନ ?

ସମେଇ ମହାପାତ୍ରେ ଭାଇନାଙ୍କୁ ଘର ଭିତରକୁ ଡାକିନେଇ କହିଲେ, ଭାଇନା, ପିଲାଟା ଜୀବନରେ ସବୁ ଅଛି । ପାଠପଢ଼ିଚି, ଧନ ଅଛି, ଖେଳୁଆଡ଼୍, ଲେଖକ, ଗାୟକ, ନୃତ୍ୟବିଦ୍‌ । ମଣିଷଠି ଯେତେ ଗୁଣ ଥାଏ ସବୁକିଛି ।

ଶଙ୍କର ମହାପାତ୍ରେ କିଲେ—ତାହା ହେଲେ ହେଉ । କିନ୍ତୁ ଖୁଡ଼ି କ’ଣ କହୁଚନ୍ତି ?

ସଲୀଳା ଦେବୀ ଖୁବ୍‌ ନିକଟରେ ରହି ସବୁ ଶୁଣୁଥିଲେ । ହଠାତ୍‌ ପାଟି ଫିଟେଇ କହି ପକେଇଲେ, ରଂଜୁ ଇଆଡ଼ୁ ଝିଆରୀ ହେବେ, ସିଆଡ଼ୁ ଭାଇବୋହୂ ହେବେ ।

ଦେଢ଼ଶୂରଙ୍କ ଆଗରେ ପାଟି ଫିଟେଇ କହିବା ଭୂମିକାଟା ସଲୀଳା ଦେବୀଙ୍କର ଏହି ମଞ୍ଚ ଉପରେ ଏହା ଉପରେ ଏହା ହିଁ ପ୍ରଥମ ।

ଶଂକର ମହାପାତ୍ରେ କିନ୍ତୁ କିନ୍ତୁ ସଲୀଳାଙ୍କ ଆଦର ଆପ୍ୟାୟନରେ ମୁଗ୍‌ଧ ହୋଇ ଭୁଲି ଯାଇଥିଲେ ଏଭଳି ଏକ ବିରାଟ ଭୁଲକୁ ଧରିବାକୁ । ସେ କହିଲେ, ତାହାହେଲେ ପରିତୋଷ କ’ଣ ସଲୀଳାର ଭାଇ ହେବେ ?

ସମେଇ ମହାପାତ୍ରେ କହିଲେ—ହଁ, ନ ହେବ କାହିଁକି ?

ତାହାହେଲେ ତ ଇମିତି ଜାଗାରେ ସମ୍ବନ୍ଧ କରିବା ଠିକ୍‍ ହେବ ନାହିଁ ।

 

ରଂଜୁ ହଠାତ୍‌ ଭିତରୁ ବାହାରି ଆସି କହିଲା, ନାଇଁ ନନା, ପରିତୋଷ ବାବୁ ଖୁଡ଼ୀଙ୍କର ନିଜ ଭାଇ ନୁହଁନ୍ତି, ଧରମ ଭାଇ ।

 

ସମେଇ ମହାପାତ୍ରେ ମହାପାତ୍ରେ କହିଲେ, ଧରମରୁ ପରମ ।

 

—ଜାତି ?

 

—ବ୍ରାହ୍ମଣ

 

—ବାପା କ’ଣ କରନ୍ତି ?

 

—ମଦ ଦୋକାନଠୁ ଆରମ୍ଭ କରି ଡାଲି ଚାଉଳ ଦୋକାନ ପର୍ଯ୍ୟନ୍ତ ସବୁ ଦୋକାନ ତାଙ୍କର । ତା’ ଛଡ଼ା ଇନ୍‌ସୁରାନ୍‌ସ ଏଜେଣ୍ଟ !

 

—ସମ୍ପତ୍ତି ?

 

—ରଂଜୁ ନିଜେ ମାସକୁ ପାଞ୍ଚଶହ ଟଙ୍କା କରି ନିଜ ପାଇଁ ଖର୍ଚ୍ଚ କଲେ ଶହେ ବର୍ଷକୁ ଯେତେ ଲାଗିବ, ତାଠୁ ବେଶୀ !

 

ଶଂକର ମହାପାତ୍ରେ ସାଙ୍ଗେ ସାଙ୍ଗେ ଚିଠି ଲେଖିଲେ ରଂଜୁ ବୋଉ ପାଖକୁ । ବଡ଼ି ପକା ଆରମ୍ଭ କର । ଉଆ ଓ ଉଷୁନା ଚାଉଳ କୁଟେଇତିଙ୍କି ଲଗେଇ ସାତ ଆଠ ବସ୍ତା ଠିକ କରି ରଖ । ମୁଁ ଏଠୁ ଲୁଗା, ଅଳଙ୍କାର, ବାସନକୁସନ ବାକୀ ଯାହା ସବୁ ରହିଲା ନେଇ ଏହି ସାତ ଆଠ ଦିନ ଭିତରେ ଘରେ ପହଞ୍ଚୁଚି । ବିବାହ ହେବ ଜାନୁଆରୀ ଏକୋଇଶ ତାରିଖ ବୁଧବାର ଦିନ । ସପନାକୁ କହିବ କାଠ ଦୁଇ ତିନି ଶଗଡ଼ ଚିରି ଦେଇଥିବ । ବଡ଼ ଘରର ପିଲା, ଟିକିଏ ବଡ଼କରି ନ କଲେ ଦାଣ୍ତକୁ ସୁନ୍ଦର ଦେଖାଯିବନି । ରଂଜୁକୁ ଧରି ମୁଁ ଏଇଠୁ ଯାଉଚି । ସମେଇ, ସଲୀଳା ପରେ ଯିବେ । ଭୟ ନାଇଁ, କିଛି ଦେବାକୁ ପଡ଼ିବନି ।

 

ଶଂକର ମହାପାତ୍ରେ ଯୋଉଦିନ ଘରକୁ ବାହାରିବା କଥା ଠିକ୍‍ ସେଇଦିନ ରଂଜୁ ବୋଉଙ୍କ ପାଖରୁ ଚିଠି ଆସିଲା, ରଂଜୁ ଗୋଡ଼କୁ ପାଉଁଜି ହଳେ, ହାତକୁ ହଳେ ଗୁଲୁସୁ ଖଡ଼ିୁ ଆଣିଥିବ । କାଚ ସାଥିରେ ଗୁଲୁସୁ ଖଡ଼ୁ ନ ରହିଲେ ହାତଟା ଫୁଙ୍ଗୁଳା ଦେଖାଯିବ ।

 

ଶଂକର ମହାପାତ୍ରେ ବଜାରକୁ ଯାଇଥିଲେ ରଂଜୁ ଚିଠିଟିକି ପଢ଼ି ଖିଁ କିନି ହସି ଖୁଡ଼ିକି କହିଲା, ଖୁଡ଼ି ଦେଖିଲଣି, ବୋଉର ଝିଅ ସୁଆଗକୁ ଦେଖ । ନୋଥ ହଳେ ପାଇଁ ଯାହା ନ କହିଲା !

 

ରଂଜୁ ଖୁଡ଼ିକି କହିଲା, ଏତେଦିନ ପୋଷିଲ, ବର ବି ଜୁଟେଇ ଦେଲ, ଗଲାବେଳେ ତୁମେ କ’ଣ ଖାଲି ଖାଲିରେ ଛାଡ଼ିଦେବ ?

 

ସଲୀଳା ଦେବୀ କହିଲେ, କୁହ, ତୁମର ଯାହା ଇଚ୍ଛା କକେଇଙ୍କି କହିଦେବି, ଆଣିଦେବେ-

 

ରଂଜୁ କହିଲା, ତୁମେ ସେ ଦିନ ଡ୍ରାମରେ ଯିମିତି ହାତକଟା ଜର୍ସି ପିନ୍ଧିଥିଲ, ସେଇମିତି ଦି ଦିଟା ପୋଷାକ ଯଦି କରି ଦିଅନ୍ତି.... ।

 

ସଲୀଳା ଟିକିଏ ଲଜ୍ଜିତ ହୋଇ କହିଲେ—ରଂଜୁ ତୁମେ ଏ ଥଟ୍ଟା କେବେ ଶିଖିଲ ?

 

—ତୁମେ ଯେଉଁଦିନ ଆଇନା ଆଗରେ ଠିଆ ହୋଇ ଓଠରେ ଲିପଷ୍ଟିକ୍‌ ବୋଳା ଆରମ୍ଭ କଲ ସେଇଦିନଠୁ ।

 

ସଲୀଳାଙ୍କ ଉନ୍ନତ ମଥାଟା ହଠାତ୍‌ ଅବନତ ହୋଇ ଆସିଲା । ମନେ ହେଲା ଯେମିତି ସବୁ ରଙ୍ଗଗୁଡ଼ାକ ଏକାବେଳକେ ଫିକା ପଡ଼ିଗଲା । ରଙ୍ଗଦିଆ ଖେଳଣାରୁ ରଙ୍ଗ ଛାଡ଼ିଗଲେ ଯେମିତି ଦିଶେ, ସଲୀଳାଙ୍କ ମୁହଁଟା ସେମିତି ଦେଖାଗଲା ।

 

ଶିଷ୍ୟର ଗୌରବରେ ଓସ୍ତାତ୍‌ ଯେମିତି ହାରି ମୁହଁ ଶୁଖେଇ ଖସିଯାଏ, ସଲୀଳା ଠିକ୍‌ ସେମିତି ପ୍ରସ୍ଥାନ କଲେ ରଂଜନା ସମ୍ମୁଖରୁ । ମନେହେଲା ଯେମିତି ରଂଜନା କିଛି କହିଲାନି, ଅଥଚ ସବୁ କିଛି କହିଗଲା । ସେ ବହୁତ କିଛି କହିଛନ୍ତି, କରୁଚନ୍ତି, କିନ୍ତୁ କିଛି ହେଲେ କହି ନାହାନ୍ତି କି କରିପାରି ନାହାନ୍ତି । ସେ ହଜୁ ହଜୁ ହଜିଗଲେ, କିନ୍ତୁ ରଂଜନା ହଜିବା ପାଇଁ ଇଚ୍ଛା ନ କରି ହଜିଗଲା-। ବହୁତ ରାମ୍ପୁଡ଼ି ବିଦାରି ହେଲେ ସଲୀଳା । ପରିତୋଷକୁ କହି ଯଦି ବିବାହଟା ବନ୍ଦ କରି ଦିଆଯାଆନ୍ତ ତାହେଲେ....କିନ୍ତୁ ପରିତୋଷ କ’ଣ ମାନିବ ? ମନ ଯେଉଁଠି ମାନି ଯାଇଚି, ସହଜେ କ’ଣ ଛାଡ଼େ ?

 

ରଂଜନାର ବିବାହ ହେବ—ଖବରଟା ହଠାତ୍‌ ଦୁଇଦିନ ପୂର୍ବରୁ ଯାଇ ପହଞ୍ଚିଲା ମୋ କାନରେ । ଦିନୁ ସେତେବେଳେ କଲେଜ କମନ୍‌ ରୁମରେ । ଆଗରେ ଇଲଷ୍ଟ୍ରେଟେଡ୍‍ ଉଇକ୍ଲି । ଯୋଡ଼ି ଯୋଡ଼ି ନବଦଂପତିମାନଙ୍କର ଛବି । ପାଖରେ ଗୀତା । ଦୁହେଁ କଲେଜମେଟ୍‌ । ଦୁହେଁ ଭଲ ପଢ଼ୁ ବୋଲି ଭଲ ପଡ଼େ । ଗୀତା କହିଲା—ଦୀନୁ ଏହି ଫଟଟା ଭିତରୁ କୋଉ ହଳୁଟା ଭଲ କହିଲୁ-?

 

ହଠାତ୍‌ ହାତର ଆଙ୍ଗୁଠି ଆସି ବାଜିଲା ଗୋଟାଏ ଯୋଡ଼ି ଉପରେ । କନ୍ୟାଟି ରଂଜନା–ଆର ଗୋଟିକୁ ସେ ଚିହ୍ନେନା । ଛାତି ତଳେ ଗୋଟିଏ ଧକ୍‌କା ଲାଗିଲା । ଗୀତା ଦେଖିଲା ମୋ ମୁହଁରୁ କଥା ବାହାରୁନି । ପ୍ରେମିକମାନେ ହଠାତ୍‌ ଡିସାପଏଣ୍ଟଡ ହେଲେ ମନରେ ଯେଉଁ ଭାବ ଫୁଟେ, ସେଇଭାବ ଗୁଡ଼ାକରୁ ମେଞ୍ଚାଏ ଆସି ଯେମିତି ଲେସି ହୋଇଯାଇଚି ମୋ ମୁହଁରେ ।

 

ଗୀତା ଜାଣି ପାରିଲା ମୁଁ କାହିଁକି ଅଟକି ଗଲି । ମନ ବଦଳେଇ ଦେବା ପାଇଁ କହିଲା, ଦୀନୁ, ଆ ଯିବା କାଣ୍ଟିନରେ ଚାହା କପେ ପିଇ ଦେଇ ଆସିବା । କଥାଟା ଜଣା ପଡ଼ିଗଲା ବୋଲି ତୁ ଏମିତି ମନକୁ ମାରି ଦେଲେ ଚଳିବନି । ମୋର ଏଇମିତି କେତେଥର ଯେ ଦମ ଅଟକିଲାଣି ତାକୁ ହିସାବ କଲେ ସଂଖ୍ୟାଗୁଡ଼ାକୁ ତୁ ଗଣି ପାରିବୁନି ।

 

ମୋ ମୁହଁରୁ ହଠାତ୍‌ କଥା ବାହାରି ପଡ଼ିଲା—କିନ୍ତୁ ରଂଜନାର ବିବାହ ଆଉ ଦୁଇଦିନ ପରେ ହେବ । ତା ପିଇସି ପୁଅ ଭାଇଠୁ କାଆଲି ଶୁଣିଲି । ଏ ଫଟୋ ବାହାରିଲା କିମିତି ?

 

—ଆଡଭାନ୍‌ସ ଅର୍ଥାତ୍‌ ଅଗ୍ରୀମ ବାହାରି ପଡ଼ିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଝିଅ ଆଉ ପୁଅମାନଙ୍କର ଯଥାର୍ଥ ବିବାହ ଯାହାକୁ କହନ୍ତି, ସେଇ କାମଟା ଆଗରୁ ସରି ଯାଇଥିବ, ବୈଧାନିକ ବିବାହଟା ଜ୍ୟୋତିଷୀ ଗଣନାରେ ଆଉ ଦି ଦିନ ପରେ ହେବ ।

 

—କିନ୍ତୁ ରଂଜୁ ତ ମାଟିକି ଛୁଇଁ ଶପଥ କରିଚି ମୋ ଛଡ଼ା କାହାରିକି ବିବାହ ହେବ ନାହିଁ, ଏଇ ଲୋକଟା କିଏ ?

 

—ରଂଜୁ ଯଦି ତତେ ବିବାହ କରିବ ବୋଲି ଶପଥ କରିଥିଲା, ତୁ କିମିତି ମୋ ଛଡ଼ା କାହାରିକି ବିବାହ କରିବୁନି ବୋଲି ଶପଥ କଲୁ ? ସେ ତ ମାଟିକି ଛୁଇଁ ଶପଥ କରିଚି, ତୁ ତ ମୋ ଦେହକୁ ଛୁଇଁ ପୁରୀ ମନ୍ଦିର ଭଳି ପବିତ୍ର ପୀଠରେ କୋଇଲି ବୈକୁଣ୍ଠର ଚମ୍ପା ଗଛ ମୂଳେ ଶପଥ କରିଚୁ । କୋଉ ଶପଥଟା ବେଶୀ ପବିତ୍ର ?

 

ଦୀନୁ ଗୀତାକୁ ଯେତେବେଳେ ଭଲ ପାଇଥିଲା, ବୋଧହୁଏ ସେତିକିବେଳୁ ଭୁଲି ଯାଇଥିଲା ରଂଜୁକୁ । ରଂଜୁ ମୁହଁଟା ଦେଖିବା ମାତ୍ରେ ଗୀତାକୁ ଚାହିଁଲା—ଗୀତାର ମୁହଁଟା ଏଇ ମୁହୂର୍ତ୍ତରେ କି କୁତ୍ସିତ ଦେଖାଯାଉଚି ତାକୁ ।

 

ତା ଆରଦିନ ରଂଜୁର ପିଇସୀ ପୁଅ ଭାଇ ଲଡ଼ୁକେଶ୍ୱର ସାଥିରେ ବାହାରି ପଡ଼ିଲା ଦୀନୁ-। ହୃଦୟରେ ହୃଦୟେ ହେବ ବିଦ୍ରୋହ । ଆଖିରେ ଅଗ୍ନିର ସ୍ଫୁଲିଙ୍ଗ । ଗାଡ଼ିରେ ବସି ସେ ଭାବୁଚି ରଂଜୁ ବାହାବେଦୀରେ ବସିଥିବ, ପାଖରେ ତା ବର । ଠିକ୍ ହାତ ଗଣ୍ଠି ପଡ଼ିଲା ବେଳକୁ ସେ ଯାଇ ଛୁରାରେ ପଛ ଆଡ଼ୁ ଭୁଷି ଦେଉଚି । ତାପରେ କୋଳାହଳ, ପୁଲିସ ଆସି ତାକୁ ଗିରଫ୍‌ କରି ନେଉଚନ୍ତି । ସେ ଜେଲ ଯାଉଚି । ଆଖିକି ବୁଜିଦେଲେ ଯେଉଁ ଭାବ ଗୁଡ଼ାକ ମନ ଭିତରେ ଉବିକୁ ଉଠେ, ସେଇ ଗୁଡ଼ାକ ତା ମନରେ ଉଠୁଚି । ପୁଣି ପରଦା ପଡ଼ି ଯାଉଚି ।

 

ମୁଁ ଗାଁରେ ପହଞ୍ଚିଲା ବେଳକୁ ବାହାଘର ସରି ସରି ଆସିଥାଏ । ରାତି ଆସି ସେତେବେଳକୁ ଦୁଇ । ଘରଭିତରେ ଚମଡ଼ା ସୁଟ୍‌କେଶଟା ଫେପାଡ଼ି ଦେଇ ଧାଇଁଗଲି ଶଂକର ମହାପାତ୍ର ଘରକୁ । ବର ଢୋଳଉଚନ୍ତି । ରଂଜୁ ମୁହଁରେ ପାରଂପରିକ ଓଢ଼ଣା ନାହିଁ । ଏକାବେଳକେ ଖୋଲା ମୁହଁଟା । ହୋମ ନିଆଁରେ ତାତି ଯାଇଚି ସେ ମୁହଁଟା । ରଂଜୁକୁ ନ ଚାହିଁ ପ୍ରଥମେ ଚାହିଁଲା ବର ମୁହଁକୁ । ଫଟୋରୁ ଦେଖି ମୋର ଯେଉଁ ସନ୍ଦେହ ହୋଇଥିଲା, ତାହା ପରିଷ୍କାର ହେଇ ଆସିଲା ।

 

କିରେ ତୁ ଗଣି କହି ପାଟି କରି ଉଠିଲି । ଏଇ ସେଇ ନାମଜାଦା ଗଣି । କଲେଜରେ ପ୍ରଥମ ବର୍ଷରେ ଦୁଇ ଥର ଫେଲ ହେଇ ରେକର୍ଡ଼ ସୃଷ୍ଟି କରିଥିଲା ଏଇ ଗଣି । ଦ୍ୱିତୀୟ ବର୍ଷରେ ତିନିଥର ଫେଲ ହେଇ ତଥାପି ପଢ଼ିବାର ଝୁଙ୍କ ଛାଡ଼ି ନଥିଲା । କଟକରେ ପିଲାଟା ବଜାରୀ ହୋଇଗଲା ବୋଲି ବାପା ପୁରୀ ପଠେଇ ଦେଇଥିଲେ ପାଠ ପଢ଼େଇବା ପାଇଁ । ଆସୁ ଆସୁ ଗୀତା ପଛରେ ଗୋଡ଼େଇ ଗୋଡ଼େଇ ଶେଷରେ କ୍ଲାନ୍ତ ଶ୍ରାନ୍ତ ହୋଇ ଅବସର ଗ୍ରହଣ କରିଥିଲା ପାଠପଢ଼ାରୁ । ବାପା ଶେଷରେ ଧରେଇ ଦେଇଥିଲେ ଇନ୍‌ସୁରାନ୍‌ସ ଏଜେନ୍‌ସି । ଗଣି ନାଁ ଟାର ବଦନାମିକୁ ଘୋଡ଼େଇବା ପାଇଁ ଶେଷରେ ନାଁ ଗ୍ରହଣ କରିଥିଲା ପରିତୋଷ । ଏହି ସେଇ ଗଣି ଗୀତାକୁ ସିନା ଜିଣି ପାରିଲାନି, ଶେଷରେ ନିହାତି ନିରୀହା ରଂଜୁକୁ ଗିଳି ପକେଇଲା ଗୋଡ଼ରୁ ମୁଣ୍ତଯାଏଁ ।

 

ଗଣିର ନିଦ ଭାଙ୍ଗିଗଲା ମୋ ପାଟିରେ । ରଂଜୁର ଓଢ଼ଣା ବି ଟାଣି ହେଇ ଆସିଲା ଆପେ ଆପେ । ଗଣି ଚାହିଁଲା ମତେ । ମତେ ତାର ପ୍ରାଣରେ ଭୟ ! ରଂଜୁ ବି ଚାହିଁଲା ମତେ ଓଢ଼ଣା ଭିତରୁ । ଏ ଦିଇ ବର୍ଷ ଭିତରେ ଦୀନୁଟା ସତେ କେଡ଼େ ବଡ଼ ହେଇଯାଇଚି ! ଆଣ୍ଠୁ ଲୁଚୁ ନଥିଲା ଖଣ୍ତିଏ ଲୁଗାରେ ଯେ ବର୍ଷେ ଚଳେ, ତା ଦେହରେ ପୁରା ସୁଟ ! ନେକଟାଇ ! ଦୌଲତ ଭରି ରହିଚି ତାର ସାଜ ପୋଷାକରେ, ରୂପରେ, ଠିଆ ହେବାର ଭଙ୍ଗୀରେ, କଥା କହିବାର ଢଙ୍ଗ ଓ ଶୈଳୀରେ ।

 

ଦୀନୁ ମନରେ ରଂଜୁ ତାକୁ ବିବାହ ନ କରି ଆଉ ଜଣକୁ ବିବାହ କଲା ବୋଲି ତିଳେ ହେଲେ ଦୁଃଖ ନାହିଁ । ଖାଲି ଦୁଃଖ ଏତିକି ଯେ ରଂଜୁ ହୁଏତ ଜାଣିନି—ଗଣିର ରୂପ; ଦୌଲତ ସବୁ ଥିଲେ ବି... ।

 

ମୁଁ ତା ଆରଦିନ ସର ଭାଉଜଠୁ ଶୁଣିଥିଲି, କୁଆଡ଼େ ପରିତୋଷର ବାପା ମନା କରୁଥିଲେ ରଂଜନା ସହିତ ବିବାହ ଦେବାପାଇଁ । ରଂଜୁର ଜାତକରୁ ଦେଖି ସେ କୁଆଡ଼େ ଜାଣିଲେ ରଂଜୁଟା ଅଲକ୍ଷଣୀ, ତାକୁ ଯିଏ ବିବାହ କରିବ ଶୀଘ୍ର ମରିବ ।

 

ସର ଭାଉଜ କଥାରେ ଠୋ ଠୋ ହସି ପକେଇଲି । ମୁଁ ଜାଣିଥିଲି, କଥାଟା ରଂଜୁ ପ୍ରତି ପ୍ରଯୁଜ୍ୟ ନୁହେଁ, ପ୍ରଯୁଜ୍ୟ ଗଣି ବା ପରିତୋଷ ପ୍ରତି ।

 

ଗଣି ତ ସେଥିପାଇଁ ମତେ ଡ଼ରେ । ଗଣିକି ବହୁଥର ମରଣ ମୁହଁରୁ ରକ୍ଷା କରିଚି ମୁଁ । ଗଣିର ବାପା ଜାଣନ୍ତି, ତା ମା ଜାଣନ୍ତି । ରଂଜୁ କ’ଣ ଜାଣେ ନା ? ଜାଣି ଶୁଣି ବି..... ।

 

ବିବାହ ପରଦିନ । ଗାଁର ଶଳା ଶାଳୀ ଲେଖା ସଭିଏଁ ରୁଣ୍ତ ହେଲେ । ପରିତୋଷର ଦେହଟା ଯାକ ନାଲି ନେଳି ପାଣିରେ ସୁଡ଼ୁବୁଡ଼ୁ । ଶେଷରେ ସର ଭାଉଜ ଡାକି ଗଣି ଉପରେ ବାଲ୍‍ଟିଏ ଗୋବର ପାଣି ଇଡ଼ିଦେଲେ । ଆଜି ରଂଜୁ, ପରିତୋଷ ଦୁହେଁ ସର ଭାଉଜର ପରିହାସର ପାତ୍ର ।

 

ମତେ ବି ଗାଧୋଇ ଯିବାକୁ ପଡ଼ିଲା ଗଣି ସାଥିରେ । ସାଙ୍ଗରେ ଗଣିର ଶଳା ଶାଳୀ ଅନେକ । ବଡ଼ ପୋଖରୀର ପାଣି ଭିତରେ ଖେଳ ହେଲା ବହୁତ, ପହଁରା ବି ହେଲା ବହୁତ । ଗଣି ପାଣି ଭିତରେ ପଶୁ ପଶୁ ଭୟରେ ଥରି ଉଠିଥିଲି । ଇମିତି ସେଦିନ ସମୁଦ୍ରରେ ବୁଡ଼ୁ ବୁଡ଼ୁ ଗଣି ଲାଖି ଯାଇଥିଲା ଭିତରେ । କେତେ କଷ୍ଟରେ ଉପରକୁ ଟାଣି ନେଇ ଆସିଥିଲା ତାକୁ । ସେତେବେଳକୁ ଗଣି ଅଚେତ ଜ୍ଞାନ ଶୂନ୍ୟ । ସହର ବୋଲି ଡାକ୍ତର ଦୁଇ ତିନିଟା ପହଞ୍ଚିଗଲେ । ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଗଲା । ବିଚରା ବଞ୍ଚିଗଲା । ଡାକ୍ତର ମତେ ତୁନି ତୁନି କହିଥିଲେ ଗଣିର.... । ଟିକିଏ ସତର୍କ ରହିବ ।

 

ଗାଧୁଆ ସରିଲା । ସମସ୍ତେ ତୁଠରୁ ଫେରିଲେ, କିନ୍ତୁ ଗଣି ଆଉ ଫେରିଲା ନାହିଁ । ଗାଁ ଗୋଟାକ ଯାକରେ ହୁଲସ୍ତୁଲ ପଡ଼ିଗଲା । ପୋଖରୀ ଗୋଟାକ ଯାକ ଘାଣ୍ଟିବା ପରେ ଯେଉଁ ଦିହଟା ବାହାରିଲା ସେଇଟା ଗଣି ନୁହେଁ—ପରିତୋଷର ଶବ ଦେହ ।

 

ସଙ୍ଗେ ସଙ୍ଗେ ପୁଲିସ ଆସି ହାଜର । ଗୋଠକଯାକ ପିଲା ଗିରଫ । ଶବ ବ୍ୟବଛେଦ ସତ୍‌କାର ବି ସରିଲା । ରଂଜୁ ବିଧବା ହେଲା । ଗାଁଟାଯାକ ଲୋକ ସମସ୍ୱରରେ କହିଲେ ଦୀନୁର ରଂଜୁ ପ୍ରତି ଆକର୍ଷଣ ଥିଲା, ବିଦ୍ରୋହରେ ସେ ପ୍ରତିଶୋଧ ନେଇଚି । ଜାଣି ଶୁଣି ଗଣିକି ବୁଡ଼େଇ ପକେଇଚି । ତା ଆରଦିନ ଗଣିର ବାପା ଆସି ଗାଁ ଦାଣ୍ତଟାକୁ କମ୍ପେଇ ଦେଲେ । ଯାହା ପଛେ ଖର୍ଚ୍ଚ ହେବ, ସେ ମକଦ୍ଦମା ଚଳେଇବେ । ବିଚାର ହେବ । ଦୀନୁ ଫାଶୀ ପାଇବ, ନଚେତ୍‌ ଆଜୀବନ କାରାଦଣ୍ତ ଭୋଗିବ ।

 

କିନ୍ତୁ ଗାଁର ଚାରୋଟି ସ୍ତ୍ରୀ ପୁଲିସ ଆଗରେ ସାକ୍ଷ୍ୟ ଦେଲେ ଦୀନୁ ନିର୍ଦ୍ଦୋଷ ।

 

ଚନ୍ଦ୍ର ଭାଇନା ମାଇପ କହିଲା—ଦୀନୁ ପୋଖରୀରେ ନ ଗାଧୋଇ, ଗାଧେଇଚି କୂଅ ମୂଳରେ ।

 

ସର ଭାଉଜ ସାକ୍ଷ୍ୟ ଦେଲା ଠିକ୍‌ ସେୟା ।

 

ଶେଷରେ ପରିତୋଷର ବିବାହିତା ସ୍ତ୍ରୀ ରଂଜନା ସାକ୍ଷ୍ୟ ଦେଲା—ପରିତୋଷର ବାତ ରୋଗ ଥିଲା । ଗାଧୋଉ ଗାଧୋଉ ହୁଏତ ବାତ ମାରିଚି । ସେ ଆଉ ଉଠି ପାରିନାହାନ୍ତି ।

 

ରଞ୍ଜୁ ଚାହେଁ ଦୀନୁ ବଞ୍ଚି ରହୁ, କାରଣ ତାକୁ ଦୁନିଆ ଚାହେଁ ।

 

ରଂଜୁ ଖୁଡ଼ୀର ମଧ୍ୟ ସେଇ ସାକ୍ଷ୍ୟ ।

 

ପୁଲିସ ସେତକ ଟିପି ନେଲେ । ଶେଷରେ କୋର୍ଟରେ ସାକ୍ଷ୍ୟ ଦେଲେ ପୁରୀର ସେଇ ଡାକ୍ତର, ଯିଏ ମତେ ସତର୍କ କରେଇ ଦେଇଥିଲେ ।

 

ସମେଇ ମହାପାତ୍ରଙ୍କର ମନେ ପଡ଼ିଲା ସେ ଦିନର ଘଟଣା । ଦିନେ ହଠାତ୍‌ ପରିତୋଷକୁ ଡାକ୍ତରଖାନାକୁ ବୁହାହୋଇ ନିଆ ଯାଇଥିଲା । ତାହାହେଲେ, ଏଇଥିପାଇଁ ।

 

କିନ୍ତୁ ରଂଜୁ ଏ ସବୁ ଜାଣି ଶୁଣି ବିବାହ ରାଜି ହେଲା କିମିତି ? ହୁଏତ ସେ ଶୁଣି ନ ଥିଲା, ପରିତୋଷର ସୁଦର୍ଶନ ଚେହେରାକୁ ଦେଖି ବିଶ୍ୱାସ କରିନଥିଲା । ?

 

ରଂଜୁ ଯୋଉଦିନ ସଂସାରରୁ ବିଦାୟ ନେଲା, ଠିକ୍‌ ତା ପୂର୍ବଦିନ ମୁଁ ରଂଜୁକୁ ଏଇ ପ୍ରଶ୍ନ ପଚାରିବାମାତ୍ରେ ରଂଜୁ କିଛି ନକହି ହାତ ଠାରି ଦେଖେଇ ଦେଇଥିଲା କାନ୍ଥ ଉପରେ ଝୁଲୁଥିବା ଗୋଟିଏ କ୍ୟାଲେଣ୍ତରର ଛବିକୁ । ଛବିଟି ଗୋଟିଏ ଶିଶୁର । ଭ୍ରୂଣହତ୍ୟାକୁ ଡରି ସେ କ୍ଷୀଣାୟୁ ପରିତୋଷକୁ ଆବୋରି ନେଇଥିଲା ସତ, କିନ୍ତୁ ଶେଷରେ ନିଜକୁ ହତ୍ୟା କରିବା ସଙ୍ଗେ ସେ ଭ୍ରୂଣକୁ ମଧ୍ୟ ହତ୍ୟା କରିଥିଲା ଏକା ଚୋଟରେ ।

 

ପୁରୀକି ଫେରିବା ପୂର୍ବଦିନ ମୋର ଦେଖା ହୋଇଥିଲା ଶକୁଭାଉଜ ସାଙ୍ଗରେ । ତାଙ୍କରି ଘରେ । ତାର ଗୋଟାମୁଗ ଡାଲି, ଆଉ ପାତୁଆ ମାଛ ବେସର ଭଲ ଲାଗେ ବୋଲି ଆଗରୁ ବରାଦ ଦେଇଥିଲି ତାଙ୍କରି ଘରେ ଖାଇବା ପାଇଁ । ତା’ଛଡ଼ା ଆମ ଘରର ସମସ୍ତେ ଜାଣନ୍ତି, ଗାଡ଼ିକି ଯିବା ପୂର୍ବ ଓଳିଟି ଦୀନା ଏଇଠି ଖାଏ ।

 

ସେଦିନ ଆଠ ଦଶ ପ୍ରକାରର ରାନ୍ଧିଥିଲା ଶକୁଭାଉଜ । ମୁଗ, ହରଡ ଡାଲି, ଖମ୍ବଆଳୁ ଭଜା, ବାଇଗଣ ସନ୍ତୁଳା, ଶିମ୍ବ ରାଇ, ପାଣିକଖାରୁ ଆମ୍ବିଳ, ଆଳୁ ଭରତା—ଆଉ ଗୁଡ଼ାକର ନାଁ ମନେ ନାଇଁ । ସବୁଥର ଶକୁଭାଉଜ କିଛି ନା କିଛି ଦିଏ । କିନ୍ତୁ ଏଥର ଆଣିଦେବାପାଇଁ ଛୋଟ ଗୋଟିଏ ଅନୁରୋଧ କରିଥିଲା । ତୁନିକରି କହିଥିଲା—ତିହାଡ଼ିଘର ସାନ ବୋହୂ ପୁରୀ ଯାଇଥିଲା ଯେ ବଡ଼ଦାଣ୍ତରୁ କେତେ ଦରବ ଆଣିଚି । ତୁ ତ ଏତେଥର ଆସୁଚୁ, ଯାଉଚୁ, କ’ଣ ହେଲେ ଗୋଟେ ଆଣନ୍ତୁ ଭଲା ?

 

କହିଥିଲି, ଆଣିବାକୁ ଇଚ୍ଛା ହୁଏ, କିନ୍ତୁ ବାଛି ପାରେନା କଣ’ ଆଣିବି ?

 

—କିଛି ଦରକାର ନାହିଁ, ଖାଲି ଯୋଉ ହାତରେ ବୁଲିଲେ ଘିରିଘିରି ହେଇ ବୁଲେ, ସେଇଥିରୁ ଗୋଟିଏ କଣ୍ଢେଇ ।

 

ଶକୁଭାଉଜ ସଧବା ନୁହେଁ କି ବିଧବା ନୁହେଁ, ମା’ ନୁହଁ କି ମା’ ହେବାର ସମ୍ଭାବନା ତାଠି ନାହିଁ । ସେ ଚାହେଁ କଣ୍ଢେଇ !

 

ଶକୁଭାଉଜକୁ ଚାହିଁଲି, ଏକ ଆଦିମ ପିପାସା ଛାଇ ଯାଇଚି ତା ମୁହଁରେ । ସେ ମା’ ହେବାକୁ ଚାହେଁ, କିନ୍ତୁ ହେବାର ସମ୍ଭାବନାରୁ ବଞ୍ଚିତା । ସମ୍ଭାବନା ନାହିଁ ବୋଲି ସେ ରବର କଣ୍ଢେଇ ଦେହରେ ସମସ୍ତ ମମତା ବୋଳି ଦେଇ ନିଜର କ୍ଷୁଧାକୁ ମେଣ୍ଟାଇବାକୁ ଚାହେଁ । ତା’ର ପ୍ରଣୟ ପୀପାସୀ ନ ମେଣ୍ଟୁଣୁ ବି ମେଣ୍ଟିଯାଇଚି । ବାକୀ ରହିଚି ଏହି ମା’ ହେବାର ଲାଳସାଟା । ହୁଏତ ରବର କଣ୍ଢେଇକି କୁଣ୍ଢେଇ ଧରି ଶୋଇ ଶୋଇ ସେ ଉଷ୍ଣତା ଅନୁଭବ କରିବ । ହୃଦୟର ଆବେଗତା ତା’ର ବାଟ ପାଇବ ଝରି ଯିବାପାଇଁ । ରାତି ଅଧରେ ଏଇ ରବର କୁଣ୍ଢେଇ ଚାହିଁବ ଦୁଧ ପିଇବା ପାଇଁ । ନିର୍ବାକ ନିସ୍ପନ୍ଦ ଜଡ଼ କଣ୍ଢେଇ ତୁଣ୍ତରେ ମେଣ୍ଢେଇ ଦେବ ତା’ର ପୀନପୟୋଧର ଦୁଇଟିକୁ । ନିର୍ଜୀବ ଦେହରେ ସେ ଅନୁଭବ କରିବ ଜୀବନକୁ, ଠିକ୍‌ ଯେମିତି ସେ ଶାଳଗ୍ରାମ ଦେହରେ ଅନୁଭବ କରୁଚି ଈଶ୍ୱର ସତ୍ତାକୁ, ସରସ୍ୱତୀଙ୍କ ଚିତ୍ରପଟ ଦେହରେ ଅନୁଭବ କରୁଚି ଜୀବନ୍ତ ସରସ୍ୱତୀଙ୍କୁ । ହୁଏତ ରବର କଣ୍ଢେଇ ପାଇବାର ଆଠଦିନ ପରେ ଶକୁଭାଉଜ ଚିଠି ଲେଖିବ—ଦୀନୁରେ, ପିଲାଟା ଲଙ୍ଗଳା ଫୁଙ୍ଗୁଳାରେ ବୁଲୁଚି, କୁରୁତା ହଳେ, ରଶିଲଗା ପ୍ୟାଣ୍ଟ ଦୁଇଟା ଦରକାର ।

 

ଦିଲ୍ଲୀ ଚାନ୍ଦନୀଚୌକର ରେଡ଼ିମେଡ଼ ପୋଷାକ ଦୋକାନରେ ଏଇମିତି ଗୋଟିଏ ଲେଡ଼ିକି ଦେଖିଥିଲି । ହଠାତ୍‌ ପଚାଶ ଟଙ୍କାର ପିଲାଙ୍କ ପୋଷାକ କିଣିନେଇ କିଛି ସମୟ ପରେ ଟାକ୍‌ସି ନେଇ ଦଉଡ଼ି ଆସିଥିଲା ସେ ଦୋକାନକୁ ପୋଷାକଗୁଡ଼ାକ ଫେରାଇ ଦେବାପାଇଁ । ଫେରାଇ ଦେବାର କାରଣ ସ୍ୱରୂପ ସେ ଜଣଙ୍କ ସଫେଇ ଦେଇଥିଲେ—ଆଈ ଆମ ଚାଇଲ୍‌ଡଲେସ, ନିଃସନ୍ତାନା, ଭୁଲ୍‌ରେ ନେଇ ଯାଇଥିଲି । ଦୋକାନୀଟା ସ୍ତ୍ରୀମାନଙ୍କ ସାଇକୋଲଜି ଭଲଭାବରେ ଜାଣେ ବୋଲି କୌଣସି ଯୁକ୍ତି ନକରି ଟଙ୍କା ପଚାଶଟି ଫେରାଇ ଦେଇଥିଲା । ପାଖରେ ଥିବା କ୍ରେତାମାନେ ହସି ଉଠିଥିଲେ । ପ୍ରକୃତରେ ଲେଡି ଜଣକ କ’ଣ ଭୁଲ୍‌ରେ କିଣି ପକେଇଥିଲେ ? ସେ ପୋଷାକଗୁଡ଼ିକ କିଣିବାବେଳେ ସେ ମନେମନେ ଅନୁଭବ କରିଥିଲେ ଯେ ସେ ତିନିଚାରୋଟି ଛୁଆର ମା । ଶୀତଦିନ, ପିଲାମାନଙ୍କ ଦେହକୁ ଗରମ ପୋଷାକ ଦରକାର । ସେଇଥିପାଇଁ ନିଜ ହାତକୁ ହଳେ ଗ୍ଲୋଭ କିଣିବା ଉଦ୍ଦେଶ୍ୟରେ ଆସି କିଣି ପକେଇଥିଲେ ଗୁଡ଼ିଏ ଛୁଆଙ୍କ ପୋଷାକ ।

 

ତେଣୁ ଶକୁ ଭାଉଜର କଣ୍ଢେଇ ଚାହିଁବାଟା ଭୁଲ ନୁହେଁ— ସଂପୂର୍ଣ୍ଣ ଠିକ୍‌ । ନାରୀ ଜୀବନର ଚଉତା ହୋଇ ରହିଥିବା ଆଶା ଆକାଂକ୍ଷା ଗୁଡ଼ିକ ମଧ୍ୟରୁ ସନ୍ତାନ ଲାଭ ଇଚ୍ଛାଟା ଦ୍ୱିତୀୟ ସୋପାନ । ପ୍ରଥମ ସୋପାନ ସ୍ୱାମୀ ପ୍ରାପ୍ତି ଅର୍ଥାତ୍‌ ସଂପୃକ୍ତ, ସଂଶ୍ଲିଷ୍ଟ ଓ ଘନିଷ୍ଠ ହେବାର ଇଚ୍ଛା । ଏ ବାସନା ସହଜେ ମେଣ୍ଟେନା । ଏ ଇଚ୍ଛା ପ୍ରବହମାନ, ଧାରାବାହିକ । କିନ୍ତୁ ଏହି ଧାରାବାହିକତା ଭିତରେ ଉଦୟ ହୁଏ ଅନ୍ୟ ଏକ ଅଭିଲିପ୍‌ସା । ସ୍ୱାମୀଭଳି ଏକ ଶିଶୁକୁ କୋଡ଼ରେ ଜାକି ଧରିବାକୁ ଚାହେଁ ସେ । ସାମୟିକ ଘନିଷ୍ଠତାରେ ସେ ସନ୍ତୁଷ୍ଟ ରହିପାରେନା । ସେ ଉଲଗ୍ନ ହେବାକୁ ଚାହେଁ ଏବଂ ଉଲଗ୍ନ ହେବାଲାଗି ଏକ ସାର୍ଟିଫିକେଟ ଚାହେଁ । ଏହି ସାର୍ଟିଫିକେଟ ହେଉଚି ସନ୍ତାନ ।

 

ହଁ, ଶକୁ ଭାଉଜ ଚାହେଁ ସେଇ ବଡ଼ଦାଣ୍ତର ଗୋଟିଏ ବଡ଼ କଣ୍ଢେଇ । ହାତରେ ବୁଲେଇ ଦେଲେ ଘିରି ଘିରି ବୁଲେ । ଚାବି ମୋଡ଼ିଦେଲେ କୁଆଁ କୁଆଁ କରି କାନ୍ଦେ । ଓଠକୁ ଚିପି ଧରିଲେ ଖିଲି ଖିଲି କରି ହସେ ।

 

ଶକୁ ଭାଉଜକୁ ଉତ୍ତର ଦେଲି, ଆର ଥର ଆସିଲାବେଳେ ନିଶ୍ଚୟ ଆଣିଦେବି ।

 

ଶକୁ ଭାଉଜର ଧନ ସମ୍ପଦକୁ ଦେଖି ଯିଏ ଯେଉଁଠି ଯେତେ ସମ୍ପର୍କୀୟ ବନ୍ଧୁ ବାନ୍ଧବ ଥିଲେ ସମସ୍ତେ ପୁଅ ଝିଅ ଆଣି ଯାଚିଲେ, ପୁଅ ଝିଅ କର ବୋଲି । ସମସ୍ତକୁ ମନା କରିଦେଲା ଶକୁଭାଉଜ । ଦାଣ୍ତରୁ ଅନାଥ ଛୁଆଙ୍କୁ ଗୋଟେଇ ପଛେ ପୁଅ ଝିଅ କରିବି ବନ୍ଧୁ ବାନ୍ଧବଙ୍କଠୁ ଆଣିବିନି । ବନ୍ଧୁ ବାନ୍ଧବମାନେ ପଛରେ ଖୁଣ୍ଟା ଦିଅନ୍ତି, ପିଲା ବଡ଼ ହେଇଗଲେ ନାନା କଥା ବତାବତି କରି ନାନା କନ୍ଦଳ ସୃଷ୍ଟି କରାନ୍ତି । ଘର ଭଙ୍ଗାନ୍ତି ।

 

ସର ଭାଉଜ କହେ—ନାଇଁଲୋ ଶକୁ, କାହାରି କଥାରେ ପଡ଼ନା । କାହିଁ ତୋର କ’ଣ କେହି ନାହାନ୍ତି ? ଆମେ ତ ଅଛୁ । ମୋର ଏକ ଦୁଇ ତିନି ଚାରି ହେଇ ଚାରିଟା ବଢ଼ିଲା ପୁଅ—ତିନି ଝିଅ । ଯଦି ଚାହୁଁ ସେଇଥିରୁ ଗୋଟାଏ ଦେଇଦେବି । ବୟସ ତ ଯାଇନି ଗୋଟେ ନେଇଗଲେ ଆଉ କ’ଣ କଅଁଳେଇ ପାରିବିନି ? ସରକାର କହୁଛନ୍ତି ଜନ୍ମ ନିୟନ୍ତ୍ରଣ । ମାଇକିନିଆ ହେଇ ଯଦି ବରଷକୁ ଗୋଟେ କରି କଅଁଳେଇ ନପାରିଲା, ତାହାହେଲେ ବାହା ହଉଥିଲ କାହିଁକି ? ...ତତେ କହୁନ ଲୋ ଶକୁ । ସେଇ ଶିବରାମ ମାଇକିନିଆଟା କଥା କହୁଚି । ଭେଣ୍ତାବର, ମାଇକିନିଆଟା ଆଠ ବର୍ଷହେଲା ଶାଶୁ ଘରକୁ ଆସିଲାଣି ଯେ ଛୁଆ ବେଇବାର ନାଁ ଧରୁନି । ୟାକୁଇ କହନ୍ତି ବାଂଝ-। ଚନ୍ଦ୍ର ଥାଆନ୍ତା ଯେବେ ତୋର କ’ଣ ହୁଅନ୍ତା ନି ! ମାଇକିନିଆ ବେଇ ନପାରିଲେ ମରଦର ଦୋଷ-?

 

ଶକୁ ଭାଉଜ କହେ—କାହିଁକି ମ, ଆମ ଦୀନୁର କ’ଣ ପିଲାପିଲି ହେବନି ?

 

ସର ଭାଉଜ ଉତ୍ତର ଦିଏ—ଦୀନା ବାହାହବ, ବୋହୂ ଆସିବ, ପିଲା ହେବ, ତୁ ଯାଇ ପୁଅ କରିବୁ ? ବଡ଼ ଆଶା ଲୋ ତୋର ।

 

କାହିଁକି ପୁଅ ନକରି କ’ଣ ମଣିଷ ପୁଅ ବୋଲି ଆଦରି ପାରିବନି ?

 

—ହଁ ହବନି କାହିଁକି ? ତୋ ଦେଇତ ନହେବା କଥା ହଉଚି ଲୋ ଶକୁ । ଯାହା ବିଚାରିବୁ ତା କରିପାରିବୁ । ଦୀନୁ ପୁଅ ତୋ ପୁଅ ହଅନ୍ତା ନି ଆଉ କାହାରି ହେବ ? । ସର ଭାଉଜ ଟିକିଏ ବଙ୍କେଇ କରି ଏଡ଼େବଡ଼ କଥାଟା କହିଦେଲା ସିନା ଜାଣି ନଥିଲା ତା ପରିମାଣଟା ଏଡେ ତିକ୍ତ ହେଇ ଯିବ ବୋଲି ।

 

ତା ଆରଦିନଠୁ ଶକୁ ଭାଉଜ ମନା କରିଦେଲା ସର ଭାଉଜ ତା ଦୁଆର ଯେମିତି ନମାଡ଼େ । କିନ୍ତୁ ସର ଭାଉଜ ଭୁଲ ମାନିଲା, ନୁଙ୍ଗୁରା ହେଇ ପୁଣି ସେଇ ଘର ଦୁଆର ହାଜର ।

 

ଶକୁ ଭାଉଜର ବ୍ରତ ଉପବାସ କହିଲେ ନସରେ । ସୋମବାରେ ସୋମବାର ଉପବାସ-। ଗୁରୁବାର ଦିନ ଅରୁଆ ଖିଆ । ରବିବାର ଦିନ ଫଳାହାର । ତା ଛଡ଼ା ପ୍ରତିଦିନ ସୂର୍ଯ୍ୟ ଦର୍ଶନ ନକଲେ ପାଣି ଛୁଏଁନା । ଏ ସବୁ କାହାରି ପାଇଁ କେଜାଣି, କେହି ଭାବି ପାରନ୍ତିନି ।

 

ଯିଏ ତାକୁ ବ୍ରତଉପବାସର କାରଣ ପଚାରେ ସା ଜୋର ଦେଇ କହେ ଏସବୁ ଦୀନୁ ପାଇଁ । ଦୀନୁ ପରୀକ୍ଷାରେ ପାସ୍‌ କରିବ, ବଡ଼ ଲୋକ ହେବ, ବଡ଼ ଅଫିସର ହେବ, ବଡ଼ଘରେ ବାହା ହେବ, ବାଇଦ ବାଜଣା ବାଜିବ, ବାଣ ଫୁଟିବ, ବୋହୂ ଆସିବ—ତେବେଯାଇ ମୋର ବ୍ରତ ଉପବାସ ସରିବ । ବର୍ଷାଦିନେ ଶକୁ ଭାଉଜ ସୂର୍ଯ୍ୟ ଦର୍ଶନ ନକଲେ ଖାଏନା । ନିର୍ଜଳା ଉପବାସରେ ଦିନଟାଏ ।

 

ଶ୍ରାବଣ ମାସର ଗୋଟିଏ ଗୁରୁବାର । ସେଦିନ ମେଘ ଢାଙ୍କି ରହିଥାଏ । ସୂର୍ଯ୍ୟଙ୍କର ଦେଖା ସାକ୍ଷାତ ନାହିଁ । ଉପବାସିନୀ ଶକୁ ଭାଉଜ । ଦୀନା ଆସି ଦୁଆର ବାଡ଼େଇଲା । ସିଧା ପୁରୀରୁ ଆସି ପହଞ୍ଚିଛି । ହାତରେ ରବର କଣ୍ଢେଇ । ରବର କଣ୍ଢେଇ ଦିହକୁ ଜାମା ପେଣ୍ଟ ।

 

ଭାରି ଖୁସି ହୋଇଉଠିଲା ଶକୁ ଭାଉଜ, ସଙ୍ଗେ ସଙ୍ଗେ କୁଣ୍ଢେଇ ପକେଇ ଥିଲା କଣ୍ଢେଇଟିକୁ । ଦୀନାକୁ ବହୁତ ଧନ୍ୟବାଦ ଜଣେଇଥିଲା । ପୁଣି ଆଉ ଗୋଟିଏ ଅନୁରୋଧ—ଖଣ୍ତିଏ ହାରମନିୟମ !

 

—ହାରମନିୟମ କ’ଣ ହେବ ?

 

—ହାରମନିୟମ ବଜେଇ ଭାଉଜ ବୋଲିବି ।

 

—କି ଭଜନ ?

 

—ଜଗନ୍ନାଥଙ୍କ ଜଣାଣ, ମୀରା ଭଜନ, କବିର ଭଜନ ।

 

ଭାଉଜ-ସୁଆଗୀ ଶକୁ ଭାଉଜର ଏ ଅନୁରୋଧଟା ଟିକିଏ ଦାମିକିଆ । ସମ୍ବଳହୀନ ଦୀନୁ କ’ଣ ଉତ୍ତର ଦେବ ଠିକ କରିପାରି ନଥିଲା । କିନ୍ତୁ ସଙ୍ଗେ ସଙ୍ଗେ ଶକୁ ଭାଉଜ ପଚାଶ ଟଙ୍କା ବଢ଼େଇ ଦେଇ କହିଲା—ଏତକ ନିଅ, ହାରମନିୟମ କଥା ଥାଉ । କହୁ କହୁ କହିଦେଇଥିଲି । ହାରମନିୟମରୁ ଯେତେ ସ୍ୱର ବାହାରେ ସେଇଥିରୁ ଗୋଟିଏ ଗୋଟିଏ ସ୍ୱର ମୋର ଦରକାର । ପୁରୀ ବଜାରରେ କ’ଣ ମିଳିବ ?

 

ସ୍ୱର ପୁଣି କିଣାଯାଏ, ସେ ପୁଣି ପୁରୀ ବଜାରରେ ? ପୁରୀ ବଜାରରେ କେବଳ ଗୋଟିଏ ସ୍ୱର ମିଳେ, ସେ ସ୍ୱର ପଣ୍ତାଙ୍କର । ଭାଙ୍ଗଖିଆ କଣ୍ଠର ବଜ୍ରନିର୍ଘୋଷ । ଯାତ୍ରୀଙ୍କୁ ଜୁଟେଇବା ବେଳେ ଯେଉଁ ପାଟିତୁଣ୍ତ, ସେଇଥିରୁ ଯେଉଁ ସ୍ୱର ବାହାରେ ସେଇ ସ୍ୱର । ଶକୁ ଭାଉଜର କୋଉ ସ୍ୱର ଦରକାର ?

 

ଶକୁ ଭାଉଜ ଜବରଦସ୍ତି ପଚାଶଟା ଟଙ୍କା ପକେଟରେ ଭର୍ତ୍ତି କରି ଦେଇ କହିଲା—ଏ ଲଫାଫାଟା ଇଲେ ଫିଟାଇବନି, ମୋ ରାଣ, ପୁରୀକି ଯାଇ ଫିଟେଇବ ।

 

ସେଦିନ ଗାଡ଼ିକି ଆସିବାବେଳେ ବଡ଼ ଇଚ୍ଛା ହେଇଥିଲା ଲଫାପାଟା ଫିଟେଇ, କ’ଣ ଅଛି ଦେଖିବା ପାଇଁ । କିନ୍ତୁ ଶକୁ ଭାଉଜର ରାଣ ମନେ ପଡ଼ିଯିବା ମାତ୍ରେ ହାତ ଯାଏନା । ରୋକିଯାଏ ।

 

ଲଫାଫାଟିକି ଫିଟେଇଲି ଯାଇ ପୁରୀରେ । ହଷ୍ଟେଲ ଭିତରେ । ସେତେବେଳକୁ ସମସ୍ତେ ଶୋଇ ପଡ଼ିଥିଲେ । ହଷ୍ଟେଲରେ ରାତି ବାର ପରେ ଲାଇଟ ଜାଳିବା ମନା । ଡିଆସିଲ ମାରି ଟିକି, ଟିକିଏ କରି ଏଡ଼େ ବଡ଼ ଲମ୍ବା ଗୋଟାଏ କାହାଣୀ ପଢ଼ିଗଲି । ସେଥିରେ ପ୍ରଥମ କେତୋଟି ଧାଡ଼ିରେ ଲେଖାଥିଲା, ଦୀନୁ ! ତମେ ମତେ ଭାଉଜ ବୋଲି ପ୍ରଥମେ ଯେଉଁଦିନ ଡାକିଲ, ସେଇଦିନ ଭାବିଥିଲି ସବୁଗୁଡ଼ାକ କଥା ଖୋଲି କହିଦେବି । କିନ୍ତୁ ପାରିଲିନି । ତୁମେ ମୋଠୁ ବୟସରେ ବଡ଼, ମୁଁ ତମଠୁ ଦି’ବରଷ ଛୋଟ । ତଥାପି ସଂପର୍କ ଅନୁଯାୟୀ ମୁଁ ତୁମଠୁ ବଡ଼ ହେଇଚି । ତୁମେ ମୋଠୁ ନିହାତି ଛୋଟ ହେଇ ପଡ଼ିଚ । ମୁଁ ଯୋଉଦିନ ଶାଶୁଘରକୁ ଆସିଲି—ତାର ଚାରିଦିନ ଆଗରୁ ମତେ ମୋର ଆଈ କହିଥଲା—ମୁଁ ଦ୍ୱିତୀୟ ବିବାହ କରିଚି । ପ୍ରଥମ ବିବାହ ମୋର ବୟସ ହେଇଥିଲା ସାତ କି ଆଠ ବରଷ । ବରର ବୟସ ହେଇଗଲା ନଅ କି ଦଶ । ତା ପରେ ବରର ଦେଖାନାହିଁ କି ଶାଶୁ ଘରର ପତ୍ତା ନାହିଁ । ମୋ ବାପା ମା ମରିଗଲେ, ସବୁ ସରିଗଲା...ଶଶୁର ଇଚ୍ଛା କଲେନି ବୋହୂକୁ ନେବାପାଇଁ । ମାମୁଁ ସବୁ କଥାକୁ ଲୁଚେଇ ପୁଣି ବିବାହ କରିଦେଲେ ଏଇଠି, ଯେଉଁଠିକି ବର ଜୀଇଁ ରହିଛନ୍ତି ବୋଲି ଶୁଣାଯାଏ, ଦେଖା ମିଳେନା ।

 

ଆଈ କହିଥିଲା—ଶକୁ ଲୋ ତୋର ପ୍ରଥମ ବର ଜୀଇଁଚି । ଦ୍ୱିତୀୟ ବରପରି ରାଙ୍ଗୁନାରେ ନାହିଁ । ଏଇଠି କୁଉଠି ଅଛି । ଶଶୁରଙ୍କ ନାଁ ଗାଁ ଠିକଣା, ବରଙ୍କ ନାଁ ବି ଟିପି ଆଣିଥିଲି । ଦେଖିଲ, ଏଇ ଠିକଣାଟା ତୁମର କି କାହାର ?

 

ଦେଖିଲି, ଠିକଣା ଠିକ ମୋଠି ମିଳିଯାଉଚି । ଏହି ଶ୍ୱଶୁର ମୋରି ନନା । ଏଗାଁଟା ମୋରି ଗାଁ । ଏ ନାଁଟା ବି ବିଲକୁଲ ମୋରି ନାଁ ।

 

ଦୀନା ଏତେଦିନେ ବୁଝିପାରିଲା ଶକୁ ଭାଉଜ ପ୍ରତି ତାର ପ୍ରାଣଟା ଟାଣିହେଇ ଯାଉଥିଲା କାହିଁକି ? ଶକୁ ଭାଉଜ ବି ତାକୁ ନିଃସଂକୋଚରେ କୁଣ୍ଢେଇ ପକେଇଲା କିମିତି ? ଶକୁ ଭାଉଜ ତ ଆଉ ମୋର ପତ୍ନୀ ହୋଇ ନପାରେ—ସେ ସେମିତି ଚନ୍ଦ୍ର ଭାଇନା ମାଇପ ହେଇ ରହିଥିବ । ମୋ ହୃଦୟ ତଂନ୍ତ୍ରୀରେ ସପ୍ତସ୍ୱରର ଝଂକାର ସୃଷ୍ଟି ହେଲା ।

 

ଚିଠି ଶେଷରେ ଲେଖା ଅଛି—ଆଈ କହିଥିଲା ତୋ ଶ୍ୱଶୁର ବିବାହ ବାସି ଦିନ ପଚାଶଟି ଟଙ୍କା ଦେଇଥିଲେ ତୋ ନନା ହାତରେ । ବୋହୂଟି ଶୁଣୁଚି ଭଲ ଗୀତ ବୋଲେ । ଏଇ ପଚାଶଟି ଟଙ୍କା ରଖ, ହାରମନିୟମଟିଏ କିଣିଦେବ, ଗୀତ ବୋଲି ଶିଖିବ ।

 

ଏତେଦିନେ ପରିଶୋଧ କଲା ଏଇ ଋଣ ଶକୁ ଭାଉଜ । ଶକୁ ଭାଉଜ ମୋଠୁ ଦି ବର୍ଷ ଛୋଟ—ଅଥଚ ସେ ସବୁ ଜାଣେ । ମୁଁ ବଡ଼, ବିବାହ କରିଚି, ବର ସାଜି ବସିଚି, ଅଥଚ କିଛି ଜାଣେନି । କିଛି ମନେ ନାହିଁ । ହଁ ମନେ ଅଛି—ଠିକ ଶକୁ ଭାଉଜ ଭଳି ଗୋଟାଏ ଝିଅ ସାଙ୍ଗରେ ମୁଁ ବସିଥିଲି ଗୋଟିଏ ବେଦୀ ଉପରେ, କିନ୍ତୁ ମୁଁ ତ ତାକୁ କୁଣ୍ଢେଇ ଖେଳର ବାହାଘର ବୋଲି ମନରୁ କୋଉଦିନଠୁ ପୋଛି ପକେଇଥିଲି । ସେଇଟା କ’ଣ ସତେ ବାହାଘର । ସେଇ ଆଠ ବର୍ଷର ଝିଅଟା ଆଜି ସେଇ ଶକୁ ଭାଉଜ !

 

ସେ ଦିନଠୁ ପ୍ରାୟ ପାଞ୍ଚ ଛଅ ବର୍ଷ ହେଲା ମୁଁ ଗାଁ ମାଟି ମାଡ଼ିନି । ପାଠ ପଢ଼ିଲି, ଚାକିରି କଲି, ବଡ଼ଲୋକ ହେଲି, ବାହାଘର କରି ଘର ସଂସାର କଲି । ଇଚ୍ଛା ହେଲାନି ଗାଁକୁ ଯିବାପାଇଁ । ଶକୁ ଭାଉଜକୁ କେଉଁ ଆଖିରେ ଦେଖିବି ସତେ ! ବଡ଼ ଲାଜ ଲାଜ ଲାଗିବ । ମୁହଁ ଖୋଲି କଥା କହି ପାରିବିନି । ବଡ଼ ଲାଜ ଲାଜ ଲାଗିବ । ମୁହଁ ଖୋଲି କଥା କହି ପାରିବିନି । ହୁଏତ ଧରା ପଡ଼ିଯିବି । ବର ହୋଇ ପିଲାଟି ଭଳି ତା କୋଳରେ ବସି ଗୁଣ୍ତା ଗୁଣ୍ତା କରି ଭାତ ଖାଇଚି । ଦିଅଁଙ୍କ ଭଳି ଦିଅଁ ଖଟୁଳି ଆଗରେ ବସି ପୂଜା ପାଇଚି କେତେଥର ।

 

କିନ୍ତୁ ଶେଷରେ ଯିବାକୁ ହିଁ ପଡ଼ିଲା । ସାତ ବର୍ଷ ପରେ ଖଣ୍ତିଏ ଚିଠି ଆସିଲା ଶକୁ ଭାଉଜ ପାଖରୁ—ମୋ ପୁଅର ବ୍ରତଘର । ମାମୁଁ ତ ତୁମେ । ତୁମ ଛଡ଼ା ଆଉ କିଏ ଆସି ବ୍ରତ କରେଇବ ?

 

ଶକୁ ଭାଉଜର କଥାରେ, ଚିଠିରେ କେତେଥର ଚମକିଚି ଦୀନୁ । କିନ୍ତୁ ଏ ଚିଠି ପଢ଼ି କେତେଥର ବିସ୍ମିତ ହୋଇ ଉଠିଲା ସେ ଶକୁ ଭାଉଜର ପୁଅ, ସେ ପୁଣି ବଡ଼ୁ ହେବ । ଦୀନୁ ମାମୁଁ ସାଜି ବ୍ରତଘର ଚଳେଇବ । ବଡ଼ ଅଦ୍ଭୁତ ବୋଧ ହେଲା ତାକୁ ।

 

ଘରଣୀ ଚିଠି ପଢ଼ି କହିଲେ—ଇଏ କୋଉ ନଣନ୍ଦ କିହେ ?

 

ହସି ହସି କହିଲି, ଥୟ ଧର ରିନୁ, ବଂଚିଥିଲେ ଇମିତି କେତେ ନଣନ୍ଦଙ୍କଠୁ ଚିଠି ପାଇବ-। ସଜ ହୁଅ ମାଈଁ ହେଇ ଯିବାକୁ ପଡ଼ିବ । ଥାଳି ନଧରିଲେ ଭଣଜାଙ୍କ ବ୍ରତଘର ବନ୍ଦ । ଶହେଟି ଟଙ୍କା ଦରକାର । ବ୍ରାହ୍ମଣ ଘର । ତୁମପରି ତ ଖିରସ୍ତାନ ନୁହନ୍ତି । ବ୍ରତଘର ଗୋଟାକଯାକ ମାମୁଁ ପକ୍ଷର ।

 

ସିନେମା ଘରେ ତନ୍ମୟ ଚକ୍ଷୁରେ ବିୟୋଗାନ୍ତ ଦୃଶ୍ୟ ଦେଖୁଥିଲାବେଳେ, ପିଲା କାନ୍ଦରେ ଯିମିତି ବିରକ୍ତ ହୋଇ ଉଠେ, ଘରଣୀ ସେମିତି ବିରକ୍ତ ହୋଇ ଉଠିଲେ—ବିବାହ ଚୁକ୍ତିରେ ତ ମତେ ଏ ଦାୟିତ୍ୱ ବହନ କରିବା କଥା ଲେଖା ନଥିଲା ।

 

କହିଲି, କୁରୁକ୍ଷେତ୍ର ଯୁଦ୍ଧରେ ଚୁକ୍ତିରେ ଯେଉଁସବୁ କଥା ଲେଖାଥିଲା, ସେ ସବୁ କେହି ଅକ୍ଷରେ ଅକ୍ଷରେ ପାଳନ କରିନାହାନ୍ତି । ଚୁକ୍ତିରେ ଥିଲା ଉପରକୁ ଶର ଭେଦ ହେବ ନାହିଁ, ରାତିରେ ଯୁଦ୍ଧ ହେବ ନାହିଁ—ହେଲା ତ । ସେ ଚୁକ୍ତି ଯେତେବେଳେ ଭଙ୍ଗ ହେଇଚି, ସାମାନ୍ୟ ବିବାହ ଚୁକ୍ତି ତ-!

 

ବହୁତ ଯୁକ୍ତିତର୍କ ପରେ ଘରଣୀ ବାହାରିଲେ । ଦୁହେଁ ଗଲୁ ଆଠବର୍ଷ ଭିତରେ ବହୁତ ଘଟଣା ଘଟି ଯାଇଚି । ଚନ୍ଦ୍ର ଭାଇନା ଗାଁକୁ ଫେରିଥିଲା ତାର ବର୍ମା ସ୍ତ୍ରୀ ଜାତ ଏକ ପୁତ୍ର ସନ୍ତାନକୁ ଧରି । ପୁଅଟିର ବୟସ ଏଗାର । କିନ୍ତୁ ଚନ୍ଦ୍ର ଭାଇନା ଘରେ ପହଞ୍ଚିବାର ପନ୍ଦର ଦିନ ପରେ ଇହଲୀଳା ସାଂଗ କଲେ । ଶକୁ ଭାଉଜ ଯାହାକୁ ଚାହୁଁ ନଥିଲା—ସେ ଚିରଦିନ ଲାଗି ଲୋପ ପାଇଗଲା । ଯାହାର ଅଭାବ ପୂରଣ ଲାଗି ରବର କଣ୍ଢେଇ କିଣିଥିଲା, ତାକୁ ପାଇଲା ଆଜି ତା’ରି ବ୍ରତଘର । ଦୀନୁ ଆସିଚି ଭାଇ ଭାବରେ ତାର ସ୍ତ୍ରୀ ସହିତ । ବାଇଦ ବାଜଣା ବାଜୁଚି । ଦୀନୁ ବେଦୀରେ ଠିଆ ହେଇଚି ମାମୁଁ ପଦର ଗର୍ବ ନେଇ—ଆଗରେ ଭଣଜା ।

 

ସର ଭାଉଜ ପ୍ରଥମ ବନ୍ଦାଣ ଥାଳି ଦେଇଗଲା ଗୋଟିଏ ସୁନା ମୁଦି । ଦୀନୁ ଆଖିରେ ଝଲସି ଉଠିଲା ସେଇ ମୁଦିଟା । ଏଇ ମୁଦିଟାକୁ ବାହାଘର ଦିନ ଦୀନୁ ଉପହାର ଦେଇଥିଲା ରଂଜୁକୁ-। ସର ଭାଉଜ ପାଇଲା କେମିତି ?

 

ବନ୍ଦାଣ ଶେଷରେ ଦୀନୁ ପ୍ରଥମେ ଧାଇଁ ଯାଇଥିଲା ସର ଭାଉଜ ପାଖକୁ, ଏ ମୁଦିଟାର ଖବର ବୁଝିବାପାଇଁ । ସର ଭାଉଜ ବର୍ଣ୍ଣନା କରିଥିଲା ସବୁ କଥା । ରଂଜୁ ଯୋଉଦିନ ମଲା, ତାରି ପୂର୍ବଦିନ ସେଇ ମୁଦିଟାକୁ ଦେଇଥିଲା ସର ଭାଉଜକୁ । କହିଥିଲା—ମୁଁ ତ ଫେରେଇ ପାରିବିନି । ସୁଯୋଗ ମିଳିଲେ ତୁମେ ଫେରାଇ ଦେବ ।

 

ତୁମକୁ ଫେରେଇ ପାରିଲିନି ଦୀନୁ । ମୋ ଅବସ୍ଥା କଥା ତ ଜାଣ । ଏତେ ଗୁଡ଼ାଏ ପିଲା-। ଆଜି ବନ୍ଦାଣ ଥାଳିରେ ବନ୍ଦେଇବା ପାଇଁ ହାତରେ ପଇସେ ବି ନଥିଲା । ବାକ୍‌ସ ଖୋଲୁ ଖୋଲୁ ଏଇ ମୁଦିଟା ଆଖିରେ ପଡ଼ିଲା । ସେଇଟାକୁ ନେଇ ବନ୍ଦେଇ ଦେଲି । ରଂଜୁ କଥା ରଖି ପାରିନି—ତୁମକୁ ଫେରାଇ ପାରିଲିନି କ୍ଷମା ଦେବ ।

 

ଦୀନୁ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ଆସିଲା ।

 

ଶକୁ ଭାଉଜ ଡାକ ପକେଇଲା—ଦୀନୁ, ଆରେ ପୁରୋହିତେ ଡାକିଲେଣି, ବେଦୀକି ଯା-। ରୁମାଲରେ ଆଖିକି ପୋଛି ପୋଛି ଦୀନୁ ଚାଲିଯାଇଥିଲା ବେଦୀ ଉପରକୁ । ସେ ବେଦୀ ଉପରେ ଠିଆହୋଇ ଭାବିଲା—ସେ କାହାର କିଛି ନୁହେଁ, କିନ୍ତୁ ଆଜି ସବୁକିଛି ସମସ୍ତଙ୍କର । କିଏ କୁଆଡ଼େ ରହିଗଲେ, ସେ ଖାଲି ବାଟ କାଟି ଚାଲିଚି । ତା ପିଠି ଉପରେ ଗୋଟାଏ ଯୁଗ ବହିଯାଇଚି-

 

ହଁ, ପ୍ରକୃତରେ ଗୋଟାଏ ଯୁଗ ବହିଯାଇଚି, ସମେଇ ମହାପାତ୍ରେ ପ୍ରମୋସନ ପାଇଚନ୍ତି-। ଆଠଦିନ ତଳେ କୌଣସି ଏକ କାମରେ ଦୀନୁ ସେଦିନ ତାଙ୍କ ଘରକୁ ଯାଇଥିଲା । ବହୁତ ଖୋଜିଲା ସଲୀଳାଙ୍କୁ । ପାଇଲାନି । ପଚାରିବାକୁ ବି ସାହସ ହେଲାନି । ମନେ ମନେ ଭାବିଥିଲା, ହୁଏତ ସଲୀଳା ଖୁଡ଼ୀ ବାପଘରକୁ ଯାଇଥିବେ, ନଚେତ୍‌ ଗାଁକୁ ଯାଇଥିବେ ।

 

କିନ୍ତୁ ସଲୀଳା ଆଉ ସେ ଘରର ହୋଇ ରହି ନାହାଁନ୍ତି । ସେ ପ୍ରକୃତରେ ନେତ୍ରୀ ପାଲଟି ଯାଇଚନ୍ତି । କଳାନିକେତନର ସଭାନେତ୍ରୀ ହୋଇପାରିଲେନି ସତ, କିନ୍ତୁ ଶେଷରେ ଭୂଦାନ ଯାତ୍ରୀ ହୋଇ ପାରିଲେ ।

 

ଆଜି ସକାଳେ ସଲୀଳା ଦେବୀ ଆସିଥିଲେ ଦୀନୁ ଘରକୁ । ଟଙ୍କାଏ ଚାନ୍ଦା ନେଲେ । ଭୂଦାନ ଚାନ୍ଦା ନେଲେ । ଭୂଦାନ ବହି ବିକ୍ରୀ କଲେ । ଘରେ ଆପଣଙ୍କର ଭୂଦାନ ପାତ୍ର ବସାନ୍ତୁ ବୋଲି ବୁଝେଇଲେ ।

 

ଦୀନୁକୁ ଦେଖି ବେଶ ଚିହ୍ନି ପାରିଲେ, କିନ୍ତୁ ନ ଚିହ୍ନିଲା ଭଳି କଥା କହିଲେ । ଦୀନୁର ପଚାରିବା ପାଇଁ ଇଚ୍ଛା ହୋଇଥିଲା—ତୁମେ ସମେଇ ମହାପାତ୍ରଙ୍କ ସ୍ତ୍ରୀ ହୋଇ ଅଛ ତ ? କିନ୍ତୁ ପରେ ପରେ ଦୀନୁ ଭାବିଲା, ଏ ଯୁଗରେ ନେତ୍ରୀମାନେ ଅମୁକର ସ୍ତ୍ରୀ ଭାବରେ ପରିଚୟ ଦେବାଟାକୁ ସମ୍ମାନ ହାନି ବୋଲି ବୁଝନ୍ତି, ତେଣୁ ନପଚାରି ସେ ଠିକ କରିଚି ।

 

ସଲୀଳା, ଶ୍ୱେତବସନା, ଅଲୁଳାୟିତ କେଶା, ଯେତିକି ଦୂରେଇ ଦୂରେଇ ଗଲେ—ଦୀନାର ସ୍ମୃତିରେ ରଂଜନା ମୁହଁଟା ସେତିକି ଉଜ୍ଜ୍ୱଳ ହୋଇଉଠିଲା । ସେ କାନ୍ଦି ପକେଇଲା । ସେତେବେଳକୁ ଦୀନା ପାଖରେ କେହି ନଥିଲେ, କେବଳ ଥିଲେ ତାଙ୍କର ଘରଣୀ ରିନୁ, ତାଙ୍କର ଶେଷ ବାନ୍ଧବୀ । ସେ ହସୁଥିଲେ ।

Image